Unknown

 

 

 

 

 

 

 

 

 

 

ପଳାତକ

ଶ୍ରୀ କାହ୍ନୁଚରଣ ମହାନ୍ତି

 

 

ସାଧୁଚରଣ ବାଁ ହାତରେ ଜଗନ୍ନାଥର ପିଠିରେ ଚାପୁଡ଼ା ମାରି ଟିକିଏ ଯୋର୍‌ରେ କହି ଉଠିଲେ, ଆଃ, ତୋର ଖାଲି ସବୁବେଳେ ସେଇ କଥା । ସଂପତ ହୋଇ କଥାଭାଷା କର । ସବୁବେଳେ ପାଟିରୁ ସଂସ୍କୃତ ବାହାର କରିବାକୁ ତୋତେ ଲାଜ ମାଡ଼େ ନାହିଁ ? ଜଗନ୍ନାଥ ଉତ୍ତେଜିତ ହୋଇ କହିଲା, ଓଃ, ଭାରି ତ, ହ୍ୟାପ୍‌, ଭଉଣୀ ନ ଥାଇ ଏଡ଼େ ଯୋର୍‌ ସେ ଥାପଡ଼, ଥିଲେ ଆଉ ରଖି ଦିଅନ୍ତୁ ନାହିଁ । ଏଇ, ଦେଖ୍‌, ଦେଖ୍‌ ।

 

ଜଗନ୍ନାଥ ସଯୋରେ ସାଧୁଙ୍କର ମୁଣ୍ଡକୁ ଦୁଇହାତରେ ଧରି ସମୁଦ୍ର ଆଡ଼କୁ ବୁଲାଇ ଦେଲା । ସାଧୁ ବିରକ୍ତ ହୋଇ କହିଲେ, ଆଚ୍ଛା, ତୋର ସେଥିରେ ଥାଏ କଅଣ କହିଲୁ ? ପରଦାରେଷୁ ମାତୃବତ୍‌ ଏହି ବାକ୍ୟଟି ପଣ୍ଡିତ ମହାଶୟ କ୍ଲାସରେ ଗର୍ଜି ଗର୍ଜି ଘଣ୍ଟାଏଁ ବୁଝାଇଲେ । ତାଙ୍କ କଥା ତୋର ଭଣ୍ଡାରିଜଳାବାଟେ ଗଲା ନା ? ସାଧୁ ଯୋରରେ ଦୁଇ ପାଦ ଆଗକୁ ଗଲେ । ଜଗନ୍ନାଥ ଛାଡ଼ିବାର ପିଲା ନୁହେଁ । ସେ ମଧ୍ୟ ଦୁଇପାଦ ଆଗକୁ ଯାଇ କହିଲା, ବାଃ, ବେଶ୍‌ବେଶ୍‌ ଏଥର ପଣ୍ଡିତେ ପେନ୍‌ସନ୍‌ ନେଲେ, ଜଣା ପଡ଼ୁଛି ତାଙ୍କ ସ୍ଥାନ ତୁ ପୂରଣ କରିବୁ । ଆଗରୁ କହି ରଖିଛି ଯେତେ ସଂସ୍କୃତ ପଢ଼ି ପଛେ, ମୋ ପାଖେ ତୋତେ ବରାବର ହାର୍‌ ମାନିବାକୁ ହେବ ।

 

ମୁଁ ସେଥିରେ ସମ୍ପୂର୍ଣ୍ଣ ରାଜି । ଥରେ କାହିଁକି ହଜାର ଥର ମାନିବାକୁ ପ୍ରସ୍ତୁତ ।

 

ଦେଖ୍‌ଦେଖ୍‌, ଉଁ ବେଲେରେ, ଟିକିଏ ଲାଜ ସରମ ଅଛି ? ହ୍ୟାପ୍‌, ବିଦେଶକୁ ଆସିଛନ୍ତି ହାଓ୍ୱ। ଖାଇବାକୁ ପରା, ଖାଲି ପାଟିବାଟେ କି ନାକବାଟେ ହାଓ୍ୱ। ଖାଇ ସନ୍ତୋଷ ହେବେ କାହିକିଁ ? ଯେତେ ସମ୍ଭବ ଖର୍ଚ୍ଚ ଗୁଡ଼ାକ ହାଓ୍ୱା ଖାଇ ଆଦାୟ କରିନେଲେ ହେଲା । ଆରେ ଭାଇ, ଦେହ ହାତ ଯଦି ଘୋଡ଼ାଇ ରଖିବ ଏତେ ପଇସା କରି ଏଠିକି ଆସବାର ପ୍ରୟୋଜନ କଅଣ ?

 

ତୁଉଟା ନିତାନ୍ତ ବାବାଜୀ, ଜଗା !

 

ତୁଉଟା ନିପଟ ମଫସଲିଆ, ନିରୋଳା ଗାଉଁଲି, ଏଇଆ କହିବାକୁ ଚାହୁଁ ତ ? ହେଲା, ମୁଁ ସେଥିରେ ଅମତ ନୁହେଁ । ତେବେ କଥା ହେଉଛି, ପଣ୍ଡିତେ ଶ୍ଳୋକ ବୁଝାଇଲା ବେଳେ ତୁ ଢୁଳଉ ଥାଉ । ସେଥିପାଇଁ ଭିତରି ଅର୍ଥଟା ବୁଝି ପାରୁ ନାହିଁ । ଆଚ୍ଛା, ଦାର ଶବ୍ଦଟା ପୁଲିଙ୍ଗ ବୋଲି ପଣ୍ଡିତେ କହି ନାହାନ୍ତି ? ପଣ୍ଡିତ କଅଣ ମିଛରେ କହିବେ ? ଅର୍ଥ ହେଉଛି, ଭିତରେ ସ୍ତ୍ରୀ କିନ୍ତୁ ବାହାରଟା ଦେଖିବାକୁ ପୁଂ । ଢଙ୍ଗ ଢାଙ୍ଗରୁ ବ୍ୟବହାରରେ ମଧ୍ୟ ପଂ- ଅବିକଳ, ଅବିକଳ । ଚାରିଆଡ଼େ ଅନାଇଲେ ଯଥାର୍ଥ ବୁଝିପାରିବୁ ।

 

ସାଧୁ ନୀରବରେ ତଳକୁ ଅନାଇଁ ଆଗକୁ ଚାଲିବାକୁ ଲାଗିଲେ । ବନ୍ଧୁର କଥାର ଉତ୍ତର ଦେଲେ ନାହିଁ । ଜଗନ୍ନାଥ ହସି ହସି କହିଲା, ଯଦି ମୋ କଥାରେ ପ୍ରତିବାଦ କରିବାକୁ ଇଚ୍ଛା, ମୁଁ ଭାଇ ଛାଡ଼ିବାର ଲୋକ ନୁହେଁ । ଗୋଟାଏ ରଫା କରିବାକୁ ହେବ । ସେଟା ଆପୋସ୍‌ମେ । ମୁଁ କହୁଛି, ବ୍ୟାକରଣ କର୍ତ୍ତା ଟେଳାଏ ଭାଙ୍ଗବଟା ପାଟିରେ ଥୋଇ ବ୍ୟାକରଣ ଲେଖୁଲେଖୁ ଅକାରାନ୍ତ ପୁଂଲିଙ୍ଗ ଶବ୍ଦଟିକୁ ଏହିମାନଙ୍କୁ ବୁଝାଇବାକୁ ଲେଖୁ ଲେଖୁ ଢଳାଇ ପଡ଼ିଲେ । କିନ୍ତୁ, ଗୋଟିଏ ଇନ୍‌ପ୍ରତ୍ୟୟ ଲଗାଇବା ଦରକାର ଥିଲା, ନା କଅଣ, କହୁଛୁ ସାଧୁ ? ସାଧୁ ହସକୁ ତୋଠାରେ ଭଦ୍ରତାର ଚିହ୍ନ ଦେଖିଲେ ନାହିଁ ଜଗା । କିଏ କଅଣ କରୁଛି ସେଥିରେ ଆମର ଥାଏ କଅଣ ? ପରକୁ ଏପରି ଅଭଦ୍ର ଭାବରେ ସମାଲୋଚନା ବରିବାକୁ ତୋର ଅଧିକାର ନାହିଁ ।

 

ଜଗନ୍ନାଥ ମୁହଁ ଶୁଖାଇ ମୁଣ୍ଡର ଟେରି ସଜାଡ଼ୁ ସଜାଡ଼ୁ କହିଲା, ମୁଁ ପଛେ ଅଭଦ୍ର ହୁଏ ଭାଇ, ତୋହର ଏ ଅଯଥା ଅତ୍ୟାଚାର ସହି ପାରିବି ନାହିଁ । ଖାସ୍‌ ସମୁଦ୍ରକୂଳକୁ ବୁଲି ଆସିବ ବୋଲି ଘଣ୍ଟାଏ ଲାଗି ଏତେ ଯତ୍ନରେ ଯେଉଁ ଟେରି ବାଗେଇଥିଲି, ତୁ ବିନା ଆପତ୍ତିରେ ଏଡ଼େ ସହଜରେ ଭାଙ୍ଗିଦେଇ ମୋର ସବୁ ଅମୂଲ୍ୟ ପରିଶ୍ରମ ପଣ୍ଡ କରି ଦେଲୁ, ହାୟରେ !

 

ସାଧୁ ସ୍ମିତ ହସି କହିଲେ, ଆହା ହା, ଚନ୍ଦ୍ରମୁଖଟି ତୋର ଦେଖିଲେ...

 

ବାଧା ଦେଇ ଜଗନ୍ନାଥ କହିଲା, ଭାରି ଲୋଭ ହେଉଥିବ, କଣ କହୁଛୁ ?

 

ଏ କଥା ପଚାରୁଛୁ ନା ? ବିଶେଷତଃ ତୋର ହସ ଖଣ୍ଡକ, ସତେ କି କଳାମେଘରେ ଦାମିନୀର ଛଟା । ସାକ୍ଷତ୍‌ ଗୋଜଣାରେ ନିଆଁ ଲାଗିଲା ଭଳି । ଆହା, କେଡ଼େ ସୁନ୍ଦର ଟେରିଟା ଭାଙ୍ଗିଗଲା ! ମୁଁ ଅତି ଦୁଃଖିତ ସେଥିପାଇଁ । ଜଗୁ, ଗୋଟିଏ କାମ କର, ଏଥର ଭାଇ, ଆମ କଲିକତିଆ ଭାଇଙ୍କ ପରି ପକେଟରେ ଖଣ୍ଡେ ଛୋଟ ଆରିସି, ଆଉ ଖଣ୍ଡେ ଛୋଟ ଚିରୁଣୀ ରଖିଥା-। ଅଜାଣତରେ ଟେରିଟା ଭାଙ୍ଗିଗଲେ ଦୁଃଖ କରିବାକୁ ହେବ ନାହିଁ ।

 

ତୋର ଉପଦେଶ ମାନିବାକୁ ହିଁ ପଡ଼ିବ । ଏଇ, ଦେଖ୍‌ଦେଖ୍‌ କହି ଜଗନ୍ନାଥ ହାତ ବଢ଼ାଇ ଅଦୂରସ୍ଥ ସଦ୍ୟସ୍ନାତା ଜଣେ ରମଣୀକୁ ଦେଖାଇ ଦେଲା ଖଣ୍ଡି କାଶ ମାରି କହିଲା, ବେହିପୋ ରଙ୍କ ତ ! ଆରେ, ଅଧେ ବାୟୁ ସେବନ କଲେ ବାକି ଅଧକ ଜଳ ସେବନ କରନ୍ତୁ । ବାଃ, ବୁଦ୍ଧି ହ୍ୟାକ୍‌ । କାରଣ, ପୁରୀର ଜଳବାୟୁ ଉଭୟ ଭଲ । ସଞ୍ଜବୁଡ଼ଟାରେ ଲଙ୍ଗଳାମୁକୁଳା ହୋଇ ବାପଭାଇ ଏବଂ ଅନ୍ୟାନ୍ୟ ଭଦ୍ରଲୋକଙ୍କ ଆଗରେ ଗୋଧୋଇବା କଅଣ କମ୍‌ ସାହସର କଥା । ଧନ୍ୟ ଧନ୍ୟ ।

 

ଚୋପ, ଅସଭ୍ୟ, କହି ସାଧୁ ମୁଣ୍ଡ ନୁଆଇଁ ଅନ୍ୟମନସ୍କ ଭାବରେ ସମୁଦ୍ରବେଳାରୁ ଚିତ୍ରତ ଶାମୁକା ଗୋଟାଇବାକୁ ଲାଗିଗଲେ । ଜଗନ୍ନାଥ ସାଧୁଙ୍କୁ ଅନୁକରଣ କରି ଗୋଟାଉ ଗୋଟାଉ କହିଲା, ତୋତେ ଲାଜ ମାଡ଼ୁଥିବ ସାଧୁ, ଲାଜ ମାଡ଼ିବାର କଥା । ତମମାନଙ୍କ ପରି ମୋରାଲିଷ୍ଟ । ବାପ୍‌ରେ, ଦୂରରୁ ଦେଖି ସଲାମ୍‌ ବଜାଇବାକୁ ମନ ହୁଏ । ମୋର ଗୋଟିଏ କଥା ମାନ । କାଲିଠୁଁ ସମୁଦ୍ର କୂଳରେ ହାଓ୍ୱା ଖାଇବା ଆଶାଟି ଛାଡ଼ି ଦେ, ନୋହିଲେ ଘୋଡ଼ାଙ୍କ ଆଖିରେ ଯେପରି କରପଟି ଦିଆଯାଏ, ସେଥିରୁ ଦି ଖଣ୍ଡି ଯୋଗାଡ଼ କର, କେତେବେଳେ କେଉଁ କଥା, ବୁଝିଲୁ ନା ?

 

ତୋରି ପରି ଦୁର୍ବଳାମନା ଲୋକଙ୍କ ପାଇଁ ଉପଦେଶଟା ଲାଭଜନକ ହେବ । ମୋର ମନ ସବଳ । ତୁ ମୋ ବିଷ୍ୟରେ ନିଶ୍ଚିତ ରହ । ଆଚ୍ଛା, ତା ହେଲେ ଆଉ ଗୋଟିଏ ଉପଦେଶ ଶୁଣ-

 

କ୍ଷମା କର, ଘରୁ ବାହାର ପର୍ଯ୍ୟନ୍ତ ଅନେକ ଉପଦେଶ ପ୍ରତିଦିନ ଶୁଣେ । ଆଉ ଅଧିକ ଶୁଣିବାକୁ ଇଚ୍ଛା ନାହିଁ । ଜଗା, ତୋ ସାଙ୍ଗେ ବୁଲି ଆସିବା ଗୋଟାଏ ଦଣ୍ଡ । ତୁଉଟା ଏଡ଼େ ଚାପୁଡ଼ି ଯେ ତୋ କଥା ଶୁଣିଲେ ମଣିଷ ବିରକ୍ତ ହେବାକୁ ବାଧ୍ୟ ହେବ । ଗପରେ କିଛି ଲାଭଅଛି, ନା ମୂଲ୍ୟ ଅଛି ? ଖାଲି ସେହି ବଜାରୀ କଥା । ଦୁଃଖ ସୁଖ ନାହିଁ, କି ଦେଶର ହାଲଚାଲ ବୁଝିବା ନାହିଁ, ସବୁବେଳେ ହେରେଷାମି ।

 

ଆରେ, ରଖ ତୋର ଦେଶ ! ଆମ ଭଳିଆ ବଜାରି ପିଲା ଯଦି ଦେଶର ହାଲଚାଲ ବୁଝିବେ ତମେ ବେହିପୋ ମୋରାଲିଷ୍ଟ ଯିବୁ କୁଆଡ଼େ ? ତମେ ସବୁ ଭଲବାଟରେ ଯାଇ ନାମ କଲେ ଆମେ କଅଣ ଖରାପ ବାଟରେ ଯାଇ ସେତକ କରି ପାରିବୁ ନାହିଁ ? ନାଁ କମାଇବାରେ ତ କଥା, ହ୍ୟାପ୍‌ ।

 

ଚୋପ୍‌, ପାଟି ସମ୍ଭାଳ, କଥାରେ ସଂଜତ-

 

ସଂଜତ ହେଲା, ଆଉ କଅଣ ? ବାଧାଦେଇ ଜଗନ୍ନାଥ କହିଲା, ଏବେ ଚାଲ ଫେରିବା-

 

ନା ଭାଇ, ମୁଁ ତୋ ସଙ୍ଗେ ଫେରି ପାରିବି ନାହିଁ । ତୁ ଆଗରେ ଯା । ହଉ ତେବେ, ସଲାମ୍‌, ବାକି କଥା କାଲି ।

 

ଜଗନ୍ନାଥ ଡ୍ରିଲ୍‌କଲା ପରି ବୁଲିପଡ଼ି ଦ୍ରୁତପଦରେ ବିପରୀତ ଦିଗକୁ ଚାଲିଲା । ସାଧୁ ଥରେ ପଛକୁ ଚାହିଁ ଆଗକୁ ଚାଲିଲେ । ଜଗନ୍ନାଥ ପ୍ରତି ମନରେ ଘୃଣା ଭାବ । ଲୋକଟା ଭଲ ନୁହେଁ-। ଅଭଦ୍ର, ଅସଭ୍ୟ, ତଥାପି ତା ତା ପାଖରୁ ଦୂରେଇ ରହିବା ସମ୍ଭବ ହୁଏ ନାହିଁ । ସେ ଉପରେ ପଡ଼ି ବନ୍ଧୁତା କରେ । ଯୋକ ପରି ଲାଗି ରହିଥାଏ । ଏପରି ଲୋକଙ୍କୁ ଦୂରରୁ ସାବଧାନ ।

***

 

 

ସମୁଦ୍ର କୂଳ । ଦଳ ଦଳ ହୋଇ ଛାତ୍ର, ଭଦ୍ରଲୋକ ଏବଂ ଭଦ୍ରମହିଳା ବସି ତନ୍ମୟ ହୋଇ ସମୁଦ୍ରର ଢେଉ ଦେଖୁଛନ୍ତି । କେହି ହାତ ଧାରଧରି ହୋଇ ଟହଲୁଛନ୍ତି । ଟିକିଏ ଦୂରରେ, କେତେଜଣ ପ୍ରୌଢ଼ ଓ ବାଳିକା ନାନାପ୍ରକାର କୌତୁକପୂର୍ଣ୍ଣ କଥାକହି ଆନନ୍ଦରେ ହସି ହସି ଶାମୁକା ଆହରଣ କରିବାରେ ବ୍ୟସ୍ତ । କେତେଗୁଡ଼ିଏ ଶିଶୁ ବେଳାଭୂମି ଉପରେ ବେଗଗାମୀ କଙ୍କଡ଼ା ଧରିବାକୁ ବାରମ୍ବାର ବ୍ୟର୍ଥଚେଷ୍ଟା କରି, ନିଜ ନିଜ ଭିତରେ କଳହ ସୃଷ୍ଟି କରୁଛନ୍ତି । କିଏ କିଏ ବଳକା ଶଯ୍ୟାରେ ଶୟନ କରି ସୁସ୍ୱରରେ ସଙ୍ଗୀତ ଲହରୀ ମେଲି ଦେଇଛନ୍ତି । ମାତ୍ର ସମୁଦ୍ରର ଗମ୍ଭୀର ଅବୋଧ୍ୟ ସଙ୍ଗୀତ ଦେହରେ ମନୁଷ୍ୟର ସ୍ୱର ନିଜକୁ ହଜାଇ ଦେଉଛି ।

 

ବାଲିଗଦାର ଅନ୍ତରାଳରେ ପ୍ରଣୟୀ ଯୁଗଳ ପାଖାପାଖି ହୋଇ ଅର୍ଦ୍ଧଶାୟିତାବସ୍ଥାରେ ପ୍ରେମାଳାପରେ ନିମଗ୍ନ । ଜଣକର ଘର୍ମାକ୍ତ ମୁହଁରେ ଫୁଟି ଉଠିଛି ଗୋଲାପର ଆଭା । ନୟନରେ ଭୟ ଓ ସରମର କୋମଳ ଦୀପ୍ତି । ଅନ୍ୟ ଜଣଙ୍କର ଚଞ୍ଚଳ ଚକ୍ଷୁରେ ଉଦ୍‌ବିଗ୍ନତା, ପୁଣି ଅସ୍ଥିରତା ।

 

ସାଧୁ ଏହି ସବୁ ଦୃଶ୍ୟ ଦେଖି ଦୂରକୁ ଚାଲିଗଲେ । ମନରେ ସ୍ଫୂର୍ତ୍ତି । ସମସ୍ତଙ୍କର ପ୍ରଫୁଲ୍ଲ ବଦନ ଦେଖି ସେ ମଧ୍ୟ ଅନ୍ତରରେ ଆନନ୍ଦ ଉପଲବଧି କରୁଛନ୍ତି । ଗୁଣୁଗୁଣୁ ହୋଇ ସଙ୍ଗୀତ ଗାଇ ଅନ୍ତଗାମୀ ସୂର୍ଯ୍ୟଆଡ଼କୁ ଅନାଇଲେ । ଦିଗ୍‌ବଳୟର ପ୍ରାନ୍ତଦେଶରେ ସୂର୍ଯ୍ୟଦେବ ଧୀରେ ଧୀରେ ଜଳ ଭିତରକୁ ପ୍ରବେଶ କରୁଛନ୍ତି । କେତେ ଖଣ୍ଡି ସୁନେଲୀ ବଉଦରେ ପ୍ରତୀଚୀ ଆକାଶର ପ୍ରାନ୍ତଦେଶ ଚିତ୍ରିତ ହୋଇଛି । ମନୋରମ ।

 

କିଏ ଜଣେ ଡାକିଲେ, ସାଧୁ ନା ?

 

ପରିଚିତ କଣ୍ଠର ଆଭାସ ପାଇ ସାଧୁ ବିସ୍ମିତ ହୋଇ ପଛକୁ ଚାହିଁଲେ । ଟିକିଏ ଦୂରରେ ବସି ବିପ୍ରଚରଣ ତାଙ୍କୁ ହାତ ଠାରି ନିକଟକୁ ଡାକୁଛନ୍ତି । ସେ କାଳବିଳମ୍ବ ନ କରି ନିକଟକୁ ଯାଇ ପ୍ରଣାମ କଲେ । ଆଶ୍ଚର୍ଯ୍ୟାନିତ୍ୱ ହୋଇ ପଚାରିଲେ, ଦାଦା, ଆପଣ କେବେ ? ବିପ୍ରଚରଣ ଖଣ୍ଡେ ମଇଳା ଖଦଡ଼ ରୁମାଲରେ ଆଖି ପୋଛୁ ପୋଛୁ କହିଲେ, ଆଜି । ତା ପରେ ଠିଆ ହୋଇ ପଚାରିଲେ, ତୋର ସବୁ ଭଲ ତ, ସାଧୁ ?

 

ସାଧୁ ଉତ୍ତର ଦେଇ ପାରିଲେ ନାହିଁ । କରୁଣାପୂର୍ଣ୍ଣ ଲୋଚନରେ ବିପ୍ରଚରଣଙ୍କର ଆପାଦ ମସ୍ତକ ନିରୀକ୍ଷଣ କଲେ । ମସ୍ତକର କେଶଗୁଚ୍ଛ ବାୟୁରେ ଫୁର୍‌ଫୁର୍‌ ହୋଇ ଉଡ଼ୁଛି । ପରିହିତ ଖଦଡ଼ର ଅପରିଷ୍କାର କାମିଜ ବାର ଜାଗାରେ ଚିରା । ସ୍ଥାନେ ସ୍ଥାନେ ପଟି । ଲୁଗାଖଣ୍ଡି କାମିଜ ଅପେକ୍ଷା ଟିକିଏ ସଫା । ଲମ୍ବା କାମିଜ୍‌ ମଧ୍ୟରେ ଏହାର ଅଧିକାଂଶ ଲୁଚି ଯାଇଥିବାରୁ ଅବସ୍ଥା ଭଲ କରମ ଜଣା ପଡ଼ୁନାହିଁ । ପାଦରେ ଯୋତା ନାହିଁ । ସାଧୁରଣଙ୍କ ମୁଖରେ ବିଷାଦର ଛାୟା ଦେଖାଦେଲା । ସେ ମନକଥା ଗୋପନ କରି ପଚାରିଲେ, ହଠାତ୍‌ ଏପରି ଚାଲି ଆସିଲେ, ମୋତେ ଚିଠି ଲେଖି ପାରିଲେ ନାହିଁ ?

 

ମୋର ଆସିବାର ନ ଥିଲା । ଆଜି ଦିନ ଏଗାରଟା ବେଳେ ଜଣେ ବନ୍ଧୁଙ୍କ ସଙ୍ଗେ ଷ୍ଟେସନରେ ଦେଖା ହେଲା । ତାଙ୍କର ପୁରୀ ଆସିବାର କଥା । ପିଲାପିଲି ନେଇ ସେ ପୁରୀରେ ଦୁଇ ତିନି ମାସ ରହିବାକୁ ଆସିଛନ୍ତି । ପୁରୀର ହାଲଚାଲ ଜାଣନ୍ତି ନାହିଁ ବୋଲି ମୋତେ ଆସିବାକୁ ବାଧ୍ୟ କଲେ । ମୁଁ ବି ବିଶେଷ ବଳେଇଲେ ନାହିଁ । ବହୁଦିନ ହେଲା ତୋତେ ଦେଖି ନ ଥିଲି । ଥରେ ଦେଖିଯିବାକୁ ମୋର ଇଚ୍ଛା ହେଲା । ଦିହେ ଦିହେ ଚାଲି ଆସିଛି ।

 

ଲେକ୍‌ଚର୍ ମାରା ହେବ ନାହିଁ ?

 

ଲେକ୍‌ଚର ? କହି, ବିପ୍ରଚରଣ ସାଧାଚରଣଙ୍କୁ ବାରମ୍ବାର ଅନାଇ ବିରକ୍ତିଟାକୁ ଚାପିନେଇ କହିଲେ, ହଁ, ଦିନେ ଦି ଦିନ ମାରା ହେଲେ ହବ । ମୁଁ କାଲି ସକାଳ ଗାଡ଼ିରେ ଚାଲିଯିବି-। ଚାଲ, ଆଗ ବସାକୁ ଯିବା । ତୋ ସଙ୍ଗେ ଅନେକ ବିଷୟର କଥା ଅଛି । ପୁଣି କହିଲେ- ପଢ଼ାପଢ଼ି କେମିତି ଚାଲିଛି । ପରୀକ୍ଷା ଆସି ପାଖ ହୋଇଗଲା । ତୋ ଠେଇଁ ଆମର ସବୁ ଆଶା ବାବୁ, ବଂଶର ନାଁ ରଖିବୁଟି । ଦେଖାଯାଉ । ସାଧୁ ଲଜ୍ଜିତ ହୋଇ ଆଗେ ଆଗେ ଚାଲିଲେ । ବିପ୍ରରଣ ନୀରବରେ ତାଙ୍କର ଅନୁଗମନ କଲେ । ସ୍ୱର୍ଗଦ୍ୱାର ନିକଟରେ ସାଧୁଚରଣ କହିଲେ, ବାପା ଆସି ପହଞ୍ଚିଛନ୍ତି ।

 

ସମୁଦ୍ରକୂଳରୁ ପଥ ଭାଙ୍ଗି ଉଭୟେ ମନ୍ଦିର ରାସ୍ତାରେ ଯାଉଁ ଯାଉଁ, ବିପ୍ରଚରଣ କେତେ ବିଷୟ ଚିନ୍ତାକରି ପଚାରିଲେ, କେବେ ଆସିଛନ୍ତି, ଏକା ନା ?

 

କାଲି ସନ୍ଧ୍ୟାଗାଡ଼ିରେ ଆସି ପହଞ୍ଚିଛନ୍ତି । ବୋଉ ଆସିଛି, ସର ଆସିଛି ।

 

କିଛିକ୍ଷଣ ଚିନ୍ତା କରି ମୁଣ୍ଡ ହଲାଇ ବିପ୍ରଚରଣ କହିଲେ, ହେଲା ଯେ । ଏଥର ବୁଝିଲି କାହିଁକି ଆସିଛନ୍ତି । ହସି ହସି ପୁଣି କହିଲେ, ଏବେ ହେଲା ତ ! ମୁଁ ତତେ ପରା ମନା କରି ଲେଖିଥିଲି ? ଦେଖ, ସଂସାରରେ ସମସ୍ତଙ୍କର ଭାଗ୍ୟ ସମାନ ନୁହେଁ । ଭଗବାନଙ୍କର ଇଚ୍ଛାନୁରୂପ ସବୁ । ତାଙ୍କର ଯାହାକୁ ଦଣ୍ଡ ଦେବାର ଇଚ୍ଛା, ସେ ନିଶ୍ଚୟ ଦୁଃଖଭୋଗ କରିବ । ତା ଉପରେ ଅନ୍ୟ ଯେଉଁମାନେ ସହାନୁଭୂତି ଦେଖାଇବେ ଅଜାଣତରେ ଭଗବାନଙ୍କର ଦଣ୍ଡ ଯେ ସେମାନଙ୍କ ଉପରେ ନ ପଡ଼ିବ, ଏପରି ନୁହେଁ । ନିତାନ୍ତ କମ୍‌ରେ ବିଜୁଳିର ଚମକ୍‌ଟା ଲାଗିବ ତ ?

 

ଏପରି କାହିଁକି କହୁଛନ୍ତି ? କଥାଟା ଟିକେ ଖୋଲିକରି କହନ୍ତୁ । ମୁଁ ବୁଝି ପାରୁ ନାହିଁ ।

 

ତୋପରି ସରଳ ପ୍ରକୃତିର ପିଲା ଏତେ ତର୍କତାର୍କରେ ପଶିପାରିବ ନାହିଁ, ଦର୍କାର ମଧ୍ୟ ନାହିଁ । ତେବେ, ଆଜିଠୁ ମୋର ଗୋଟିଏ କଥା ମାନି ତୋତେ ଚଳିବାକୁ ହେବ । ପାରିବୁ ?

 

କଅଣ କହନ୍ତୁ ।

 

ତୋ ବାପାଙ୍କର ଅଜ୍ଞାତରେ, ସାହାଯ୍ୟ ତ ଦୂରରେ କଥା, ମୋ ନିକଟକୁ ଆଉ ଚିଠିପତ୍ର ଦେବୁ ନାହିଁ । ତାଙ୍କ ମନରେ ସନ୍ଦେହ ହେଉଛି । ବିପ୍ରଚରଣ ରୁମାଲରେ ଆଖି ପୋଛି କହିଲେ, ତାଙ୍କୁ କୌଣସି କଥା ଅଛପା ରହେ ନାହିଁ ।

 

କିଏ ଲେଖେ ।

 

ମୁଁ ନିଜେ । ସେ ମୋତେ ଚିଠିଲେଖି ପଚାରନ୍ତୁ, ତୁ ମୋ ନିକଟକୁ ଚିଠି ଦେଇଥିଲୁ କି ନାହିଁ, ମୋ ପାଖକୁ ଟଙ୍କା ପଠାଇ ଥିଲୁ କି ନାହିଁ ।

 

ଆପଣ ନାହିଁ କରି ପଠାନ୍ତି ନାହିଁ ?

 

ବାଃ, ବେଶ୍‌ତ, ପାଠ ପଢ଼ିବାର ଏହାହିଁ ଲାଭ ? ବଡ଼ଭାଇଙ୍କୁ ମିଛ କହି ଠକାଇବା ଅପେକ୍ଷା ପାଠ ନ ପଢ଼ିବା ସହସ୍ର ଗୁଣେ ଭଲ ।

 

କିଛି ସମୟ ଚୁପ୍‌ରହି ସାଧୁଚରଣଙ୍କର ପିଠିରେ ହାତ ମାରି କହିଲେ, ଟଙ୍କା ଅଭାବରୁ ଫାଇନାଲ ଦେଇପାରି ନ ଥିଲି । ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ତୁ ଷାଠିଏ ଟଙ୍କା ପଠାଇଥିଲୁ । ଯେଉଁଦିନ ତୋର ଟଙ୍କା ପାଇଲି, ତାର ପୁର୍ବଦିନ ଭାଇଙ୍କର ଚିଠି ପାଇଥିଲି । ତୋର ଟଙ୍କା ସାଙ୍ଗେ ସାଙ୍ଗେ ସେତିକ ଭାଇଙ୍କ ପାଖକୁ ପଠାଇଦେଲି ।

 

ସାଧୁଚରଣ ରାଗିଯାଇ କହିଲେ, କାହିଁକି ବାପଙ୍କ ପାଖକୁ ପଠାଇଲେ ? ମୋ ଟଙ୍କା ମୋତେ ଫେରାଇ ଦେଲେ ନାହିଁ ।

 

ମୁହଁ ସଞ୍ଜ ହୋଇ ଆସୁଥିବାରୁ ବିପ୍ରଚରଣ ପୁତୁରାର ଚକ୍ଷୁର ଲୋତକ ଦେଖି ପାରିଲେ ନାହିଁ । ସେ ପୂର୍ବବତ୍‌କହିଲେ, କାରଣ ମୁଁ ଭଲ କରି ଜାଣେ ତୋର ଯଦି ହଜାର ଟଙ୍କା ମୁଁ ନଷ୍ଟ କରିଦିଏଁ, ତୁ ଟିକିଏ ହେଲେ ଦୁଃଖିତ ହେବୁ ନାହିଁ କି ରାଗିବୁ ନାହିଁ । ଛାଡ଼ି ସେ କଥା । ଏଥର ଭାଇ ପୁରୀ ଆସିଛନ୍ତି, ତୋର ସ୍ୱାଧୀନତାଟିକ ସଙ୍ଗରେ ନେଇଯିବେ ବୋଲି । ପରେ ଦେଖିବୁ ।

 

ସାଧୁଚରଣ ଦୁଃଖିତ ହୋଇ କହିଲେ, ଆପଣ ତେବେ ଫେଲ୍‌ହୋଇ ନାହାନ୍ତି, ନା ! ଛାର କେଇଟା ଟଙ୍କା ପାଇଁ ବର୍ଷଗୋଟାଏ ଲୋକସାନ୍‌। ଧାର ଉଧାର କରି ଚଳାଇ ନେବାକୁ ଚେଷ୍ଟା କରିଥିଲେ ତ ହୋଇଥାନ୍ତି ।

 

ମୁଁ ଯଥାସାଧ୍ୟ ଚେଷ୍ଟାକରି ବିଫଳ ହେଲି । ଆରେ ବାବୁ, ଯାହାର ଅନାବଶ୍ୟକ, ଲୋକେ ତାକୁହିଁ ଧାର ଦେବାକୁ ଆଗଭର ହୁଅନ୍ତି । ଯାହାର ପ୍ରକୃତିର ଅଭାବ, ବିନା ଭବିଷ୍ୟତ୍‌ଆଶାରେ ତାକୁ କିଏ କାହିଁକି ପଚାରିବ ? ଆଉ ଅଧିକା ପାଠ ଦରକାର ନାହିଁ । ଯତ୍ରେତତ୍ରେ ମାଟିକ୍ୟୁଲେସନ ଖଣ୍ଡକ ତ ହୋଇଯାଇଛି, ସେହି ଢେର୍‌ ।

 

ଆପଣ କଳେଜରେ ଆଉ ପଢ଼ିବେ ନାହିଁ ?

 

ଉପାୟ ?

 

କରିବେ କଅଣ ?

 

ତାହାହିଁ ତ ମୋର ଭାବନା ! ଅବଶ୍ୟ କିଛି ଗୋଟାଏ କରିବାକୁ ହେବ । କଲିକତା ଆର୍ଟସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା ଥିଲା । କଟକ ଜିଲ୍ଲାବୋର୍ଡ ଚିତ୍ରବିଦ୍ୟା ପଢ଼ିବାକୁ ଆରବର୍ଷ ଗୋଟିଏ ସ୍କଲରସିପ୍‌ ଦେବ ବୋଲି ଶୁଣୁଛୁ । ଚେଷ୍ଟା କରୁ କରୁ ଭାଗ୍ୟରେ ଯାହା ହେବ, ଆଉ କଅଣ କରିବା ?

 

‘‘ଭାରତବର୍ଷରେ ସତୀଦାହ’’ ବୋଲି ଯେଉଁ ଚିତ୍ରଟି ଦେଇଥିଲେ, ପ୍ରକୃତରେ ବଡ଼ ଚମତ୍କାର ହୋଇଥିଲା । କାହିଁକି, ଏହି ବର୍ଷ କଲିକତା ଯାଉ କାହାନ୍ତି ? ବୃଥାରେ ଆହୁରି ଗୋଟିଏ ବର୍ଷ ହରାଇ ଲାଭ କଅଣ ? ଟଙ୍କା ମୁଁ ଦେବି, ନଇଲେ ବାପା ଦେବେ ।

 

ହସି ହସି ବିପ୍ରଚରଣ କହିଲେ, ଯଦି ତୁ ଦେଉ, ମୁଁ ଗ୍ରହଣ କରିବି ନାହିଁ । ଯଦି ଭାଇ ଦିଅନ୍ତି, ତେବେ ଏହି ବର୍ଷ କିଆଁ, ବର୍ତ୍ତମାନ କହିଲେ ମୁଁ କଲିକତା ଯାଇପାରେ । ଏହିପରି କଥୋପକଥନ ହୋଇ ଉଭୟେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉପସ୍ଥିତ ହେଲେ । ସନ୍ଧ୍ୟା ହେବାର ଦେଖି ବିପ୍ରଚରଣ କହିଲେ, ତୁ ବସାକୁ ଯା, ମୁଁ ଆସିଛି ବୋଲି ଭାଇ ଜାଣିଲେ ଭାବି ପାରନ୍ତି ।

 

ସାଧୁଚରଣ ପ୍ରତିବାଦ ନ କରି ଦୁଃଖରେ ପ୍ରଣାମ କଲେ । ବିଦାୟ ନେବା ପୂର୍ବରୁ ଦୁଇ ଜଣଙ୍କର ଚକ୍ଷୁ ଲୋତକାର୍ଦ୍ର ହେଲା । କାହାର ପାଟି ଫିଟିଲା ନାହିଁ ।

 

ବସା ଆଗରେ ପହଞ୍ଚି ସାଧୁ ଦେଖିଲେ, ଦାଣ୍ଡରେ ଖଣ୍ଡେ ମସିଣା ଉପରେ ପିତା ବସି ରସାନନ୍ଦ ବାବୁଙ୍କ ସଙ୍ଗେ ଅତି ଗୁପ୍ତରେ କଅଣ କଥାଭାଷା ହେଉଛନ୍ତି । ଲଣ୍ଠନଟି ଦୂରେଇ ହୋଇ ଥୁଆ ହୋଇଛି । ଭିତିର ପାଖ କବାଟକୁ ଦରଆଉଜା କରି ବୋଉ ନାକ ଦେଖାଇ ବସି କଥୋପକଥନ ସବୁ ଶୁଣୁଚନ୍ତି । ଆବଶ୍ୟକ ହେଲେ ସରକୁ ମଧ୍ୟସ୍ଥ କରି ଧୀରେ ଧୀରେ କଅଣ ପଦେ ଅଧେ କହି ଦେଉଛନ୍ତି । ସର ନିକଟରେ ନାହିଁ । ସେ ବୋଧହୁଏ ସାଧୁଚରଣର ପଢ଼ା ଘରେ ବହିପତ୍ର ଘଣ୍ଟାଘଣ୍ଟି କରୁଥିବ ।

 

ଶବ୍ଦ ହେବ ବୋଲି ସାଧୁଚରଣ ଗୋଡ଼ରୁ ଯୋତା କାଢ଼ି ବାଁ ହାତରେ ଧରିଲେ । ନଇଁପଡ଼ି ହାତଦେଇ ନିଃଖବ୍ଦରେ ପିତାଙ୍କର ସମ୍ମୁଖ ଦେଇ ଚାଲି ଯାଉଥିବା ସମୟରେ ଅଭୟଚରଣ ମୁଣ୍ଡ ଟେକି ଆଜ୍ଞେସୂଚକ ସ୍ୱରରେ କହିଲେ, ସାଧୁ ! ଏତେବେଳେ ଯାଏ କୁଆଡ଼େ ଥିଲୁ ? ଖୁଁ, ଏମିତି ତମର ପଢ଼ାପଢ଼ି ପରା, ନା ? କାଇଁଲେ ନା ରସାନନ୍ଦ ବାବୁ, ପିଲାଟା ନିହାତି ବଗିଡ଼ିଗଲା । ଖୁଁ- ନୀରବ ହେଲେ । ପୁନର୍ବାର ନିମ୍ବସ୍ଥ ଲୁଗା ତାଲିକାରେ ମନ ନିବେଶ କଲେ । ସୁବିଧା ସମୟ ବୁଝି ସାଧୁ କ୍ଷୁନ୍ନ ମନରେ ଯାଇଁ ଭିତରପାଖ କବାଟ ନିକଟରେ ଉପସ୍ଥିତ ହେଲେ । ଭୟରେ ଗୋଟାଛାଏଁ ଥରୁଛନ୍ତି ।

 

ପିତା ମୁଣ୍ଡ ଟେକି କହିଲେ, ଖୁଁ, ବୁଝିଲେନା ରସାନନ୍ଦ ବାବୁ, ପିଲାଟାକୁ ତାଙ୍କ ମା ଖରାପ କରିଦେଲେ । ଏକେ ତ ନାନା ପ୍ରକାର ଅସୁବିଧା ଯୋଗୁ ସାଧୁକୁ ସ୍ୱତନ୍ତ୍ର ଗୋଟାଏ ବସାରେ ରଖିବାକୁ ହୋଇଛି । ଏଥିନେଇ ତ କମ୍‌ ଖରଚ ନୁହେଁ । ବସାଭଡ଼ା ଦଶଟଙ୍କା । ପୂଜାହାର ଚାକରଙ୍କ ଦରମା ସମେତ ଟ ୫୯, ଏମିତି ଏମିତି ହୋଇ ମାସକୁ ମାସ ମୋଟ ଟ୩୫୪/ ମୋତେ ତା ପାଖକୁ ପଠାଇାବକୁ ହୁଏ । ବେଳେ ବେଳେ ଲୁଗାପଟା,ଯାତ୍ରା ଖରଚ ଇତ୍ୟାଦି ମଧ୍ୟ ପଠାଯାଏ । ତଥାପି ବାବାଙ୍କ ନିଅଣ୍ଟ ପଡ଼େ ଯେ ଗୁପ୍ତରେ ମାଆଙ୍କ ପାଖକୁ ଚିଠି ଲେଖି ଅଧିକ ଟଙ୍କା ମଗାଇ ଆଣନ୍ତି । ଖୁଁ, ସେ ଫେର୍‌ କଅଣ ଟଙ୍କାଏ ଦି ଟଙ୍କା ? ଶହ ପଚାଶ କହୁ ନାହାନ୍ତି କାହିଁକି ? ମୁଁ ଦେଖୁଛି ବେ-ମୁରବ୍ୟା ହୋଇଗଲା । ଗଲା, ସେ ବିଗିଡ଼ିଲା । ଆଉ ହବାର କଥା ନୁହେଁ-କହି ମୁଣ୍ଡ ହଲାଇ ହଲାଇ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲେ । ତଳୁ ଲୁଗା ତାଲିକାଟି ଟେକି କହିଲେ, ନା କଅଣ କହୁଛନ୍ତି ?

 

ରସାନନ୍ଦ ଅଭୟଚରଣଙ୍କ କଥାକୁ ସମର୍ଥନ କରି ଚିଁଚିଁଆ ସ୍ୱରରେ କହିଲେ, ହଁ, ତା ନୁହେଁ କଅଣ । ପିଲାଙ୍କ ହାତରେ ଟଙ୍କା ପଇସା ପଡ଼ିଲେ ଯାହା ହେବାର କଥା ଠିକ୍‌ ତାହାହିଁ ହୋଇଛି । ଯେତେବେଳେ, ଇସ୍କୁଲିଆ ପିଲା ନା ? ବିନା ମୁରବିରେ ବିଗିଡ଼ିଯିବାର ତ କଥା ।

 

ଖୁଁ, କହନ୍ତୁ, କହନ୍ତୁ, ତାଙ୍କ ମାଆଙ୍କୁ କହନ୍ତୁ । ପୁଅ ସୁହାଗୀ ହୋଇଛନ୍ତି ପରା ! ହଁ ହଁ, ବିନା ଗର୍ଜ୍ଜନରେ କୁଆଡ଼େ ସ୍କୁଲରେ ପାଠ ପଢ଼ି ପାରିବେ ନାହିଁ । ସେଥିପାଇଁ ଧରି ବାନ୍ଧି କରି ଜଣକୁ ଗାର୍ଜ୍ଜନ କରି ଦେଇଛି ଯେ ସେଥିରୁ କେଉଁ ଲାଭ ? ଗାର୍ଜ୍ଜନ ଥାଆନ୍ତି ଠାଏ, ପିଲା ରହିଲା ଠାଏ ।

 

ସାଧୁ ସହି ପାରିଲେ ନାହିଁ । ସେ ଧୀରେ ଧୀରେ ଘରୁ ବାହାରି ଗଲେ । ତାଙ୍କ ମା ଅଭିମାନ କରି କହିଲେ, କହିବୁଟି ଲୋ ସର, ୟେ ସବୁବେଳେ ମୋ ମୁଣ୍ଡରେ ଦୋଷଯାକ କାହିଁକି ଲଦି ଦିଅନ୍ତି ? ଆଗୋ, ମୁଁ କେଉଁଠୁ ଟଙ୍କା ପାଇବି ଯେ ପଠାଇବି ? ମତେ କଅଣ ଶହ ପଚାଶ କେବେ ଦେଇ ଥାଅକି ତେହିଁକି ?

 

ମୋର ଦବା କିଛି ଦରକାର ପଡ଼େ ନାହିଁ । ବୁଝିଲ ନା ରସାନନ୍ଦ ବାବୁ, ମୁଁ ବାବାତ କରି ହାତ ବାକ୍‌ସର ଭିନ୍ନ ଭିନ୍ନ ଜାଗାରେ ଟଙ୍କା ପୁଡ଼ା ବାନ୍ଧି ରଖିଥାଏଁ । ବାଉଳା ମଣିଷ ତ ମୁଁ, ଅକସ୍ମାତ୍‌ କେଉଁଠି ଯଦି ଚାରିଟା ଛାଡ଼ି ଚାଲି ତ,- ଛାଡ଼, ସେ ସବୁ ଘରୋଇ କଥା, କହିଲେ ଲୋକନିନ୍ଦା । କିଛି ସମୟ ଚୁପ୍‌ରହି କହିଲେ, ନା, ନା, ଆପଣ ମନକଷ୍ଟ କଲେ କି ? ଆପଣଙ୍କୁ ମୁଁ ପର ବୋଲି ଭାବେ ନାହିଁ । ମୋ ଘର କଥା ଯିଏ, ଆପଣଙ୍କ ଘର କଥା ସିଏ । ଖୁଁ, ବାକ୍‌ସ ଖୋଲି ହିସାବ ମିଳେଇ ଦେଖିଲା ବେଳକୁ ଯେଉଁ ବାବତରୁ ଦେଖ, ଟଙ୍କାଏ ମସାଏ ଅମେଳ ନ ଖାଇ ନ ଯାଏ ।

 

କହିବୁଟି ଲୋ ସର, ଏଥିରେ ମୋର କୋଉ ଦୋଷ ? ମତେ କଅଣ ଚୋରଣୀ କରି ପାଇଲ କି ? ଆଗୋ, ତମେ ତ ବାଉଳା ମଣିଷ, ଭୁଲରେ କାହାକୁ ଟଙ୍କା ଦେଇ ହିସାବରେ ମନେ କଲେ ଲେଖି ନ ଥିବି କି ହିସାବ କରୁ କରୁ କୋଉଁଠି ବାଉଳା ଧରିଯିବ । ଯିଏ ଯାହା କରୁ ସବୁ ତ ମୁଁ । ମୋତିଦେଈ ଉଠି ଚାଲିଗଲେ ।

 

ମଲର ଝମ୍ ଝମ୍‌ ଅଭୟଚରଣ ବୁଝି ପାରିଲେ ସ୍ତ୍ରୀ ବିରକ୍ତ ହୋଇ ଉଠି ଗଲେଣି । ମନରେ ତାଙ୍କର କ୍ରୋଧର ମାତ୍ରାଟା ସଙ୍ଗେ ସଙ୍ଗେ ପ୍ରବଳ ହୋଇ ଉଠିଲା । ମାତ୍ର ଅଦୂର ଭବିଷ୍ୟତରେ ତାଙ୍କର ପ୍ରକୃତି ପାଇଁ ତାଙ୍କୁ ଯେ ଜବାବ ଦେବାକୁ ପଡ଼ିବ ଏହି ବିଷୟ ଚିନ୍ତା କରି ମନରେ ଭୟ ହେଲା । ସ୍ତ୍ରୀଙ୍କ ବିଷୟରେ ରସାନନ୍ଦଙ୍କ ମନରେ ଯେଉଁ ଧାରଣା ଜନ୍ମାଇ ଦେଇଥିଲେ, ସେତିକି ମୂଳତ୍ପୋଟନ କରିବାକୁ ହେବ ।

 

ସେ କହିଲେ, ବୁଝିବେ ନା ରସାନନ୍ଦ ବାବୁ, ଘର କରି ଚଳିବାକୁ ହେଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବେଳେ ବେଳେ ଟିକିଏ ଖଟ୍‌ଖାଟ୍‌ ଲାଗି ଥାଏ । ସଂସାରରେ କାହା ଘରେ ଏପରି ନ ହୁଏ କହନ୍ତୁ ଭଲା । ବିଷୟ ନ ଥିଲେ ହାଟ ପରିହାସରେ ହେଲେ ପଦେ ଅଧେ ଝଗଡ଼ା ନ ଲାଗିଲେ ଘରକରଣା ସୁନ୍ଦର ହୁଏ ନାହିଁ । ଖୁଁ, ଯେତେବେଳେ ସାଧୁ ବୋଉ ପରି ଲୋକ ! କପାଳ ଆଜ୍ଞା, ସବୁ କପାଳ । ଏମିତି ହିସାବ ଲୋକ । ଏଗୁରା ସବୁ ଆମ ଘରୋଇ କଥା । ତଥାପି, ଆପଣ ତ ପର ମଣିଷ ନୁହନ୍ତି । ସାଧୁବୋଉ ମୋ ଘରେ ଗୋଡ଼ ନ ଦେଇଥିଲେ ଅବସ୍ଥା ବାରଣ୍ଡା ଦି କଡ଼ା ହୁଅନ୍ତାଣି ।

 

ରସାନନ୍ଦ ବାବୁ ସ୍ୱରକୁ ପଞ୍ଚମ ପର୍ଯ୍ୟନ୍ତ ଟେକି କହିଲେ, ମୁଁ ସବୁ ଜାଣେ । ଦେଖିଲ ତ ଗୋଟାଏ ମଣିଷ । ଯେମିତି ବୁଦ୍ଧିମତୀ ସେମିତି ସଚୋଟ୍‌।

 

ହସି ହସି ଅଭୟଚରଣ କହିଲେ, ହଁ, ସାଧୁବୋଉ ମୋ ବାଉଳା କଥା ଯାହା କହିଲେ, ସେତିକି ତଟା । ଆଉ ଆଉ କଥାରେ କେବେ କେମିତି ପଛେ ବାଉଳା ଧରୁଥିବି । ସେତ ଅଲଗା କଥା, ହିସାବ କିତାବରେ, ଖୁଁ, କଡ଼ା କ୍ରାନ୍ତି ଛାଡ଼ି ଯିବି ନାହିଁ । ଯେତବେଳେ କରଣ ବଚ୍ଚା, ନା କଅଣ କହୁଛନ୍ତି ? ମହାଜନୀ କାରବାରରେ ଖାତକ ବଲଇ ଯିବେ ? ହଁ-ନା ।

 

କୁଆଡ଼ୁ ? ଅନ୍ୟମନସ୍କ ହୋଇ ରସାନନ୍ଦ ଉତ୍ତର ଦେଲେ ।

 

ସାଧୁକୁ ପୁରୀରେ ନ ରଖି କଟକ ପଠାଇ ଦେଉ ନାହାନ୍ତି ? ଶୁଣିଛୁ, ସେଠି ଭଲ ପଢାପଢି ହୁଏ ।

 

ହୁଏ । ତେବେ କଥା ହେଉଛି, ଜାଗା ଭଲ ନୁହେଁ, ଜଳବାୟୁ ଖରାପ । ଜାଇଁଲୋ ନା ରସାନନ୍ଦବାବୁ, କଟକ ଭଳି ଜାଗାରେ ଏକୁଟିଆ ଛାଡ଼ିବାକୁ ମୋର ଡର । ପିଲାଟା ନଷ୍ଟ ହୋଇଯିବ-

 

ଏ ବର୍ଷ ନ ହେଲେ, ଆର ବର୍ଷ ତ ଯିବାକୁ ପଡ଼ିବ ? କହି ରସାନନ୍ଦ ବାବୁ ପାନଥାଳିଆରୁ ଟିକିଏ ଗୁଆ ନେଇ ପାଟିରେ ପକାଇଲେ ।

 

ଅଭୟଚରଣ ବ୍ୟସ୍ତ ହୋଇ କହିଲେ, ପାନ ସରି ଗଲାଣି ପରା ? କୋମଳ ସ୍ୱରରେ ଡାକିଲେ, ଆଲୋ ସର, ପାନ ଦି ଖଣ୍ଡ ଆଇଁଲୁ ମା । ରସାନନ୍ଦଙ୍କ ଆଡ଼କୁ ମୁହ ଫେରାଇ କହିଲେ, ରାମ ରାମ, କଲେଜରେ ଛାଡ଼ିବି, ସେ କଥା ମତେ କହନ୍ତୁ ନାହିଁ । ଏତିକିରେ ଶେଷ, ଏତିକିରେ ଶେଷ । ବିପ୍ରାଟାକୁ କଲେଜରେ ପଢାଇ ମୁଁ ସର୍ବସ୍ୱାନ୍ତ ହେବାକୁ ବସିଛି । ସାଧୁଆକୁ ଛାଡ଼ିଲେ ଆମ କଥା ଶେଷ ହୋଇଯିବ ।

 

ହଁ, ତା ବି ସତ କଥା ନୁହେଁ କି ? କଲେଜରେ ଗୋଟିଏ ପିଲା ପଢାଇାବା କଅଣ ସହଜ ବ୍ୟାପାର ? ଆଗ ବାବୁଆନିକୁ ଟଙ୍କା ଯୋଗାଉ ଯୋଗାଉ- କହୁ କହୁ ବନ୍ଦ ହୋଇଗଲେ ।

 

ଅଭୟଚରଣ ଆହୁରି ଥରେ ଡାକିଲେ, ଆଲୋ ସର, ଦି ଖଣ୍ଡ ପାନ ଆଣ ଭଲ ମା । ଖୁଁ, ଏହି ଦେଖୁନାହାନ୍ତି ବିପାଟାକୁ । ମୁଁ ଆଉ ସେଟାକୁ ପାରିବି ନାହିଁ । ଏତିକି କହି ଅଭୟରଚଣ ହିସାବ କାଗଜ ଖଣ୍ଡି ପାଞ୍ଜି ଭିତରେ ରଖି ଖଞ୍ଜା ଭିତରକୁ ଉଠିଗଲେ । ରସାନନ୍ଦବାବୁ ବସି ବସି କ୍ଲାନ୍ତ ହୋଇଗଲେଣି- ତଥାପି ଅଭୟଚରଣଙ୍କର ଦେଖା ନାହିଁ । କଅଣ କରିବେ ? ନ କହି ଚାଲିଯିବାଟା ଭଲ ହେବ ନାହିଁ । ଏପରି ଅଭୟଚରଣଙ୍କ ପରି ଲୋକ ! ଟିକିଏ କଥାରେ ବିଗିଡ଼ିଯାଇ ମୁହଁ ନଦି ବସିବା ଅଭ୍ୟାସ ପିଲାଦିନୁ ତାଙ୍କର ଅଛି । ରସାନନ୍ଦବାବୁ ଅଗତ୍ୟା ମନ ବଦଳାଇବାକୁ ପାଞ୍ଜି ଖଣ୍ଡି ଦରି ଅନ୍ୟମନସ୍କ ଭାବରେ ପତର ଓଲଟାଇବାକୁ ଲାଗିଲେ ।

 

କିଛି ସମୟ ପରେ ଅଭୟଚରଣ ପୁଣି ଆସି ମଶିଣା ଉପରେ ବସିଲେ । କାନ୍ଥକୁ ଆଉଜି ଚେକା ପକାଇ ବସି, ଦକ୍ଷିଣ ପାଦରେ ବାମହସ୍ତ ଘଷୁ ଘଷୁ ମୁଡ଼ୁକି ହସି କହିଲେ, ବୁଝିଲେ ନା ରସାନନ୍ଦ ବାବୁ, କି କଥାଟାଏ ବା କହିଦେଲି ଯେ ସାଧୁବୋଉ ଏଥିକି ଛଳ କରି ବସିଥିଲେ । ଆରେ, ମୁଁ ତ ବାଉଳା ମଣିଷ, କହୁ କହୁ କେଉଁଠି କେମିତି ବାଉଳା ଧରିବି, ତାକୁ ଫେର୍‌ ସୁଧାରି ଦେବ କିଏ ? ଖୁଁ, କହୁଛନ୍ତି, ଯାହାପାରି ତା ଆଗରେ ମୋର ନିନ୍ଦା କରୁଛ । ଆରେ, ରସାନନ୍ଦ ତ ଆୁ କିଏ ନୁହନ୍ତି, ସେ ଘରର ଲୋକ । ଏ କଥା କଣ ମାଇପେ ବୁଝିବେ ?

 

ଏହି ସମୟରେ ଆଉ ଖଣ୍ଡେ କାଚ ଥାଳିଆରେ କେତେ ଖଣ୍ଡ ଭଙ୍ଗାପାନ ନେଇ ସର ଉପସ୍ଥିତ ହେଲା ! ଦଶ ଏଗାର ବରଷର ଝିଅ, ପିଲାଳିଆ ବୁଦ୍ଧି ଛାଡ଼ି ନାହିଁ । ବାଁହାତରେ ଗୋଟିଏ ରବର କଣ୍ଢେଇ ଚିପି ଧରିଛି । ସରର ଉପସ୍ଥିତିରେ ଦାଣ୍ଡଘରେ ଆନନ୍ଦର ଲହରୀ ଖେଳିଗଲା । ରସାନନ୍ଦ ଏବଂ ଅଭୟ ଚରଣ ଆଗ୍ରହର ସହିତ ତାକୁ ଅନାଇଲେ । ସର ପାନ ଥାଳିଆ ବିଛଣା ଉପରେ ରଖି ଫେରିଯିବାକୁ ବସିବାରୁ ଅଭୟଚରଣ କୋମଳ ସ୍ୱରରେ ପଚାରିଲେ, ଆର ହାତରେ ସେଇଟା କଅଣ କି ମା ? ଭୟରେ ବାଳିକାର ମୁହଁ ଫିକା ପଡ଼ିଗଲା । ସେ ଖେଳଣାଟିକୁ ଲୁଚାଇବାକୁ ଚେଷ୍ଟା କରୁ କରୁ ଟିକିଏ ଯୋର୍‌ରେ ଚିପି ହୋଇ କେଁ କରି ଶବ୍ଦ କଲା । ଅଭୟଚରଣ କୁତୂହଳୀ ହୋଇ କହିଲେ, ଦେଖେଁ ଦେଖେଁ ।

 

ସର ଖେଳଣାଟି ବାପାଙ୍କ ହାତକୁ ବଢ଼ାଇ ଦେଇ ଲଜ୍ଜା ଓ ଭୟରେ ଘରୁ ବାହାରିଗଲା । ଅଭୟଚରଣ ଯେତେ ଡାକିଲେ ଆଉ ଶୁଣିଲା ନାହିଁ । ଅଭୟଚରଣ ଖେଲଣାଟିକୁ ଓଲଟ୍‌ ପାଲଟ୍‌ କରି ବାରମ୍ବାର ଦେଖିଲେ । ଦି ଚାରିଥର ଚିପିଚିପି କରି ବ୍ୟସ୍ତ ହୋଇ କହିଲେ, ଖୁଁ, କହୁଛି ପରା, ସାଧୁଆଟା ଏକାଥରେ ବିଗିଡ଼ି । କିରେ ବାବା, ପଇସା ଖରଚ କଲେ କଅଣ ଭାଇସ୍ନେହ ଜଣା ପଡ଼େ, ନୋହିଲେ ନାହିଁ । ଛିଃ, ଛିଃ, ଚାରି ଗଣ୍ଡା କି ପାଞ୍ଚ ଗଣ୍ଡା ପଇସା ଖର୍ଚ୍ଚ କରି ଯେ ବଜାରରୁ ଏଇଟା କିଣି ଆଣିଛୁ, କାହିଁକି ଭଲ କହିଲେ ? କିଛି ସମୟ ଚୁପ୍‌ରହି ମୁଣ୍ଡ ହଲାଇ କହିଲେ, କଥା ନୁହେଁ, ହବାର କଥା ନୁହେଁ ।

 

ରସାନନ୍ଦ ଖେଳଣାଟି ଅଭୟଚରଣଙ୍କ ହାତରୁ ନେଇ ପରୀକ୍ଷା କରି କହିଲେ, ନା, ନା, ସାଧୁର କିଛି ଦୋଷ ନାହିର୍ । ଏଟି ମୁଁ ବଜାରରୁ କିଣି ତାକୁ ଦେଇଛ । ଆଜ୍ଞା, ଆପଣ ସିନା ବଡ଼ ଲୋକ, ମୋର ଯେତିକି ସକ୍ଷମ ମୁଁ ସେତିକିରେ ସ୍ନେହ ଦେଖାଇଲି ।

 

ବନ୍ଧୁଙ୍କର ଅଭିମାନିଆଁ କଥାରେ ଅଭୟଚରଣ ଅପ୍ରତିଭ ହୋଇ ଥଙ୍ଗେଇ ଥଙ୍ଗେଇ କହିଲେ, ତେବେ, ଜିନିଷଟା ମନ୍ଦ ନୁହେଁ । ଚାରି ଛଅଣାର କାମ କଅଣ ହୋଇ ନାହିଁ କହୁଛନ୍ତି ? ଦିଟଙ୍କା ଦେଲେ ଭଲା ଏଠି କିଏ ବନେଇ ପାରିବ ? ଯେତେବେଳେ ଗୋରାମୁଣ୍ଡ ପରା ! ଗୋରା ହାତ ନ ଲାଗିଲେ କି ଏପରି ପଦାର୍ଥ ସହଜରେ ହୁଅନ୍ତା ! ଓହୋ, ଧନ୍ୟ ସେ ଗୋରା ଜାତି । ନୋହିଲେ କି ବାଘ ବକୁଚି ଏକା ଘାଟରେ ପାଣି ପିଅନ୍ତା ! ଖୁଁ,-ଏ ବି ଭାଙ୍ଗିବାର ପଦାର୍ଥ ନୁହେଁ । ରବର କି ନା, ରଖି ଜାଣିଲେ ସାତପୁରୁଷ ଯାଏ ଯେମିତି ବିରାଜୁଥିବ ।

 

ରସାନନ୍ଦ ନୀରବ ରହିଲେ । ସେ ଜାଣନ୍ତି କଣ୍ଢେଇଟି ଜାପାନ ତିଆରି । ତାଙ୍କର ମନ ଅସ୍ଥିର ହେଲା । ତେଣେ ଏକା । ପୁରୀ ସହର । ହାତେ ମାପି ଚାଖଣ୍ଡରେ ଚାଲିଲେ ବି ବପଦ ଛାଡ଼ି ନାହିଁ । ବାର ଜାଗାରୁ ବାର ଲୋକ ଆସି ସହରରେ ପଶନ୍ତି । ଦିନ ଦି ପହରେ, ଯେଉଁଠି ଭିକ ମାଗିଆସି ଘରେ ପଶୁଛନ୍ତି ରାତିରେ କେଉଁ ଠିକଣା । ରସାନନ୍ଦ ବାବୁଙ୍କ ମନ ଦକ୍‌ଦକ୍‌ହେଲା । ଘରେ ତେଣେ ଏକୁଟିଆ ଅନେଇ ବସିଥିବେ । ସେ ଅସ୍ଥିର ହୋଇ କହିଲେ, ରାତି ଆଠଟା ହେବଣି, ମୁଁ ଆସୁଛି ।

 

ଅଭୟଚରଣ କହିଲେ, ହଁ ଯିବେ ତ ତେବେ ଅସଲ ଯେଉଁ ବିଷୟ ନେଇ ଆପଣଙ୍କୁ ଡକେଇଥିଲି ସେ ବଷୟରେ କିଛି ମୀମାଂସା ହେଲା ନାହିଁ ।

 

କେଉଁ ବିଷୟ କହନ୍ତୁ ?

 

ଅଭୟଚରଣ ଚିନ୍ତା କରି ଆଗ୍ରହର ସହିତ ପଚାରିଲେ, ଆପଣ ଔଷଧ ବ୍ୟବହାର କରୁଛନ୍ତି ନା ? ଦିନୁଦିନ ତ ସ୍ୱାସ୍ଥ୍ୟ ବଡ଼ ଖରାପ ହୋଇ ଗଲାଣି । ପୂର୍ବ ଚେହେରାର କାଣିଚାଏ ନାହିଁ । ଖୁଁ, -ଫୁଙ୍କି ଦେଲେ ଟଳି ପଡ଼ିବା ଆପଣଙ୍କ ପକ୍ଷେ ଅସମ୍ଭବ ନୁହେଁ । ବ୍ୟସ୍ତ ହୋଇ କହିଲେ, ପିଲାଦିନର କଥା ମନେ ପଡ଼ିଲେ, ମନରେ ଯେତିକି ଦୁଃଖ ହୁଏ, ସେତିକି ଆନନ୍ଦ ହୁଏ । ଯେତେବେଳେ ଏକା ସାଙ୍ଗରେ, ନିମାପଡ଼ା ମାଇନର ସ୍କୁଲରେ ପାଠ ପଢ଼ୁଥିଲେ, ଯିଏ ଦେଖେ କହେ, ଦି ଭାଇ । ସେ କଥା ଆଜି ଆଉ...

 

ଔଷଧ ଖାଇବା କଥା ପଚାରୁଛନ୍ତି ? ଯେତେ ଯୁଆଡ଼ୁ ଖାଇଲେ କିଛି ହେଲା ନାହିଁ । ଆଉ ଔଷଧପତ୍ର କିଛି ଖାଉ ନାହିଁ । କବିରାଜମାନେ କେହି ମୋର ଏ ରୋଗ ଚିହ୍ନି ପାରିଲେ ନାହିଁ-। ମିଛରେ ପଇସା କରି ଲାଭ କଣ ? ଯାହା ହେବାର ହେବ କହି ରସାନନ୍ଦ ବିଦ୍ରୁପକରି ହସି ପକାଇଲେ । ବିଦ୍ରୁପ ନିଜର ଅବସ୍ଥା ଓ ଭାଗ୍ୟ ଉପରେ । ମନୁଷ୍ୟ କୌଣସି ବିଷୟରେ ଏକାଥରେ ହତାଶ ହେଲେ, ଦୁଃଖକୁ ହସି ହସି ଉଡ଼ାଇ ଦେବାକୁ ଚେଷ୍ଟା କରେ । ହସି ହିଁ ତାର ଜୀବନର ଏକମାତ୍ର ସାନ୍ତ୍ୱନା ।

 

ଦୁଃଖ ପ୍ରକାଶ କରି ଅଭୟଚରଣ କହିଲେ, ନା, ହତାଶ ହୁଅନ୍ତୁ ନାହିଁ । ଚେଷ୍ଟା କରୁ କରୁ ଯାହା ହେବ । ଭଗବାନଙ୍କ ଉପରେ ନିର୍ଭର କରନ୍ତୁ । ପିଲାଦିନର କଥା, ଆମ ଦୁଇ ବନ୍ଧୁଙ୍କୁ ଦେଖି, ଆଉ ପିଲାଏ ଈର୍ଷାରେ ଜଳି ପୋଡ଼ି .... ।

 

ଆଉ ଚେଷ୍ଟା କଅଣ ? ଚେଁ ଚେଁ ସ୍ୱରରେ ରସାନନ୍ଦ କହିଲେ, ଚେଷ୍ଟାର ବାହାରକୁ ସବୁ ଗଲାଣି । ଏଥର ହାତରେ ଧନ ଥିଲେ ତ ଚେଷ୍ଟା କରିବି ? ମଠରେ ମୋହରିଗିରି କରି ଟଙ୍କା କୋଡ଼ିଏ ପଚିଶକୁ ପୁରୀ ପୁରି ସହରରେ ଚଳିବାକୁ ଦି ଦି ଜଣ, ପେଟକୁ ନିଅଣ୍ଟ । ଔଷଧ ଖାଇବାକୁ କାଢ଼ କାହିଁ ? ଛାଡ଼ନ୍ତୁ ମୋର ଆଶା । ଏଣିକି ଶେଷ ତଲବ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କିନ୍ତୁ ସତ କହୁଛି ଅଭୟ ବାବୁ, ସେଥିକି ମୋର ଭୟ ନାହିଁ । ଯେବେ ହେଲେ ତ ଦିନେ ମରିବାକୁ ପଡ଼ିବ ।

 

ରସାନନ୍ଦ ହସିବାକୁ ଚେଷ୍ଟା କଲେ । ମୃତ୍ୟୁର ନାମଟି ନିଜ ତୁଣ୍ଡରେ ଉଚ୍ଚାରଣ କରି, ନିଜେ ଭୟରେ କଳାକାଠ ପଡ଼ିଗଲେ । ତାଙ୍କର କୋଟରାଗତ ଚକ୍ଷୁପ୍ରାନ୍ତ ଆର୍ଦ୍ର ହୋଇ ଆସିଲା । ପାଟିରେ ଖଣ୍ଡେ ପାନ ଗୁଞ୍ଜି କହିଲେ, ବାପା ଯାହା କମାଇ ଯାଇଥିଲେ, ନିଜ ଅମଳରେ ସେ ସବୁ ଉଡ଼ାଇ ଦେଇଛନ୍ତି । ମଲା ପରେ ବି ଗାଁର ଘଣଡିହ ଖଣ୍ଡି ବିକି ଦେଣା ସୁଝି ବାକୁ ହେଲା ।

 

ପିଲାଦିନର କଥା ଆମ ଦିହିଁଙ୍କି ଯିଏ ଦେଖୁଥିଲା, ରଜା ଘରର ପିଲା । ସତେ, ମଣିଷର ଭାଗ୍ୟ କଣ ? ଆମ ବାପେ ମଲାବେଳକୁ ଦଶ ପନ୍ଦର ହଜାର ଦେଣା କରି ଯାଇଥିଲେ । ଖୁଁ, ମରିବାର ଦିନ ପନ୍ଦରଟା ନ ଯାଉଣୁ ମହାଜନ ସବୁ ଏକଜୁଟ ହୋଇ ଆସି ହାଜର । ମାସକ ଭିତରେ ସମ୍ପତ୍ତି ବିକ୍ରୀ କରି ଦେଏଣା ନ ଶୁଝିବା ଯାଏ ବାର ସହିଲା ନାହିଁ । ଏତେ କରି ମଧ୍ୟ ଯେଉଁ ଲୋକନିନ୍ଦା, କଅଣ କହିବି ? ଆରେ, ଆଜି ସିନା ମହାଜନୀ କରି ହାତରେ ଚାରିପଇସା ହେଲା, ସେତେବେଳେ ଥିଲା କଅଣ ? ପେଟରେ ଓଦାକନା ଦେଇ ଚାରିପଇସା ସଞ୍ଚି ରଖିଛୁ । ତହିଁରେ ପୁଣି ନିନ୍ଦା । ଶୁଣିଲେ କାନରେ ମଣିଷ ହାତ ଦେବ । ଏକା ଦେଖିଲି ସାଧୁବୋଉ, ଲକ୍ଷ୍ମୀଟିଏ ତ, ତାଙ୍କର ପାଇଁ ସବୁ ।

 

ଅଭୟଚରଣ କେଜାଣି କାହାକୁ ସନ୍ଦେହ କରି ପଦାକୁ ଅନାଇଲେ । ପରେ ଗଳା ସଫା କରି କହିଲେ, ନା ରସାନନ୍ଦ ବାବୁ, ବିନା ଔଷଧରେ ଚଳିବ ନାହିଁ । ଆଚ୍ଛା, ମୁଁ ଗୋଟିଏ ପ୍ରସ୍ତାବ କରୁଛି ଶୁଣିଲେ । ଆପଣଙ୍କ ମନକୁ ଯଦି ପାଏ ତ,... ଆପଣ କିଛି ଭାବିବେ ନାହିଁ ତ ?....

 

କହନ୍ତୁ ।

 

ସାଧୁବୋଉ କହି ପଠାଇଛନ୍ତି, ସାଧୁର ଏଠି ଭାରି ଅସୁବିଧା ହେଉଛି । ପିଲାଟା ନିହାତି ବେମୁରବ୍ୟା ହୋଇ ବିଗିଡ଼ି ଯାଉଛି । ସେ କଅଣ ଏକା ମୋଅର, ଆପଣଙ୍କର କିଛି ନୁହେଁ ? ପଇସା ହାତରେ ପଡ଼ିବାରୁ ଯାହାକୁ ମନ ତାକୁ ଦେଇ ଦେଉଛି । ସେ ଭାରି ଦୟାଳୁ କି ନା ? ପରର ଦୁଃଖ କଷ୍ଟ ସହିପାରେ ନାହିଁ । ଖୁଁ - ତା ଦୟାକୁ ଆମେ ଫେର୍‌ପାରି ଉଠିଲେ ହୁଏ ।

 

କେତବେଳକୁ ସାଧୁବୋଉ ଆସି କବାଟ ପାଖରେ ନୋଥ ଦେଖାଇ ଠିଆ ହୋଇଥିଲେ-। ସ୍ୱାମୀଙ୍କର କଥା ଶେଷ ହେଲାରୁ ସେ କହିଲେ, କହିବୁଟି ଲୋ ସର, ଚୁଲିପଶା ପୁଝାରୀ ଟୋକାଟା ତାକୁ କଅଣ ଖାଇବାକୁ ଦେଉଛି କେଜାଣି, ପୁଅର କଣ୍ଟା ଦୋହାଲିଲାଣି ଆସି । ମା ମାଉସୀଙ୍କ ହାତରୁ ପାଣି ମୁନ୍ଦାଏ ପିଇଲେ ପିଲାଙ୍କ ମନରେ ଯେଉଁ ଶାନ୍ତ !

 

ସ୍ତ୍ରୀଙ୍କ କଥା ଅଭୟଚରଣଙ୍କ ମନକୁ ପାଇଲା । ସେ ମୁଣ୍ଡ ହଲାଇ କହିଲେ, ଖୁଁ, ବୁଝିଲେ ନା ରସାନନ୍ଦ ବାବୁ, ସାଧୁ ବୋଉଙ୍କୁ ନେଇ ମୋ ଘର । ସେ ବେଳେ ବେଳେ ଏମିତି ଠିକ୍‌ କଥା କହନ୍ତି ଯେ... । ବାକ୍ୟର କାବି ଅଂଶଟା ତାଙ୍କର ମୁଣ୍ଡହଲା ହିଁ ସମାପ୍ତ କଲା ।

 

ମୋତା ଦେଇ କହିଲେ, କହିବୁଟି ଲୋ ସର ପିଲାଟାକୁ ଆପଣମାଙ୍କ ଭରସାରେ ସିନା ବିଦେଶରେ ଛାଡ଼ି ଦେଇଛି, ଘରେ ଥାଇ ମୁଁ ଖାଲି ଛୁଆଖାଇ ବିଲେଇ ପରି ହେଉଥାଏଁ । ଆଜି ଦେହମୁଣ୍ଡ ହେଲେ ପାଖରେ କିଏ ଅଛି ଯେ ଟିକିଏ ପଚାରିବ ?

 

ରସାନନ୍ଦ ବାବୁଙ୍କୁ ନିରୁତ୍ତର ଦେଖି ଅଭୟଚରଣ କହିଲେ, ମୋ ଇଚ୍ଛା, ମାସକୁ ତିରିଶି ଟଙ୍କା ମୁଁ ଆପଣଙ୍କ ନିକଟକୁ ମନିଅଡ଼ର କରିଦେବି । ବୃଥାରେ ଦି ଦିଟା ପରଙ୍କୁ ପୋଷି କିଛି ଲାଭ ନାହିଁ । ଘରଟାଏ ଭଡ଼ା କରିବା ବି ଗୋଟାଏ ଅଧିକା ବୋଝ, ନା କଅଣ କହୁଛନ୍ତି ?

 

ଅଭୟଚରଣଙ୍କ ଉଦ୍ଦେଶ୍ୟ ବୁଝିପାରି ରସାନନ୍ଦ ଗୁମ୍‌ମାରି ବସି ଚିନ୍ତା କଲେ । ଅବଶ୍ୟ ସାଧୁଚରଣ ପାଖରେ ରହିଲେ ଯେ ଦୁଇ ପକ୍ଷରେ ମଙ୍ଗଳ ହେବ ଏଥିରେ ସନ୍ଦେହ ନାହିଁ । ଟଙ୍କା କୋଡ଼ିଏ ପଚିଶଟା ପାଇଁ ଦିନ ଦଶଟାରୁ ରାତି ଦଶଟା ପର୍ଯ୍ୟନ୍ତ ଗଧ ଖଟଣି । ବେଳେ ବେଳେ ରାତି ଅଧ ହୋଇଯାଏ ଫେରୁ ଫେରୁ । ସାଧୁଚରଣ ପରି ସୁସ୍ୱଭାବ ଓ ସଚରିତ୍ର ପିଲା ପାଖରେ ଥିଲେ ଘରକଥା ନେଇ ତାଙ୍କୁ ବିଶେଷ ଭାବିବାକୁ ପଡ଼ିବ ନାହିଁ । ଟିକିଏ ନିଶ୍ଚିନ୍ତ ହୋଇ ପାରିବେ । ଏକେତ ବାଲ୍ୟବନ୍ଧୁ, ତହିଁରେ ପୁଣି ଅଭୟଚରଣଙ୍କ ପରି ଲୋକ ଓ ତାଙ୍କର ସ୍ତ୍ରୀ ନିଜେ ଅନୁରୋଧ କରୁଛନ୍ତି । ମୋହବତ୍ ଭାଙ୍ଗିବେ କିପରି ? ତଥାପି, ସ୍ତ୍ରୀଙ୍କର ମତାମତ ନ ବୁଝି ସାରା ଜବାବ ଦେବା ଅନ୍ୟାୟ ।

 

ସେ କଥାକୁ ବଞ୍ଚାଇ ବଞ୍ଚାଇ କହିଲେ, ବଡ଼ଘରର ପିଲା; ଅଏସରେ ପିଲାଦିନୁ ବଢ଼ି ଆସିଛନ୍ତି । ଗରିବଘରେ ରହିଲେ କାଳେ କେତେ ରକମର ଅସୁବିଧା ହେବ, ଏଇ ନେଇ ମୋର ଡର ।

 

ପରିହାସ କରି କଥାଟାକୁ ଉପରେ ଉପରେ ଉଡ଼େଇ ଦେବାକୁ ଅଭୟଚରଣ ଉଚ୍ଚସ୍ୱରରେ ହସି ହସି କହିଲେ, ଖୁଁ, ଆଉ ତେମେ କଅଣ ଛୋଟ ଘରର ପିଲା ନା ? ନିମାପଡ଼ାରେ ପାଠ ପଢ଼ିଲା ତମ ପଛରେ ପରା ପାଞ୍ଚଟା ପିଲା ଗୋଡ଼ାଉଥିଲେ ?

 

ସ୍ୱାମୀଙ୍କର କଥା ଶେଷ ହେଲାରୁ ମୋତାଦେଈ କହିଲେ, କହିବୁଟି ଲୋ ସର, ହଉ ହେଲା, ଅସୁବିଧା ହେଲେ ହେବ । ଘରକରି ସୁବିଧା ଅସୁବିଧା ତ ଲାଗିଛି । ପେଜପାଣି, କି ଶାଗମାଛ ଯାହାହେଉ, ସେଥିରେ ମୋର ରାଜି । ସାଧୁ ମୋର ପେଜପାଣିରେ ସନ୍ତୋଷ । ତମ କତିରେ ଥିଲେ ତା ଚିନ୍ତା ମୋତେ ଲାଗିବ ନାହିଁ । ସେତ ଯେମିତି ନିରୀହ ସୁଧାର ପିଲା ମଁ ଆଉ ଅଧିକା କଅଣ କହିବି ।

 

ହଉ ହେଲା, ଆପଣଙ୍କ କଥାରୁ ମୁଁ ବାହାର ନୁହେଁ ।

 

ତେବେ........!

 

ତେବେ ଆଉ କଅଣ ? କହିବୁଟି ଲୋ ସର, ତୋ ମଉସା ଯଦି ରାଜି ହେଲେ ତ ଆଉ ଥାଏ କଅଣ ? କାଲି ସାଧୁକୁ ନେଇ ତା ମାଉସୀ ପାଖରେ ମୁଁ ନିଜେ ସଁପି ଦେଇ ଆସିବ । ମୋତଦେଈ ଖଞ୍ଜା ଭିତରକୁ ଗଲେ । ରାତି ଅଧିକ ହେବାର ଦେଖି ରସାନନ୍ଦ ମଧ୍ୟ ବିଦାୟ ଗ୍ରହଣ କଲେ ।

***

 

 

ରସାନନ୍ଦ ବାବୁ ବିଦାୟ ଗ୍ରହଣ କରିବାର ସମୟ ପରେ ବିଷ୍ଣୁଚରଣ ଆସି ଦାଣ୍ଡ ଦରଜାରେ ହାତ ମାରିଲେ । ସାଧୁଚରଣଙ୍କ ନିକଟକୁ ବିଦାୟ ନେଇ, ସହରର ଅନେକ ସ୍ଥାନରେ ପଚରାପଚରି କରି ନରେନ୍ଦ୍ର ପୋଖରୀ କୋଣରେ ସେ ଗୋଟିଏ ବସା ଠିକଣା କଲେ । ବସାଟି ବେଶ୍‌ ଖୋଲା । ପିଲାପଲି ନେଇ ଅକ୍ଲେଶରେ ଯେ କେହି ଚଳି ପାରିବେ । ଭଡ଼ା ମାସକୁ ପନ୍ଦର ଟଙ୍କା । ବନ୍ଧୁଙ୍କ ନିମନ୍ତେ ଏତକ କାର୍ଯ୍ୟକରି ସେ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ । ପାଖରେ ଥାଇ ସରକୁ ନ ଦେଖି ତାଙ୍କ ପ୍ରାଣ ଛଟପଟ ହେଲା । ଶିବ ପ୍ରସାଦ ବାବୁଙ୍କର ବାରଣ ନ ମାନି ସେ ଧାଇଁ ଆସିଲେ ।

 

ଦାଣ୍ଡ କବାଟରେ ହାତ ମାରିବା ସଙ୍ଗେ ସଙ୍ଗେ କବାଟ ଖୋଲିଗଲା । ସେ ଅତି ସନ୍ତର୍ପଣରେ ସାଧୁଚରଣଙ୍କ ପଢ଼ାଘରେ ଉପସ୍ଥିତ ହେଲେ । ସାଧୁଚରଣ ଚଉକିରେ ବସି ଟେବୁଲ ଉପରେ ଖଣ୍ଡେ କଅଣ ଏଣୁ ତେଣୁ ବହି ରଖି ପଢ଼ୁଛନ୍ତି । ଏପରି ମନ ଦେଇ ପଢ଼ୁଛନ୍ତି ଯେ ଘର ଭିତରକୁ କିଏ କେତେବେଳେ ଯିବା ଆସିବା କରୁଛି, ସେ ଆଡ଼କୁ ତାଙ୍କର ନଜର ନାହିଁ ପରା ! ବିପ୍ରଚରଣ ନିକଟକୁ ଯାଇ ଡାକିଲେ, ସାଧୁ- !

 

ସାଧୁ ବିପ୍ରଚରଣଙ୍କୁ ଦେଖି ଉଠି ଠିଆହେବା ସଙ୍ଗେ ସଙ୍ଗେ ଆଶ୍ଚର୍ଯ୍ୟର ସହିତ କହିଲେ, ଦାଦା, ହଠାତ୍‌ ଏତେ ରାତିରେ ?

 

ବିପ୍ରଚରଣ ସ୍ୱଭାବସୁଲଭ ହସଟିଏ ହସି କହିଲେ, ମୋର ମନ ଥୟ ହେଲା ନାହିଁ । ପାଖରେ ସମସ୍ତେ ଅଛନ୍ତି, ଦେଖା ନ କରି କେମିତି ଚାଲିଯିବ କହିଲୁ ? ଭାଇ କାହାନ୍ତି ?

 

ସେ ଘରେ ବସି ସନ୍ଧ୍ୟା କରୁଛନ୍ତି ।

 

ରାତି ଦଶଟାରେ ?

 

କଅଣ କରିବେ ? ରସାନନ୍ଦବାବୁଙ୍କ ସଙ୍ଗେ ଗଳ୍ପ କରୁ କରୁ ଡେରି ହୋଇଗଲା । ଦାଦା, ଆପଣ ଯାହା କହୁଥିଲେ ସବୁ ସତ । ମୋତେ ଏଣିକି ରସାନନ୍ଦ ବାବୁଙ୍କ ଘରେ ରହି ପାଠ ପଢ଼ିବାକୁ ହେବ । ବାପା କହିଛନ୍ତି ଟଙ୍କା ପଇସା ଏଣିକି ରସାନନ୍ଦବାବୁଙ୍କ ନାମରେ ଆସିବ ।

 

ଭଲ ହେଲା । ସେଥିରେ ତୋଓର କ୍ଷତି କଅଣ ? ପାଠ ପଢ଼ିଲେ ହେଲା । ରସାନନ୍ଦ ବାବୁଙ୍କ ଘରେ ରହ, କି ହଷ୍ଟେଲରେ ରହ, ଏଥିରେ ତୋଓର ଆପତ୍ତି କରିବା ଅନାବଶ୍ୟକ । ଭାଉଜ ବୋଉ ଆଉ ସର କାହାନ୍ତି ?

 

ବୋଉ ରୋଷଘରେ, ଏ କଅଣ ସର, କହି ସାଧୁଚରଣ ଟେବୁଲ ଆର ପାଖକୁ ହାତ ଦେଖାଇ ଦେଲେ । ସ୍ଥାନଟି ଅନ୍ଧାରୁଆ ହୋଇ ଥିବାରୁ ସର ଖଣ୍ଡେ ସପ ପକାଇ ଟେବୁଲ ସେପାଖେ ଶୋଇ ପଡ଼ିଛି । ବିପ୍ରଚରଣ ନଲଟଣଟି ଟେବୁଲ କରକୁ ଘୁଞ୍ଚାଇ ଦେଇ ଦେଖିଲେ, ସତକୁ ସତ ସର । ଦରଫୁଟା ପଦ୍ମଫୁଲ ପରି ସୁନ୍ଦର ମୁହଁଟରେ କେଜାଣି କେତେ ଗୁଡ଼ିଏ ମଶା ବସି ରକ୍ତ ପିଉଛନ୍ତି । ବିପ୍ରଚରଣ ମଶାକୁ ଘଉଡ଼ି ଦେଇ ପାଖରେ ବସିଲେ । କପାଳରେ ହାତ ବୁଲାଉ ବୁଲାଉ ଡାକିଲେ, ମାମି, ମାମି-

 

ସର ଦୀର୍ଘନିଶ୍ୱାସ ଛାଡ଼ି କଡ଼ ମୋଡ଼ିଲା । ନିଶ୍ୱାସ ନିଆଅଣା କରି ପୂର୍ବବତ୍ ଶୋଇପଡ଼ିଲା । ବିପ୍ରଚରଣ ଲୋତକରେ ଚକ୍ଷୁ ଛଳଛଳ କରି ତାର ନିଦ୍ରିତ କପାଳ ଚୁମ୍ବନ କଲେ । ବାମ ହାତରେ ମଶା ତଡ଼ୁ ତଡ଼ୁ କହିଲେ, ସାଧୁ, ମୋର କଲିକତା ଯିବା ଠିକ୍ ହେଲା । ବୋଧହୁଏ କାଲି ପହରି ଦିନ ଆଡ଼କୁ ଯିବି ।

 

ପ୍ରୀତ ହୋଇ ସାଧୁଚରଣ ପଚାରିଲେ, ଷ୍ଟାଇପେଣ୍ଡ ପାଇଲେ ? ସନ୍ଧ୍ୟାରେ ପରା କହୁଥିଲେ-

 

ନା, ଷ୍ଟାଇପେଣ୍ଡ ପାଇନାହିଁ । ଶିବପ୍ରସାଦ ବାବୁ ମୋତେ ଟଙ୍କା ଦେଇ ପଠାଉଛନ୍ତି ।

 

ସେ କିଏ ?

 

ଶିବପ୍ରସାଦ ବାବୁ ସୋନପୁରର ଜଣେ ଜମିଦାର । ସେ ଆଧୁନିକ ରୁଚି ସମ୍ପନ୍ନ ଲୋକ । ମୋର ଚିତ୍ର ଅଙ୍କନ ଦେଖି ସେ ତାଙ୍କ ମନକୁ ପ୍ରତିଶ୍ରୁତି ଦେଇଛନ୍ତି ଟଙ୍କା ଦେବାକୁ । ଏପରି ସୁନ୍ଦର ଲୋକ !

 

ସାଧୁଚରଣ ସ୍ପଷ୍ଟ ବୁଝିପାରିଲେ ନାହିଁ, ଶିବପ୍ରସାଦ ବାବୁ ସ୍ୱତଃପ୍ରବୃତ୍ତ ହୋଇ ଜଣେ ବାହାରିଆ ଲୋକକୁ ସାହାର୍ଯ୍ୟ ଦେବାକୁ କାହିଁକି ପ୍ରସ୍ତୁତ । କୌଣସି ସ୍ୱାର୍ଥସିଦ୍ଧିର ଅଭିଳାଷ ନ ଥିଲେ ଲୋକେ ଏତେ ପରି କାର୍ଯ୍ୟରେ ସହାୟ ହୁଅନ୍ତି, ଏପରି ଧାରଣା ଆଣିବା ମୁର୍ଖତାର କଥା । ଲୋକେ ନିଜ ନିଜର ସ୍ୱାର୍ଥନେଇ ପାଗଳ । ପରର ଉନ୍ନତ ଦେଖିଲେ ଆଖିରେ ନିଆଁ ହୁଳା ମାଡ଼ିଲାପରି ଲାଗେ । ଏତେ ବଡ଼ ଦେଶରେ ଏତେ ଧନୀ, ମହାଜନ ଅଛନ୍ତି, ଏତେ ରାଜା ମହାରାଜା ଅଛନ୍ତି, ତଥାପି ଲୋକଙ୍କର ଦୁଃଖ ଫେରୁନାହିଁ । ଓଡ଼ିଆ ଛାତ୍ରଙ୍କର ଦକ୍ଷତା, ଶିକ୍ଷାଭାବରେ ପେଟଜ୍ୱାଳାରେ ଆପେ ନଷ୍ଟହୋଇଯାଉଛି । ଯକ୍ଷଙ୍କ ପରି ଟଙ୍କା ଗଦା କରି କିମ୍ବା ବୃଥା ଦେଶଭ୍ରମଣ କରି ପଦ ଲୋଭରେ ରାଜାମାନେ ବିଦେଶରେ ଲକ୍ଷ ଲକ୍ଷ ଟଙ୍କା ଦାନ କରିଯାଉଛନ୍ତି, ଘର ଭିତରକୁ ଦେଖୁଛି କିଏ ? ଶିବପ୍ରସାଦ ବାବୁ ଯେ ଜଣେ ଦରିଦ୍ର ଓଡ଼ିଆ ଛାତ୍ରକୁ ସାହାଯ୍ୟ କରିବାକୁ ପ୍ରକୃତରେ ଦୃଢ଼ସଂକଳ୍ପ, ଏ ବିଷୟରେ ସନ୍ଦିହୀନ ହୋଇ ସାଧୁଚରଣ ପଚାରିଲେ, କେଉଁ ସର୍ତ୍ତରେ ସେ ଟଙ୍କା ଦେବେ ? ଧାର ?

 

ବିପ୍ରଚରଣଙ୍କର ମୁଖ ଗମ୍ଭୀର ହେଲା । ସେ ଭାବି ଭାବି କହିଲେ, ବୋଧହୁଏ ସେହିପରି କିଛି । ତେବେ ମୁଁ ଠିକ୍ କହିପାରୁନାହିଁ । କିନ୍ତୁ ଟଙ୍କା ଦେବେ ନିଶ୍ଚୟ । କହୁ କହୁ ସରକୁ ଟିକିଏ ହଲାଇ ଦେଇ ଡାକିଲେ, ମାମି, ମାମିଲୋ.......।

 

ସର ଭିଡ଼ିମୋଡ଼ି ହୋଇ ଧୀରେ ଧୀରେ ଚାହିଁଲା । ଦାଦାକୁ ଦେଖି ପ୍ରଥମେ ଅବାକ୍ ହେଲା । କେଜାଣି କାହିଁକି ଅଭିମାନ କରି ଟିକିଏ ହସିଦେଇ ପୁଣି ଆଖି ବୁଜିଲା । ବିପ୍ରଚରଣ ସରର ପ୍ରକୃତି ଭଲକରି ଜାଣନ୍ତି । ସେ ବୁଝିପାରିଲେ, ସରର ନିଦ ଭାଙ୍ଗିଲାଣି, ମାତ୍ର ଲାଜରେ, ଅଭିମାନରେ ମିଛଟାରେ ଆଖିବୁଜି ପଡ଼ିଛି । ସେ କିଛି ନ କହି ତୁନିହୋଇ ବସି ରହିଲେ ।

 

ସରର ସବୁ ସ୍ନେହ, ସବୁ ଆଦର ତାର ଦାଦି ପାଖରେ । ବାପାକୁ ସେ ଭୟ କରେ । ଯେତେ ଆଦର କରି ଡାକିଲେ ପାଖକୁ ନ ଯାଇ ଲୁଚି ପଳାଏ । ଭାଇ ତ ସବୁବେଳେ ଚିଡ଼ିଚିଡ଼ି ହେଉଥାନ୍ତି । ସର ଉପରେ ତାଙ୍କର ଅହନ୍ତା । ଖଣ୍ଡେ ଭଲଲୁଗା ପିନ୍ଧିଲେ, କି ଗୋଟିଏ ନୂଆ ଗହଣା ନାଇଲେ, ଭାଇ କେତେ କଣ କହି ଚିଡ଼ାନ୍ତି । ଟିକିଏ ମୁଣ୍ଡ ବାନ୍ଧିଲେ ମଧ୍ୟ ସେ ସେହି ପାରନ୍ତି ନାହିଁ, ଖାଲି ଗାରୁ ଗାରୁ ହେଉଥାଆନ୍ତି । ମାଇକିନିଆଁ ଝିଅଗୁଡ଼ା ତାଙ୍କୁ ବିଷ ପରି ଲାଗନ୍ତି । ଏତେ ଘୃଣା ! ଏକା ବିପ୍ରଦା, ସବୁ ପ୍ରକାର ଅଳି ତାଙ୍କରି ପାଖରେ-କଥା କହ, ଛବି ଦେ, ମୋତେ କାଖା ଇତ୍ୟାଦି ।

 

ସବୁକଥା ସାଧ୍ୟମତେ ବିପ୍ରଦାଦି ପିଲାଦିନୁ କରି ଆସିଛନ୍ତି । ମାନ ଅଭିମାନରେ, ରାଗ ରୋଷରେ, କିମ୍ବା ଗେହ୍ଲାରେ ସର ତାଙ୍କୁ କେତେ ମାରେ । ସେ ସବୁ ହସ ହସ ମୁହଁରେ ସହି ବିନିମୟରେ ଗେହ୍ଲା କରନ୍ତି । ମାମି ମାମି ଡାକି କେତେ ଗୋଳାଇ ହୁଅନ୍ତି । କିଏ କେଉଁଠି ସରକୁ ପଦେ କଟୁକଥା କହିଲେ ସେ କାନ୍ଦି କାନ୍ଦି ଚାଲିଆସେ ଦାଦା ପାଖକୁ । ଦାଦା ତାକୁ କୋଡ଼ରେ ବସାଇ ବୁଝାସୁଝା କରନ୍ତି, ମାଡ଼ ସହନ୍ତି ।

 

ଏହି ସମୟରେ ମୋତା ଦେଇ ଆସି ଡାକିଲେ, ସାଧୁ, ସରକୁ ଉଠାଇ ଆସ ଖାଇବ ।

 

ବିପ୍ରଚରଣ ଉଠି ଭ୍ରାତୃଜାୟାଙ୍କୁ ପ୍ରଣାମ କଲେ । ମୋତାଦେଈ ଅସମୟରେ ଦେବରଙ୍କୁ ଦେଖି କିଛି ବୁଝିପାରିଲେ ନାହିଁ । ଘୃଣାରେ ତାଙ୍କର ମୁଖ ବିକୃତ ହେଲା । ଅନ୍ତରର ଭାବ ଗୋପନ କରି, ସେ ଗୋଟିଏ ନିର୍ଜୀବ ଶୁଖିଲା ହସ ବଳାତ୍କାରରେ ଟାଣି ଆଣି କହିଲେ, ତମେ କେତେବେଳେ ବିପ୍ର ?

 

ବିପ୍ରଚରଣଙ୍କର ଚାହିଁ କହିଲେ-ସାଧୁଆ, ଭାତଗୁଡ଼ା ପରା ତେଣେ ଶୁଖିଗଲା ? ସର କାଇଁ- ?

 

ସର ଧଡ଼ପଡ଼ ହୋଇ ଉଠିବସି କହିଲା, ବୋଉ ମୁଁ ଦାଦା ସାଙ୍ଗେ ବସିବି ।

 

ମୋତା ଦେଈ କୃତ୍ରିମ କ୍ରୋଧ ଦେଖାଇ ଧମକ ଦେଇ କହିଲେ, ମଲାମୋର ଦାଦିସୁଆଗୀ ! କିଲୋ ଆସୁଛୁ, ପୂଜାରୀ ପରା ଭାତ ବାଢ଼ିଲାଣି । ସର କହିଲା, ନାଇଁ ମୁଁ ଖାଇବି ନାହିଁ-ଯାଆ ।

 

ମୋତା ଦେଈ ଏଥର ସତକୁ ସତ ରାଗିଯାଇ ଘର ଭିତରକୁ ଚମକି ଆସିଲେ । କହିଲେ, ଖୁମାଣ,-ଏଁ ଲୋ, ଏଇଦିନୁ ଖୁମାଣ । ଚାଲ ଚାଲ, ଦି ଗୋଇଠାରେ ତୋ ମୁହଁ ଭାଙ୍ଗିଦେବି; କୋଉ ଦାଦି ତୋ ପିଠିରେ ପଡ଼ିବ ରହ ।

 

ସର ଆତ୍ମରକ୍ଷାର ଅନ୍ୟ କୌଣସି ଉପାୟ ନ ଦେଖି ଭୟରେ ବିପ୍ରଚରଣଙ୍କୁ କୁଣ୍ଡାଇ ଧରିଲା । ବିପ୍ରଚରଣ ଅଶ୍ରୁପୂର୍ଣ୍ଣ ଲୋଚନରେ ବାଳିକାକୁ କୋଳକରି ପଛକୁ ଘୁଞ୍ଚିଗଲେ । ମୋତା ଦେଈଙ୍କର ରାଗ ଶାନ୍ତି ହେଲା ନାହିଁ, ସେ ବାଳିକାର ହାତଧରି ଘୋଷାଡୁ କହିଲେ, ଛାଡ, ଚୁଲାପଶୀର ମୁହଁ ଭାଙ୍ଗେ । ବିପ୍ରଚରଣ ଭ୍ରାତୃଜାୟାଙ୍କର କାର୍ଯ୍ୟରେ ବାଧା ଦେଇ ବୁଲି ପଡ଼ିଲେ । ମୋତା ଦେଈ ଆହୁରି ରାଗି; ମଲ ଝମ୍ ଝମ୍ କରି ଘରୁ ବାହାରି ଯାଉଁ ଯାଉଁ କହିଲେ, ଛୁଆଟାକୁ ବିପ୍ର ମୁହଁଦେଇ ଖରାପ କରିଦେଲେ । ଆଗୋ, ଏଇଥିରେ କଣ ଝିଆରୀ ସ୍ନେହ ଜଣାପଡ଼େ ? ମଲାମୋର ।

 

ବିପ୍ରଚରଣ ଭ୍ରାତୃଜାୟାଙ୍କର କ୍ରୋଧର ଉଦ୍ଦେଶ୍ୟ ଜାଣନ୍ତି ! ସେ ବୁଝିଛନ୍ତି, ଭାଉଜବୋଉ ତାଙ୍କ ଉପରେ ରାଗ କଲେ ରାଗଟା ସୁଝାନ୍ତି ସର ଉପରେ । ତାଙ୍କ ଉପରେ ସେ ବିନା କାରଣରେ କ୍ରୋଧ କରନ୍ତି । ମିଛଟାରେ ହେଲେ ସର୍ବଦା ରବେଇ ଖବେଇ ହୁଅନ୍ତି । କଥାରେ କହନ୍ତି- ‘‘ଯିଏ ଯାହାକୁ ଦେଖି ନ ପାରେ, ଅନ୍ଧାର ରାତିରେ ଉକୁଣୀ ମାରେ।’’ ସେ ସବୁ କଥା ଭୁଲି, ସରକୁ ହୃଦୟରେ ଡାକି ଧରିଲେ । ତା କାନ ପାଖେ ଧୀରେ ଧୀରେ କହିଲେ, ମାମି, ଯା, ଖାଇବୁ । ବୋଉ ପରା ରାଗିଲାଣି ?

 

ଦାଦାକୁ ଦେଖିଲେ ସରର ଅବାଧ୍ୟତାର ମାତ୍ରା ବଢ଼ିଯାଏ । ସେ ଗେହ୍ଲେଇ ଗେହ୍ଲେଇ କହିଲା, ନାଇଁ, ମୁଁ ତୋ ସଙ୍ଗେ ବସିବି । କିଛି କ୍ଷଣ ଚିନ୍ତାକରି ବିପ୍ରଚରଣ ଆହୁରି ନିମ୍ନ ସ୍ୱରରେ କହିଲେ, ମୋ ଦେହ ଆଜି ଭଲ ନାହିଁ ।

 

ଦାଦାର ପିଠିରେ ଚାପୁଡା ମାରି ସର କହିଲା, ତୁ ପରା କୁଆଡ଼େ ମିଛ କହୁ ନାହିଁ ? ସେଦିନ କହୁଥିଲୁ ମୁଁ ତୋ ବୋଉ ବୋଲି । ହଁ ଦାଦା, ତୁ ମୋ ପୁଅ । ନାଇଁଲୋ ମୁଁ ତୋ ଝିଅ ହେବି, ଏଁ ?

 

ଆର ଘରୁ ଅଭୟଚରଣ ଡାକିଲେ, ବିପ୍ର, ଇଆଡେ ଅଇଲୁ ।

 

ବିପ୍ରଚରଣ ସରକୁ କାଖରୁ ଓହ୍ଲାଇ ଆର ଘରକୁ ଗଲେ ।

 

ବିପ୍ର ଭାଇଙ୍କର ପାଦଧୂଳି ଗ୍ରହଣ କରି କାନ୍ଥକୁ ଆଉଜି ଠିଆହେଲେ । ତଳକୁ ଅନାଇଁ ଚିନ୍ତାକଲେ, ଆଜି କିପରି ଭାବରେ କଥାଭାଷା କରିବେ । ଭାଉଜବୋଉ ମୁହଁ ଲଦି ବସି ଗୁଆ ଭାଙ୍ଗୁଛନ୍ତି । ଅଭୟଚରଣ ବିପ୍ରଚରଣଙ୍କ ଗୋଡ଼ରୁ ମୁଣ୍ଡଯାଏ ଅନାଇଁ ଅନାଇଁ କହିଲେ, କିହୋ, ଆଜିକାଲି ତମେ ସ୍ୱରାଜ ହେଲଣି ପରା । ଖୁଁ, ବାପ ଅଜାଙ୍କ ନାଁ ପକାଇବ ! ବେଶ୍ ବେଶ୍, ବୁଝିଲ ନା ସାଧୁବୋଉ, ଆମ ବିପ୍ର ଏଥର ସରକାରଙ୍କୁ ଦେଶରୁ ତଡ଼ିବେ ! ହାଃ-ହାଃ-ହାଃ, ଏହିକ୍ଷଣି କଅଣସବୁ ହଉଚି ?

 

ବିପ୍ରଚରଣ କହିଲେ, ଆଜ୍ଞା, ନା କିଛିନାହିଁ । କଲେଜରେ ନାଁ ଲେଖା ହୋଇପାରିଲା ନାହିଁ । ଟଙ୍କା ଅଭାବରୁ ପରୀକ୍ଷା ଦେଇପାରିଲି ନାହିଁ । କଟକରେ ବସି ବିରକ୍ତ ଲାଗିଲାରୁ.........

 

ପୁରୀ ଚାଲିଆସିଛୁ ହାଓ୍ୱା ଖାଇବାକୁ ? ଭଲ ଭଲ ! ହଁ, ମୁଁ ଶୁଣୁଛି, ତୁ ମୋର ବାର ନିନ୍ଦାକରି ବନ୍ଧୁବାନ୍ଧବଙ୍କ ଆଗରେ କହୁଛୁ । ଏ ନେଇ ଆମ ମନରେ ଭାରି କଷ୍ଟ, ନା କଅଣ କହୁଛ ସାଧୁବୋଉ ? ଏଡ଼େଟିରୁ ଏଡ଼େଟିଏ କଲି । ମୋର ଯଥାସାଧ୍ୟ ଚେଷ୍ଟାକରି ମାସକୁ ମାସ ପାଞ୍ଚ ବୋଲି ଠିକ୍ ନାହିଁ ଦଶ ବୋଲି ଠିକ୍ ନାହିଁ, ଟଙ୍କା ପଠାଇ, ସ୍କୁଲ କଲେଜରେ ପାଠ ପଢ଼ାଇଲି, ତଥାପି ବାରଲୋକଙ୍କ ଆଗରେ ମୋର ନିନ୍ଦା କରୁଛୁ ? ଖୁଁ, ହଇରେ, ବାପେ ମଲାବେଳକୁ ତୁ ଥିଲୁ କେଉଁଠି ? ସମ୍ପତ୍ତି ବାଡ଼ି ବିକି ବେଣାପତ୍ର ସୁଝି ସାରିଲା ବେଳକୁ ଦିଓଳି ଢୋକ ଚଳିବାକୁ ବି ଘରେ ଦାନା ନାହିଁ। କରେ କଅଣ ? ଏକା ଢୋଓର ଏଇ ଭାଉଜବୋଉ, ୟେ ପୁଅ, ସେ ଦିଅର, ଏପରି ପ୍ରଭେଦ ସେ ମରିବେ ପଛେ କରିବେ ନାହିଁ । ତଥାପି ୟା ତା ଆଗରେ ତାଙ୍କ ନିନ୍ଦା ଗାଇ ହେଉଛୁ-?

 

ଭାଇ, ମୁଁ ତ କାହା ଆଗେ କିଛି କହିନାହିଁ ।

 

ଖୁଁ, ତୁ ଏବେ ନ ମାନିବୁ, ସେଥିକି କାହା ଚାରା । ମୁଁ ନିଜେ ଶୁଣିଛି । ତୋ ଭାଉଜବୋଉ କେତେଥର ଶୁଣିଛନ୍ତି । ତୁ ଯାହାଙ୍କୁ ବିଶ୍ୱାସରେ କହୁ ସେହିମାନେ ଆସି କହନ୍ତି । ହଇରେ, ତୁ ପାଠ ଛାଡ଼ିଲୁ, ମୁଁ ସେଥିକି କଅଣ କରିବି ? ମୋର ବଳି ପାଉଥିଲା ପଢ଼ାଉଥିଲି, ବଳ ନ ପାଇଲା ନ ପଢ଼ାଇଲି ।

 

ଭାଇ, ମୁଁ ଶପଥ କରି କହିପାରେ, ଆପଣଙ୍କର ନିନ୍ଦା କି ଭାଉଜବୋଉଙ୍କର ନିନ୍ଦାକରି ଆଜିଯାଏ କାହା ଆଗରେ ମୁଁ କହିନାହିଁ ।

 

ସ୍ୱରାଜ୍ୟ ଲୋକମାନେ ଦେବାଦେବୀ କିଛି ମାନନ୍ତି ନାହିଁ । ଯିଏ ସରକାରକୁ ନ ମାନେ, ସିଏ କଅଣ ଦେବାଦେବୀଙ୍କୁ ମାନୁଥିବ ଯେ ଶପଥଟା ବଡ଼ କଥା ହୋଇଗଲା ।

 

ବିପ୍ରଚରଣ କାନ୍ଦି ପକାଇଲେ । କୌଣସି ପ୍ରକାର ମିଥ୍ୟା ନିନ୍ଦା ସେ ସେହି ପାରନ୍ତି ନାହିଁ-। ସେ କଇଁ କଇଁ ହୋଇ କାନ୍ଦି କହିଲେ, ମୋର କଥାରେ ଆପଣ ବିଶ୍ୱାସ କରନ୍ତୁ ।

 

ମୋତା ଦେଈ ପାନରେ ଚୂନ ଲଗାଉ ଲଗାଉ କହିଲେ, ଆମେ ସବୁ ତା ହେଲେ କଅଣ ମିଛିଆ, ବିପ୍ର ?

 

ବିପ୍ରଚରଣ ଲୁହ ପୋଛି କହିଲେ, ଆପଣଙ୍କୁ ମିଛୁଆ କହିଲେ ମୋର ପାପ ହେବ ଭାଉଜବୋଉ । ଯିଏ ଆସି ମୋ ନାମରେ ଲଗାଇ କରି କହିଛି ? ସେମାନେ ମିଛୁଆ ।

 

ମୋତା ଚକ୍ଷୁରୁ ଲୋତକ ଗଡ଼ାଇ ଆଖି ପୋଛୁ ପୋଛୁ ହସି ହସି କହିଲେ, ଏକା ସତିଆ ତମେ ।

 

ବିପ୍ରଚରଣ ଏଥର କାନ୍ଦ ବନ୍ଦକରି ଦୃଢ଼ ସ୍ୱରରେ ଭାଇଙ୍କୁ କହିଲେ, ଭାଇ, ମୋ ଦେହରେ ଜୀବନ ଥିବାଯାଏ ମୁଁ ଆପଣଙ୍କର ପ୍ରଶଂସା ବ୍ୟତୀତ ନିନ୍ଦା କରିବି ନାହଁ । ଏତେ ଦିନକେ ଆପଣଙ୍କ ଆଗରେ ମୁଁ ମୋର ମନ ଖୋଲି କହୁଛି, ବିଶ୍ୱାସ କରନ୍ତୁ । ଲୋକେ ଅନେକ ସମୟରେ ଆପଣଙ୍କର ନିନ୍ଦାକରି ମୋ ଆଗରେ କହନ୍ତି । ମୁଁ ସେମାନଙ୍କ କଥାରେ କାନ ନ ଦେଇ, ବରଂ ସେମାନଙ୍କୁ ଶୋଧେ, ସେମାନଙ୍କ ଆଗରେ ଆପଣଙ୍କର ପ୍ରଶଂସା କରି କହେ । ତଥାପି ଦୋଷ ମୋର ?

 

ଅଭୟଚରଣଙ୍କର ମୁହଁ କଳାକାଠ ପଡ଼ିଗଲା । ସେ ଟିକେ ଦବିଯାଇ କହିଲେ, ଖୁଁ, ଲୋକେ କରନ୍ତି ମୋ ନିନ୍ଦା, ହଇରେ, ଲୋକେ କରନ୍ତି ମୋ ନିନ୍ଦା ? କାଳ ହବ ନାହିଁ, କାଳ ହବନାହିଁ । ବୁଝିଲନା ସାଧୁବୋଉ, ଲୋକେ ଯାହାର ଖାଆନ୍ତି ତାଆରି ନିନ୍ଦା କହି ବୁଲନ୍ତି । ହଇରେ, ତତେ ମଣିଷ କିଏ କଲା ? ମୁଁ, ହଇରେ, କାହାନେଇ ଆଜି ତୋଓର ଏ ତୋଡ଼ ?

 

ମୋତା ଦେଈ କହିଲ, ଆମେ ଆଉ କୋଉ ନିନ୍ଦା କାମଟା କରି ପକାଇଛୁ ଯେ, ତମେ ଆମର ପ୍ରଶଂସା କରି ଅଧିକା କରି ପକାଇଲ ? ତୁମ ଭାଇଙ୍କ ପରି ଖୋଲା ମଣିଷ କଳିକାଳରେ ଆଉ ଜଣେ କୋଉଁଠୁ ବାହାର କଲ । ହଁଅନା.... ?

 

ତମ ଭାଉଜଙ୍କ ପରି ସ୍ନେହୀ ଲୋକ-ଅଭୟଚରଣ ମୁଣ୍ଡ ହଲାଇ ବାକ୍ୟଟି ଶେଷ କଲେ-

 

ଅଭୟଚରଣ ପୁଣି କହିଲେ, ପଢ଼ାପଢ଼ି ତ ସରିଲା, ଏବେ ଚାକିରି ବାକିରିର ଯୋଗଡ଼ଯନ୍ତ୍ର ଚାଲିଛି ନା ? ବସି ଖାଇଲେ ନଦୀବାଲି ସରେ । ଏଣିକି ମୁଁ ଆଉପାରିବି ନାହିଁ । ଖୁଁ, ପେଟରେ ଗୋଟିଏ କଥା ରଖି ମୁହଁରେ ଆଉ ଗୋଟିଏ କଥା କହିବା ମୋର ଅଭ୍ୟାସ ନୁହେଁ । ଏଥର ତମେ ତମର ବାଟ ବାଟ । ଭାଇ ବୋଲି ସ୍ନେହ ଶରଧା ହୁଏ ବେଳେ ବେଳେ ପଚାରିବ କି ନ ପଚାରିପାର, ମୋ ମନରେ କିଛି କଷ୍ଟ ହେବନାହିଁ । ନା କଣ କହୁଛ ସାଧୁବୋଉ ? ମୁଁ ଆଉ ପାରିବି ନାହିଁ ।

 

ମୋତା ଦେଈ ନିରୁତ୍ତର ରହିଲେ । ଭାଇଙ୍କର ମନକଥା ବୁଝି ବିପ୍ର କହିଲେ, ଆପଣ ମୋ ବିଷୟରେ ଏଣିକି ନିଶ୍ଚିନ୍ତ ରହନ୍ତୁ । ମୋ ଜୀବନରେ ମୁଁ ଯାହା ଅର୍ଜ୍ଜନ କରିବ ସେ ସବୁ ଆପଣଙ୍କର । ମୋତେ ଚିରଜୀବନ ଋଣୀ କରିଛନ୍ତି ।

 

ମୋତା ଦେଈ ହସି ହସି କହିଲେ, ଥାଉ ରାତି ବେଶି ହେଲାଣି । ଆସ ଖାଇବ । ଭାତ ତ କାଞ୍ଜିପାଣି ହେବଣି। ମୁଁ ଯାଏ ଭାତ ବଢ଼ାଏଁ- ।

 

ମୋତା ଦେଈ ଉଠି ଚାଲିଗଲେ । ଅଭୟଚରଣ ବିପ୍ରଚରରଙ୍କୁ ଅନ୍ୟକୌଣସି ପ୍ରଶ୍ନ ନ କରି କହିଲେ, ଯାଆ, ଖାଆ ଯା ।

 

ବିପ୍ରଚରଣ ସେ ଘରୁ ବାହାରି ଆସିବା ସଙ୍ଗେ ସଙ୍ଗେ ସର ପିଆଦା ପରି ତାଙ୍କ ପଛରେ ଲାଗିଲା । ତାର ସେହି ଗୋଟିଏ ଅଳି, ମୁଁ ତୋ ସଙ୍ଗରେ ଖାଇବି । ବିପ୍ରଚରଣ ଆଉ ସବୁ କଥା ଭୁଲି ସରକୁ ଗେଲ କରି କହିଲେ, ମାମି, ମୁଁ ପରା ତୋ ପୁଅ ?

 

ସର କହିଲା, ହଁ ଅ- ।

 

ବିପ୍ରଚରଣ ଧୀରେ ଧୀରେ ତା କାନ ପାଖରେ କହିଲେ, ମାମି ମ, ତୁ ଯେଉଁଦିନ ଘର କରିବୁ, ମୁଁ ତୋ ଘରକୁ ଯିବି ଯେ, ମୋତେ ଖୋଇଦେବୁ, ଏଁ- ? ତୁ ପରା ମୋ ବୋଉ ?

 

ହଉ ଦାଦା, ମୁଁ କୋଉ ଦିନ ଘର କରିବି ?

 

ବିପ୍ରଚରଣ ପ୍ରଶ୍ନର ଉତ୍ତର ପୂର୍ବରୁ ମୋତା ଦେଈ ଉପସ୍ଥିତ ହୋଇ ମା ପୁଅଙ୍କର ମଧୁରାଳାପରେ ବାଧାଦେଲେ । ସରର ହାତ ଧରି ଓଟାରି ନେଇ ଟିକିଏ ବିରକ୍ତ ହୋଇ କହିଲେ, ଆ, ଗିଳିବୁ ।

 

ସର ନିଃସହାୟ ଲୋଚନରେ ଦାଦାକୁ ଚାହିଁ ରୋଷଘରେ ପ୍ରବେଶ କଲା ।

 

ସାଧୁଚରଣ ଡାକିଲେ, ଦାଦା, ଶୁଣନ୍ତୁ- ।

 

ବିପ୍ର ପଢ଼ାଘରେ ପ୍ରବେଶ କରିବାରୁ ସାଧୁଚରଣ ବିନୀତ ହୋଇ କହିଲେ, ମୁଁ ଆପଣଙ୍କୁ ଯାହା ଦେବି ନେବାକୁ ହେବ ।

 

ବିପ୍ରଚରଣ କହିଲେ, ହଁ, ନେବି; କିନ୍ତୁ ଯାହା ଦେବୁ, ସେ ଯଦି ତୋ ନିଜର ଅର୍ଜିତ ହୋଇଥାଏ, ତେବେ ।

 

ସାଧୁଚରଣ କହିଲେ, ଯଦି ଶିବପ୍ରସାଦ ବାବୁ ଆପଣଙ୍କର ସହାୟ ନହୁଅନ୍ତୁ, କଅଣ କରିବେ ?

 

ବିପ୍ରଚରଣ ତାଚ୍ଛଲ୍ୟ କରି ହସି ହସି କହିଲେ, ମଣିଷର ଅଙ୍ଗପ୍ରତ୍ୟଙ୍ଗ ବିକଳାଙ୍ଗ ନ ହେବାଯାଏ, ସେ ଯଦି ନିଜର ଉଦ୍ଦେଶ୍ୟ ସାଧନ କରି ନ ପାରେ, ତେବେ ସେ ପଶୁ । ମୋତେ ବିଦାୟ ଦେ । ରାତି ଅଧିକ ହେଉଛି ।

 

ଅଖିଆ ? ........ ପୁଣି ବିପ୍ରଚରଣଙ୍କର ପଦତଳେ ମୁଣ୍ଡ ଲଗାଇ କହିଲେ, ହଁ ଦାଦା ଅଖିଆ ଯାଆନ୍ତୁ । ସ୍ନେହଠାରୁ ଭୋଜନ ବଡ଼ ନୁହେଁ ।

 

ବିପ୍ରଚରଣ ସାଧୁଚରଣଙ୍କୁ ଆଲିଙ୍ଗନ କରି ଅନ୍ୟ କାହାକୁ ନ ଜଣାଇ ବିଦାୟ ଗ୍ରହଣ କଲେ ।

***

 

 

କୋକିଳ ଅଳ୍ପବୟସ୍କା ବାଳିକା । ଅନାଥିନୀ ହୋଇ ସେ ବାଟରେ ବୁଲୁଥିଲା । ଆହା ବୋଲି ପଦେ କହିବାକୁ ତାର କେହି ନ ଥିଲେ । ଦୈବୀଯୋଗ । ଦିନକର ଅନାହୁତି ସେ ଆସି ଜଣେ ମାଉସୀଙ୍କ ହାବୁଡ଼େ ପଡ଼ିଲା ।

 

ଏହି ମାଉସୀ ଆଖି ଚିପିଚିପି ଦିବିନ୍ଦୁ ଲୁହ କାଢ଼ି କୋକିଳର ସବୁ ଦୁଃଖ ଶୁଣି ନିଜେ ସମଦୁଃଖ ପ୍ରକାଶ କଲେ । କୋକିଳ ପିନ୍ଧିଥିବା ଛିଣ୍ଡା ମଇଳା ଲୁଗାର କାନିରେ ଦୟାବହି ଝିଆରୀର ମୁହଁଟି ପୋଛି କହିଲେ, ଆହା ମା, ପିଲାଦିନୁ ନିଆଁଲଗା ଦଇବ ତୋତେ କେତେ ଦୁଃଖ ଦେଲା ! ହଉ, ଦୁଃଖ କରିଥିଲେ ସୁଖ ମିଳେ । ନାଁ, ନାଁ, ଏଥର ଆଉ ତୋତେ ଏ ଘର ସେ ଘର ବୁଲିବାକୁ ମୁଁ ଛାଡ଼ି ଦେବି ନାହିଁ । ମୋର ପିଲା ପାଞ୍ଚୋଟି ଯେମିତି, ତୁ ବି ତାଙ୍କପରି ଜଣେ ସେମିତି ।

 

ଲୋକେ କହନ୍ତି, ମାଉସୀ ପିଲାଛୁଆବାଲୀ । ପିଲାଛୁଆଙ୍କ ନେଞ୍ଜରା ସହି ନ ପାରି ସେ ମନେ ମନେ କାହାକୁ ଖୋଜୁଥିଲେ । କପାଳକୁ ଆସି କୋକିଳ ଯୁଟିଲା । କୋକିଳ ମାସ ଗୋଟାକରେ ସବୁ ଉଠାଇ ଠଉରାଇ ନେଲା । ବଜାର କରିବା, ବାସନ ମାଜିବା, ପିଲାଛୁଆଙ୍କୁ କାଖ କରିବା, ବେଳ ପଡ଼ିଲେ ମାଉସୀଙ୍କର ଗୋଡ଼ ଘଷିବା ଇତ୍ୟାଦି ନାନାପ୍ରକାର ଘରକାମ ସେ କରେ । ମନରେ ଦୁଃଖ ନ ଥାଏ । ମୁହଁ ସବୁବେଳେ ହସ ହସ । ମନ ପ୍ରଫୁଲ୍ଲ । ବିନା କାରଣରେ ମାଉସୀ ଚାରିପଦ କହିଗଲେ, କି ଚାରିମାଡ଼ ମାରିଗଲେ, ସେ ଉଁ ଚୁଁ ନ ହୋଇ ସବୁ ସହି ଯାଉଥିଲା-। ଦାଣ୍ଡଲୋକେ ଅଲଣା ସ୍ନେହ ଦେଖାଇ ମାଉସୀଙ୍କୁ କଥାରେ କଥାରେ କିଛି କହିଲେ କୋକିଳ ଆଗଭର ହୋଇ ମୁହେଁ ମୁହେଁ କହିଦିଏ, ମୋ ମାଉସୀ ମତେ କହିଲା, ତମର ସେଥିରେ ଥାଏ କଅଣ ? ସେ ଦିନ କୋକିଳର ଭାଗ୍ୟକୁ ମୁଠିଏ ଭଲ ପଖାଳ ମିଳେ; ନୋହିଲେ ସବୁଦିନ ପରି ପିଲାଛିଆଙ୍କ ଛାଡ଼ି ଯାଇଥିବା ଅଇଁଣ୍ଠା ଭାତ । କାହିଁରେ କୋକିଳର ଆପତ୍ତି ନ ଥାଏ ।

 

ଘରେ ସେ ଦୁଇବର୍ଷ କାଳ ରହିଲା; ତଥାପି ତାର ଦୁଃଖ ଫେରିଲା ନାହିଁ । ମନରେ ଭବିଷ୍ୟତ ଆଶା ପୋଷି ସେ ପୂର୍ବପରି ଆନନ୍ଦରେ ସମୟ କଟାଉଥାଏ ।

 

ଭବିଷ୍ୟତ ଆସି ବର୍ତ୍ତମାନରେ ପରିଣତ ହେଲା । ମାଉସୀ କହିଲେ, ଏଁ ବଢ଼ିଲା ଝିଅ ପଥର ବୋଝ । ବଢ଼ିଲା ଝିଅର ନିଃଶ୍ୱାସ ନାଗସାପର ନିଃଶ୍ୱାସ ମଉସା ପାତ୍ରଟିଏ ଖୋଜୁ ଖୋଜୁ ନିଜେ ରସାନନ୍ଦ ବାବୁ ଆସି ପ୍ରାର୍ଥୀ ହେଲେ । ନିର୍ବିଘ୍ନରେ ଆଜକୁ ପ୍ରାୟ ଦୁଇବର୍ଷ ହେବ ବାହାଘର ହୋଇ ଯାଇଛି । ଦେଲା ନାରୀ ହେଲା ପାରି । ବାହାଘରର ପରଦିନଠାରୁ ମଉସା ମାଉସୀ ନିଶ୍ଚିନ୍ତ-। କୋକିଳ ଦେଈଙ୍କର ମଲା ହଜିଲା ଖବର ବୁଝନ୍ତି ନାହିଁ । କୋକିଳ ଦେଈ ସେଥିରେ ମନ ଦୁଃଖ କରବେ କାହିଁକି ? ତାଙ୍କ ଜାଣିବାକୁ ତାଙ୍କର କେହି ନାହିଁ ।

 

ଯେଉଁ ରସାନନ୍ଦ ବାବୁଙ୍କ ହାତ ସେ ଧରିଥିଲେ, ତାଙ୍କ କଥା କହିଲେ ନ ସରେ । ତାଙ୍କୁ ବାର ମାସରେ ତେର ରୋଗ । ସେ ଅବା କରିବେ କଅଣ ? ନିଜ ସୁନା ଭେଣ୍ଡି ହେଲେ ଦୋଷ କାହାର ? ଏଥିରେ କୋକିଳ ଦେଈଙ୍କ ଅବସ୍ଥା ବଦଳନ୍ତା କିପରି ? ଅବଶ୍ୟ ଘରର ସବୁ ଭାର ତାଙ୍କ ଉପରେ । ମନ କଲେ, ଇଚ୍ଛା ମାଫି ଖାଇ ପିନ୍ଧି ସେ ବେଶ ଭଲରେ ରହି ପାରନ୍ତେ । ମାଇଫି ଜାତିର ଖାଇବା ପିନ୍ଧିବାଟା ବଡ଼କଥା ନୁହେଁ । ଯୁବତୀମାନଙ୍କୁ ଯାହା ବଡ଼, କୋକିଳ ଦେଈଙ୍କର ସେହି କଥାଟିର ଅଭାବ । ପ୍ରାଣପଣେ ସେ ସ୍ୱାମୀଙ୍କ ସେବାରେ ଲାଗିଥାନ୍ତି । ବେଳ ଜାଣି ଔଷଧ ଦେବା, ଖାଇବା ପିନ୍ଧିବା ଖବର ରାତିମତ ବୁଝିବା, ଘଷା ଆଉଁଷା କରିବା, ଏହିପରି କେତେ ପ୍ରକାର କାମ । ରସାନନ୍ଦ ବାବୁ ସକାଳୁ ଉଠି ସ୍ନାନ ଭୋଜନାଦି କାର୍ଯ୍ୟ ଶେଷକରି ଆଠଟା ବେଳକୁ ବାଡ଼ି ଖଣ୍ଡିଏ ଠୁକୁଠୁକୁ କରି ମଠକୁ ଯାଆନ୍ତି । ଫେରୁ ଫେରୁ ପ୍ରାୟ ରାତି ଆଠଟା । କେବେ କେବେ ନଅଟା ବାଜିଯାଏ ।

 

ରସାନନ୍ଦ ମଠରେ ବେଳାଟିଏ ପ୍ରସାଦ ସେବା କରନ୍ତି । ଏହି ସମୟତକ କୋକିଳ ଦଈ ଏକୁଟିଆ କଟାନ୍ତି । କଅଣ କରିବେ ? ହସିକରି ପଦେକଥା କହିବାକୁ ସାଙ୍ଗସାଥୀ କହି ନାହିଁ । ପୁରୀ ସହରରେ କଅଣ ସାଙ୍ଗସାଥୀର ଅଭାବ? କହିନ୍ତି ପରା, ବନ ପୋଡ଼ିଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଲେ ଜାଣିବ କିଏ ? ନିଜ ଦୁଃଖକୁ ହାରିଗୁହାରି ନାହିଁ; ସାଙ୍ଗସାଥୀ ଖୋଜୁଛନ୍ତି କେଉଁଠୁ-? ରସାନନ୍ଦ ମଠକୁ ଗଲେ, କୋକିଳ ଦେଈ ଘର ଧନ୍ଦାରେ ଲାଗିଯାନ୍ତି । ଦୁଇ ପ୍ରାଣୀ କୁଟୁମ୍ବ । ସେଥିକି ବା ଘରଧନ୍ଦା କଅଣ ଅଛି ? ତଥାପି ସମୟ କାଟିବାକୁ ହେବ । ବାସନ କୁସନ ମାଜିବା, ଘରକୁ ସାତଥର କରି ଓଳେଇବା, କୂଅରୁ ପାଣି କାଢ଼ିଆଣି ହାଣ୍ଡିକୁଣ୍ଡେଇ ଧୋଇବା, ନୋହିଲା ବେଳକୁ ବୃଥାରେ ହେଲେ ଡାଳିମ୍ବ ଗଛ ମୂଳରେ ମନ୍ଦା ଖୋଜି ଲୋଟା ଲୋଟାକରି ପାଣି ଢାଳିବା ଏଇ ତ କାମ ।

 

କାମରେ ମନ ଦେଲେ, ମନରେ ଦୁଃଖ ସନ୍ତାପ ପଶିବାକୁ ବେଳପାଏନାହିଁ । ଯେତେହେଲେ ସମୟ ଆଉପାଏ ନାହିଁ । ସତେ କି ଅଦଉତି ସାଧିବାକୁ ସେ କାହୁଁ କାହୁଁ ମାଡ଼ି ଆସେ । କୋକିଳ ଦେଈ କରବେ କଅଣ ? ପଶ୍ଚିମପଟ ଘରେ ଝରକା ପାଖରେ ଯେଉଁ ଖଟଟି ପଡ଼ିଛି, ତାହାରି ଉପରେ ଖଣ୍ଡେ ସପମସିଣା ପକାଇ ଶୋଇବାକୁ ଚେଷ୍ଟା କରନ୍ତି । ନିଦ ବି ଭଗାରି ହୁଏ । ଏକର ସେକର ହୋଇ ଖଟ ଉପରେ ଛଟର ପଟର ହେବା ହିଁ ସାର ହୁଏ । ମନକୁ ପ୍ରବୋଧ ଦେଇ ଆଖିବୁଜି ଖଣ୍ଡେ ପୁରୁଣା ମସିଆ ତକିଆ ଦେହରେ ମୁହଁମାଡ଼ି ପଡ଼ନ୍ତି । ଆଖିରୁ ଲୁହଧାର ଗଡ଼ି ତକିଆ ତିନ୍ତିଯାଏ ।

 

ସେ ଉଠି ବସନ୍ତି । ଘଡ଼ିଏ କାଳ ଝରକାବାଟେ କାହାକୁ ଅପେକ୍ଷା କଲାପରି ଅନାଇ ରହନ୍ତି । ପୁରୀ ସହରର ରାସ୍ତା, ପ୍ରତି ମୁହୂର୍ତ୍ତରେ ଦେଶୀ ବିଦେଶୀ କେତେ ବା ଲୋକ ନ ଯାଉଛନ୍ତି ମାତ୍ର । ସେ କାହାକୁ ଦେଖିପାରନ୍ତି ନାହିଁ । ଆଖି ସିନା ରାଜପଥ ଉପରେ, ମନଯାଇ କେତେଆଡ଼େ ଭ୍ରମୁଥାଏ । ବିରକ୍ତ ହୋଇ ଖଟ ଉପରୁ ଉଠି ଆସନ୍ତି । ଦାର୍ଢ଼୍ୟତାଭକ୍ତି ଖଣ୍ଡି କାଢ଼ି ପୁଣି ଖଟ ଉପରେ ଶୋଇ କ, ବ, ଚ କରି ଅକ୍ଷର ଚିହ୍ନି ଚିହ୍ନି ପାଞ୍ଚ ଦଶପଦ ନ ପଢ଼ୁଣୁ ନିଦ ଆସେ ।

 

ଉଠିଲା ବେଳକୁ ଦିନ ଶେଷ । ନଲଟଣକୁ ଭଲକରି ପୋଛି, କାଚକୁ ତିନିଥର କରି ଚୂନଦେଇ ସଫାକରି ଶେଷକୁ ଲଗାନ୍ତି । ତା ପରେ କରିବେ କଅଣ ? ପୁଣି ଆରମ୍ଭ ହୁଏ ଘଣ ପହଁରା ଇତ୍ୟାଦି । ପ୍ରାୟ ରାତି ଆଠଟା ବେଳକୁ ରସାନନ୍ଦ ଆସି କବାଟରେ ହାତ ମାରନ୍ତି । ତାଙ୍କର ଖଣ୍ଡିକାଶ ଓ ବାଡ଼ି ଠକ୍ ଠକ୍‌ରେ ସ୍ୱତନ୍ତ୍ରତା ଅଛି । ଏହା କେବଳ କୋକିଳ ଦେଈଙ୍କୁ ଜଣା । ରସାନନ୍ଦଙ୍କୁ ଦେଖିଲେ, ତାଙ୍କର ଗୋଡ଼ ହାତ ଚଳେ ନାହିଁ । ଆଖିରୁ ଲୁହଧାର ବହେ । ମନକୁ ମନ କହନ୍ତି, ଆହା ମୋ ଭାଗ୍ୟରେ ଏହାହିଁ ଥିଲା । ଆଉ କିଛି କହନ୍ତି ନାହିଁ । ନୀରବରେ କର୍ତ୍ତବ୍ୟ କର୍ମରେ ଲାଗିଯାନ୍ତି । ଗୋଡ଼ହାତ ଧୋଇବା ପାଇଁ ପାଣି କାତିଦେବା, ଔଷଧ ଖାଇବାକୁ ଦେବା ଓ ବିଛଣା ପାରିବା ଇତ୍ୟାଦି କାମ ନୀରବରେ ସମାପ୍ତ ହୁଏ ।

 

ରସାନନ୍ଦ କିଛି ପଚାରିଲେ, କୋକିଳ ତାର ଠିକ୍ ଜବାବ ଅତି ଧୀରେ ଅତି କୋମଳ ସ୍ୱରରେ ଦିଅନ୍ତି । ଦୁହିଁଙ୍କ ମଧ୍ୟରେ କଥୋପକଥନ ଅଳ୍ପ ହୁଏ । ରସାନନ୍ଦ ଖଟ ଉପରେ ଶୋଇ ପଡ଼ନ୍ତି । ନଲଟଣଟି ଥାକ ଉପରେ ରଖି କୋକିଳ ପଦସେବା କରିବାରେ ଲାଗିଯାନ୍ତି । ବାବୁଙ୍କର ଶୀର୍ଣ୍ଣ ଅଙ୍ଗ କୋଟରଗତ ଚକ୍ଷୁ ଓ ମଳିନ ମୁଖ ଦେଖି କୋକିଳ କେତେ କଅଣ ଭାବନ୍ତି । ମଣିଷର ମନ, କେତେ ପାପ ଛୁଏଁ । କୋକିଳ ଦେଈ ଚମକି ଉଠନ୍ତି, ଦେଖନ୍ତି ସେ ପୂର୍ବପରି ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ରାତି ଅଧ ହୁଏ । କୋକିଳ ଦେଈ ଧୀରେ ଧୀରେ ଖଟ ଉପରୁ ଉଠି ନଲଟଣ କମାଇ ଦିଅନ୍ତି । ସିମେଣ୍ଟ ଚଟାଣ ଉପରେ କାନି ପାରି ଶୋଇ ପଡ଼ନ୍ତି ।

 

ରବିବାର ଦିନ ବାବୁ ଡେରିକରି ଯାଆନ୍ତି । ଆସିଲାବେଳକୁ ଆସନ୍ତି ସହଳ । ଏହି ଦିନ ଆନନ୍ଦରେ ପଦେ ଅଧେ କଥାଭାଷା କରିବାକୁ ଫୁରସ୍‌ତ ମିଳେ । ମାତ୍ର ଆନନ୍ଦଟା ଦୁଇ ତରଫରୁ ଦେଖାଣିଆଁ । ସ୍ତ୍ରୀଙ୍କ ଉପରେ ସୋହାଗ କରିବାକୁ ବାଧ୍ୟ ହୋଇ ହସି କହନ୍ତି, ଦେଖ, ନିଜ ଦେହର ଯତ୍ନ ନିଅ, ଯିଏ ଦେଖିବ କହିବ କଅଣ ? କୋକିଳ ସ୍ମିତ ହସି କହନ୍ତି, ଆମେ ମାଇପି ଜାତି, ନିଜ ଦେହକୁ ଅନାଉଁ ନାହିଁ । ଯାହାକୁ ଦେବତୀ ବୋଲି ଆମେମାନେ ନେଉ ତାଙ୍କର ଦେହ ଭଲ ଥିଲେ, ଆମର ସବୁ ଭଲ ।

 

ରସାନନ୍ଦ କହନ୍ତି, ହଁ, ତା ନୁହେଁ କଅଣ, ତେବେ-ଚେଁ ଚେଁ ସ୍ୱରରେ କହନ୍ତି, କବିରାଜଙ୍କର ଏହି ନୂଆ ଔଷଧ ବେଶ୍‌ଭଲ; ଦଶଟଙ୍କା ନେଉନ୍ତୁ ପଛେ ଉପକାର ବେଶ୍‌ ହେଉଛି ବୋଲି ମୋର ମନେ ହୁଏ । ଦେହରେ ଜୋର୍‌ନ ଥିଲା ଟିକିଏ ଜୋର ହୋଇ ଆସୁଛି ।

 

ରସାନନ୍ଦ ଭଲକରି ଜାଣନ୍ତି କୌଣସି ଔଷଧରେ ତାଙ୍କର ଦେହ ଭଲ ହେବ ନାହିଁ । ଦିନୁ ଦିନୁ ତାଙ୍କର ଦୈହିକ ଶକ୍ତି କ୍ଷୟ ହେଉଛି । ଯୁବତୀ ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବାକୁ ଓ ତାର ମନରେ ଭବିଷ୍ୟତ ଆଶା ଦୃଢ଼ୀଭୂତ କରିବାକୁ ସମୟ ସମୟରେ ଏପରି ଉତ୍ସାହିତ ନ କଲେ ନ ଚଳେ । କେଉଁ ସାହସରେ, କେଉଁ ଆଶାରେ, ସେ ତାଙ୍କର ତୀବ୍ର, ଯୌବନତରଳ ମନ ଓ ଅଥୟ ପ୍ରବୃତ୍ତକୁ ପ୍ରବୋଧ କରି ଅଟକାଇ ରଖିବେ ? ରକ୍ତମାଂସଧାରୀ ମଣିଷ ଦେହ ! କୋକିଳ ସ୍ୱାମୀଙ୍କ ମନରେ ଦମ୍ଭ ଦେଇ କହନ୍ତି, ବେଶ୍‌ଔଷଧ, ରୀତିମତ ଏହାକୁ ବ୍ୟବହାର କଲେ, ଅତି ଅଳ୍ପ ଦିନରେ ଦେହ ଭଲ ହୋଇଯିବ ଯେ । ସେ ଜାଣନ୍ତି, ଭଲ ହେବା ପରିବର୍ତ୍ତେ ବରଂ ତାଙ୍କର ଅବସ୍ଥା ଦିନୁଦିନ ଖରାପ ହେଉଛି ।

 

ସବୁବେଳେ ଚିନ୍ତା । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କଥା ଭାବି ସେ ହତାଶ ହୋଇ ପଡ଼ନ୍ତି । ଚାରିଆଡ଼େ ଅନ୍ଧାର ଦିଶେ । ଦୁଇକୂଳରେ ଆଗକୁ ପଛକୁ କେହି ନାହାନ୍ତି । ଏ କଥା ମନକୁ ଆସିଲେ, ଗୋଡ଼ ହାତ କଲେ ନାହିଁ । ଦେହର ବେଶଭୂଷାପ୍ରତି ସେ ହୁଅନ୍ତି ଅଯତ୍ନଶୀଳା । କୌଣସିମତେ ଜୀବନ ବଞ୍ଚାଇ ରଖିବାକୁ ମୁଠିଏ ଭୋଜନ ଓ ଲଜ୍ଜା ନିବାରଣ ପାଇଁ ଖଣ୍ଡିଏ ଲୁଗା ହେଲେ ହେଲା । ବିଳାସ କଅଣ ସେ ଜାଣନ୍ତି ନାହିଁ ।

 

ଦିନେ ଦିନେ ସେ ସଜଳ ଚକ୍ଷୁରେ ଭାବନ୍ତି, ତାଙ୍କ ସ୍ୱାମୀଙ୍କ କଥା । ଏତେ ବୟସରେ ଏପରି ସ୍ୱାସ୍ଥ୍ୟ ଘେନି ସେ ବିବାହ କଲେ କାହିଁକି ? ମାଉସୀ ବା ଏପରି ପାତ୍ର ଦେଖି ତାଙ୍କ ହସ୍ତରେ ସମର୍ପଣ କଲେ କାହିଁକି ? ବିବାହିତା ହୋଇ ମଧ୍ୟ ସେ କୁମାରୀ, ହୁଏ ତ ଚିତଦିନ ତାଙ୍କୁ ଏପରି କୁମାରୀ ହୋଇ ରହିବାକୁ ପଡ଼ିବ । ତାହା ହେଲା ଏ ବୃଥା ବନ୍ଧନ ପ୍ରାଣରେ ବାନ୍ଧି ବନ୍ଦୀ ହୋଇ ଓ ଚିରଦିନ ଦାସୀ ହୋଇ ରହିବା କି ଲୋଡା ? ଯେଉଁମାନେ ବାଧ୍ୟକରି ଏପରି ବନ୍ଧନରେ ତାଙ୍କୁ ବାନ୍ଧିଛନ୍ତି, ସେମାନେ ଏପରି କରିଛନ୍ତି କେବଳ ଦେଲା ନାରୀ, ହେଲାପରି କଥାର ସାର୍ଥକତା କରି ନିଜେ ମୁକ୍ତ ହେବେ ବୋଲି ସିନା ! ମାତ୍ର, ଯାହା ନେଇ ଏତେ କଥା, ସେ ଯେ ଅଥଳ ଜଳରେ ପଡ଼ି ଉବେଇଟୁବେଇ ହେଉଛି । ସେ କଥା ଦେଖୁଛି କିଏ ? ଦେଖିବାକୁ ବା ମନ କରୁଛି କିଏ ? ଯେତେ ଯାହା ଭାବିଲେ ସେ କିଛି ସ୍ଥିରକରି ପାରନ୍ତି ନାହିଁ, ମନ ଅଧିକ ଆକୁଳ ହୁଏ ।

 

କୋକିଳ ଦେଈ ଘରକାମ ଶେଷକରି ମଝିଘର ଝରକା ପାଖରେ ବସି ରାସ୍ତା ଉପରକୁ ଅନାଇଛନ୍ତି । ବିସ୍ତାରିତ ଚକ୍ଷୁରେ ସେ ରାସ୍ତା ଉପରେ କଅଣ ଦେଖୁଛନ୍ତି ? ରାସ୍ତା ଉପରେ ବା ଦେଖିବେ କଅଣ ? ସେ ଦେଖୁଛନ୍ତି ନିଜର ଭିତର, ବାହାର ସଙ୍ଗେ ସମ୍ପର୍କ ନାହିଁ । ସନ୍ଧ୍ୟାବାୟୁ ରାଜପଥ ଉପରୁ ଧୂଳି ଉଡ଼ାଇ ଝରକା ବାଟେ ଘର ଭିତରେ ପକାଉଛି, କୋକିଳଙ୍କର ଅନାବୃତ ଇତସ୍ତତଃ କେଶଗୁଚ୍ଛ ସଙ୍ଗେ ଫଗୁଖେଳ ଆରମ୍ଭ କରୁଛି । ଧୂଳିର ଆକ୍ରମଣରୁ ରକ୍ଷା ପାଇବାକୁ ସେ କ୍ଷଣକ ପାଇଁ ଆଖି ବୁଜି ଅବା ଆଖିରେ ହାତଦେଇ ବସୁଛନ୍ତି । ଧୂଳିର ବେଗ କମିଲେ, ମିଞ୍ଜିମିଞ୍ଜି କରି ଶେଷକୁ ଆଖି ଖୋଲି ପୂର୍ବପରି ବାଟକୁ ଚାହୁଁଛନ୍ତି ।

 

ରାସ୍ତା ଉପରେ କେତେ ପ୍ରକାର ଲୋକ ଅନବରତ ଚାଲି ଯାଉଛନ୍ତି, ତାର କଳନା ନାହିଁ-। କଳନା କରିବାକୁ ଚେଷ୍ଟା କରିବ କିଏ, କାହିଁକି ? ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ । ବାଟୋଇଙ୍କ ଚଞ୍ଚଳ ଅବା ଅଳସ ଆଖି ମୁହୂର୍ତ୍ତକ ପାଇଁ ତାଙ୍କ ଉପରେ ପଡ଼ୁଛି । କେହି ଅଳସ ପ୍ରକୃତିର ଲୋକ ରାଜପଥ ଉପରେ କଅଣ ଖୋଜିବାର ବାହାନା କରି ରସାନନ୍ଦଙ୍କ ଗୃହ ସମ୍ମୁଖରେ ଆଗକୁ ପଛକୁ ହୋଇ ଟହଳୁଛନ୍ତି । ସନ୍ଦିହୀନ ହୋଇ ୟାକୁ ତାକୁ, ଅବା କୋକିଳ ଦେଈଙ୍କୁ ଅନାଇ, ମଧୁର ବା କର୍କଶ ସ୍ୱରରେ ପଦେ ଗୀତ ଗାଇ କୋକିଳ ଦେଈଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ପିଞ୍ଜରାବଦ୍ଧ ପକ୍ଷୀଟି ଭଲ କରି ଜାଣେ ମାର୍ଜ୍ଜାର ସହଜରେ ତାହାର କିଛି ଅନିଷ୍ଟ କରି ପାରିବ ନାହିଁ । ନିଜେ ଆକୁଳରେ ମ୍ୟାଉଁ ମ୍ୟାଉଁ ହୋଇ ଲୁହା ପିଞ୍ଜରାର ଚାରିପାଖେ ବୁଲି ପଥ ନ ପାଇ ହତାଶ ହେବ ।

 

ଏହିପରି ଚିନ୍ତାମଗ୍ନ ଥିବା ସମୟରେ ଗୋଟିଏ ମଣିଷଟା ଗାଡ଼ି ଆସି ରାସ୍ତା ଉପରେ ରହିଲା । ଗାଡ଼ିଟି ରହିବା ସଙ୍ଗେ ସଙ୍ଗେ ଜଣେ ପୌଢ଼ ଭଦ୍ରଲୋକ ତହିଁରୁ ଅବତରଣ କଲେ । ତାଙ୍କ ପଛେ ପଛେ ଜଣେ ଯୁବକ । କିଛି ସମୟ ପରେ ଜଣେ ସ୍ତ୍ରୀଲୋକ ଓ ଗୋଟିଏ ବାଳିକା ଗାଡ଼ିରୁ ବାହାରୁ ଆସିଲେ ।

 

କୋକିଳ ଏମାନଙ୍କ ମଧ୍ୟରୁ କାହାକୁ ଚିହ୍ନି ପାରିଲେ ନାହିଁ । ତାଙ୍କୁ ମଧ୍ୟ ଏହା ଗୋଟିଏ ନୂଆକଥା ପରି ଲାଗିଲା । ସେ ଏ ଗୃହରେ ପାଦ ଦେଲାଦିନୁ କେହି କେବେ ଅତିଥି କିମ୍ବା ବନ୍ଧୁ ବାନ୍ଧବ ତାଙ୍କ ଘରକୁ ଆସିଥିବାର ସେ ଦେଖି ନାହାନ୍ତି-ବିଶେଷତଃ ସ୍ତ୍ରୀ ପିଲା ଘେନି । ସେ ଜାଣନ୍ତି, ରସାନନ୍ଦଙ୍କର ଏପରି କେହି ବନ୍ଧୁ ବାନ୍ଧବ ନାହାନ୍ତି । ସେ ଝରକାର କବାଟ ଆଉଜାଇ ଝରକା ଫାଙ୍କରେ ଏମାନଙ୍କର କାର୍ଯ୍ୟଗତି ନିଘା ଦେଲେ ।

 

ଏମାନେ ଅଭୟଚରଣଙ୍କର ପରିବାର । ଅଭୟଚରଣ ଗାଡ଼ିବାଲାକୁ ବିଦା କରିବାକୁ ଅଣ୍ଟାରୁ କାଢ଼ି କେତୋଟି ପଇସା ଦେଲେ । ଗାଡ଼ିବାଲା ତହିଁରେ ଅସନ୍ତୁଷ୍ଟ ହୋଇ ଆପତ୍ତି କଲା । ଘୋର ବାଦାନୁବାଦ ତର୍କ ବିତର୍କ ସର୍ବଶେଷରେ ମଧୁରତମ ସମ୍ୱନ୍ଧର ସୃଷ୍ଟି ଓ ସ୍ନେହ ସମ୍ଭାଷଣର ଆଦାନ ପ୍ରଦାନ ପରେ ଅଭୟଚରଣ ଅଣ୍ଟାରୁ କାଢ଼ି ଆଉ ଗୋଟିଏ ପଇସା ଦେଇ କହିଲେ, ହଉ ନେ, ପାନ ଖାଇବୁ । ଖୁଁ, ଏଠାକା ଲୋକଙ୍କ ଢଙ୍ଗ ଦେଖଲେ, ମଣିଷ କାବା ହୋଇଯାଏ । ଆରେ, ତମର ଯାହା ହକ, ସେଇଆ ନିଅ; ମାଗିକରି ପଛେ ପାନ ଖାଇବାକୁ ପଇସେ ଅଧଲେ ନେବ, ଠକିବାକୁ ବସିଛ କାହିଁକି ଭଲା !

 

ଗାଡ଼ିବାଲା ହସି ହସି କହିଲା, ଆଜ୍ଞା, ହଁ, ଯାହା କହିଲେ ସବୁ ଠିକ୍, ତେବେ ମୁଁ ମନେ କରୁଛି, ଆଜି ତେମେ ନୂଆ ଗାଡ଼ି ଚଢ଼ିଲ ।

 

ଅଭୟଚରଣ ଗାଡ଼ିବାଲାର କଥାରେ କର୍ଣ୍ଣପାତ ନ କରି ରସାନନ୍ଦ ବାବୁଙ୍କ ନାମ ଧରି ଡାକିଲେ । ସାଧୁଚରଣ ମଧ୍ୟ ମଉସା କହି ଅନେକ ଥର ଡାକିଲେ ।

 

କୋକିଳ ସବୁ ଶୁଣି ମଧ୍ୟ କବାଟ ଫିଟାଇବାକୁ ଆସିଲେ ନାହିଁ । ତାଙ୍କର ମନରେ କୌଣସି ପ୍ରକାର ଭୟ ନ ହେଲେ ମଧ୍ୟ ସଙ୍କୋଚ ଆସିଲା । ଅଭେକାଙ୍କ ପରି ଅପରିଚିତମାନଙ୍କୁ କିପରି ନିଜର ଅବସ୍ଥା ଦେଖାଇବେ ? କାଳେ ସେମାନେ ଘୃଣା କରିବେ, କାଳେ ସେମାନେ ତାଙ୍କର ଅବସ୍ଥା ଦେଖି ଉପହାସ କରିବେ ।

 

ସେ ତରତର କରି ଖଣ୍ଡେ ବାସି ଲୁଗା ପାଲଟି ପକାଇଲେ । ବିମର୍ଷ ମୁଖରେ ଧୀରେ ଧୀରେ ଦାଣ୍ଡ କବାଟର କିଳଣି ଖୋଲିଲେ ।

 

ମୋତା ଦେଈ ଗୃହ ଭିତରେ ପ୍ରବେଶ କରିବାରୁ, କୋକିଳ ଲଜ୍ଜାରେ ଉଢ଼ୁଣା ଟାଣି ଆଡ଼ହୋଇ ରହିଲେ । ମୋତା ଦେଈ ଉଚ୍ଚ ସ୍ୱରରେ ହସି ହସି କୋକିଳ ଦେଈଙ୍କୁ ଆଲିଙ୍ଗନ କରି କହିଲେ, ଆଗୋ, ଏ କଅଣ ? ପର ଲୋକଙ୍କ ପାଖେ ସିନା ଆଡ଼ ଉଢ଼ୁଆଳ ସାଜେ ଆପଣା ଲୋକଙ୍କ ପାଖେ ଏ କଥା ସୁନ୍ଦର ଦିଶେ ? ପୁତ୍ର ଆଡ଼କୁ ମୁହଁ ବୁଲାଇ କହିଲେ, ମାଉସୀକି ପ୍ରଣାମ କରି ସାଧୁ, ମା କିଏ ଆଉ ମାଉସୀ କିଏ ?

 

ସାଧୁଚରଣ ନୀରବରେ, ଗମ୍ଭୀର ଭାବରେ ଟିକିଏ ଦୂରେଇ ହୋଇ ପ୍ରଣାମ କରିବାକୁ ବସିବାରୁ, ବାଧା ଦେଇ ମୋତା ଦେଈ କହିଲେ, ଏ କଅଣ ବାପ, ମା ମାଉସୀଙ୍କ ପାଖେ ଲଜ୍ଜା କଅଣ, ସଙ୍କୋଚ କଅଣ ? ଗୋଡ଼ଧରି ପ୍ରଣାମ କର ବାପ, ମାଉସୀର ପଦରେଣୁ ମୁଣ୍ଡରେ ଲାଗିଲେ ଭଗବାନ୍ ସନ୍ତୁଷ୍ଟ ହେବେ । ଷଠୀ ତୋତେ ଦୀର୍ଘାୟୁ କରିବେ । ସାଧୁଚରଣ ମାତୃଆଜ୍ଞା ପାଳନ କରି କୋକିଳ ଦେଈଙ୍କର ପଦ ଦ୍ୱୟ ଧରି ପ୍ରଣାମ କଲେ ।

 

କୋକିଳ ଦେଈ ବାଧା ଦେଲେ ନାହିଁ । ଏହି ଅଭିନୟର ଅର୍ଥ ବୁଝି ପାରିଲେ ନାହିଁ । ମୋତା ଦେଈଙ୍କୁ ନିଜର କେହି ସମ୍ପର୍କୀୟ ବୋଲି ମନେ କରି ଧୀରେ ଧୀରେ କହିଲେ, ଆସ......। ମୋତା ଦେଈଙ୍କର ହାତ ଧରି ମଝି ଘରକୁ ନେଲେ । ଖଣ୍ଡିଏ ପୁରୁଣା ସପ କାନ୍ଥକୁ ଲଗାଇ ତଳେ ପାରି କହିଲେ-ବସ, ଆହୁରି ଖଣ୍ଡିଏ ସପ ନିଜେ ଯାଇ ଦାଣ୍ଡଘରେ ପାରିଦେଇ ଆସିଲେ । ମୋତା ଦେଈ ଏହାର ଅର୍ଥ ବୁଝିପାରି, ସାଧୁଚରଣଙ୍କୁ କହିଲେ, ବାପାଙ୍କୁ ଡାକିଦେ । ସେ ବସନ୍ତୁ । ସମୁଦୁଣୀ ଆମର ଏକୁଟିଆ ଲୋକ, କଅଣ କରିବେ ? ସମୁଦିଙ୍କର ତ କାହିଁ ଦେଖା ନାହିଁ, କୁଆଡ଼େ ଯାଇଛନ୍ତି କି ?

 

କୋକିଳ ଦେଈ ଉତ୍ତର ନ ଦେଇ ପାନ ଭାଙ୍ଗି ବସିଲେ ।

 

ମୋତା ଦେଈଙ୍କ କୋଳକୁ ଆଉଜି ବସିଥିଲା ସର; ଆହା, ସତେ ଯେପରି ଭାରି ନିରୀହ, ସତେ ଯେପରି କିଛି ଜାଣେ ନାହିଁ । ଖଣ୍ଡିଏ ପାନଶିର ଧରି ତଳେ ଅ, ଆ, କେତୋଟି ଆଦ୍ୟବର୍ଣ୍ଣ ଅତି ମନୋଯୋଗପୂର୍ବକ ଲେଖୁଛି ।

 

ମୋତା ଦେଈ ଅତି ସ୍ନେହରେ ତାର ମୁଣ୍ଡରେ ହାତ ବୁଲାଉଛନ୍ତି । ଆଗ୍ରହର ସହିତ କୋକିଳ ଦେଈଙ୍କର ପାନଭଭଙ୍ଗା ଦେଖୁଛନ୍ତି । କିପରି ଅସଲ କଥାଟି ଆରମ୍ଭ କରିବେ, ମନରେ ସେହି ଚିନ୍ତା । ଉପାୟନ୍ତର ନ ଦେଖି ସେ ସ୍ମିତହାସ୍ୟ କରି ଆରମ୍ଭ କଲେ, ସରଟି ମୋର ତମକୁ ଭାରି ଭଲପାଏ ସମୁଦୁଣୀ । ପୁରୀ ଆସିଲା ଦିନୁ ଗଲା ତ ମୋ ସଙ୍ଗେ ଲଗାଇଛି, ମୁଁ ମାଉସୀକ ଦେଖିବ । ମୋଓର ତର ଥାଏ କେଉଁଠି ? ତର ଥିଲେ ବି, ତମ ସମୁଦି ଯେପରି ଲୋକ, ଆହା......... ।

 

କୋକିଳ ପୂର୍ବବତ୍ ପାନ ଭଙ୍ଗାରେ ମନ ନିଯୁକ୍ତ କଲେ । ନିତାନ୍ତ ଆପଣାର ପରି କଥା କହୁଛନ୍ତି ସତ, ଯେତେହେଲେ ତ ଅପରିଚିତ । ଏତେ କଥାର କଅଣ କହି ଉତ୍ତର ଦେବେ ! ସେ ପାନଭଙ୍ଗା କ୍ଷଣକପାଇଁ ବନ୍ଦ କରି ସରର ହାତ ଧରି ନିଜ ଆଡ଼କୁ ଟାଣିଲେ । ସର ଲାଜରା ହୋଇ ବିନା ଆପତ୍ତିରେ ଉଠି ଆସିବାରୁ କୋକିଳ ତାକୁ କୋଳକୁ ଆଉଜାଇ ମସ୍ତକ ଲଗାଇଲେ ।

 

ମୋତା ସସ୍ନେହରେ କହିଲେ, ତେମେ କାହୁଁ ଜାଣିବ ସମୁଦୁଣୀ, ତମର ଆମର ସମ୍ବନ୍ଧ ଦିନକର ନୁହେଁ । ବହୁ ଦିନରୁ, ତମ ଶଶୁର ଓ ଆମ ଶଶୁରଙ୍କ ଅମଳରୁ ଏପରି ଭାବ ପ୍ରୀତ ବରାବର ଲାଗି ଆସିଛି । ଏପରି ବନ୍ଧୁ ସେ ଥିଲେ, ଆହା, ଅଭେଦ୍ୟ ପୀରତି ଗୋ, ଅଭେଦ୍ୟ ପୀରତି, ଯାହା କହନ୍ତି ପରା ପାଣି ଗଳୁ ନ ଥିଲା । ତାଙ୍କ ଅମଳଟା ସେ ବେଶ୍ ସୁଖରେ, ବେଶ ଆନନ୍ଦରେ କଟାଇଦେଲେ । ସେମାନେ ଥିଲେ ସେମିତି । କିଛି ଅଭାବ ନ ଥିଲା । ଆମ ଭଳିକା ତାଙ୍କୁ ପେଟ ଚାଖଣ୍ଡକର ଚିନ୍ତା କରିବାକୁ ପଡୁ ନ ଥିଲା । ସେଇଠୁ ଆସିଲା ଆମ ଅମଳ । ସମୁଦି ଆଉ ୟେ ପିଲାଦିନେ ଏକା ସାଙ୍ଗରେ ପାଠ ପଢ଼ୁଥିଲେ । ଏହିପରି ବରାବର ଲାଗିଯାଏ ।

 

ବର୍ଷ ଦୁଇ ହେବ, ଦୁଇ ସମୁଦିଙ୍କ ଉପରେ ବିପଦ ପଡ଼ିଲା । ନିଜ କଥା ନିଜକୁ ସମ୍ଭାଳିବାକୁ କାଠକର ପାଠ, ଅନ୍ୟ କଥା ଭାବୁଛି କିଏ ? ଆର ସମୁଦୁଣୀ ଥିଲାବେଳେ, ମୁଁ ଯଦି କେବେ ପୁରୀ ଆସେ ତ, ଆମ ଦୁହିଁଙ୍କର ବରାବର ଯା ଆସ ଲାଗିଥାଏ । ପୁରୀରେ ଥିବାଯାକ, କଅଣ କହିବି ସମୁଦୁଣୀ, ଏକା ସେହି ନୀଳାଚଳନାଥ ଜାଣନ୍ତି । ପାଗଳ ପରି ମୁଁ ଛୁଟି ଆସୁଥିଲି, ନୋହିଲେ ସେ ଆମ ବସାକୁ ଯାଉଥିଲେ । ଏକାଠି ଖିଆପିଆ, ଏକାଠି ଜଗନ୍ନାଥ ଦର୍ଶନ, ଆଉ, ଏକାଠି ସମୁଦ୍ର ଗାଧୁଆ । କିଛି ପ୍ରଭେଦ ନଥାଏ ପରା, କହୁଛି । ଠାକୁରେ ତାକୁ ପିଲାଛୁଆରେ ଦୁଃଖୀ କରିଥିଲେ । ହଁ, ସତ କହୁଛି, ମୋ ପିଲାଙ୍କୁ ଗଳାରେ ମାଳ ପରି କରିଥାନ୍ତି; ସତେ ଯେମିତି ଏ ପିଲାଏ ମୋର ନୁହଁନ୍ତି, ତାଙ୍କର ।

 

ସେ ଚାଲିଗଲା ଦିନୁ ମୁଁ ଆଉ ଏଣିକି ଆସେ ନାହିଁ । ଅନେକ ଥର ପୁରୀ ଆସେ, ତାଙ୍କ କଥା ମନେ ପଡ଼ିଲେ ପେଟ ଭିତର କଅଣ ହୋଇଯାଏଟି । ତାଙ୍କର ଅଭାବ ମୁଁ ଅନୁଭବ କରେ । ଦର୍ଶନ କରିବାକୁ ଆସିଥାଏ ବୋଲି ଦର୍ଶନ କରିଯାଏ । ନୋହିଲେ ମନରେ ଗୋଟାଏ ଆଗ୍ରହ କି ସରାଗ ନ ଥାଏ । କେମିତି ପୁରୀ ଛାଡ଼ି ଗାଁକୁ ଯିବି ମୋଓର ଖାଲି ସେହି ଚିନ୍ତା । ଦୁଇ ସମୁଦିଙ୍କର ଦେଖା ସାକ୍ଷାତ୍ ହୁଏ । କେତେ ପ୍ରକାର ଦୁଃଖ ସୁଖ ହୁଅନ୍ତା । ମୋ ମନ କି ସେଥିରେ ଶାନ୍ତ ହୁଏ । ମୁଁ ଝୁରୁଥାଏ ଯାହା ପାଇଁ ତା ପାଇଁ । ସାଧୁ ସିନା ମୋର ହୁସିଆର ପିଲା ଯେ ସେ ବୁଝିପାରେ, ସର ତ ନିହାତି ପିଲାଲୋକ, ସେ ତା ମାଉସୀର ସ୍ନେହ ଭୁଲି ପାରୁଛି କେଉଁଠି ? ସବୁବେଳେ ପିଆଦା ପରି ମୋ ପଛେ ପଛେ ଲାଗିଥାଏ, ଏପରି କି, ମାଉସୀ ପାଖକୁ ଆସିବ ବୋଲି ଖୁଣ୍ଟ କରି ବସେ ।

 

ଏବେ ତ ହେଲା । ମୋ ମନକଥା ପୂର୍ଣ୍ଣ ହେଲା । ଯେଉଁ ସମୁଦୁଣୀକୁ ସେହି ସମୁଦୁଣୀ ଫେରି ପାଇଲି । ସାଧୁସର ତାଙ୍କର ମାଉସୀ ପାଇଲେ । ଏଥରକ ପୁରୀ ଆସିବା ମୋର ସାର୍ଥକ ହୋଇଛି । ମନ ମୋର ଭାରି ଖୁସି ।

 

କୋକିଳ ନୀରବରେ ସବୁ ଶୁଣି ଗୋଟିଏ ଦୀର୍ଘଶ୍ୱାସ ପକାଇଲେ । କେତେଖଣ୍ଡି ପାନଖିଲ ମୋଡ଼ିଲେ । ଗୋଟିଏ ସିଗାରେଟ ଟିଣର ଉପର ଖୋଳରେ ପାନ କେତେଖଣ୍ଡି ରଖି, ପାଖରେ ଅଳ୍ପ ଗୁଣ୍ଡି ଦେଲେ । ଅଳେଇଚ, ଗୁଜୁରାତି ଓ ଲବଙ୍ଗ କେତୋଟି ପାନ ପାଖରେ ରଖି, ସର ଆଡ଼କୁ ହସ ହସ ମୁହଁରେ ଅନାଇ କହିଲେ, ଦେଈ, ବାପାଙ୍କୁ ପାନ ଦେଇ ଆସ ଯା ।

 

ମାଉସୀ ଯେ ହସି ତାକୁ କଥା କହିଛନ୍ତି, ଏତିକିରେ ସର ଆନନ୍ଦିତ ହେଲା, ମାତ୍ର ତାକୁ ଯେ ବାପାଙ୍କ ନିକଟକୁ ପାନନେଇ ଯିବାକୁ ହେବ, ଏହି କଥା ଶୁଣି ମୁହଁ ଶୁଖିଗଲା । ମୋତା ଦେଈ ସରର ମନକଥା ବୁଝିପାରି ତାର ମସ୍ତକରେ ପୂର୍ବବତ୍ ହସ୍ତ ସଞ୍ଚାଳନ କରି କହିଲେ, ନା, ସେ ତା ମାଉସୀକି ଛାଡ଼ି ଯିବ ନାହିଁ, ମୁଁ ସାଧୁକୁ ଡାକିଦିଏଁ । ଡାକିଲେ-ସାଧୁ-

 

ସାଧୁ ଆସିବା ପୂର୍ବରୁ କୋକିଳ ଆଉ କେତେଖଣ୍ଡି ଖିଲ ମୋଡ଼ି ମୋତା ଦେଈଙ୍କୁ ଦେଲେ । ଖଣ୍ଡେ ନିଜ ହାତରେ ସର ପାଟିରେ ଗୁଞ୍ଜିଦେଇ ସ୍ନେହରେ ତାର ଗାଲ ଟିପିଦେଲେ । ସର ହସି ହସି ଲଜ୍ଜାରେ ମାତୃକ୍ରୋଡ଼ରେ ମୁହଁ ଲୁଚାଇଲା ।

 

ମାଆଙ୍କର ଡାକ ଶୁଣି ସାଧୁଚରଣ ଆସି ଉପସ୍ଥିତ ହେଲେ । ଆସିବାକୁ ମନରେ ଯେ ସଙ୍କୋଚ ପ୍ରବେଶ କରି ନ ଥିଲା ଏହା ନୁହେଁ, ମାତା ସମ୍ମୁଖରେ ସଙ୍କୋଚ କଲେ, କାଳେ ସେ କଅଣ ଭାବିବେ ତେଣୁ ସେ ନିଃସଙ୍କୋଚରେ ଓ ଗମ୍ଭୀମୁଖରେ ଠିଆ ହେଲାରୁ କୋକିଳ ଉଢ଼ୁଣା ଟାଣି ଟିକିଏ ଆଡ଼ ହେବାକୁ ଚେଷ୍ଟା କଲେ ।

 

ମୋତା ଦେଈ ହସି ହସି କହିଲେ, ଏ କଅଣ ସମୁଦୁଣୀ, ପୁଅ କିଏ ପୁତୁରା କିଏ ? ପୁଅକୁ କି ମା ଆଡ଼ ହୁଏ ? ସାଧୁ କଅଣ ଏକା ମୋ ପୁଅ, ସେ କଅଣ ତମ ପୁଅ ନୁହେଁ ? ଛିଃ, ଏ ଗୋଟାଏ କଅଣ ? ଦିଅ, ତାକୁ ପାନ ଦିଅ-

 

କୋକିଳ ପାନଥାଳିଆଟି ଟେକି ସାଧୁଚରଣଙ୍କ ଆଡ଼କୁ ବଢ଼ାଇ ଦେଲେ କିନ୍ତୁ ତାଙ୍କ ମୁହଁକୁ ଅନାଇଁବାକୁ ଲାଜ ମାଡ଼ିଲା । ସାଧୁଚରଣ ମାଉସୀଙ୍କ ହାତରୁ ପାନଟିଣଟି ନେଇ, ପଚାରିଲା ଆଖିରେ ମାଆଙ୍କୁ ଚାହିଁବାରୁ ସେ କହିଲେ, ତୋ ମାଉସୀ ତାଙ୍କ ସମୁଦିଙ୍କ ପାଖକୁ ପାନଭାଙ୍ଗି ପଠାଉଛନ୍ତି । ନେଇଯା.......

 

ମୋତା ଦଈ ଏହିପରି ଅନେକ କଥା କହି ବାକ୍ୟ ପ୍ରଭାବରେ କୋକିଳ ଦେଈଙ୍କର ମନକୁ କିଣିନେଲେ । କୋକିଳ ମଧ୍ୟ ଅଧିକ ସଂଙ୍କୋଚ କରି ବସି ରହିଲେ ନାହିଁ । ପରସ୍ପର ମଧ୍ୟରେ କଥୋପକଥନ ଚାଲିଲା । ଦୁଃଖ, ସୁଖ, ରସାନନ୍ଦ ବାବୁଙ୍କ ସ୍ୱାସ୍ଥ୍ୟ ଓ ଔଷଧର ବ୍ୟବସ୍ଥା ଇତ୍ୟାଦି ବିଷୟ ପଡ଼ିଗଲା । ଶେଷରେ ମୋତା ଦେଈ ସାଧୁଚରଣଙ୍କର ପଢ଼ାପଢ଼ି ସମ୍ୱନ୍ଧ ନେଇ କହିଲେ, ସମୁଦୁଣୀ, ସାଧୁଆନେଇ ମୁଁ ବ୍ୟସ୍ତରେ ପଡ଼ିଛି । ପିଲାଲୋକ, ବିଦେଶରେ ଏକୁଟିଆ ରହିଥିବାରୁ ମୋ ମନ ସବୁବେଳେ ଦକ୍ ଦକ୍ । ତାଆରି ବି ଖାଇବା ବିନା କଣ୍ଟା ଦୋହଲିଲାଣି । ଖର୍ଚ୍ଚର ସୀମା ନାହିଁ । ହେଲେ କଅଣ ହେଲା, ମନ ଜାଣି ସୁସ୍ଥରେ ମୁଠିଏ ବେଳ ଉଣ୍ଡି ଖାଇବାକୁ ଦେବାକୁ ନିଆଁଲଗା ରୋଷେଇଆ ଟୋକାଟା ପାରୁନାହିଁ । ତା ବାପା ସମୁଦିଙ୍କ ଆଗରେ କହୁଥିଲେ, କେହି ମୁରବି ନ ଥିବାରୁ ପିଲାଟା ବଜାରୀ ଟୋକାଙ୍କ ସାଙ୍ଗେ ମିଶି ଦିନରାତି ବୁଲୁଛି । ପଢ଼ାପଢ଼ିର ନାଁ ଧରୁ ନାହିଁ । ଏଥିକୁ ମୁଁ କଅଣ କରିବି କହିଲ ?

 

କୋକିଳ ନିରୁତ୍ତର ରହିଲେ ।

 

ମୋତା ଦେଈ ଥଙ୍ଗେଇ ଥଙ୍ଗେଇ କହିଲେ, ମୁଁ ଗୋଟିଏ କଥା ମନରେ ପାଞ୍ଚିଛି ସମୁଦୁଣୀ, ତମ ମନକୁ ଆସିଲେ ତ ହୁଏ !

 

କଣ କୁହନା ?

 

ମୋ କହିବାର କଥା ଏହି ଯେ, ତେମେ ତ ହେଲ ନିର୍ଜଞ୍ଜାଳୀ ମଣିଷ; ପିଲାଛୁଆଙ୍କ ନେଞ୍ଜେରା ନାହିଁ; ଆଉ କୌଣସି କାମ ନାହିଁ, ମାମୁଁ ମାଇଁ ଦୁଇ ପ୍ରାଣୀ । ସାଧୁକୁ ଯଦି ତମ ପାଖରେ ଛାଡ଼ି ଦେଇଯାଏଁ, ମୁଁ ଭାବୁଛି ସମସ୍ତଙ୍କର ଭଲ ହେବ । ସବୁବେଳେ ମଉସା ମାଉସୀଙ୍କ ଆଖି ଆଗରେ ରହିଲେ ତାଆରି ଟିକିଏ ଭୟ ହେବ । ପଢ଼ାପଢ଼ି ଭଲ କରିବ। ଆଉ ଏତେ ବଡ଼ ପିଲାଟା ଯେତେବେଳେ, ଅବଶ୍ୟ ତମ ମନରେ ବି ଦମ୍ଭ ଆସିବ । ସାହାଯ୍ୟ ହେବ । ଇଏ ଏ ବିଷୟ ସମୁଦିଙ୍କୁ କହିଥିଲେ । ସମୁଦି କହିଲେ, ତାଙ୍କର କିଛି ଆପତ୍ତି ନାହିଁ । ମୁଁ ତମ ସମୁଦିଙ୍କୁ ସାଙ୍ଗରେ ଘେନି ନିଜେ ଆସିଚି, ତମୁକୁ ପଚାରିବାକୁ ।

 

କୋକିଳ ଦେଈ ଗୁମ୍‌ମାରି କିଛି ସମୟ ବସିଗଲେ । ଗୃହର ଅଧିକାରୀ ଯେ, ଗୃହର କର୍ତ୍ତା ଯେ, ସେ ଯଦି ଅନୁମତି ଦେଇଛନ୍ତି ୟାଙ୍କର ବା ଆପତ୍ତି କଅଣ ? ନିଜପାଇଁ ଗଣ୍ଡାଏ ଫୁଟାଉଛନ୍ତି, ନହେଲେ ସେଇଥିରେ ଆହୁରି ଗଣ୍ଡିଏ ଚାଉଳ ପକାଇବେ । ଦୁଇଖଣ୍ଡ ଥାଳି ଧୋଇବାକୁ ପଡ଼ୁଛି, ନ ହେଲେ ଆହୁରି ଖଣ୍ଡିଏ ଥାଳି ଧୋଇବାକୁ ପଡ଼ିବ, ଏଇତ କଥା ! ବରଂ, କାମ ପାଇଟି ବଢ଼ିଲେ ସେ ଦୁଃଖର ଚିନ୍ତାରୁ ମୁକ୍ତି ଲାଭ କରିବେ । ପୁଣି ମନେହେଲା, ଆଳିଆ ନେଖାରେ ବାଳିଆ ବନ୍ଧୁ ତ ! ତା ହେଲେ ପରପାଇଁ ନିଜେ କଷ୍ଟ ସ୍ୱୀକାର କରିବେ କାହିଁକି ? ମାତ୍ର, ପର ତ ସମସ୍ତେ ଆପଣାର ହୋଇ ଅଛି କିଏ ? ଯାହାକୁ ଆପଣାର କରିବ ସେହି ଆପଣାର ।

 

କୋକିଳ ଦେଈ ଆଡ଼ନେତ୍ରରେ ସାଧୁଚରଣଙ୍କୁ କ୍ଷଣକାଳ ଅନାଇଁଲେ । ଶାନ୍ତ ଶିଷ୍ଟ ଯୁବକ । ପାଖରେ ଥିଲେ ବିଲେଇଛୁଆ ବି ସାହା ହୁଏ । ଏ ତ ମରଦ ପୁଅ ! ସେ ଦୀର୍ଘଶ୍ୱାସ ଛାଡ଼ି କହିଲେ, ମୋର ଏଥିରେ ଆପତ୍ତି କାହିଁକି ହେବ? ଭୟ ହେଉଛି, କାଳେ କିଛି ଅସୁବିଧା ହୁଏ । ବଡ଼ଘର ପିଲା ଅଳିଅଳ ହୋଇ ବଢ଼ିଆସିଛନ୍ତି । ୟାଙ୍କର ତ ସବୁବେଳେ ଅଭାବ । ଗରିବ ଘର କଥା ତ ।

 

ମୋତା ଦେଈ କଥାର ଅର୍ଥ ଭିନ୍ନ ପ୍ରକାର ଗ୍ରହଣ କରି କହିଲେ, ୟା ନେଇ କିଛି ଅଭାବ ରହିବ ନାହିଁ ସମୁଦୁଣୀ। ଫଳେ ପୁଷ୍ପ ଯାହା ମିଳିବ ଅବଶ୍ୟ ମୁଁ ପଠାଉଥିବି । ପୁରୀରେ ପାଠ ପଢ଼ିଲାଦିନୁ ତାଙ୍କ ଅଲିଅଳପଣିଆ ସବୁ ସରିଛି । ତୋରାଣି ମନ୍ଦିଏ ହେଉ ପଛେ ମା ମାଉସୀଙ୍କ ହାତ ପରଶା ଖାଇଲେ ପିଲାଙ୍କ ମନରେ ଶାନ୍ତି । ଏହିପରି ଅନେକ ଆଳାପ ପରେ ମୋତା ଦେଈ ସାଧୁଚରଣଙ୍କୁ କୋକିଳ ଦେଈଙ୍କି ସମର୍ପିଦେଲେ । ରସାନନ୍ଦ ବାବୁଙ୍କୁ ଅପେକ୍ଷା କରି ରହିଲେ, ସେ ଆସିଲେ ନାହିଁ ।

 

 

 

କାଲିଠାରୁ ସାଧୁ ଏ ବସାରେ ରହିବ, ଏହି ବିଷୟ ସ୍ଥିର କରି ପରସ୍ପରଠାରୁ ବିଦାୟ ନେଲେ ।

 

***

 

 

ଦୁଇମାସ ଅତୀତ ହେଲାଣି । ଆଜି ମଧ୍ୟ ରବି ପୂର୍ବଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେଉଛନ୍ତି । ବଙ୍ଗୋପସାଗର ନାଚି ନାଚି ପୁରୀର ବେଳାଭୂମିରେ ଅବଶ ପାନ୍ଥପରି ମସ୍ତକ ନୁଆଉଁଛି । ସମୁଦ୍ରକୂଳର ବାଲିପଡ଼ିଆ ଉପରେ ସଗର୍ବରେ ଠିଆ ହୋଇଥିବା ଅଟ୍ଟାଳିକାମାନଙ୍କ ଉପରେ ଦୂରଦେଶାଗତ ଦର୍ଶକମାନେ ଦଣ୍ଡାୟମାନ ହୋଇ ସାଗରର ଅତୁଳନୀୟ ଶୋଭା ଦେଖୁଛନ୍ତି । ନିମ୍ନରେ ଦରିଦ୍ର, ଧର୍ମପ୍ରାଣ ବିଦେଶୀ ଯାତ୍ରୀ ଓ କେତେଜଣ ଭଦ୍ରଲୋକ କାହିଁ କେଉଁ ଅଟ୍ଟାଳିକା ଉପରେ ଅଥବା ବାଲିଗଦାର ଉହାଡ଼ରେ ନବୀନ ନବୀନା ବାୟୁ ସେବନ କରୁ କରୁ ଆନନ୍ଦରେ ଉନ୍ମତ୍ତ ହୋଇ ହାସ୍ୟ ପରିହାସରେ ବାହ୍ୟଜ୍ଞାନ-ଶୂନ୍ୟ ହୋଇ ପଡ଼ୁଛନ୍ତି । କେତେଜଣ ସୌନ୍ଦର୍ଯ୍ୟ ପିପାସୁ ରୁମାଲରେ ମୁହଁ ପୋଛୁ ପୋଛୁ ସମୁଦ୍ର କୂଳରେ ଟହଲି ଟହଲି କିଛି ନ ଜାଣିଲା ପରି ସତର୍କ ହୋଇ ଏମାନଙ୍କର ଆନନ୍ଦ ଦେଖି ନିଜେ ଆନନ୍ଦିତ ହେଉଛନ୍ତି । କେତେଜଣ ନୋଳିଆ ଜାଲ ଟାଣି ମାଛ ଧରୁଛନ୍ତି । ଆଉ କେତେଜଣ ଡୋଲି ଚଢ଼ି ଢେଉ ଉପରେ ଢେଉ ଅତିକ୍ରମ କରି ପଡ଼ିଉଠି ସମୁଦ୍ର ଭିତରକୁ ଚାଲିଛନ୍ତି ।

 

ଜଗନ୍ନାଥ ସାଇକେଲକୁ ଆଉଜି ଠିଆହୋଇ ଏହି ସମସ୍ତ ଦୃଶ୍ୟ ପ୍ରଫୁଲ୍ଲ ପ୍ରାଣରେ ଦେଖୁଛି । ମଝିରେ ମଝିରେ ମୁଣ୍ଡହଲାଇ ସିଟିମାରି ଫୁଟିକି ଫୁଟାଉଛି । କେତେବେଳେ ବା ଗୁଣଗୁଣ ହୋଇ ଧୀରେ ଧୀରେ ଗୋଟିଏ ସଙ୍ଗୀତରୁ ପଦେଅଧେ ବୋଲି ସନ୍ଦିଗ୍ଧ ଚକ୍ଷୁରେ ଚାରି ଆଡ଼କୁ ଚାହୁଁଛି । ଗୋଧୂଳିର ବିଚିତ୍ର ଶୋଭାରେ ସେ ଏକାଥରେ ତନ୍ମୟ । ଚାରିଆଡ଼କୁ ଅନିଦ୍ଧିଷ୍ଟ ଚକ୍ଷୁରେ ଚାହୁଁ ଚାହୁଁ ସହସା ତାର ଦୃଷ୍ଟି ପଡ଼ିଲା ସାଧୁଚରଣ ଉପରେ । ସାଧୁଚରଣ ସମୁଦ୍ରକୂଳରେ ଠିଆହୋଇଛନ୍ତି । ନିକଟରେ ଜଣେ ଷୋଡ଼ଶୀ ରମଣୀ ନଇଁପଡ଼ି କଅଣ କରୁଛନ୍ତି । କୌତୁହଳୀ ହୋଇ ଜଗନ୍ନାଥ ପାଖକୁ ଘୁଞ୍ଚିଯାଇ ଡାକିଲା, କିବେ ସାଧୁଆ-

 

ସାଧୁଚରଣ ଶୁଣି ନ ଶୁଣିଲା ପରି ମାଣ୍ଟେଇ ଦେଲେ । କିନ୍ତୁ ଜଗନ୍ନାଥ ଯେ ନଛୋଡ଼ବନ୍ଧା । ସେ ଆହୁରି ଜୋର୍‌ରେ ଡାକିଲା, ସାଧୁ ବାବୁ, ହୋ କାଲୁବାବୁ, ହଇ ହେ ମୋରାଲିଷ୍ଟ୍‌ବାବୁ........ ।

 

ଏଥର ସାଧୁଚରଣ ନ ଶୁଣି ରହି ପାରିଲେ ନାହିଁ । ସେ ବିସ୍ମିତ ହେଲାପରି ଏଣେତେଣେ ଅନାଇ ଶେଷରେ ଅତି ଗମ୍ଭୀର ଭାବରେ ଜଗନ୍ନାଥକୁ ଚାହିଁଲେ । ଜଗନ୍ନାଥ ହସ ହସ ହୋଇ ହାତଠାରି ପାଖକୁ ଡାକିଲା । ସାଧୁଚରଣ ଅଗତ୍ୟା ଅନିଚ୍ଛାସତ୍ତ୍ୱେ ଧୀରେ ଧୀରେ ପାଖକୁ ଆସିଲେ । ଶୁଖିଲା ହସ ହସି କହିଲେ, କଅଣ କିହୋ, ବଟରଫ୍ଲାଇ ବାବୁ? ଜଗନ୍ନାଥଙ୍କର ନିଶ ହଳକ ଆଧୁନିକ ଭଦ୍ରତାର ରୁଚି-ଅନୁଯାୟୀ ।

 

ଜଗନ୍ନାଥ ଉଚ୍ଚହାସ୍ୟ କରି କହିଲା, ଅର୍ଥାତ୍ ପ୍ରଜାପତି ବାବୁ ନା କଅଣ ? ହାଃ, ହାଃ, ଯଦି ପ୍ରକୃତରେ ସେଇଆ ହୋଇଥାନ୍ତିରେ, ହ୍ୟାପ ତମଭଳିଆ କେତେ ବେହିପୋ ମୋରଲିଷ୍ଟ୍‌, ମାଇପିମୁହାଁ, ଫୁଲ ଚନ୍ଦନ ଘେନି ମୋ ଦୁଆରେ ଦିନରାତି ଉପାଧିଆ ପଡ଼ିଥାନ୍ତେ ।

 

ସାଧୁଚରଣ ପଛକୁ ଚାହିଁ ମୁହଁ ଶୁଖାଇ କହିଲେ, ତୋର ଏହି ବଜାରିଗିରି, ଅସଭ୍ୟଟିର ଆଉ ଯିବ ନାହିଁ ନା ? ମୋର କାମ ଅଛି, ମୁଁ ଯାଉଛି ଭାଇ, ପ୍ରଣାମ !

 

ଜଗନ୍ନାଥ କହିଲା, ଖାଲି କାମ ତ ନାହିଁରେ ଧନ, ଏକାଥରେ ସବୁ । ଯଥା କାମ, କ୍ରୋଧ, ଲୋଭ, ମୋହ..... । ତୁ ବଚ୍ଚା ବିଗିଡ଼ିଗଲୁ ରେ...... । ଆହା ! ବଡ଼ ଦୁଃଖ ହେଉଛି ମୋର ମନରେ । ବେଲେରେ ! ମୁଣ୍ଡରେ ଟେରି, ପକେଟ୍‌ରେ ଫୁଲମାଳ, ରୁମାଲରେ ଗୋଲାପ ଅତର, ଲ୍ଲେ....... ।

 

ତୁ ଟା ନରକକୁ ଯାଉଛୁ ଜଗା, ତୋର ବ୍ୟବହାର ଯେପରି ଦିନୁଦିନ ତଳକୁ ଯାଉଛି.......-

 

ଆଉ, ତୁ ଯାଉଛୁ ସ୍ୱର୍ଗକୁ, ମୁଁ ଏକଥା ଶହେ ଏକଥର ମାନି ନେଉଛି । ବନ୍ଧୁ ବୋଲି ଦୟାକରି ମଝିରେ ମଝିରେ ଏମିତି ଟିକିଏ ଚେତେଇ ଦେଉଥିଲେ, ଆମେ ବି ଦିନେ ତମ ପିଛା ଧରି ସ୍ୱର୍ଗକୁ ଚାଲିବା । ଆଚ୍ଛା ଭାଇ, ଆଜିକାଲି ଟିକିଏ ଶ୍ରୀମୁଖର ଦର୍ଶନ ମିଳୁନାହିଁ । ସ୍କୁଲ ଯିବା ତ ଏକାଥରେ ବନ୍ଦ କରିଦେଲ ଦେଖୁଛି । ଦିନେ ଗଲେ ଚାରିଦିନ ବନ୍ଦ ! ଏହାର କାରଣ ?

 

ସାଧୁଚରଣ ପଛକୁ ଅନାଇଁ ଉଦ୍‌ବିଗ୍ନତାର ସହିତ କହିଲେ, ଦେହଟା ଭଲ ନାହିଁ ଭାଇ, କିପରି ଟିକିଏ ବିଗିଡ଼ି ଯାଇଛି । ପଢ଼ାପଢ଼ିରେ ମନ ଲାଗୁନାହିଁ ଜମା ।

 

ଦେହ ତ ବେଶ୍‌ଗୋଲଗୋଲ ଅଛି, ମନ ବିଗିଡ଼ି ଯାଇଛି କହ । ପ୍ରଜାପତିଙ୍କ ଆଡୁ ଓ୍ୱାରେଣ୍ଟି ଆସିଛି କିରେ ? ସେ କିଏ କିରେ ? ଏତେ ଯେ ଚାହୁଁଛୁ ତାଙ୍କୁ ?

 

ଲଜ୍ଜିତ ହେଲାପରି ସାଧୁଚରଣ କହିଲେ, ସେ ହେଉଛନ୍ତି, କହିବାକୁ ଗଲେ ଏକରକମ ମାଉସୀ ସମ୍ପର୍କ ।

 

ହସି ହସି ଜଗନ୍ନାଥ ଚକ୍ଷୁଡୋଳା କପାଳକୁ ଟେକି କହିଲା, ଓଃ, କହିବାକୁ ଗଲେ ସିନା, ନ କହିବାକୁ ଗଲେ, ଭଉଣୀ, ମାଉସୀ, ଆଉ କିଛି, ଆଉ କିଛି...... ସଲାମ୍‌ ଭାଇ, ମୁହଁରେ ମୋର ୧୪୪ । ତୋ ରାଣ । ଜଗନ୍ନାଥ ବୁଲିପଡ଼ି ବାଲିରେ ସାଇକେଲଟା ଗଡ଼ାଇ ସେଠାରୁ ଚାଲିଗଲା ।

 

ସାଧୁଚରଣ ରାଗିଯାଇ କୋପକଷାୟିତ ଚକ୍ଷୁରେ ଥରେ ଜଗନ୍ନାଥକୁ ଚାହିଁଲେ । ନାକ ଫଣଫଣ କରି କୋକିଳ ଦେଇଙ୍କ ନିକଟକୁ ଫେରି ଆସୁ ଆସୁ ମନକୁ ମନ କହିଲେ-ଲୋକଙ୍କ କଥା, ସଜ ମାଛରେ ପୋକ ପକାଇ ପାରନ୍ତି ପରା ।

 

ସଞ୍ଜ ହେଲା । ଦଳଦଳହୋଇ ଲୋକ ସ୍ୱର୍ଗଦ୍ୱାର ବାଟେ ସହର ଭିତରକୁ ଚାଲିଲେ । ସାଧୁଚରଣ ସେହି ଲୋକମାନଙ୍କ ଭିତରେ ପଶି ଜନତା ସ୍ରୋତ ସଙ୍ଗେ ଚାଲିଲେ ଜଗନ୍ନାଥ ମନ୍ଦିର ଅଭିମୁଖରେ । କୋକିଳ ତାଙ୍କ ପଛେ ପଛେ ଚାଲିଛନ୍ତି । ଯେତେହେଲେ ସ୍ତ୍ରୀ ଲୋକ । ସାଧୁଚରଣଙ୍କ ସଙ୍ଗେ ଚାଲି ନ ପାରି ପଛରେ ପଡ଼ି ଯାଉଛନ୍ତି । ସାଧୁଚରଣ କିଛି ଦୂର ଆଗକୁ ଚାଲିଯାଇ କୋକିଳ ଦେଈଙ୍କୁ ଅପେକ୍ଷା କଲେ କରି ରହୁଛନ୍ତି । କୋକିଳ ପାଖକୁ ଲାଗିଆସିଲେ ପୁଣି ଦ୍ରୁତବେଗର ଖଣ୍ଡେ ଦୂର ଚାଲି ଯାଉଛନ୍ତି। ଚାଲି ଚାଲି କୋକିଳ ଥକ୍‌କିଗଲେ । ସାଧୁଚରଣଙ୍କ ଲକ୍ଷ୍ୟ କରି କହିଲା, ଓଃ, ତମେ ଯଦି ଏତେ ଜୋର୍‌ରେ ଚାଲିବ , ମୁଁ ଆଉ ଚାଳଇପାରିବି ନାହିଁ । କାହିଁକି ? ଘରେ ଆଉ କି କାମଟା ବଳେଇ ପଡ଼ିଛି କି ଏଡ଼େ ତରତର ? କୋକିଳ ଦେଈ ମୃଦୁ ହାସ୍ୟ କଲେ ।

 

ସାଧୁଚରଣ ଗତିର ବେଗ କମାଇ ଲଜ୍ଜିତ ହେଲା ପରି କହିଲେ, ସଞ୍ଜ ଯେ ହେଲାଣି-

 

ହେଉ ନା । ପୁରୀ ସହରତ, ଜଙ୍ଗଲ ନୁହେଁ ଯେ ବାଘ ଭାଲୁର ଡର ହେବ ।

 

ଟିକିଏ ନିମ୍ନସ୍ୱରରେ ସାଧୁଚରଣ କହିଲେ, ଜଙ୍ଗଲଠୁଁ ବଳେ ମାଉସୀ ! ପୁରୀ ସହରରେ ଯେଉଁ ଲୋକ, ସେମାନେ ବାଘ ଭାଲୁଙ୍କଠୁ ବଳନ୍ତି ।

 

କାମୁଡ଼ି ଗୋଡ଼ାନ୍ତି ।

 

ପୁଳାଏ କାମୁଡ଼ି ଦେଲେ ସେ କାମୁଡ଼ା ରହେ କେତେଦିନ, ଆଉ ସେ କଷ୍ଟ ବେ ରହ କେତେ କ୍ଷଣ ? ଏଠାକାର ଲୋକେ କଥାରେ କଥାରେ ଯେଉଁ କାମୁଡ଼ା ଦିଅନ୍ତି ସେଥିରେ ପରିତ୍ରାଣ ପାଇବା ସହଜ କଥା ନୁହେ । ସେ ଘା ଦିନ ରାତି ସବୁ ବେଳେ ପୋଡ଼ୁଥାଏ ।

 

କୋକିଳ ଦେଈ କିଛି ନ ବୁଝିପାରିଲା ପରି ମୁହଁ ମୋଡ଼ି କହିଲେ, ତମେ ଯେଉଁ କଥାଗୁଡ଼ାକ କହ ସେଥିରୁ ପଦେ ବୁଝିବାକୁ ମୋର ସାଧ୍ୟ ନହିଁ । ଉଚ୍ଚହାସ୍ୟ କରି ସାଧୁଚରଣର ହାତ ଧରି କହିଲେ, ହୁଁ, ଭାବିଛ କି କଥାରେ ମତେ ଭୁଲେଇ ଡର ଦେଖାଇ ଘରକୁ ଫେରାଇ ନବ-? ସେ ଭୁଲାଭୁଲି ଆଜି ପଟିବ ନାହିଁ । ଆଜି ଜଗନ୍ନାଥ ମନ୍ଦିର ଯିବାକୁ ପଡ଼ିବ । ସବୁଦିନ ଠକି ଠକି ଆଜି ଧରା ପଡ଼ିଛ ।

 

ମଉସା ସିରସ୍ତାରୁ ଫେରି ପିଣ୍ଡାରେ ଅନାଇ ବସିଥିବେ ।

 

କେବେ ଦେଖିଛ ଏତେ ଜଲଦି ଆସିବା ? ବାଡ଼ି ଠୁକ୍‌ଠୁକ୍‌ କରି ଆସୁଆସୁ ରାତି ଦି ଘଡ଼ିରୁ କମ୍‌ହେବ ନାହିଁ ।

 

ଆଜି ଯଦି ଆଗରୁ ଆସିଥିବେ ତ ।

 

ବିରକ୍ତି ପୂର୍ଣ୍ଣ ସ୍ୱରରେ କୋକିଳ ଦେଈ କହିଲେ, ଆସିଥିଲେ ତ ଆସିଥିବେ ଏଥିକି ମୁଁ କଣ କରିବି ? ସବୁଦିନେ ତ କିଛି ନୁହେଁ, ଅକାଳେସକାଳେ କେବେ ଦିନେ । ଏଥିକି ଯାହା କରିବାର ପଛେ କରିବେ । ମଲାମର, ତଣ୍ଡ ପଡ଼ିଛି କି ? ହାଣ୍ଡିରେ ପୁରାଇ ଫାଣ୍ଡିକି ନେଲେ ନେବେ ପଛେ । ଲୋତକରେ ଚକ୍ଷୁ ଛଳ ଛଳ କରି କହିଲେ, ମଣିଷ ଜନ୍ମ ପାଇ ଆଉ ତ କିଛି ନାହିଁ, ଦିନେ ଟିକିଏ ପୂଣ୍ୟ କରିବ ନାହିଁ ? ଖାଲି କାମ, କାମ,... । କାହିଁକି, ସେ କଅଣ ମୋ ମୁଣ୍ଡ କିଣିଛନ୍ତି କି, ନା ମୁଁ ଆସିଲା ଦିନ ଲେଖି ଦେଇଛି ଖାଲି ଏ ନରକରେ ଘାଣ୍ଟି ହେଉଥିବି ?

 

ସାଧୁଚରଣ କହିଲେ, ସ୍ୱାମୀ ସେବାଠୁଁ ବଳି ସ୍ତ୍ରୀ ର ଅଧିକ ପୂଣ୍ୟ ଧର୍ମ କଅଣ ଅଛି ଶୁଣେ ? ସ୍ୱାମୀ ସେବାରେ ଯେ ଦିନ କାଟେ ଭଗବାନ୍‌ତା ଉପରେ ସନ୍ତୁଷ୍ଟ ହୁଅନ୍ତି ।

 

ବିଦ୍ରୂପର ହାସ୍ୟଚ୍ଛଟାରେ ଅଧର ଚମକାଇ କୋକିଳ ଦେଈ କହିଲେ, ଭାରି ତ, ଓହୋ, ସ୍ୱାମୀ । ହଉ ହଉ ରଖ ତମର ଧର୍ମ କଥା । ସେଗୁରା ଆଉ କାହା ଆଗେ କହିବ । ମନ୍ଦିରକୁ ନେବି କି ନାହିଁ କହିଲ ଭଲା ? କୋକିଳ ରାସ୍ତାର ଗୋଟିଏ ପାଖକୁ ଘୁଞ୍ଚିଯାଇ ଉତ୍ତର ପ୍ରତୀକ୍ଷାରେ ରହିଲେ । ଉପାୟନ୍ତର ନ ଦେଖି ସାଧୁଚରଣ କହିଲେ, ଆଜି ପଶ୍ଚିମା ଯାତ୍ରୀଙ୍କର ଭାରି ଭିଡ଼ ମନ୍ଦିର ଭିତରେ । ଏଇ ଦେଖୁନା, ରାସ୍ତାରେ କେତେ ଲୋକ ।

 

ଲୋକ ଯିବାରୁ ତ ପୁଣି ଭିଡ଼ ହେଲା । ଆମେ କଣ ଲୋକ ନୁହେଁ, ଭିଡ଼ ତ କିଛି ତା ମନୁକୁ ହୁଏ ନାହିଁ । ତମେ ଯାହା ଭାବ ପଛେ ଅସଲ କଥା ହେଉଛି ତେମେ ଭାରି ମନୁଆ ସାଧୁ, ମନ ଯାହା ହେଉଥିବ ତାହାହିଁ କରିବ । ଯେତେ ଫାଟିଫୁଟିଗଲେ ତମର ସେହି ଏକା ରହା, ଏକା ଜିଗର ।

 

କୋକିଳ ସାଧୁଚରଣଙ୍କର ମୁହଁକୁ ଅନାଇଁ ହସିଦେଲେ । ସାଧୁଚରଣ ଗମ୍ଭୀର ଭାବରେ ପୂର୍ବପରି ଚାଲିଲେ । କୋକିଳ ଦେଈଙ୍କର ଅଭିମାନିଆଁ ଛଳକଥା ହାସ୍ୟଭରା କୁଟୀଳ ଚାହାଁଣୀ ଯେ ତାଙ୍କର ସବୁ ତର୍କକୁ ପରାସ୍ତ କଲା ଏଥିରେ ସନ୍ଦେହ ନାହିଁ । ତଥାପି ସେ ନିଜେ ବ୍ୟସ୍ତ ହେଲାପରି ମନକୁ ମନ କହିଲେ, କେତେ ପରିଚିତ ଲୋକେ ଆଜି ମନ୍ଦିରକୁ ଆସିଥିବେ ।

 

ଶରବିଦ୍ଧା ସିଂହୀପରି ଚମକିପଡ଼ି କୋକିଳ ଦେଈ କହିଲେ, ଚାଲ,ଚାଲ, ଘରକୁ ଚାଲ । ମୋର ଜଗନ୍ନାଥ ଦର୍ଶନ ଏତିକି । ମୋତେ ସଙ୍ଗରେ ନେଇ ଜଗନ୍ନାଥ ମନ୍ଦିରକୁ ଗଲେ ତେମେ ନିଜକୁ ଅପମାନିତ ମନେ କରୁଛ । ଆଉ, କିଏ ବା କଣ କହିବ, କାହିଁକି ? କେତେ ଲୋକ ଆସୁଛନ୍ତି, ଯାଉଛନ୍ତି, ଆମୁକୁ ଏବେ ଅନାଇ ବସିଛି କିଏ ? କାହାର ଏତେ ଗରଜ ? କହିଲେ ବା ଲୋକଙ୍କ ଅଲଣା କଥାରେ ଯେ କାନ ଦିଏ ତାଠୁଁ ବଳି ଓଲୁ କିଏ ଅଛି । ଚାଲ, ମନ୍ଦିରକୁ ଯିବା ଦରକାର ନାହିଁ ।

 

ସାଧୁଚରଣ ଆପତ୍ତି ନ କରି କୋକିଳ ଦେଈଙ୍କୁ ସଙ୍ଗରେ ଘେନି ବସାକୁ ଫେରିଲେ ।

***

 

 

ସାଧୁଚରଣଙ୍କ ଉପରେ କୋକିଳ ଦେଈଙ୍କର ଅଯଥା ଅଭିମାନ ଫଳରେ ଏହାହିଁ ହେଲା ଯେ କୋକିଳ କେତେଦିନ ପାଇଁ ସାଧୁଚରଙ୍କୁ ଆଉ କଥା କହିଲେ ନାହିଁ । ଯଦି କେବେ ନିତାନ୍ତ ବାଧ୍ୟ ହୋଇ କହନ୍ତି ଜଣାପଡ଼େ ସେ କଥାରେ ସାରସତା ନାହିଁ । କହିବାକୁ ହେବ ବୋଲି କହନ୍ତି । ସାଧୁଚରଣଙ୍କ ମନରେ ଏଥିପାଇଁ ଅବଶ୍ୟ ଦୁଃଖ ହୁଏ, ମତ୍ର ଦୁଃଖ ଘୁଞ୍ଚାଇବାର ସହଜ ଉପାୟ ଦେଖି ପରନ୍ତି ନାହିଁ । ଉପରେ ପଡ଼ି ମାଉସୀଙ୍କ ପାଇଁ ସେ ନିଜେ ଚାରିପାଇଟି କରିବାକୁ ଚେଷ୍ଟା କରନ୍ତି । ଯେତେ ଗୋଳେଇହେଲେ ମାଉସୀଙ୍କ ମନ ପରିବର୍ତ୍ତିତ ହୁଏ ନାହିଁ ।

 

କୋକିଳ ଯେ ନିଜର ପରିବର୍ତ୍ତିତ ପ୍ରକୃତି ପାଇଁ ମନରେ କିଛି ନ ଭାବନ୍ତି ଏହା ନୁହେଁ । ସେ ଯେତେବେଳେ ନିଜର ବର୍ତ୍ତମାନ ଅବସ୍ଥା ସଙ୍ଗେ ଅତୀତ ଅବସ୍ଥାକୁ ତୁଳନା କରନ୍ତି, ନିଜର ପ୍ରକୃତିର ସନ୍ତୋଷଜନକ ଉତ୍ତର ଦେଇ ପାରନ୍ତି ନାହିଁ । କାଲିକାର ଆଲୁଳାୟିତକେଶା, ଛିନ୍ନମଳିନ-ବସ୍ତ୍ରପରିହିତା କୋକିଳଙ୍କର ଆଜି ଏ ପରିବର୍ତ୍ତନ କାହିଁକି ? ନିଜ ଅଙ୍ଗ ଓରୂପର ଯତ୍ନ ନେବା ଯେ ଦିନେ ବିଡ଼ମ୍ୱନା ବୋଲି ମନେ କରୁଥିଲେ, ଆଜି କାହିଁକି ମନ ଚାହେଁ ଭିନ୍ନ ପ୍ରକାର ।

 

ସାଧୁଚରଣଙ୍କର ଟଙ୍କାର ଅଭାବ ନ ଥାଏ । ବାପା ଯାହା ପଠାଇବାର ପଠାନ୍ତି । ସ୍ନେହମୟୀ ମାତା, କାଳେ ପୁଅ କଷ୍ଟ ପାଇବ ବୋଲି ମଝିରେ ମଝିରେ ଦଶ ତର କାହିଁ ? ଯାହା ହେଉ ପଛେ ରସାନନ୍ଦ ବାବୁଙ୍କ ଔଷଧଖିଆରେ ତ୍ରୁଟି ନ ଥାଏ । କୋକିଳ ପୂର୍ବ ପରି ବେଳ ହେଉ ପାଞ୍ଚ ହେଉ ପଠାଇ ଦିଅନ୍ତି । ସାଧୁଚରଣ ସାମାନ୍ୟ କିଛି ହାତରେ ରଖି ବାକିତକ ମାଉସୀଙ୍କୁ ଦେଇଦିଅନ୍ତି । ଏକଥା ରସାନନ୍ଦ ଜାଣି ମଧ୍ୟ ନ ଜାଣିଲା ପରି ରହନ୍ତି । ନାନାପ୍ରକାର ବ୍ୟାଧି ସଙ୍ଗେ ଅବିରତ ସଂଗ୍ରାମ କରି, ଟିକିଏ ଅବସର ପାଇଲେ ସିରସ୍ତାରେ ବସି କାଗଜ ରାମ୍ପୁ ରାମ୍ପୁ ବେଳ ସରେ । କେଉଁ ପାଣି କେଉଁ ସୁଅରେ ଚାଲିଛି, ସେଥିପ୍ରତି ନଜର ରଖିବାକୁ ଜାଣି ଉପଦେଶ ମତେ ଔଷଧ ଦିଅନ୍ତି । ରୋଗର ଉପଶପମ ହେଉ ନ ହେଉ ମନରେ ଦମ୍ଭ, ପଦେ ଅଧେ କହନ୍ତି । ଔଷଧ ଶେଷ ହେଲେ ସାଧୁଚରଙ୍କୁ କହି, ନୂଆ ଦାମୀ ଔଷଧ କଲିକତାରୁ ମଗାଇ ଖୁଆନ୍ତି ।

 

ରସାନନ୍ଦ ଏଥିନିମନ୍ତେ ଉଭୟ କୋକିଳ ଓ ସାଧୁଚରଣଙ୍କ ଉପରେ ପ୍ରୀତ । କୋକିଳଙ୍କ ଉଦାସଭାବ ଯେ ପରିବର୍ତ୍ତିତ ହୋଇଛି ଏହାର କାରଣ ଯେ ସ୍ନେହର ସାଧୁ, ଏଥିରେ ସନ୍ଦେହ ନାହିଁ-। କେବେ କେବେ ସେ ରସିକତାର ସୀମା ଲଙ୍ଘନ କରି ରୋଗ କ୍ଲିଷ୍ଟ ଜୀର୍ଣ୍ଣ ମୁଖରେ ହସ ଫୁଟାଇ ମି ମିଁ ସ୍ୱରରେ କୋକିଳ ଦେଈଙ୍କୁ କହନ୍ତି ବଡ଼ ଭାଗ୍ୟବତୀ ତୁମେ, ଶୁଖିଲାରେ ବାଳିଆ ପିଟିବା କଥା । ସାଧୁପରି ପୁଅ ପାଇ ତୁମେ ସୁଖୀ ।

 

କୋକିଳଙ୍କର ମୁଖ ମଳିନ ହୁଏ । କଣ କହିବେ ହୋଇ ସେ କିଛି କହି ପାରନ୍ତି ନାହିଁ । ଅନ୍ୟ କାର୍ଯ୍ୟର ବାହାନାରେ ରସାନନ୍ଦଙ୍କ ସମ୍ମୁଖରୁ ଚାଲିଯାଆନ୍ତି ।

 

କେବେ କେବେ ସାହାସ କରି କହନ୍ତି, ହଁ, ଭାଗ୍ୟବତୀ ନୁହେଁ ତ କଣ ! ତମପରି ସ୍ୱାମୀର ହାତ ଧରି, ଭାଗ୍ୟବତୀ ବୋଲି ନିଜକୁ ନ କହି କିଏ ?

 

ବିଦ୍ରୁପର ହସଟିଏ ହସି ନେଇ କୋକିଳ ଦେଈ ଉଢୁଣା ଟାଣନ୍ତି । ତାଙ୍କ କଥାରେ ରସାନନ୍ଦ ନୀରବ ରହନ୍ତି । ମନରେ ତାଙ୍କର କି ଭାବ ଆସେ ଏକା ତାଙ୍କୁ ହିଁ ଜଣା । ଖାଲି ଦୀର୍ଘନିଶ୍ୱାସ ପକାଇ କୋକିଳ ଦେଈଙ୍କର ଅର୍ଦ୍ଧାବୃତ ମୁଖକୁ ଅନାଇ ରହନ୍ତି ।

 

ଅଭିମାନ ବେଶି ଦିନ ରହିପାରିଲା ନାହିଁ । ଅଭିମାନ ସିନା ବାହାରେ ବାହାରେ, କୋକିଳ ଦେଈଙ୍କର ଭିତର ଯେ ଘଘାଣ୍ଟି ଚକଟି ହେଉଥାଏ । ଗାମ୍ଭୀର୍ଯ୍ୟ ଓ ବିଷାଦର ପରଦାରେ ମୁହଁ ଢାଙ୍କି ଭିତରେ ଭିତରେ ପୋଡ଼ିଜଳି ହୋଇ ମରିବେ କେତେ ଦିନ । ମିଛଟାରେ ହେଲେ କୌଣସି କାର୍ଯ୍ୟ ବାହାନାରେ ସାଧୁଚରଣଙ୍କ ପଢାଘରେ ପଶି କଅଣ ଖୋଜିଲା ପରି ଏଥିରେ ସେଥିରେ ହାତ ମାରି ଧୀରେ ଧୀରେ ପାଖକୁ ଯାଇ ଗୋଟିଏ ପ୍ରଶ୍ନ ପଚାରି ଦିଅନ୍ତି ।

 

ସାଧଚରଣ ଦର୍ପଣରେ ମୁହଁ ଦେଖିଲା ପରି ବହି କି ଅନାଇଁ ବସିଥାନ୍ତି । ମାଉସୀଙ୍କର ଅପ୍ରତ୍ୟାଶିତ ପ୍ରଶ୍ନ ଶୁଣି ସେ ଆଉ ଚୁପ୍‌ହୋଇ ବସି ପାରନ୍ତି ନାହିଁ । ଅତି ଆଗ୍ରହର ସହିତ ସେ ସେତେବେଳେ ଅନ୍ୟ ଆଡ଼କୁ ଚାହିଁ କୋକିଳ ଦେଈଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତି ।

 

ମାଉସୀ, ଭାରି ଗରମ ହେଉଛି କହି ବିଞ୍ଚଣା ଧରି ବିଞ୍ଚି ବସନ୍ତି । ଥଣ୍ଡା ପବନ ଦେହରେ ଚାଉଁ ଚାଉଁ ଲାଗି ଲୋମ ଟାଙ୍କୁରାଇ ଦିଏ । ସାଧୁଚରଣ ତାଙ୍କର ଆଗ୍ରହ ଭାଙ୍ଗି ପାରନ୍ତି ନାହିଁ । କବେ କେବେ ମୁଣ୍ଡରେ ଖଣ୍ଡେ କୁଟା ପଡ଼ିଛି ବୋଲି କି ପିଠିରେ ଟିକିଏ ଧୂଳି ଲଗିଛି ବୋଲି କୋକିଳ ଦେଈ ଅତ୍ୟଧିକ ସ୍ନେହରେ ଚାରି ଆଙ୍ଗୁଠିରେ ସାଉଁଳି ଦିଅନ୍ତି, ଅବା ପିଠି ଆଉଁସି ଦିଅନ୍ତି । ଧନ୍ୟ ତାଙ୍କର ସ୍ନେହ ! ଏହିପରି ଘଣ୍ଟାଟାଏ ଗଳ୍ପ ଚାଲେ । ଚୁଲୀ ଉପରେ ତେଣେ ଡାଲିହାଣ୍ଡିରୁ ପାଣି ମରି ପୋଡ଼ା ଗନ୍ଧ ନାକରେ ବାଜିଲେ କୋକିଳ ବ୍ୟସ୍ତ ହୋଇ କହନ୍ତି, ପଢ଼ ପଢ଼, ମୁଁ ଆସୁଛି ।

 

କୋକିଳ ଚାଲିଗଲା ପରେ ସାଧୁଚରଣ ବହିତକ ଆଡ଼େଇ ଦେଇ ଗୋଡ଼ ଦୋଟି ଟେବୁଲ ଉପରେ ଥୋଇ, ଚଉକିକୁ ଆଉଜି ଶୋଇ ପଡ଼ନ୍ତି । ପ୍ରକୃତରେ ଶୋଇଥାନ୍ତି କି ଆଖିବୁଜି ଆକାଶ ପାତାଳ କେତେ କଅଣ ଭାବୁଥାନ୍ତି ତାଙ୍କୁ ହିଁ ଜଣା । ଯେତେବେଳେ କୋକିଳ ଡାଲି ବଘାରି ତରକାରୀ ପାଇଁ ପରିବା ଯୋଗାଡ଼ି ଫେରି ଆସନ୍ତି, ଦେଖନ୍ତି ସାଧୁଚରଣ ଶୋଇଛନ୍ତି । ସେ ଚଉକି ପଛରେ ଠିଆହୋଇ ସାଧୁଚରଣଙ୍କ ହାତକୁ ପୁଳିଏ ଚିମୁଟି ଦିଅନ୍ତି । ସାଧୁ ଧଡ଼ପଡ଼ ହୋଇ ଉଠି ବସିଲେ କୋକିଳ ଆଗକୁ ଆସି ମୃରବିଗିରି ଦେଖାଇ କହନ୍ତି, ଏଇ ପଢା ହେଉଛି ପରା, ନା-? ରହ ରହ ତମ ବୋଉଙ୍କ ପାଖକୁ ଲେଖୁଛି ।

 

ସାଧୁ ମୁରୁକି ହସି କହନ୍ତି, ଆଜି କାହିଁକି ପଢାରେ ମନ ଲାଗୁନାହିଁ, ମୁଣ୍ଡ କଅଣ ହେଉଛି-। କୋକିଳ ବ୍ୟସ୍ତ ହୋଇ ମୁହଁ ଶୁଖାଇ ସାଧୁଚରଣଙ୍କ ମୁଣ୍ଡ ଚିପି ଦିଅନ୍ତି । କେବେ କେବେ ଗୋଟିଏ ସୁନ୍ଦର ଗଳ୍ପ କହିବାକୁ ଅନୁରୋଧ କରନ୍ତି ।

 

ସାଧୁ ଗଳ୍ପ ଆରମ୍ଭ କରନ୍ତି । କୋକିଳ ମନଦେଇ ଶୁଣୁଥାନ୍ତି । କୌଣସି ଜାଗାରେ ସନ୍ଦେହ ହେଲେ ମଝିରେ ମଝିରେ ପଦେ ଅଧେ ପଚାରି ଦିଅନ୍ତି । ମାତ୍ର ଅଭିମାନ କଲା ଦିନୁଁ କେହି କାହାର ପାଖ ପଶନ୍ତି ନାହିଁ । ଯେଝା ଯେଝାର ସୁ ବିଧା ମତେ ନିଜର କାମ କରିଯାଉଥାନ୍ତି । ଯେତେହେଲେ, ଉଭୟଙ୍କୁ କିପରି ଅଲଗା ଅଲଗା ଲାଗୁଥାଏ । କୋକିଳଙ୍କର କାମରେ ମନ ଲାଗେ ନାହିଁ । ସାଧୁଚରଙ୍କୁ ମଧ୍ୟ ଘର ଭଲ ଲାଗେ ନାହିଁ । ବାତଚକ୍ର ପରି ସେ ପୁରୀ ସହର ଯାକ ବୁଲୁଥାନ୍ତି । ଇଚ୍ଛା ହେଲେ ଖାଇବାକୁ ଗଣ୍ଡାଏ ବସାକୁ ଫେରିଲେ ଫେରନ୍ତି, ନୋହିଲେ ନାହିଁ । ପକେଟରେ ପଇସା ଥିଲେ ମନ୍ଦିରରେ ମହାପ୍ରସାଦ ସେବାକରି ଯେ; ବୁଲୁଥାନ୍ତି ସଞ୍ଜବୁଡ଼ ଯାଏ ।

 

କେହି ଜାଣି ନଥିଲେ ଯେ ସାମାନ୍ୟ ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ଆରମ୍ଭ ହେବ । କଥା କଅଣ ବୁଝିଲାବେଳକୁ କିଛି ନାହିଁ, ଅଥଚ ଏତେ କାଣ୍ଡ । କୋକିଳ ଦେଈଙ୍କୁ ଏ ନେଇ କାନ୍ଦ ମାଡ଼େ । ଯେତେବେଳେ ସାଧୁଚରଣ ପୁରୀ ସହରରେ ଏଣେ ତେଣେ ବୁଲୁଥାନ୍ତି, କୋକିଳ ତାଙ୍କ ପଢାଘରେ ଚଉକି ଉପରେ ମନମାରି ଚୁପ୍‌ହୋଇ ବସିଥାନ୍ତି । ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ୁଥାଏ । କେବେ କେବେ ହଠାତ୍‌ଚମକି ପଡ଼ି ସତ୍ରସ୍ତ ହୋଇ ଚାରିଆଡ଼କୁ ଚାହାନ୍ତି । କେଜାଣି କଅଣ ଭାବି ଦାଣ୍ଡପାଖ ଝରକା ବନ୍ଦକରି ପୁଣି ଆସି ଚଉକି ଉପରେ ବସନ୍ତି । ବସି ବସି ବିରକ୍ତି ଲାଗେ । ଟେୟବୁଲ ଉପରେ ବହିଗୁଡ଼ିକ ଯତ୍ନକରି ସଜାଡ଼ି ରଖନ୍ତି ।

 

ଲୁଗାପଟା କୁଞ୍ଚାଇ ରାକ୍‌ଉପରେ ସଜାଡ଼ି ରଖନ୍ତି । ବିଛଣା ଭାଙ୍ଗି ଭୁଙ୍ଗି ଖଟର ଗୋଟିଏ ପାଖରେ ରଖନ୍ତି । ଘରକୁ ଓଳାଇ କାଚକେନ୍ଦୁ ପରି ଉଜ୍ଜ୍ୱଳ କରନ୍ତି , ଯାହା ହେବାର ହେଉ ଆଜି କଥା କହିବି ।

 

ସାଧୁ ଦାଣ୍ଡରେ ଝିଞ୍ଜିର ଖଡ଼ଖଡ଼ କରନ୍ତି । କୋକିଳ ସବୁ ପାଇଟି ଛାଡ଼ି ଆଗ ଦୌଡ଼ି ଆସନ୍ତି କବାଟ ଖୋଲିବାକୁ । ମୁଣ୍ଡରେ ଓଢଣା ଟାଣି ଝିଞ୍ଜିର ଖୋଲିଲା ବେଳକୁ ହାତ ଥରେ । ପ୍ରତିଜ୍ଞା ପଣ୍ଡ ହୁଏ । ସାଧୁ ଗମ୍ଭୀରମୁଖରେ ଘର ଭିତରକୁ ଆସନ୍ତି । ମାଉସୀଙ୍କର ମୁହଁ ଦେଖି ସେ ମୁଖଟିକୁ ଆହୁରି ଗମ୍ଭୀର କରି ମଝିଘରେ ପଶନ୍ତି । କୋକିଳ ବ୍ୟଥିତ ମନ ଘେନି ଫେରି ଆସନ୍ତି କଣ ଘରକୁ ।

 

ସେଦିନ ପାଗଟା କିପରି ମେଘୁଆ ହୋଇଥିଲା । ସକାଳୁ ଉଠି ରସାନନ୍ଦ ନିଜର କାମଧନ୍ଧା ସାରି ମଠକୁ ଚାଲିଗଲେ । କୋକିଳ ଦେଈ ଘରର ବାସିକାମ ସାରିଲେ । ଗାଧୁଆ ପାଧୁଆ ସାରି ଚୁଲି ଲଗାଇ ରନ୍ଧା କାମରେ ଲାଗିଲେ । ପୋଲିସ୍‌ଥାନାରୁ ଘଣ୍ଟାର ଆବାଜ ଆସିଲା, ସମୟଟା ଆଠଟା । କୋକିଳ ପରିବା କାଟୁ କାଟୁ ହଠାତ୍‌ଚମକି ପଡ଼ିଲେ, ଏଁ, ବେଳ ହେଲାଣି ଆଠଟା, ସାଧୁ ଉଠି ନାହାନ୍ତି ଯେ ! ଏତେ ଡେରିଯାଏ କେବେ ଶୁଅନ୍ତି ନାହିଁ ।

 

ପରିବା କଟା ଛାଡ଼ି ସେ ଉଠି ଆସିଲେ । ମଝିଘରର କବାଟ ଆଉଜା ହୋଇଥିଲା । କବାଟକୁ ଧୀରେ ଧୀରେ ଖୋଲି ଦେଖିଲେ ସାଧୁ ଚଦର ଘୋରିହୋଇ ଶୋଇଛନ୍ତି । ବେଳେବେଳେ କର ନେଉଟାଇ ବ୍ୟସ୍ତ ହୋଇ କୁନ୍ଥାଉଛନ୍ତି । କୋକିଳ ସାହାସ କରି ଆସି ଖଟ ପାଖରେ ଠିଆହେଲେ । ସେ ଯେ ଆସିଛନ୍ତି ଏହା ଜଣାଇ ଦେବାକୁ ଗୋଡ଼ର ମଲ ଝମ୍‌ଝମ୍ କରି, ଗଳା ଖଙ୍କାରି ଖଟକୁ ଆଉଜି ଠିଆ ହେଲେ ।

 

ସାଧୁ ମୁହଁରୁ ଚଦର ଘୁଞ୍ଚାଇ ଦେଖିଲେ, ପାଖରେ ମାଉସୀ । ସେ କିଛି ନ କହି ଆଖି ବୁଜିଲେ । ଆଖି କୋଣରୁ ଦୁଇଧାର ଲୁହ ଗଡ଼ିପଡ଼ିଲା ।

 

ଘଯଣା କଅଣ ବୁଝିବାକୁ କୋକିଳ ଉତ୍କଣ୍ଠା ହୋଇ ଡାକିଲେ , ସାଧୁ...ତାଙ୍କର କଣ୍ଠ ରୁଦ୍ଧ ହେଲା । ଲୋତକରେ ଚକ୍ଷୁ ଛଳଛଳ ହେଲା ।

 

ସାଧୁ ଆଖି ପତା ଖୋଲି କହିଲେ, ଦେହ ଭଲନାହିଁ ମାଉସୀ !

 

ଅଧୀର ହୋଇ କୋକିଳ ପଚାରିଲେ, ଏଁ, ଭଲ ନାହିଁ ? କଅଣ ହୋଇଛି ଶୁଣେ ?

 

ଜରୁଆ ଲାଗୁଛି, ମୁଣ୍ଡ ବଥାଉଛି ।

 

କୋକିଳ ମୁଣ୍ଡରେ ହୋତ ମାରି ବ୍ୟସ୍ତ ହୋଇ କହିଲେ, ଓହୋ, ଧିଅରେ ତାତି ଭରତି ହୋଇଛି । ଏ ଯେଉଁ ବୁଲା, ଖରା ନାହିଁ ତରା ନାହିଁ, ଅଖିଆ ଅପିଆ ଦିନଯାକ ପୁରୀସହର ଗୋଟାକଯାକ ବୁଲିବାର ଫଳ ବାହାରି ପଡ଼ିଛି । କଥା ମାନିଲେ ସିନା ହୁଏ ! ବାର ଜାଗାରେ ଗାଧୁଆ, କେଉଁଦିନ ନରେନ୍ଦ୍ର ତ କେଉଁଦିନ ଇନ୍ଦ୍ରଦ୍ୟୁମ, କେଉଁ ଦିନ ଜଗନ୍ନାଥବଲ୍ଲଭ ତ କୋଉଦିନ ସମୁଦ୍ର । ଏଥିରେ ଜର ହେବ ନାହିଁ ? ଘରେ କଅଣ କୂଅ ନାହିଁ ?

 

ସାଧୁ ନୀରବ ରହିଲେ । ଏତେ ଦିନକେ ମାଉସୀ ଆକଟି କରି ପଦେ କହୁଛନ୍ତି, ସେ ବାଧା ଦେବେ କାହିଁକି ? ମାଉସୀ ବୟସରେ ତାଙ୍କଠାରୁ ଦୁଇବର୍ଷ ଛୋଟ, ତଥାପି, ମା ଯେତେବେଳେ ତାଙ୍କ ହାତରେ ସମର୍ପି ଦେଇ ଯାଇଛନ୍ତି, କଟ କରି କହିବାର ଅଧିକାର ତାଙ୍କର ଅଛି ।

 

ସାଧୁଚରଣ ସାତଦିନ ଜର ଭୋଗିଲେ । କୋକିଳ ଦେଈ ଜୀବନ ପଣ କି, ଖିଆ ପିଆ ଭୁଲି ତାଙ୍କର ସେବାରେ ଲାଗିଥାନ୍ତି । ପୁରୀସହରରେ ଡାକ୍ତର ଅଭାବ ନାହିଁ । କୋକିଳ ଦେଈଙ୍କର ଏହି ଡାକ୍ତରଙ୍କ ଉପରେ ବିଶ୍ୱାସ ନ ଥାଏ । ସେ ଜାଣିନ୍ତି, ରୋଗ ଆସେ କପାଳ ଘେନି, କପାଳରେ ଥିଲେ ପାଣି ମନ୍ଦାକରେ ସନ୍ନିପାତ ମଳଉ ଉଠି ବସିବ । କପାଳରେ ନ ଥିଲେ ପଣ ପଣ ଡାକ୍ତର କବିରାଜ କିଛି କରିପାରିବେ ନାହିଁ । ରସାନନ୍ଦ ବାବୁହିଁ ଏହାର ଜୀବନ୍ତ ଉଦାହରଣ । ତେଣୁ, ରସା ନନ୍ଦବାବୁଙ୍କ ଅନୁରୋଧକୁ ଉପକ୍ଷା କରି ସେ ଡାକ୍ତର ଡକାଇବାକୁ ମଙ୍ଗିଲେ ନାହିଁ । କହିଲେ, ହଁ ଜର ଟିକିଏ ହୋଇଛି, ଭଲ ହୋଇଯିବ ନାହିଁ ଯେ !

 

ଏହି କେତେଦିନର ଅଭିଜ୍ଞତାରେ ସେଧୁ ବୁଝିପାରିଲେ, ନାରୀର ଦକ୍ଷତା କେତେ, ମହତ୍ତ୍ୱ କେତେ ! ପୁରୁଷ ଗର୍ବ କରି କହେ ନାରୀ କୋମଳଦେହା, କୋମଳମନା, କଷ୍ଟ ସହି ପାରେ ନାହିଁ । ମାତ୍ର ସାଧୁଚରଣ ନିଜେ ଅଙ୍ଗରେ ଯାହା ଲିଭାଇଛନ୍ତି ସେ ବିଷୟରେ ପରର କଥା ଶୁଣିବାକୁ ଯିବା ନାହିଁ । ନାରୀ କୋମଳସଦେହା ହୋଇପାରେ, କୋମଳମନା ଏଥିରେ ସନ୍ଦେହ ନାହିଁ , ମାତ୍ର ସେ ସବୁ ପର ନିମନ୍ତେ । ପରର ଦୁଃଖ କଷ୍ଟ ନାରୀ ସହିପାରେ ନାହିଁ, ତେଣୁ ସେ କୋମଳମନା । ସହିଷ୍ଣୁତାରେ ନାରୀକୁ ବଳିପଡ଼ିବ ଏପରି ପୁରୁଷ ନାହିଁ ।

 

ଗୃହର ଯାବତୀୟ କାର୍ଯ୍ୟ କରି ରସାନନ୍ଦଙ୍କର ସେବାରେ ତ୍ରୁଟି ନ କରି ଖିଆପିଆ କରି ଭୁଲି, ତାଙ୍କର ରୋଗଶର୍ଯ୍ୟା ପାଖରେ ଅନିଦ୍ରାରେ କିଏ ବସି ରହିବ ? ଦାନ୍ତଘଷାଇ ଦେବାଠାରୁ ଆରମ୍ଭ କରି ନିଜ ହାତରେ ପଥି କରାଇ ଦେବା ପର୍ଯ୍ୟନ୍ତ କରିବେ ମାଉସୀ । ରସାନନ୍ଦ ଯେତେବେଳେ କଣ ଘରେ ନିଦ୍ରାରେ ଅଚେତନ, କୋକିଳ ସାଧୁଚରଣଙ୍କ ପାଖରେ ବସି ତାଙ୍କର ପରାଟିରେ ଦିଅନ୍ତି । ମାଉସୀଙ୍କୁ ଅନବରତ ନିଜପାଇଁ କଷ୍ଟ ପାଉଥିବାର ଦେଖି କୃତଜ୍ଞତା ପୂର୍ଣ୍ଣ ସ୍ୱରରେ ସାଧୁ ଅନୁରୋଧ କରି କହନ୍ତି, ଯାଅ ମାଉସୀ ଶୋଇବ, ମୋପାଇଁ ଏତେ କଣ୍ଟ କରୁ କରୁ ଯଦି ନିଜେ ପଡ଼ିଯାଅ ତ ସର୍ବନାଶ ।

 

କୋକିଳ ସାଧୁଙ୍କର ହାତ ପାପୁଲିକୁ ହାତରେ ଚାପିଧରି କହନ୍ତି, କଷ୍ଟ ହେବ କହୁଛ କାହିଁକି ? ଏ ତ ଆମର କାମ । ଏଥିରେ ଆମର ଆନନ୍ଦ ବଢ଼େ ।

 

ସାଧୁ ନୀରବ ହୋଇ ଆଖି ବୁଜି ଦିଅନ୍ତି । କେତେବେଳେ ତାଙ୍କୁ ନିଦ ହୋଇଯାଏ ସେ ଜାଣି ପାରନ୍ତି ନାହିଁ । ନିଦ ଭାଙ୍ଗିଲେ ଦେଖନ୍ତି ବାହାରଟା ଫର୍ଚ୍ଚା ଦେଖା ଯାଉଛି । ମାଉସୀ ରାତିସାରା ବସି ବସି ବସି ତାଙ୍କର ହାତପାପୁଲି ଉପରେ କପାଳ ରଖି ଶୋଇ ପଡ଼ିଛନ୍ତି ।

 

ସାଧୁଚରଣ ତାଙ୍କର ପୂର୍ବ ସ୍ୱସ୍ଥ୍ୟ ଫେରି ପାଇଛନ୍ତି । ଏଥିନିମନ୍ତେ ସେ ମାଉସୀଙ୍କ ନିକଟରେ କୃତଜ୍ଞ । ଗ୍ରୀଷ୍ମ ଛୁଟି ଆରମ୍ଭ ହେଲା । ସ୍କୁଲର ଛାତ୍ର ଓ ଶିକ୍ଷକମାନେ ଗ୍ରାମକୁ ଗଲେ । ଘରକୁ ଯିବାକୁ ସାଧୁଙ୍କର ମନ ଛକ୍‌ପକ୍‌ ହେଲା । ମାଙ୍କର ସ୍ନେହ, ସରର ଖେଳ, ବାପାଙ୍କର ଆକଟ ତାଙ୍କ ମନେ ପଡ଼ି ତାଙ୍କୁ ଅସ୍ଥିର କରି ପକାଇଲା । ସର ବାରମ୍ୱାର ଚିଠି ଲେଖିଛି, ଭାଇ, ମୋ ରାଣ, ରଜକୁ ନିଶ୍ଚେ ଆସିବ ।

 

ମାଉସୀଙ୍କୁ ଅଭିପ୍ରାୟ ଜଣାଇବାରୁ ମାଉସୀ ଦୁଃଖରେ ମୁଖ ଗମ୍ଭୀର କଲେ । ସେଦିନ ଏକାଦଶୀ ବୋଲି କହି ଜଳ ଗ୍ରହଣ କଲେ ନାହିଁ । ପରଦିନ ଲୋତକଭରା ଚକ୍ଷୁରେ କହିଲେ, ତମେ ଯୋଗୁଁ ମାୟା ମମତା ଲଗାଇ ଦେଇଛ, ପରବୋଲି ମନେ କରିବାକୁ ମୋର ସାହାସ ହୁଏ ନାହିଁ । ତମ କଥା ତମେ ଜାଣ ।

 

ଲଜ୍ଜିତ ହେଲାପରି ସାଧୁ ତଳକୁ ଚାହିଁ କହିଲେ, ସର ଲେଖିଥିଲା ବୋଲି ସିନା ।

 

ଚକ୍ଷୁରୁ ଲୋତକ ପୋଛି କୋକିଳ କହିଲେ, ଯିବାର କଥା ତ ଯିବ, ମୋତେ ପଚାରିଲ କାହିଁକି ? ମୋର ଯଦି ବାନ୍ଧି ରଖିବାର ଅଧିକାର ଥାନ୍ତା.ସାଧୁ, ତମେ ଗଲେ ମୁଁ ଚଳିବି କିପରି ଏକୁଟିଆ ? ପୁଣି ମୋର ପୂର୍ବାବସ୍ଥା ଫେରି ଆସିବ । ହାତପିଠିରେ ଲୁହ ପୋଛୁ ପୋଛୁ ଦିନ ସରିବ ନାହିଁ । ତମେ କଅଣ ମୋ ଅବସ୍ଥା ଜାଣ ନାହିଁ ? କେତେ କ’ଣ କହିବାକୁ ବସିଥିଲେ । ସାଧୁଚରଣଙ୍କ ମୁହଁକୁ ଚାହିଁ କଥା ଢ଼ୋକିନେଲେ ।

 

ସାଧୁ କହିଲେ, ଏକୁଟିଆ କାହିଁକି କହୁଛ, ମଉସା ଅଛନ୍ତି ।

 

ଅବଜ୍ଞାସୂଚକ ହସ ହସି କୋକିଳ କହିଲେ, ହେଁ, ତମ ମଉସା, ସେ ଦିନରେ ଅଠର ଘଣ୍ଟା ତେଣେ ରହନ୍ତି । ଘରେ ରହିଲେ, ତାଙ୍କର କଥା ଭାଷା , ହସ ଖେଳ ରୋଗ ସାଙ୍ଗେ । ମୁଁ ସିନା ଏଠି ପାଇଟି କରି ପେଟ ପୋଷିବାକୁ ଅଛି ।

 

ମୁଁ ଯଦି ଯାଏଁ, ଦିନେ ଦି ଦିନ ରହି ଫେରି ଆସିବି ।

 

ସେହି ଦିନେ ଦି ଦିନ ମୋତେ ବାର ବରଷ ପରି ଲାଗିବ । ଗଲା ଥ ଏକା ଥରେ ନିର୍ଜଞ୍ଜଳୀ ହୋଇ, ନିରାଶ ହୋଇ ପଡ଼ିଥିଲି, କାନ୍ଦୁ କାନ୍ଦୁ ଦିନ ସରୁ ନ ଥିଲା । ତେମେ ଯେଉଁ ମୟା ଲଗାଇ ଦେଇଛି ସେତିକିରେ ମୁଁ ସବୁ ଦୁଃଖ ଭୁଲି ଯାଇଛି । ଦୁଃଖ ଯେ ବେଳେ ନ ହୁଏ ଏହା ନୁହେଁ, କିନ୍ତୁ ମନରେ ଦୁଃଖ ଆସିଲେ ତମ ସଙ୍ଗେ ପଦେ ଅଧେ କଥାଭାଷା କଲେ କ୍ଷଣକରେ ସେ ଦୁଃଖ ଚାଲିଯାଏ । କିଛି ସମୟ ଚୁପ୍‌ରହି ପୁଣି କହିଲେ, ତମେ ହୁଏତ ଭାବୁଥିବ, ମୋଠୁଁ ବଳି ନିର୍ଲ୍ଲଜୀ ଆଉ କେହି ନାହିଁ କାରଣ ତମ ଉପରେ ମୋଓର କି ଅଧିକାର ଅଛି ? ମୁଁ ତୁମକୁ କିଛି ଚିରଦିନ ଅଟକାଇ ରଖି ପାରିବି ନାହିଁ । ତେବେ ଏତିକି କହିପାରେ ଯେ –

 

ବାଧାଦେଇ ସାଧୁ କହିଲେ, ମାଉସୀ, ତମରି କଥାରୁ ହିଁ ପ୍ରମାଣ ମିଳୁଛି ତମ ସ୍ନେହଟା ବାହାରିଆ । କାହିଁକି, ମୋ ଉପରେ କଅଣ ତମର କିଛି ଅଧିକାର ନାହିଁ ? ବୋଉର ଯେତିକି ଅଧିକାର, ତମର ମଧ୍ୟ ସେତିକି । ତମେ କଅଣ ଭାବିଛ ମୁଁ ଏଡ଼େ ଅକୃତଜ୍ଞ ? ତମର ଆକୁଣ୍ଠିତ ଯତ୍ନ ଓ ପବିତ୍ର ନିର୍ମଳ ସ୍ନେହ କି ମୁଁ ଏ ଜନ୍ମରେ ଭୁଲି ପାରିବି ? ସୁଝାଇ ପାରିବି ? ନା ମୋର ଘରକୁ ଯିବା ଆବଶ୍ୟକ ନାହିଁ । ଆଜି ବୋଉକୁ ଲେଖି ଦେଉଛି, ମାଉସୀ ମତେ ପାଖରୁ ଛାଡ଼ିବାକୁ ଅମଙ୍ଗ ।

 

କୋକିଳ କ୍ଷଣକାଳ ମୁକଙ୍କ ପରି ସାଧୁଚରଣଙ୍କ ମୁହଁକୁ ଅନାଇ ରହିଲେ । ତାଙ୍କର କାନ ପାଖେ ବାରମ୍ୱାର ପ୍ରତିଧ୍ୱନିତ ହେଲା ସାଧୁଚରଣଙ୍କର ଗୋଟିଏ ବାକ୍ୟ, ମାଉସୀ ମତେ ଛାଡ଼ିବାକୁ ଅମଙ୍ଗ ।

 

ଛାଡ଼ିବାକୁ ଅମଙ୍ଗ କାହିଁକି ?

 

ମନଗହନର ଏହି ପ୍ରଶ୍ନରେ ତାଙ୍କର ଅନ୍ତରାତ୍ମା କାନ୍ଦି ଉଠିଲା । ଅଜଣା ଭୟରେ ସେ ଥରି ଉଠିଲେ । ସାଧୁଚରଣ ପାଖରେ ଥିଲେ ତାଙ୍କର ଦୁଃଖ କଅଣ ଦୂର ହୋଇପାରେ ? ଛାଡ଼ିବାକୁ ଅମଙ୍ଗ କାହିଁକି ?

 

ସେ କହିଲେ, ତେମେ ଯାଅ ସାଧୁ, ମା ତମର ଅନେଇଁ ବସିଥିବେ । ମୋ ପକ୍ଷରେ ସ୍ୱାର୍ଥପରତା ଭଲ ଦିଶିବ ନାହିଁ ।

 

ତମେ କଅଣ ମା ନୁହେଁ ? ତମ ମନରେ କଷ୍ଟଦେଇ ମା ପାଖକୁ ଯିବାକୁ ମୋର ଆଉ ଇଚ୍ଛା ନାହିଁ ।

 

ମୁଁ ତମର ମା ନୁହେଁ ସାଧୁ ।

 

ମା ଓ ମାଉସୀ ଭିତରେ ପ୍ରଭେଦ ମୁଁ ଦେଖେ ନାହିଁ ।

 

ରକ୍ତର ସମ୍ପର୍କ ନାହିଁ, ତ ।

 

ରକ୍ତର ସମ୍ପର୍କ ସବୁଠୁଁ ବଡ଼ ସମ୍ପର୍କ ନୁହେଁ । ସ୍ନେହ, ଶ୍ରଦ୍ଧା, ଭଲ ପାଇବା ପାଖରେ ରକ୍ତର ସମ୍ପର୍କ ରହିଯାଏ । ତମର ସ୍ନେହ ଦେଖିଲେ କେଉଁ ସାହାସରେ ମା ଟାଣ କରି କହିବ ଯେ ସେ ତମଠାରୁ ମତେ ବେଶି ଭଲ ପାଏ ?

 

ତମର କଅଣ ବିଶ୍ୱାସ ମୁଁ ତମକୁ ଭଲ ପାଏ ?

 

ମଣିଷ ଯାହା ଅନୁଭବ କରେ ତହିଁରେ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠେ ନାହିଁ ।

 

ତମର ଧାରଣା ଠିକ୍‌ନୁହେଁ ସାଧୁ, ଆଉ କଅଣ କେହି...

 

ଭୀତପୂର୍ଣ୍ଣ ଚକ୍ଷୁରେ ସାଧୁଙ୍କୁ ଚାହିଁଲେ । ମନ ଭିତରେ ଭାବନାର ସଂଘର୍ଷ । କିଛି କ୍ଷଣ ନୀରବ ରହି, ବିମର୍ଷ ହୋଇ କହିଲେ, ତମେ ତମେ ସତରେ ଭଲ ପାଅ ସାଧୁ, ମୋ ଧିଅ ଛୁଇଁ କହିଲ ?

 

ସାଧୁ ହସି ହସି କହିଲେ, ମନର କଥା ମୁହଁରେ ମୁଁ କିପରି କହିବି ? ମୁହଁରେ କହିଲେ ତା ମୂଲ୍ୟ ରହିବଟି ? ତେବେ, ଏତିକି କହିପାରେ, ସ୍ନେହ ଅସୁଝା ରହେ ନାହିଁ ।

 

ଏ ତୁମର ହୃଦୟର କଥା ନୁହେଁ, ମୁହଁର କଥା । କିଏ କହିଲା ସ୍ନେହ ଅସୁଝା ରହେ ନାହିଁ-? ଏ ଧାରଣା ଭୁଲ । ମୁଁ ତୁମଠାରୁ ବୟସରେ ଛୋଟ, ମାତ୍ର ଦରିଦ୍ରର କୁଡ଼ିଆରେ ଜନ୍ମହୋଇ ହେତୁ ପାଇଲା ଦିନୁ ପରଘରେ ପରକୁ ଆପଣାର କରି ଚଳି ଆସିଛି । କେତେ ଦୁଃଖ, କେତେ ଯନ୍ତ୍ରଣା ସହି ହସି ଦେଇଛି-ସତେ କି ମୁ ନିର୍ବୋଧ, ସତେ କି ମୁଁ କିଛି ବୁଝିପାରେ ନାହିଁ । ମୁଁ ଜାଣେ, ମୁ ସବୁ ବୁଝେ । କହିବାକୁ କାହାକୁ ? ଅଭିମାନ କରିବି କାହା ଉପରେ ? ଅଭିମାନ କଲେ ଯେ ମୁଣ୍ଡ ଗୁଞ୍ଜିବାର ରାହା ନାହିଁ । ଏହିପରି କେତେ ବିଷୟରେ ଅଭଜ୍ଞତା ଲଭି ମୁଁ କଅଣ ବୁଝିଛି ଜାଣ ସାଧୁ-? ବୁଝିଛି, ସୁଖର ସାଥି ସଭିଏଁ । ଦୁଃଖ ବେଳକୁ ସମସ୍ତେ ଆଖି ବୁଜି ଦିଅନ୍ତି । ବିରକ୍ତ ହୁଅ ନା, କହୁ କହୁ ନିଜର କଥା ଦି ପଦ କହୁଛି ।

 

ବିରକ୍ତ ହେବି କାହିଁକି ? କହ ।

 

ସୁଖର ସାଥି ସଭିଏଁ । କାମ ନେବାକୁ ଅଲଣାରେ ସାକୁଲେଇ ହୋଇ ଆଖି ଚିପି ଚିପି ଦି ବୁନ୍ଦା ଲୁହ ଗଡ଼ାଇ ପାରନ୍ତି ଅନେକ । ନୋହିଲେ କି ଜାଣୁ ଜାଣୁ ମୋତେ ଏ ଦହଗଞ୍ଜରୁ ମଝିକି ଠେଲି ଦେଇଥାନ୍ତେ ? ସ୍ନେହ ଯଦି ଅସୁଝା ରହୁ ନ ଥାନ୍ତା, ମତେ ଏ ବିଡ଼ମ୍ୱନାରେ ପକାଇବାକୁ ତାଙ୍କର ସତ ବଳିଥାନ୍ତା ? ତେଣୁ ପଚାରୁଛ, ତମ ବୋଉ ରାଣ, ସତ କହିଲ, ତମେ ମତେ ଭଲ ପାଅ ?

 

ତମ ରାଣ କଅଣ ବୋଉ ରାଣଠୁଁ କଅମ ! ତମେ ଯେତେବେଳେ ଏତେ ପ୍ରଭେଦ ଦେଖୁଛ, ମୁଁ କିପରି ହଁ କହିବି ? ସେଧୁଙ୍କର ଚକ୍ଷୁ ଛଳ ଛଳ ହେଲା ।

 

କୋକିଳ ସ୍ପନ୍ଦିତ ହୃଦୟରେ ତାଙ୍କର ଓଠ ଧରି ସ୍ନେହରେ ଟିକିଏ ହଲାଇଦେଇ ଉଦ୍‌ବେଗ ଭରା କଣ୍ଠରେ କହିଲେ, ଯାଅ ସାଧୁ, ଗାଆଁକୁ । ମୋଓର ଆଉ କିଛି ଆପତ୍ତି ନାହିଁ । ଘରକୁ ଯାଇ ଏକାଥରେ ଭୁଲିଯିବି ନାହିଁ । ଆଜି ହେଲା ଶନିବାର, ବୁଧୁବାରଦିନ ଯିବି । ସାଧୁଚରଣ ମଙ୍ଗିଲେ ।

***

 

 

ଏହିପରି ମୋର ଆଶା ଆକାଶ କୁସୁମରେ ପରିଣତ ହେଲା । ସେଥିପାଇଁ ମନରେ ତିଳେ ହେଲେ ଦୁଃଖ ନାହିଁ। ଦୁଃଖ ହେବ କାହିଁକି ? ଠାକୁରଙ୍କର ଯାହା ଇଚ୍ଛା ତାହା ହିଁ ହୋଇଛି । ମଣିଷ ହାତରେ ଥାଏ ଯେତିକି ମୁଁ ସେତିକି କରିବାରେ ହେଳା କରି ନାହିଁ । ତଥାପି ଭାବୁଛ, ମୁଁ ଅକର୍ମା...।

 

ଆର୍ଟସ୍କୁଲରେ ପଢ଼ିବାର ଆଶା ଛାଡ଼ିଦେଲି । ପେଟ ପୋଷିବାକୁ ହେବ ଯେ କୌଣସି ଉପାୟରେ । କହନ୍ତି, ପେଟ ପୋଷ ନାହିଁ ଦୋଷ । କଲିକତା ପରି ସହରରେ ପରିଶ୍ରମ କଲେ ପେଟ ଚାଖଣ୍ଡକ ଅପେଷା ରହିବ ନାହିଁ । ପରଘରେ ଚାକିରି କରି, ପରର ମର୍‌ଜି ଜଗି ଚାରିପଇସା ଉପାୟ କରିବାକୁ ମନ କାହିଁକି ଡାକିଲା ନାହିଁ ।

 

ଏମାନେ ପଶୁଠୁଁ ବଳନ୍ତି । ଘର ନିଆଁ ବୋଲି ଅଣ୍ଟିରେ ପୂରାଇବି ନାହିଁ । ଏଠାକାର ଓଡ଼ିଆ ଭାଇମାନେ ଝୋଟ ବୋହି, ଚଟକଳ, ତେଲକଳରେ କୁଳିଗିରି କରି, ବେକରେ ପଇତା ପକାଇ ବ୍ରାହ୍ମଣ ବୋଲାଇ ବାବୁମାନଙ୍କ ଘରେ ଠାକୁର କାମ କରି, ଯତ୍ରେ କତ୍ରେ ନିଜର ସଂସାର ଚଳଉଛନ୍ତି । କୁକୁରଙ୍କ ପରି ନିଜ ନିଜ ଭିତରେ କାମୁଡ଼ା କାମୁଡ଼ି ବରାବର ଲାଗି ଥାଏ, ଏକତା ଆସିବ କାହୁଁ ...? ସେତିକିରେ ସେ ନିଜକୁ ଭାଗ୍ୟବାନ୍‌ବୋଲି ମନେ କରନ୍ତି । ଯାହା ଅରଜନ କରନ୍ତି, ମାଟିଆବୁଜ୍‌, ହାଡ଼କଟା ଗଳି ପ୍ରଭୃତି ନାମଯାଦା ଜାଗାମାନଙ୍କରେ ଖାନଗୀମାନଙ୍କ ଘରେ ଦେଇ ଆସନ୍ତି । ସେମାନଙ୍କର ମୁହଁରୁ ଓଡ଼ିଆ କଥା ବାହାରେ ନାହିଁ, କାଳେ କିଏ ଓଡ଼ିଆ ବୋଲି ଚିହ୍ନିଲେ ଘୃଣା କରିବ । ତାଙ୍କ ଚେହେରା ଖଣ୍ଡକ ମୁଣ୍ଡରେ ଓ ଅଣ୍ଟାରେ ଦୋଦୁଲ୍ୟମାନ ବଟୁଆ ଖଣ୍ଡିକ ଦେଖି ସନ୍ଦେହ କରିବାର କାରଣ ନ ଥାଏ । ମନରେ ଦୁଃଖ ହୁଏ । କଅଣ କରିବା ? ଗ୍ରହ ଟିକିଏ ବିଗିଡ଼ା ପଡ଼ିଚି ...

 

ମୁଁ ଏବେ ପିଠିରେ ଲୁଗାର ଗଣ୍ଡିରା ଧରି କଲିକତା ସହରର ଘରେ ଘରେ ବୁଲି ବିକ୍ରି କରୁଛି । ମୋ ସଙ୍ଗେ ଆହୁରି ଦୁଇଜଣ ସ୍ୱଜାତୀୟ କୁଲି ଲଗା ବୋଝ ଧରି ଚାଲିଛନ୍ତି । ଘରକୁ ଫେରି ଯିବାକୁ ଇଚ୍ଛା ହେଉଛି, ପୁଣି ଭାବୁଛି କାଳେ ଭାଳଇ କଅଣ କହିବେ ...।

 

କେତେବେଳେ ଇଚ୍ଛା ହେଉଛି ବର୍ମା ଯାଇ ବ୍ୟବସାୟ ଖୋଲି ବସିବି, ମାତ୍ର ଟଙ୍କା ଅଭାବ । ବିନା ମୂଳଧନରେ କି ବେଉସା ଚଳିବ ?

 

ସାଧୁ ଛିଠି ଖଣ୍ଡି ମନଦେଇ ପଢ଼ୁଥିଲେ । କୋକିଳ ଗୋଡ଼ ଚିପି ଚିପି ଆସି ପାଖରେ ଠିଆ ହେଲେ । କେଶଗୁଚ୍ଛ ଫିଟି ପିଠି ଉପରେ ଦୋହଲୁଛି । ମୁଣ୍ଡରେ ଲୁଗା ନାହିଁ । ସାଧୁ ଜାଣି ପରାରିଲେ ନାହିଁ । ସେ ଅଧାଶୁଆ ଠାଣିରେ ତକିଆ ଉପରେ ଛାତି ଭରାଦେଇ ଚିଠିଖଣ୍ଡିଏ ପଢ଼ୁଛନ୍ତି । କୋକିଳ ଖଟ ଉପରେ ତାଙ୍କ ପାଖେ ବସିଲେ । କିଛି ସମୟ ଚିଠିଟିକୁ ଚାହିଁ ପଚାରିଲେ, କଅଣ ଏତେ ପଢ଼ୁଛ ସାଧୁ ?

 

ସାଧୁ ଉଠି ବସିବାକୁ ଚେଷ୍ଟା କଲାରୁ, କୋକିଳ ତାଙ୍କ ପିଠିରେ ହାତ ରଖି କହିଲେ, ଓ ଚିଠି, କିଏ ଦେଇଛି ଦେଖେଁ ? ନଇଁପଡ଼ି ଚିଠିଟିରୁ ଧାଡ଼ିଏ ଦିଧାଡ଼ି ଉଚ୍ଚ ସ୍ୱରରେ ପଢ଼ିଲେ । ମୁହଁ ନେଫେଡ଼ି ବସି, କହିଲେ, ଆସୁନା, ଜଳଖିଆ କରିବ । ଚୁଡ଼ା ଗଣ୍ଡିକ ତେଣେ ଫଉଲି ଯାଉଛି, ଏଣେ ଚିଠି ପଢ଼ା ଲାଗିଛି । ଆସ ।

 

ସାଧୁ ଉଠି ବସିଲେ । ଦୀର୍ଘଶ୍ୱାସ ଛାଡ଼ି କହିଲେ, ଭୋକ ନାହିଁ ମାଉସୀ ।

 

ଭ୍ରୂଲତା ଟେକି ହସ ହସ ମୁହଁରେ କୋକିଳ କହିଲେ, କାହିଁକି ମ, ଚିଠି ପଢ଼ୁ ପଢ଼ୁ ପେଟ ପୁରିଗଲା କି ? ହଉ ହଉ, ପଢ଼ୁଥା ବସି, ମୁଁ ଜଳଖିଆ ଆଣେ ।

 

କୋକିଳ ଆର ଘରୁ ଖଣ୍ଡେ କଂସା ଓ ଗୋଟିଏ ଜଳପୂର୍ଣ୍ଣ ଗିଲାସ ଆଣି ପାଖରେ ରଖିଲେ । ସାଧୁ ଆପତ୍ତି କରି କହିଲେ, ଏଇକ୍ଷଣି ଖାଇବ ନାହିଁ ।

 

ତମେ ସିନା ଖାଇବ ନାହିଁ, ମୁଁ ଖୁଆଇ ଦେଉଛି, କହି କୋକିଳ ଚୁଡ଼ା କଦଳୀ ନବତା ଚକଟାରୁ ପୁଳିଏ ନେଇ ସାଧୁଙ୍କ ମୁହଁ ପାଖେ ଧରିଲେ । ସାଧୁ ବାଧ୍ୟ ହୋଇ ଚିଠି ବୁଜି ତକିଆ ତଳେ ରଖିଲେ । କହିଲେ, ହଉ ମୁଁ ହାତରେ ଖାଉଛି।

 

କାହିଁକି ? ମୋ ହାତରେ ଅସନା ଲାଗିବ ?

 

ସାଧୁ ଲଜ୍ଜିତ ହୋଇ କହିଲେ, ଅସନା କାହିଁକି ଲାଗିବ ? ଅସନା ପଦାର୍ଥ ମା ମାଉସୀଙ୍କ ହାତରେ ଖାଇଲେ ଅମୃତ ପାଲଟିଯାଏ -ଟିକିଏ ଲାଜ ମାଡ଼େ ସିନା ।

 

ଅନାଇଲେ ଲାଜମାଡ଼େ, ଆଖି ବୁଜି ଦେଉନା ।

 

ସାଧୁ ଆପତ୍ତି କରିବାକୁ ସୁବିଧା ପାଇଲେ ନାହିଁ । ଜଳଖିଆ ସରିଲାରୁ ସାଧୁ ଦୁଃଖିତ ହୋଇ କହିଲେ, କଲିକତାରୁ ଦାଦା ଚିଠି ଦେଇଛନ୍ତି । ତୁମେ ତାଙ୍କୁ ଯେ ଦେଖିବ, ସେ ଭଲ ପାଇବ-। ପର ଆପଣା ଜାଣନ୍ତି ନାହିଁ । ତାଙ୍କପରି ଭାଇକି ବାପା ଯେପରି ବ୍ୟବହାର କରନ୍ତି ଶୁଣିଲେ ତୁମ ମନରେ ଦୁଃଖ ହେବ ।

 

କେଉଁ ଦାଦା ସେ ତୁମର ?

 

ଯାହାଙ୍କ କଥା ସେଦିନ କହୁଥିଲି, ସେହି ତ ଜଣେ ।

 

ତାଙ୍କ ଉପରେ ତମ ବାପାଙ୍କର ଏତେ ଅକସ ହେବାର କାରଣ ?

 

ମୋତେ ସେ କଥା ଅଜଣା । ତାଙ୍କପରି ଲୋକ ଉପରେ ଅଦଉତି କରିବ ଏପରି ଲୋକ ବାପାଙ୍କ ବ୍ୟତୀତ ଆଉ କେହି ନାହିଁ । ତାଙ୍କୁ, ଭାଇ ଅଡ଼ୁଆ । ସମ୍ପତ୍ତିରୁ ଭାଗ ନେବ ପରା ।

 

ଅତଟ ତମ ବାପା । ସମ୍ପତ୍ତି କଅଣ ସ୍ୱର୍ଗକୁ ନେବ ? ତମ ଦିଦି ବି ସେମିତି ଅନାଡ଼ି । ସମ୍ପତ୍ତିରେ ତାଙ୍କର ଭାଗ ଅଛି ତ ?

 

ଭାଗ ଥାଉ ନ ଥାଉ, ସେ ଭିନ୍ନ ଢ଼ଙ୍ଗର ଲୋକ । ନିଜେ ପଛେ ହଇରାଣ ହୋଇ କଷ୍ଟ ପାଇବେ ଅନ୍ୟ କାହାକୁ କିଛି କହିବେ ନାହିଁ । ନିଜ ଉପରେ ତାଙ୍କର ବିଶ୍ୱାସ । ବାପାଙ୍କୁ ଆଜିଯାଏ କିଛି କହି ନାହାନ୍ତି । ବାପା ଯେପରି ଅଖାରଡ଼ୁଆ ଲୋକ ଦାଦା ଯଦି କିଛି କହୁଥାନ୍ତେ, ଆମ ଘରେ ଚଳି ହୁଅନ୍ତା ନାହିଁ । ସତେ ମାଉସି, ତାଙ୍କର ଏ ଛିଠିଖଣ୍ଡି ପଢ଼ି ମୋ ମନ ବିକଳ ହେଉଛି । କଲିକତାରେ କେଉଁଠି ଅଛନ୍ତି ମୁଁ ଯଦି ଜାଣିଥାନ୍ତି, ଚୋରିକରି ହେଲେ କେଉଁଠୁ ଟଙ୍କା ପଠାନ୍ତି ।

 

ତମେ ପଛେ ଅବିଗୁଣ ପାଅ ସାଧୁ, ତମର ବାପା ଜଣେ ଅର୍ଥପିଚାଶ ।

 

ଅର୍ଥପିଚାଶ ନୁହନ୍ତି ଯେ, ଅସଲ ଯେଉଁଠି ଖର୍ଚ୍ଚ କରିବାର କଥା ନ କରି ଅବ୍ୟାଜରେ ଏଣେତେଣେ ଖର୍ଚ୍ଚ କରନ୍ତି । ମକଦ୍ଦମା ହାବୁଡ଼େ ପଡ଼ିଲେ, ସୁଅମୁହରେ ଟଙ୍କା ଖର୍ଚ୍ଚ ହେଲେ ଭାବନା ନ ଥାଏ ।

 

ସାମାନଙ୍କର ମଧୁରଳାପରେ ବାଧାଦେଇ କିଏ ଜଣେ ପଦାକୁ ଡାକିଲା, ସାଧୁ, ଆରେ ସାଧୁ, ଆବେ ସାଧୁଆ....।

 

ସାଧୁ ଅସ୍ତବ୍ୟସ୍ତ ହୋଇ ଉଠିଲେ । ନାକ ଫଣଫଣ କରି ବିରକ୍ତିସୂଚକ ସ୍ୱରରେ କହିଲେ, ଜଗନ୍ନାଥ ଡାକୁଛି, ଯାଏଁ । ମାଉସୀ, ଦି, ଖଣ୍ଡ ପାନ...।

 

ଦ୍ୱାର ଖୋଲି ହସହସ ମୁହଁରେ ଜଗନ୍ନାଥର ହାତ ଧରି କହିଲେ, ହଠାତ୍‌କୁଆଡ଼େ ଗଡ଼ି ପଡ଼ିଲୁ ମ ?

 

ଜଗନ୍ନାଥ ଚମକି ପଡ଼ିଲା ପରି ମୁଣ୍ଡରେ ଧିଅରେ ହାତମାରି ବିସ୍ମିତ ହୋଇ କହିଲା, କିନ୍ତୁ ଭାଇ, ଆଘାତ ତ କିଛି ହୋଇ ନାହିଁ ।

 

ମୋ ପଚାରିବାର କଥା, ଦିନେ କାଳେ ତ ଦେଖା ନାହିଁ, ଆଜି ହଠାତ୍‌ କୁଆଡ଼େ ଅଇଲୁ-?

 

ଜଗନ୍ନାଥ ଚଞ୍ଚଳ ଚହାଁଣୀରେ ଝରକା ଆଡ଼େ ଅନାଇଁ ଚକ୍ଷୁ ଫେରାଇ କହିଲା, ତୋ ରାଣ, କୁ-ଆଡ଼େ ନୁହେଁ, ସୁ-ଆଡ଼େ ।

 

ତୁ ଆଉ ମୋତେ କଥା କୁହାଇ ଦେବୁ ନାହିଁ । ତା ହେଲେ, ଶୁଭଗମନର ଉଦ୍ଦେଶ୍ୟ ?

 

ଶ୍ରୀମୁଖର ଦର୍ଶନ ।

 

ଦର୍ଶନ ତ କଲ, ଏଥର ବିଦାୟ ।

 

ଦର୍ଶନ କି କରିବାର ଜିନିଷ ଭାଇ, ଦର୍ଶନ ଯେ ଚିନ୍ତାର ବିଷୟ...ହସି ହସି ଖଣ୍‌ଡିଆ ନିଶରେ ହାତମାରି କହିଲା, ଏକ ଅନୁରୋଧ ଅଛି ।

 

କଅଣ ଶୁଣେ ?

 

ମାଗିଚି ହଁ, ତୁ ଦେଲେ ସିନା ?

 

ଦେବାର କଥା ହୋଇଥିଲେ ତ ।

 

ନ ଦେବାର କଥା ଅଛି କଅଣ, ଯଦି ଦେବା ଲୋକର ଇଚ୍ଛା ଥାଏ ? ତୋ ପିସ୍ତଲଟା ଆଉ ଟର୍ଚ୍ଚ ଲାଇଟ୍‌ଟା ।

 

କଅଣ କରିବୁ ?

 

ଆମେ କେଇଜଣ ଭାବିଛୁ ସେଇକେଲରେ ଗଞ୍ଜାମଆଡ଼ୁ ଘେରାଟାଏ ବୁଲି ଆସିବୁଁ । ବାଟଘାଟରେ ଏ ଦିଟା ପଦାର୍ଥ ପାଖରେ ଥିବା ଆବଶ୍ୟକ ।

 

ତୁ ପଛେ ଯାହା ଭାବ ଭାଇ, ତୋର ଏ ଅଯଥା ଅନୁରୋଧ ରଖିପରିବି ନାହିଁ ।

 

ଆଚ୍ଛା, ଟର୍ଚ୍ଚ ନ ହେଲା ତୋ ପାଖରେ ଥାଉ, ମୁଁ ଅନ୍ୟ କେଉଁଠୁ ଯୋଗାଡ଼ କରିନେବି, ପିସ୍ତଲଟା ଦେ । ମୁଁ ଦିନ ଚାରିଟାରେ ଫେରି ଆସିବି ଯେ ।

 

ପିସ୍ତଲଟା ଘରେ ବାପାଙ୍କ ପାଖରେ । ମୁଁ ବୁଧବାର ଦିନ ଘରକୁ ଯିବି । ଆସିଲା ବେଳକୁ ସଙ୍ଗରେ ନେଇ ଆସିବି । ତୋର ଯେ ଲାଇସେନସ୍‌ନାହିଁ ?

 

ନ ଦେବାର ଇଚ୍ଛା ଥିଲେ କେତେ ପ୍ରକାର ଛଳନା ବାହାରିବ । ଯାବେ, ନ ଦେଲେ ନାହିଁ-। ଭ୍ରମଣଟା ବନ୍ଦ ହୋଇଯିବ ଏଥର । ଆଚ୍ଛା, ତୁ ଘରୁ ଫେରିବୁ କେବେ ?

 

ଦିନା ଦି ଦିନ ପରେ ।

 

କାହିଁକି ଏଡ଼େ ଜଲ୍‌ଦି ? ପୁରୀ ଛାଡ଼ି ଦୂରରେ ରହିବାକୁ ଭଲ ଲାଗେ ନାହିଁ ପରା ! କୁଆନୁ ଲାଗିବ ? ପୁରୀର ଯେଉଁ ମଉଜ, ମଜଲିସ୍‌ !

 

ମଉଜକୁ ପଚାରେ କିଏ ? ତମ ଭଳିକା ସମୁଦ୍ରକୂଳରେ ବୁଲିବାକୁ ତ ଆମେ ଯାଉ ନାହୁଁ-?

 

ଯିବାର ଦରକାର ପଡ଼େ ନାହିଁ । ଦୂର କି ନା, ପାଖ ଛାଡ଼ି...

 

ପଢ଼ାପଢ଼ି କିଛି ହୋଇନାହିଁ । ଘୂରୁ ଆସିଲେ ରୀତିମତ ପଢ଼ାପଢ଼ି କରିବାକୁ ହେବ ।

 

ସାଧୁ, ମୁଁ ଆସିଲେ କେମିତି ହୁଅନ୍ତା ? ଦିଜଣ ଏକାଠି ବସି ପଢ଼ନ୍ତେ, ଦିପହରେ । ହ୍ୟାପ୍‌, ବୁଢ଼ା ତ ହେଲେଇଁ, ଛୁଆଙ୍କ ସାଥିରେ ପଢ଼ିବାକୁ କଅଣ ଇଚ୍ଛା ହେଉଛି ! କଅଣ କହୁଛୁ ?

 

ଅସୁବିଧା ହେବ ।

 

କି ଅସୁବିଧା ?

 

ମାଇପୀ ଘର । ଥଙ୍ଗେଇ ଥଙ୍ଗେଇ ସାଧୁ କହିଲେ ।

 

ହସି ହସି ଜଗନ୍ନାଥ ସାଇକଲ ଚଢ଼ି ପ୍ରସ୍ଥାନ କଲାବେଳେ କହିଗଲା, ଠିକ୍‌କଥା, ଅସୁବିଧା ତ ହେବାର କଥା । ହଉ ଭାଇ, ସଲାମ୍‌...।

 

ସାଧୁ ଉତ୍ତର ନ ଦେଇ ଘର ଭିତରକୁ ଗଲେ । ମୁହୂର୍ତ୍ତକ ପାଇଁ ଜଗନ୍ନାଥ ଉପରେ ରାଗ ହେଲା । ମାତ୍ର କରିବେ କଅଣ ? ସେ ତ ସେମିତିକାଟା ।

***

 

 

ମଙ୍ଗଳବାର ରାତି ଦିଘଡ଼ିକୁ ସାଧୁଚରଣ ବଜାରରୁ ଫେରିଲେ । ସେ ରହିଲାଦିନୁ ରସାନନ୍ଦ ଘର ବିଷୟରେ ନିଶ୍ଚିନ୍ତ । ସେଥି ନିମନ୍ତେ ଘରକୁ ତରତର ହୋଇ ଫେରିବାକୁ ସେ ଚେଷ୍ଟା କରନ୍ତି ନାହିଁ । ଏକାଥରେ କାମ ଶେଷକରିଆସନ୍ତି । ସେଦିନ ସାଧୁ ଫେରିଲାବେଳକୁ ରସାନନ୍ଦ ଆସି ନ ଥାନ୍ତି । କୋକିଳ ଘରେ ଏକୁଟିଆ ।

 

ସାଧୁ ଆଣିଥିବା ପଦାର୍ଥଗୁଡ଼ିକ ମାଉସୀଙ୍କ ଆଗରେ ଥୋଇ ଦେଇ ଖଟ ଉପରେ ବସିଲେ । ଦେହରୁ ଗମ୍‌ଗମ୍‌ଝାଳ ବୋହି ପଡ଼ୁଛି । କମିଜ ଖଣ୍ଡି କାଢ଼ି ପାଖରେ ରଖିଲେ । କୋକିଳା ଖଣ୍ଡେ ବତଚଣାରେ ତାଙ୍କୁ ବିଞ୍ଚୁ ବିଞ୍ଚୁ କହିଲେ, ସଞ୍ଜବୁଡ଼ୈ ତମ ଜଗନ୍ନାଥ ଆସି କାହିଁକି ଡାକୁଥିଲା ମ, ସେ ଭାରି ନବଜିଆ ଲୋକ, ନୁହେଁ ସାଧୁ ?

 

ସାଧୁ ବିସ୍ମିତ ହୋଇ ପଚାରିଲେ, କାହିଁକି ଡାକିଥିଲ ?

 

କେଜାଣି ଡାକି ଡାକି ବିଚରା ବ୍ୟସ୍ତ ହୋଇ ପଡ଼ିଲା । ଘରେ କିଏ ଅଛି ଯେ ଜବାବ୍‌ଦେବ । କିଏ କାଳେ ହୋଇଥିବ ବୋଲି ମୁଁ କବାଟ ଫିଟାଇଲି ନାହିଁ । ଶେଷକୁ ଥଟ୍ଟା କରି ଗାରୁ ଗାରୁ ହୋଇ ଚାଲିଗଲା ।

 

ଗମ୍ଭୀର ହୋଇ ସାଧୁ କହିଲେ, ଭଲ କରିନା ମାଉସି, କବାଟ ଫିଟାଇ ତାକୁ ବସିବାକୁ କହିଥିାନ୍ତ । ଛାଡ଼ି, ଯଦି ବିଶେଷ ଦର୍କାର ଥାଏ ସେ କାଲି ପୁଣି ଆସିବ ।

 

ତତ୍‌ପରେ ସାଧୁ ଟ୍ରଙ୍କ୍‌ଖୋଲି ଜିନିଷଗୁଡ଼ିକ ତହିଁରେ ସଜାଇ ରଖିଲେ । ଲେବୁଲ୍‌ମରା ଦୁଇଟି ବୋତଲ ମାଉସୀଙ୍କ ଦେଇ କହିଲେ, ମଉସାଙ୍କ ଔଷଧ ନିଅ । ଏ ଯେଉଁ ବୋତଲରେ ନାଲି କାଗଜ ଲାଗିଛି ସେଥିରୁ ଦେଗେ ଗିଲାସରେ ଢ଼ାଳିବ, ଏ ନେଳୀ କାଗଜମରା ବୋତଲରୁ ଏକ ବୁନ୍ଦା ତହିଁରେ ମିଶାଇ ମଉସାଙ୍କୁ ଖାଇବାକୁ ଦେବ । ସକାଳେ ଥରେ ସଞ୍ଜରେ ଥରେ । ମନେ ରହିଲା ତ ? ଏଥିରୁ ଦାଗେ, ସେଥିରୁ ବୁନ୍ଦାଏ ।

 

ହଉ ।

 

ଗୋଳମାଳ କରିବ ନାହିଁ ତ ?

 

ମୋତେ କଅଣ ଏଡ଼େ ହୁଣ୍ଡୀ ମଣୁଛ ସାଧୁ ?

 

ସାଧୁ ଲଜରା ହୋଇ ରହିଲେ । ମାଉସୀ ବୋତଲ ଦୋଟି ଥାକ ଉପରେ ରଖି ମନକୁ ମନ କହିଲେ, କେତେ ବୋତଲ ତ ଗଲାଣି, ବାକି ରହିଛି ଏତିକି । ସାଧୁଚରଣଙ୍କୁ ଲକ୍ଷ୍ୟ କରି କହିଲେ, ଏଥିରେ କଅଣ ଭଲ ହେବାର ଆଶା ଅଛି ?

 

ବିଶ୍ୱାସ ହିଁ ମମୂଳ । ହୋଇ ପାରେ । ଠାକୁରଙ୍କ ହାତରେ ସବୁ, ମଣିଷର କାହିଁରେ ହାତ ଅଛି !

 

ତମର କଅଣ ବିଶ୍ୱାସ ଅଛି ଏ ଆଉ ଭଲ ହେବେ ?

 

ଭଲ ନ ହେବେ ବା କାହିଁକି ?

 

ମନେରଖ କଥା ମୁଁ ଚାହୁଁ ନାହିଁ ତ, ଚାହେଁ ସତ କଥା । ତମେ କଅଣ ଭାବିଛ, ମୋର ଏଥିରେ କାଣିଚାଏ ପତିଆରା ଅଛି ? ତାହା ନୁହେଁ । କଅଣ କହିବି ସାଧୁ, କହିଲାବେଳକୁ ପେଟଭିତର ଘାଣ୍ଟି ଚକଟି ହୋଇ ଯାଉଛି । ସବୁ ମୋ ପୋଡ଼ା କରମର ଦୋଷ । କାହା ଆଗେ ଗୁହାରି କରିବି ? ଯେଉଁଦିନ ବେଦୀଉପରେ ହାତଗଣ୍ଠୀ ପଡ଼ିଲା, ମୁଁ ସେହି ଦିନଠୁ ବୁଝିଲି ମୋ ଜୀବନଟା ବୃଥା, ତୁଚ୍ଛା ଡହଳ ବିକଳ ହୋଇ କଟିବ । ମୁଁ ସେଥିପାଇଁ ଆଗରୁ ପ୍ରସ୍ତୁତ । ମୁଁ ଜାଣେ, ଯଦି ବଞ୍ଚିବାର ପ୍ରୟାସ ଥିବ ତ ମୋ ଭଳି ଲୋକର ଅନ୍ୟ ଉପରେ ନିର୍ଭର କରି ରହିବା ଓଲାମି । ସଂସାରରେ କିଏ କାହାର ? ସମସ୍ତେ ନିଜ ପାଇଁ ଧାଇଁଛନ୍ତି । ନୋହିଲେ କି ଏପରି ସ୍ୱାସ୍ଥ୍ୟ ଘେନି ଏ ବୟସରେ ତମର ରସାନନ୍ଦ ବାବୁ ବାହା ହୋଇଥାନ୍ତେ ? ସ୍ୱାର୍ଥପରତା ନୁହେଁ ତ ଆଉ କଅଣ କହିବି ? ଯାହାର ହାତ ଧରି ଆଣିଛନ୍ତି ତାଆର ଆଗପଛ, ଭଲମନ୍ଦ ଥରେ ବିଚାର କଲେ ନାହିଁ ? ସେ କଅଣ ଭାବିଛନ୍ତି, ସ୍ତ୍ରୀ ଜାତିର ଜୀବନ ନାହିଁ, ହୃଦୟ ନାହିଁ, ମନ ନାହିଁ ? ଲଜ୍ଜାକରି ମୁହଁରେ କିଛି କହେ ନାହିଁ ବୋଲି ସେ ତ ଗୋଟିଏ ସେବାକରୀ ଯନ୍ତ୍ର ନୁହେଁ ?

 

ଏଥିରେ ମଉସାଙ୍କର ଅପ୍ରଧ କିଛି ନାହିଁ । ତମର ମଉସା ମାଉସୀ ମଙ୍ଗିଲେ ବୋଲି ସିନା ?

 

ଚକ୍ଷୁରୁ ଲୋତକ ପୋଛି କୋକିଳ କହିଲେ, ମଉସା ବୋଲି ଉପରେ ପଡ଼ି ତାଙ୍କ ଆଡ଼ ଧରି ମୁଁ ପରଝିଅ ବୋଲି ମୋତେ ଉଡ଼ାଇ ଦେବାକୁ ବସିଛ ପରା ? ତମେ ଶିକ୍ଷିତ ହୋଇ ଯଦି ଏପରି କହିବ ଆଉ ନ କହିବ କିଏ ? ମୁଁ ନ ହୋଇ ଆଉ ଜଣେ କିଏ ହୋଇଥିଲେ ତାର ଅବସ୍ଥା ମୋଓରି ପରି ହୋଇଥାନ୍ତା । ତାର ଛାତି ଭିତରେ ସେହିପରି ଦାଉ ଦାଉ ନିଆଁ ଜଳଉଥାନ୍ତା । ଏପରି ଡହଳ ବିକଳିଆ ଜୀବନଠାରୁ ଗେରୁଆ ଲୁଗା ପିନ୍ଧି ପୁରୀ ସହରର ଦାଣ୍ଡେ ଦାଣ୍ଡେ ବୁଲି ଭିକ ମାଗିବା ଭଲ । ସେଥିରେ ଭଗବାନଙ୍କୁ ଆଶ୍ରାକରି ରହିବା ହେବ । ସେ ଏକପ୍ରକାର ଭଲ । ଏହିକ୍ଷଣି ଯେ ଦି ନାବରେ ଗୋଡ଼ ଦେଇ ଟଳି ପଡ଼ିବାକୁ ବସିଛି ।

 

ସ୍ୱାମୀ ଯେ ଦେବତା । ସାବତ୍ରୀଙ୍କ କଥା ମନେ କର । ସ୍ୱାମୀଙ୍କୁ ଯମ ହାତରୁ ସେ ଉଦ୍ଧାର କରିଥିଲେ ।

 

ଠିକ୍‌କଥା । ସ୍ୱାମୀ ଦେବତା, ଏହା ବରିଦ୍ଧରେ ପଦେ କହିବାକୁ କେହି ସାହାସ କରିବେ ନାହିଁ । ଜଗନ୍ନାଥ ଦେବତା ବୋଲି ଖ୍ରୀଷ୍ଟିୟାନ୍‌ତ ମାନେ ନାହିଁ କି ଅର୍ଘ ଥାଳି ନେଇ ହିନ୍ଦୁ କେବେ ଯୀଶୁଙ୍କୁ ବନ୍ଧାଇବାକୁ ଯାଏ ନାହିଁ । ନିଜ ନିଜର ରୁଚି ଓ ବିଶ୍ୱାସ ନେଇ ଲୋକେ ନିଜର ଠାକୁର ବାଛି ନିଅନ୍ତି । ସେହିପରି ସାବିତ୍ରୀ ଦିନେ ତାଙ୍କର ସ୍ୱାମୀ-ଦେବତାଙ୍କୁ ବାଛି ନେଇଥିଲେ ।

 

ତମ ମୁହଁରୁ ଏପରି କଥା ସୁନ୍ଦର ଶୁଭୁ ନାହିଁ ମାଉସି । ତମେ ତମ ହୃଦୟର କଥା କହୁ ନାହଁ । ତମ ପରି ପତିପରାୟଣା, ପତିଗତପ୍ରାଣା ସ୍ତ୍ରୀ କେତେ ଜଣ ଅଛନ୍ତି ? ତମର କଥା ଶୁଣି ଆଉ କେହି ବିଶ୍ୱାସ କରିପାରେ, ମୁଁ ବିଶ୍ୱାସ କରି ପାରିବି ନାହିଁ । ମଉସାଙ୍କ ମନରେ ଆନନ୍ଦ ଓ ପ୍ରାଣରେ ଶାନ୍ତି ଆଣିବାକୁ ତମେ ଜୀବନ ଦେଇପାର ।

 

ପାରେ ହଁ, କେବଳ ମଉସାଙ୍କ ପାଇଁ ତ ନୁହେଁ, ସଭିଙ୍କପାଇଁ । ତମ ପାଇଁ କଅଣ ପାରିବି ନାହିଁ ସାଧୁ, ସତ କହିଲ ? ଆଉ, ଏ ଜୀବନ ଦେବା କଥା କେବଳ ଭଲ ପାଇବାର ଚିହ୍ନ ନୁହେଁ, କର୍ତ୍ତବ୍ୟ । ଅଦୂର ଭବିଷ୍ୟତ୍‌ରେ ଯେତେବେଳେ ଏହି ସାମାନ୍ୟ କର୍ତ୍ତବ୍ୟ ଆପେ ଆପେ ଲୁଚିଯିବ, ସେତେବେଳେ ମୁଁ ଜୀବନ ଦେଇ ପାରିବି ନାହିଁ । ବାଧ୍ୟହୋଇ ହେବି ଅନାଥିନୀ । ସେତେବେଳେ ମୋର ବୋଲି କହିବାକୁ ଦୁନିଆଁରେ କେହି ନ ଥିବେ ।

 

ସାଧୁ ସବୁକଥା ବୁଝିଲେ । କୋକିଳ ଦେଈଙ୍କର ମନ ଭିତରେ ଯେଉଁ ଅନଳ କୁହୁଳି ଉଠୁଛି, ଦିନେ ତାହା ଜଳିଉଠି ତାଙ୍କର ମନକୁ ପୋଡ଼ି ଜାଳି ଛାରଖାର କରିଦେବ, ଏହା ସେ ଅନୁମାନ କରିନେଲେ । ଆହା, ସେହି ଛପିଲା ଅନଳକୁ ଲିଭାଇବାର ଯଦି ଶକ୍ତି ନାହିଁ, ଫୁଙ୍କି ଫୁଙ୍କି ଜଳାଇବାକୁ ଚେଷ୍ଟା କରିବା ମୂର୍ଖତା, ନିଷ୍ଠୁରତା । ସାନ୍ତ୍ୱନା ଦେବାକୁ ଦୃଢ଼ ସ୍ୱରରେ କହିଲେ, ଯଦି ସେହି ଅଶୁଭ କ୍ଷଣ ତମଜୀବନରେ କେବେ ଆସେ, ତମେ ଅନାଥିନୀ ହୋଇ ଦାଣ୍ଡରେ ବୁଲିବାକୁ ଯିବନାହିଁ ।

 

ତମେ ମୋଓର ହୋଇ ମୋ ପାଖରେ ଠିଆହୋଇ ପାରିବ ?

 

ପାରିବି ନାହିଁ କାହିଁକି ? ମୋତେ କଅଣ ଏଡ଼େ ଅକୃତଜ୍ଞ ଭାବିଛ ମାଉସୀ ?

 

ତମରନିର୍ମଳ ସ୍ନେହ କି ମୁଁ ଜୀବନ ଦେଇ ସୁଝାଇ ପାରିବି ?

 

ସାଧୁ, ସାଧୁ,...କହୁ କହୁ ଉତ୍ତେଜିତ କୋକିଳ ସାଧୁଚରଣଙ୍କୁ ଆଲିଙ୍ଗନ କଲେ । ଅଶ୍ରୁସିକ୍ତ ଚକ୍ଷୁ ଓ ହାସ୍ୟଭରା ଅଧରରେ ସାଧୁ ଚରଣଙ୍କର ଗଣ୍ଡ ଚୁମ୍ୱନ କରି କହିଲେ, ପାରିବି ନାହିଁ ସାଧୁ, ପାରିବି ନାହିଁ । ନାରୀ ହୃଦୟର ଭାଷା ବୁଝିବା ତମ ପକ୍ଷେ କଠିନ । ତଥାପି ସାଧୁ, ଏତିକିରେ ମୁଁ ନିଜକୁ ଭାଗ୍ୟବତୀ ମନେ କରୁଛି ।

 

କୋକିଳ ଅନ୍ୟ ଘରକୁ ଚାଲିଗଲେ ।

 

ସାଧୁ ନିର୍ବାକ ହୋଇ ବସି ରହିଲେ ।

***

 

 

ଖୁଁ.ବୁଝିଲନା ସାଧୁ ବୋଉ, ତମ ମୁହଁ ପାଇ ଏ ଟୋକୀ ଚାଖଣ୍ଡକ ବି ସତ୍ୟାନାଶ ହୋଇଗଲା । ଛିଃ, ଅଥର୍ପା ପଣକୁ ସରିଛି । ପ୍ରତି କଥାରେ ବୋଲଣା । ପିଲାଯାକର ଅଗାଡ଼ିଟାଏ । ଆହା ହା - !

 

ଆଗୋ ସବୁ କଥାରେ ଏ ମୋ ଦୋଷ ଦିଅନ୍ତି କାହିଁକି ମ ? କାଣୀ ବିଲେଇ, କୁଜି ଅସର୍ପା ଉପରକୁ ଟାଣ । ତମ ଝିଅ ଏବେ ଆଗଚଲୀ ହେଲା କି ଅଭିଲା ହେଲା, ତେମେ ସିନା ବୁଝିବ, ମୁଁ କଅଣ କରିବି ?

 

ମା ମାନେ ପିଲାଙ୍କୁ ଆକଟ କରି ରଖନ୍ତି । ତମେ ଆଗତୁରା କହି ପକାଉଛ କଅଣ ?

 

କାନ୍ଥକୁ ଆଉଜି ସର ଚୁପ୍‌ହୋଇ ଠିଆ ହୋଇଥିଲା । ଭୟରେ କାଠ ହୋଇଗଲାଣି । ଦାଦା ଥିଲେ କାଖକରି ଥିଲାବେଳେ ସେ ତାଙ୍କୁ କେତେ ମାରିଛି, ମୁହଁ ଶୁଖାଇ; ଅଭିମାନ କରି କେତେ କହିଛି । ଦାଦା ଏହିସବୁ କଥା ମନରେ ଧରି ମୁହଁଛପା ଦେଇ ରହିଛନ୍ତି ।

 

କଟକରେ ଥିଲାବେଳେ ସେ କେତେଥର ସରପାଖକୁ ଚିଠି ଦିଅନ୍ତି । ସର ତ ପଢ଼ି ଜାଣେନାହିଁ, ଆଉ ଯିଏ ହେଲେ ଚିଠିଖଣ୍ଡି ପଢ଼ିଦିଏ । ସେ ଚିଠିଖଣ୍ଡି ଧରି ପଢ଼ିବାକୁ ଚେଷ୍ଟା କରେ । ପାରେ ନାହିଁ ବୋଲି ଭାରି ହାଇଁପାଇଁ ହୁଏ । ଆଜି କାହିଁକି ଦାଦା ଚିଠି ଦେଉନାହିଁ । ସର ଏହିପରି ଭାବୁ ଭାବୁ କାନ୍ଦି ପକାଇଲା । ସରର ଳୋତକସିକ୍ତ ଚକ୍ଷୁ ଦେକି ମୋତା ଦେଈଙ୍କ ମନ ତରଳିଲା । ସେ ସ୍ୱାମୀଙ୍କ ଉପରେ ବିରକ୍ତ ହୋଇ କହିଲଊେ, ସବୁବେଳେ ପିଲାଟାକୁ ଖୁଣି ଖୁଣି ତାକୁ ଚୋର କରି ଦେଲଣି । କାହିଁକି, କଅଣ କଲାକି ?

 

ମୋତା ଦେଈଙ୍କର ରାଗ ଦେଖି ଅଭୟଚରଣ ଦବିଗଲେ । ନରମ ସ୍ୱରରେ କହିଲେ, ସେ ଘରେ କଅଣ ନୁଟୁରୁ ଖୁଟୁରୁ କରୁ କରୁ ତେଲଘଡ଼ିଟା ଭାଙ୍ଗି ଦେଲା । ଘଡ଼ିରେ ତେଲ ନାହିଁ ବୋଲି କଅଣ ସେ ଘଡ଼ି ନୁହେଁ । କେଡ଼େ ସୁନ୍ଦର ଘଡ଼ିଟି; ଖୁଁ...

 

ମୋତା ସ୍ୱାମୀଙ୍କ କଥାରେ ପ୍ରତିବାଦ ନ କରି ସରକୁ ଆଲିଙ୍ଗନ କଲେ । ଏହି ସମୟରେ ସାଧୁଚରଣ ସେଠାରେ ଉପସ୍ଥିତ ହୋଇ କହିଲେ, ବୋଉ, ଦାଦା ଚିଠି ଦେଇଛନ୍ତି ।

 

ମୁଖ ବିକୃତ କରି ଅଭୟଚରଣ କହିଲେ, ଖୁଁ-ଭାରି ତ ଦୟା । ଟୋକାଟା କୁଳାଙ୍ଗାର ହୋଇଗଲା ସାଧୁବୋଉ । କଅଣ ମିଳିବ ସେ ଅଲଣାଚିଠିରୁ । ଖାଲି ଟଙ୍କା, ଟଙ୍କା କିରେ କେଉଁଠି ଗଛରେ ଫଳୁଛି ଲେଖି ଦେ, ଯେଉଁ ଗାନ୍ଧୀର ଚେଲା ହୋଇଛ, ତୋଠୁଁ ଟଙ୍କା ଆଣିବ ।

 

ବାପା, ସେ ଟଙ୍କା ପଠାଇବାକୁ ଲେଖି ନାହାନ୍ତି ।

 

ଆରେ ହେଲା ହୋ, ଘଷି ଗୋଟା ନ କହି , ଟୋକେଇ ପକାଇ ଦେଇଛି, ଏଇ ତ ? ଆଜିକାଲି ଗାନ୍ଧିଟୋକା ଗୁଡ଼ାକ, ଖୁଁ-ଭାକୁଚିଆ ହୋଇ ଗପନ୍ତି ଯେତିକି ବନେଇ ଚୁନେଇ ଲେଖନ୍ତି ସେତିକି । କଅଣ ମିଳିବ ସେଥିରୁ, ନିଜ ଦୁଃଖକୁ ହାରିଗୁହାରି ନାହିଁ...।

 

ଏ ଚିଠି ରେଜିଷ୍ଟ୍ରି ହୋଇ ଆସିଛି ?

 

କମ୍‌ହୁସିଆର ତ ନୁହେଁ ?

 

ସେ ଟଙ୍କା ପଠାଇଛନ୍ତି ।

 

ଟଙ୍କା ପଠାଇଛ ? ବିସ୍ମିତ ହୋଇ ଅଭୟଚରଣ ପଚାରିଲେ, କେତେ ଟଙ୍କା ?

 

ହଜାର ଟଙ୍କା ।

 

ଖୁଁ, ବାପାଙ୍କ ସଙ୍ଗେ ଫେର୍‌ଥଟ୍ଟା । ହବ ନାହିଁ, କାଳ ହବ ନାହିଁ !

 

ଏଇତ ଶହେଟଙ୍କିଆ ଦଶ ଖଣ୍ଡ ନୋଟ । ସାଧୁଚରଣ ଚିଠି ଭିତରୁ ନୋଟ୍‌ତକ କାଢ଼ି ବାପାଙ୍କ ହାତକୁ ବଢ଼ାଇ ଦେଲେ ।

 

ଅଭୟଚରଣ ଗୁମ୍‌ମାରି କିଛି ସମୟ ଠିଆ ହୋଇ ରହିଲେ । କଥା କଅଣ କିଛଇ ସ୍ଥିର କରି ପାରିଲେ ନାହିଁ ।

 

ମୋତା ବିସ୍ମୟବିସ୍ଫାରିତ ଚକ୍ଷୁରେ ସ୍ୱାମୀଙ୍କର ମୁଖକୁ ବଲବଲ କରି ଚାହିଁଛନ୍ତି । କଅଣ କହିବେ କିଛି ସ୍ଥିର କରିପାରୁ ନାହାନ୍ତି ।

 

ଅଭୟଚରଣ ଧୀରେ ଧୀରେ ମୁଣ୍ଡ ଟେକି ସାଧୁଚରଣଙ୍କୁ ପଚାରିଲେ, ଚିଠିରେ ଲେଖିଛ କଅଣ ଦେଖେଁ ?

 

ସାଧୁ ନୀରବରେ ପତ୍ର ଖଣ୍ଡ ପିତାଙ୍କ ହାତକୁ ବଢ଼ାଇ ଦେଲେ । ଅଭୟଚରଣ ପତ୍ରଟିକୁ ଓଲଟ ପାଲଟ କର ବାରମ୍ୱାର ଦେଖିଲେ । କହିଲେ, ଏଥିରୁ ତ ମୁଁ କିଛି ବୁଝିପାରୁ ନାହିଁ ! ସାଧୁବୋଉ, ଶୁଣ କଅଣ ଲେଖିଛି –

 

ମାମି, ତତେ ଅନେକ ଦିନୁ ନ ଦେଖି ମନ ବିକଳ ହେଉଛି । ପ୍ରତିଜ୍ଞା କରିଛି, ଘରକୁ ଫେରିବିନାହିଁ । ତୋ ଘର ହେଲେ ମୁଁ ଯିବି ତୋ ପାଖକୁ; ବୁଢ଼ାପୁଅକୁ ଭୁଲିଯିବାକୁ ନାହିଁ । କାଲି ମୁଁ ଥିଲି କଲିକତାର ଜଣେ ଦରିଦ୍ର ଭିଖାରୀ । ଆଜି ଲୋକେ ମୋତେ କହଉଛନ୍ତି ବଡ଼ଲୋକ । ବେପାର ବଣିଜ କରି ଯାହା ଉପାର୍ଜନ କରିଛି, ସେଥିରେ ସୁଖେ ଦୁଃଖେ ଦିନାକେତେ ଭଲେ ଚଳିଯିବ । ବେଉସା ଭଲରେ ଚଳୁଛି । ଏ ଟଙ୍କା କେଇଟି ତୋ ପାଇଁ ପଠାଇଲି । ତୁ ମୋର କାଆ-। ଯେତେବେଳେ ତୋର ଯାହା ଦରକାର ହେବ ମତେ ଲେଖିବୁ ।

 

।ଇତି।

ତୋ ପୁଅ, ବିପ

 

ଚିଠି ଶୁଣି ମୋତା ସରକୁ କୋଳକରି କହିଲେ, ଦେଈଙ୍କ ପାଇଁ ଏ ଟଙ୍କା ଆସିଛି । ଯାହା କହ ପଛେ, ଏକା ପେଟରୁ ଜନ୍ମହୋଇ ସରକୁ ସାଧୁ ଯେତେ ଭଲ ନ ପାଏ, ବିପ ସେତେ ଭଲପାଆନ୍ତି । ଚକ୍ଷୁ ଛଳ ଛଳ କରି କହିଲେ, ସବୁବେଳେ ଗଳାମାଳତି କରି ବୁଲୁଥାଆନ୍ତି । ନା ଦରକାର ନାହିଁ ଆଉ ଟଙ୍କା । ଲେଖି ଦିଅ ସେ ଘରକୁ ଚାଲି ଆସନ୍ତୁ । ଘରଦ୍ୱାର ଛାଡ଼ି କେଉଁଠି ଅପନ୍ତରାରେ ପଡ଼ିଛନ୍ତି ।

 

କିଛିକ୍ଷଣ ନୀରବତା ପରେ କହିଲେ, ସତ କଥା, ସ୍ତ୍ରୀର ତିନି ଦଶା, ପୁରୁଷର କ୍ଷଣଦଶା । ସାଧୁ କହୁଥିଲା, ତା ପାଖକୁ ଯେଉଁ ଚିଠି ଦେଇ ଥିଲେ ସେଥିରେ ଲେଖିଥିଲେ ସେ କୁଆଡ଼େ ଭାରି କଷ୍ଟ ପାଇଛନ୍ତି, ଖାଇବା ପିଇବାର ଠିକ୍‌ନାହିଁ । ଅଭାବ ପାଇଁ ଉପାସ, ଭୋକରେ ପର ପିଣ୍ଡାରେ ବେଳ କଟିଛି ।

 

ସାଧୁଚରଣଙ୍କ ଆଡ଼କୁ ଚାହିଁ ଅଭୟଚରଣ କହିଲେ, ଏକଥା ତୁ ମୋତେ ଲେଖିନୁ । ମୁଁ ଶୁଣିଥିଲେ ସଙ୍ଗେ ସଙ୍ଗେ ତା ପାଖକୁ ଦଶ ତିରିଶି ଟଙ୍କା ପଠାଇଥାନ୍ତି । ଆଚ୍ଛା, ଯାହା ହେବାର ତ ହେଲା, ସାଧୁବୋଉ, କଷ୍ଟ ନ ପାଇଲେ ପିଲାଏ ଶିଖିବେ କେଉଁଠୁ, ଅକଲ ବଢ଼ିବ କେଉଁଠୁ ? ଭଗବାନ ଯାହା କରନ୍ତି ମଣିଷର ମଙ୍ଗଳକୁ । ଠକିଲେ ସିନା ଶିଖନ୍ତି । କଷ୍ଟ ପାଇଲେ ମରଦପୁଅ ସଂସାରକୁ ଚିହ୍ନେ, ଟଙ୍କାର ମୂଲ୍ୟ ବୁଝେ । ଆଉ ବିପ୍ରର ଆସିବା କଥା ଯାହା କହିଲ ମୋ ବିବେଚନାରେ ତାହା ଭଲ ହେବ ନାହିଁ । ଟଙ୍କା କମାଇବାର ବୟସ ଆସିଛି, ବିଦେଶକୁ ଡରିଲେ ହେବ ନାହିଁ । କାରଣପୁଅ, ଢ଼େଉ ଗଣି ପଇସା ଆଣେ । ବାଘ ପାଟିରେ ହାତ ପୁରାଇ ପଇସା ଟାଣେ । ତେବେ, ଖୁଁ, କଲିକତା ପରି ଜାଗା, ଟୋକା ମଣିଷ । ଜଉ ଯିଏ, ଟୋକାଏ ସେ । ପାଖରେ ପଇସା ଥିଲେ ବିଗିଡ଼ିଯିବାର ଭୟ । ତାକୁ ଲେଖିଦେଉଛି ପାଖରେ ସାମାନ୍ୟ କିଛି ଟଙ୍କା ରଖି ବାକିତକ ପଠାଇଦେଉ ।

 

ଦିନକପାଇଁ ହେଲେ ଆସିବାକୁ ଲେଖିଦେବ, ମୋତାଦେଈ କହିଲେ । ତାଙ୍କ ଗଲାଦିନୁ ମୋ ପେଟଭିତର ଖାଲି ଘାଣ୍ଟି ଚକଟି ହେଉଛି । ଏହି କୋଡ଼ରେ ସାଧୁକୁ ଯେମିତି ବଢ଼ାଇ ଆଣିଛ, ବିପକୁ ମଧ୍ୟ ସେମିତି ବଢ଼ାଇଛି । ମୋର ଆଗ ବିପ ତ, ପଛେ ସାଧୁ । ସତ କହୁଛି, ମୁଁ ଆଉ ତମ ଘର କାମକୁ ଏକୁଟିଆ ପାରିବି ନାହିଁ । ବିପଙ୍କ ହାତକୁ ଆଜି ଦିହାତ କଲେ ମୁଁ ନିଶ୍ଚିତ; ଗୋଟିଏ ଭଲ ପାତ୍ରୀ ଅନିଶା ରଖ ।

 

ହସି ହସି ଅଭୟଚରଣ କହିଲେ, ଖୁଁ-ସେ କଥା କଅଣ ମୁଁ ଭୁଲିଯାଇଛି ଭାବିଛି ? ମନେ ମନେ ଖୋଜୁଛି । ହଁ, ବିପ୍ରର ଠିକଣାଟା କଅଣ ସାଧୁ ?

 

ସାଧୁଚରଣ ମୁଣ୍ଡ ହଲାଇ କହିଲେ, ମୁଁ ଜାଣେ ନାହିଁ । ଏ ଚିଠିକୁ ମଧ୍ୟ କିଛି ଜଣାପଡ଼ୁ ନାହିଁ । ପରେ ହୁଏ ତ ଲେଖି ପାରନ୍ତି।

 

ହଁ ସେ ଲେଖିବ ଯେ-। ମୁଁ ଯାଏଁ, କହି, ଅଭୟଚରଣ ଟଙ୍କା ଓ ଚିଠି ଧରି ଦାଣ୍ଡ ଘରକୁ ଗଲେ । ସାଧୁ କାହାକୁ କିଛି ନ କହି ବାରିବାଟେ ତୋଟାକୁ ଗଲେ ।

***

 

Unknown

୧୦

 

ପନ୍ଦରଦିନ କଟିଗଲା, ସାଧୁଚରଣଙ୍କୁ ପନ୍ଦର ଘଣ୍ଟା ପରି ଲାଗିଲା ନାହିଁ । ସମୟ ଯେ କିପରି କଟିଗଲା ସେ ଠିକ୍‌ବୁଝି ପାରିଲେ ନାହିଁ । ପଢ଼ାପଢ଼ିର ନାମ ଧରି ନାହାନ୍ତି । ଖାଲି ଗାଁ ସାଙ୍ଗ ଟୋକାଙ୍କ ସଙ୍ଗେ ମିଶି ଦିପହର ଯାକ ଏ ତୋଟାରୁ ସେ ତୋଟା ବୁଲି ଆମ୍ବ ଖାଇବା ଓ ସଞ୍ଜ ବୁଡ଼େ ଚାରି ପାଞ୍ଚଜଣ ଏକାଠି ବସି କଦମଦାଣ୍ଡରେ ମଧୁରାଳାପ କରିବାରେ ଅଧିକାଂଶ ସମୟ କଟିଯାଏ-

 

ଦୁଇଦିନକୁ କଣ୍ଟ ଦେଇ ମାଉସୀଙ୍କୁ ଆସିଥିଲେ ସିନା, ମା ଛାଡ଼ି ଦେଉଛନ୍ତି କେଉଁଠି ? ମାଇପେ କି ଜାଣନ୍ତି ସମୟର ମୂଲ୍ୟ ? ପାଠ ନା ପାଠ, ପୁଅ ପୁରୀରେ ପାଠ ପଢ଼ି ପଢ଼ି ଆସିଛି । ଘରେ ଗୁଡ଼ାଏ ପଢ଼ିବ କଅଣ ? ସାଧୁ ଯେତେବେଳେ ପୁରୀ ଯିବେ ବୋଲି ମାଆଙ୍କର ଅନୁମତି ମାଗନ୍ତି, ମୋତା ବାରଣ କରି କହନ୍ତି, ହଉ ଯିବୁ ତ ଆଉ ଦିଦିନ ଯାଉ ।

 

ମାଉସୀଙ୍କୁ କଣ୍ଟ ଦେଇ ଆସିଛନ୍ତି ବୋଲି କହିବାକୁ ତାଙ୍କୁ ଲାଜ ମାଡ଼େ । ସେ କହନ୍ତି, ପଢ଼ାପଢ଼ି ମାରା ହେଉଛି ।

 

ମୋତାଦେଈ କହନ୍ତି, ଏତେଦିନ ଗଲାଣି, ଆଉ ଦୁଇଦିନ ରହ, ସବୁ ବିଷୟ ବନ୍ଦବସ୍ତ ହେଲେ ତ ଯିବୁ ।

 

ଦିନେ ସାଧୁଚରଣ ଅନ୍ୟମନସ୍କ ହୋଇ କଦମ୍‌ଦାଣ୍ଡରେ ବସିଛନ୍ତି, ମନ ମଧ୍ୟରେ କେତେବେଳେ କେଉଁ ଚିନ୍ତାର ଢ଼େଉ ଖଳି ଯାଉଛି, ଏହି ସମୟରେ ପୋଷ୍ଟ ପିଅନ୍‌ଖଣ୍ଡେ ଚିଠି ଦେଇଗଲା । ସାଧୁ ଦେଖିଲେ ପତ୍ରଖଣ୍ଡି ଜଗନ୍ନାଥ ପାଖରୁ ଆସିଛି । ସେ ବିରକ୍ତ ହୋଇ ପୋଷ୍ଟମ୍ୟାନ୍‌କୁ ପଚାରିଲେ, ଚାରିଦିନ ହେଲା ଚିଠି ଆସି ଡ଼ାକଘରେ ପଡ଼ିଛି ଆଗରୁ ଟିକିଏ ଖବର ଦେଲ ନାହିଁ କି ଚିଠିଖଣ୍ଡ କାହା ହାତରେ ପଠାଇ ପାରିଲ ନାହିଁ ?

 

ପୋଷ୍ଟମ୍ୟାନ୍ ବିନୀତ ହୋଇ କହିଲା, ଆପଣଙ୍କ ଗ୍ରାମରୁ ଏ ଭିତରେ ପୋଷ୍ଟ ଅଫିସକୁ କେହି ଯାଇ ନାହାନ୍ତି । ସେଥିପାଇଁ ଅଟକି ଯାଇଥିଲା । ଆଜି ଗାଁ ବାରି ।

 

କିଛି ନ କହି ପତ୍ର ଖୋଲିଲେ । ଭାବିଥିଲେ, ବୋଧହୁଏ ଜଗନ୍ନାଥ ପୁରୀ ଯିବାକୁ ଲେଖିଥିବ କିମ୍ବା ପିସ୍ତଲଟା ସଙ୍ଗରେ ନେଇ ପୁରୀ ଯିବାକୁ ଅନୁରୋଧ କରିଥିବ । ଚିଠିପଢା ଆରମ୍ଭ କଲେ । ଏ କ’ଣ ? ହଠାତ୍‌ସାଦୁଙ୍କର ମୁହଁ କଳାକାଠ ପଡ଼ିଗଲା । ଚକ୍ଷୁ ଛଳ ଛଳ ହେଲା । ହାତ ଥରିବାକୁ ଲାଗିଲା । ସେ ପତ୍ର ବନ୍ଦକରି, କିଛି ସମୟ ଚିନ୍ତାକଲେ । ଜଗନ୍ନାଥ ଲେଖିଛି ବୋଲି ହଠାତ୍‌ତାଙ୍କର ବିଶ୍ୱାସ ହେଲା ନାହିଁ । ମାତ୍ର ଏ ସବୁ ବିଷୟ କି ମିଛରେ କେହି କେବେ ଲେଖେ ? ସେ ଚିଠି ଖଣ୍ଡି ପୁନର୍ବାର ପାଠକଲେ ।

 

ସାଧୁ, ହଠାତ୍ ଏ ଦୁଃସମ୍ବାଦଟା ତୋତେ ଦେବାକୁ ଇଚ୍ଛା ହେଉ ନାହିଁ, ମାତ୍ର ତୋ ମାଉସୀଙ୍କର ଅନୁରୋଧ ରକ୍ଷା କରିବାକୁ ବାଧ୍ୟ ହେଲି । ଅନ୍ୟ କିଛି ଭାବିବୁ ନାହିଁ । ଦୁଇଦିନ ପାଇଁ କହିଯାଇ କୋଡ଼ିଏ ଦିନ ରହିଲୁଣି । ଗ୍ରାମକୁ ଯାଇ ଏକାଥରେ ଭୁଲିଗଲୁ ଦେଖୁଛି । ଖଣ୍ଡେ ଚିଠି ଦେବାକୁ କଅଣ ତୋର ତର ନାହିଁ ? କଅଣ ଲେଖିବି ଭାଇ, କଲମ ଯେ ଚଳୁନାହିଁ । ଆଜିକୁ ଦୁଇଦିନ ହେଲା ତୋ ହୃଦୟସ୍ପର୍ଶୀ, ଜାଣିଲେ ଦୁଃଖ ଯେତିକି ହୁଏ, କଷ୍ଟ ତତୋଽଧିକ ହୁଏ । ତୋ ମାଉସୀ ଅଦ୍ୟାପି ବିଛଣାରୁ ଉଠି ନାହାନ୍ତି । ସମସ୍ତ ବିଷୟ ଲେଖିବାକୁ ବସିଲେ ପୁରାଣ ହେବ । ସମୟାଭାବରୁ ଠିକେ ଠିକେ ଚାରିପଦ ଲେଖିଦେଲି । ତୁ ପତ୍ର ପାଇବା ସାଙ୍ଗେ ସାଙ୍ଗେ ଚାଲି ଆସିବୁ । ତୋତେ ଦେଖିଲେ ନିଶ୍ଚୟ ତୋ ମାଉସୀଙ୍କର ମନ ବଦଳିବ । ଆମେମାନେ ନିର୍ବିଘ୍ନରେ ଶବ ସଂସ୍କାର କରିଛୁଁ । ମୁଁ ପହରାବାଲା ପରି ତୋ ମାଉସୀକୁ ଗୋଡ଼େ ଗୋଡ଼େ ଜଗିଛି । ଦିନ ରାତି ସେ ପାଗଳ ପରି ହେଉଛନ୍ତି । ଟିକିଏ ଅବହେଳା କଲେ ନିଶ୍ଚୟ ଆତ୍ମହତ୍ୟା କରିବେ । ସାକ୍ଷାତରେ ସବୁ ବୁଝିବୁ । ଇତି, ତୋର ଜଗା ।

 

ସାଧୁଚରଣ ଦୀର୍ଘଶ୍ୱାସ ପକାଇ ଚକ୍ଷୁରୁ ଲୋତକ ପୋଛିଲେ । ମଉସାଙ୍କ ମୃତ୍ୟୁରେ ତାଙ୍କର ମନରେ ଯେତେଦୁଃଖ ହେଲା, ତତୋଽଧିକ ଦୁଃଖ ହେଲା ମାଉସୀଙ୍କର ଅବସ୍ଥା ବିଷୟ ଶୁଣି । ଆହା, ସେ କେଡ଼େ ଅକୃତଜ୍ଞ । ତାଙ୍କର ଏହି ଅସମୟରେ ଟିକିଏ ସାନ୍ତ୍ୱନା ଦେଇ ପାରିଲା ନାହିଁ ମାଉସୀଙ୍କ ଅକୃତ୍ରିମ ପବିତ୍ର ସ୍ନେହର ପ୍ରତିଦାନ କଅଣ ଏହାହିଁ ଥିଲା । ବିପଦର ମଝିରେ ପଡ଼ି ସେ ଘାଣ୍ଟି ହେଉଛନ୍ତି, ତାଙ୍କୁ ଚାରିଦିଗ ଶୂନ୍ୟ ଦେଖା ଯାଉଛି, ସାଧୁଚରଣ ଘରେ ବସି ମହାନନ୍ଦରେ ଦିନ କାଟୁଛି । ଏପରି ସମୟରେ ତାଙ୍କର କଅଣ କିଛି କର୍ତ୍ତବ୍ୟ ନାହିଁ ? ଜଗନ୍ନାଥ ଜଣେ ଅପରିଚିତ-। ଅନାଥା ଦେଖି, ଆଶ୍ରୟହୀନା ଦେଖି ତାର ପାଷାଣ ହୃଦୟ ତରଳିଛି । ସାଧୁଚରଣ କଅଣ ମାଉସୀଙ୍କର ଚିରଋଣୀ ହୋଇ ରହିଥିବ ?

 

ବହୁ ଚିନ୍ତା ପରେ ସ୍ଥିର କଲେ ଯେ ଅତି ଶୀଘ୍ର ପୁରୀ ଯିବେ । ପତ୍ରଖଣ୍ଡ ହାତରେ ଧରି କାନ୍ଦି କାନ୍ଦି ଘର ଭିତରକୁ ଗଲେ । ପିତା ମାତାଙ୍କର ଅନୁମତି ନ ନେଇ ସେ ଯାଆନ୍ତେ କିପରି ? ଘଟଣା ଶୁଣି ଅଭୟ ଚରଣ ମୁଣ୍ଡରେ ହାତଦେଇ କ୍ଷଣକାଳ ବସି ପଡ଼ିଲେ । ସାଧୁବୋଉ କୋଳାହଳ ଶୁଣି ସରକୁ ନେଇ ପାଖରେ ପହଞ୍ଚି ଦେଖିଲେ ସ୍ୱାମୀ ଓ ପୁତ୍ରଙ୍କର ଆଖିରେ ଲୁହ । ସେ ଭରସି କରି କିଛି ପଚାରିଲେ ନାହିଁ । ଥକକା ହୋଇ ଠିଆ ହୋଇ ରହିଲେ । କିଛିକ୍ଷଣ ପରେ ଅଭୟଚରଣ ଚୁ ଚୁ କରି ମନକୁ ମନ ବ୍ୟସ୍ତ ହୋଇ କହିଲେ, ଭଗବାନଙ୍କର କି ଅବୁଜାମଣା କଥା । ଗୋଟି ଗୋଟି ହୋଇ ସମସ୍ତେ ଚାଲିଲେ । ଖୁଁ, ମୋର ଏ ନିର୍ଲଜ ନିଉଛୁଣା ଜୀବନଟା ରହି ମାୟାରେ ପଡ଼ି ଏତେ କଲବଲ ହୋଇ ଘାଣ୍ଟି ହେଉଛି । ଭଗବାନଙ୍କର ମୋ ପ୍ରତି ଟିକିଏ ହେଲେ ଦୟା ନାହିଁ ।

 

ମୋତା ପଚାରିଲେ, କଅଣ ହେଲା କି ? ମଲାମର, ଏ କି ଅଲକ୍ଷଣା କଥା । କାଳ ବିକାଳ ଜଗିକରି ବସିଛନ୍ତି । ମରଦ ପୁଅ । ଏ ଚୁଲି ପାଉଁସ କଥା ତୁଣ୍ଡରେ ଧରନ୍ତି ?

 

ଖୁଁ, ଧଇଲେ କେତେ ନ ଧଇଲେ କେତେ । ମାଛିକୁ ଯେ ମ ନ କହନ୍ତି, ପରର ହାନି ଲାଭରେ ଯେ ନ ଥାନ୍ତି, ତାଙ୍କ ପରି ପୁଣ୍ୟବନ୍ତ ଲୋକ ତ ଚାଲିଗଲେ । ଆହା, ମଣିଷର ଜୀବନଟା କଅଣ ସାଧୁବୋଉ । ଏଇ ଚିଠି ଆସିଛି, ରସାନନ୍ଦ ବାବୁଙ୍କର କାଳ ହୋଇଗଲା । ଆଜିକି ଛ ଦିନ ହେଲା ।

 

ଆହା ହା, କଅଣ ନ କଲୁରେ ଦଇବ ନିଆଁ ଲଗା, ଜଣକୁ ନେଇ ପଛେ ପଛେ ଆଉ ଜଣକୁ ଅକୁଳ ଅଥଳ ପାଣିରେ ଭସାଇ ଦେଲୁ । ରୋଗା ହେଉନ୍ତୁ, ବୁଢ଼ା ହେଉନ୍ତୁ, ସ୍ୱାମୀତ ! ଟୋକୀଟା କାହା ମୁହଁ ଦେଖି ଜୀବନ କଟାଇବଟି ଚୁ ଚୁ....।

 

ଯମ ଏତେ କଥା ବୁଝେ ନାହିଁ । ତାଆର ଯେତେବେଳେ ଯାହାକୁ ତଲବ ଆସେ ସେ ସୁବିଧା ଅସୁବିଧା ବୁଝିବାକୁ ଅପେକ୍ଷା କରେ ନାହିଁ । ମଣିଷର ଧୂଳିଘର ଭାଙ୍ଗିଦେଇ ଜୀବନ ଫୋଟକା ପୁଙ୍କିଦେଇ ଯାଏ । ଆମେ ମୋର ମୋର ହୋଇ ପାପପୂର୍ଣ୍ଣ ସଂସାରରେ ଘାଣ୍ଟି ଚକଟି ହେଉଥାଇଁ । ଖୁଁ-ଆହା, ଯେତେବେଳେ ଆମେ ନିମାପଡ଼ାରେ ପାଠ ପଢ଼ୁଥୁଲୁ, ସବୁ ମନେ ପଡ଼ି ଯାଉଛି –

 

ମୋର ସେହି କୋକିଳ କଥା ମନେ ପଡ଼ୁଛି, ଷୋଳ ସତର ବର୍ଷର ଛୁଆଟା, ଘରେ ଥିଲେ, ଧୂଳି ଖେଳ ଭାଙ୍ଗି ନ ଥାନ୍ତା । ଆହା, କି କଲବଲ ନ ହେଉଥିବ ସେ । ଦଇବ ଏ ଦିନୁ ତା ମୁଣ୍ଡରେ ଚଡ଼କ ପକାଇଲା । ତାର ଆଉ କିଏ ଅଛି ?

 

ସାଧୁ ଆଖିରୁ ଲୁହ ପୋଛି କହିଲେ, ନା ବୋଉ; ତାଙ୍କର ଆତ୍ମୀୟ ଆଉ କେହି ନାହାନ୍ତି-। ତୁ ଯଦି କହୁ, ମୁଁ ଯାଇଁ ତାଙ୍କୁ ସଙ୍ଖୋଳି ଆସନ୍ତି ।

 

ମୋତା ଉତ୍ତର ଦେବା ପୂର୍ବରୁ ଅଭୟ ଚରଣ କହିଲେ, ଯିବା ଆବଶ୍ୟକ ନାହିଁ । ସ୍କୁଲ ଖୋଲିଲେ ଏକା ଥରକେ ଯିବୁ । ଶୁଦ୍ଧ ଘରକୁ ମୁଁ ମନିଅର୍ଡ଼ର କରି ଟଙ୍କା ପଠାଇ ଦେଉଛି । ବୁଝିଲ ନା ସାଧୁବୋଉ, ଜଣେ ମଲେ ତ ଆଉ ଜଣେ ତା ପଛରେ ଗୋଡ଼ାଇ ଯିବ ନାହିଁ, ସଂସାରରେ ଏମିତି ଜନ୍ମ ମୃତ୍ୟୁ ସବୁବେଳେ ଲାଗିଛି । ନିଜର ସୁବିଧା ତ ପୁଣି ଦେଖିବାକୁ ହେବ । ଖୁଁ-

 

ଯାହା କହିଲ ଠିକ୍‌କଥା । ଆହା, ସେହି କୋକିଳଟି, ତେମେ କଅଣ ଭାବିଛି ସବୁଦିନେ ତାଆର ଏହି ଦୁଃଖ ରହିବ ? ମୁଁ ଶୁଣିଛି, ଛାତିରେ ପରା କିଏ ପଥର ଲଦିଦିଏ ହୋ ।

 

ସେ ଚଳାଚଳ ହେବେ କିପରି ?

 

ପରଘରେ କାମଧନ୍ଦା କରି ପେଟ ପୋଷିବା କଥା ତ, ନୋହିଲେ ଉପାୟ କଅଣ ?

 

ଅଭୟ ଚରଣ କିଛି ସମୟ ଚିନ୍ତିତ ରହିଲେ । ମନେ ମନେ ତର୍କବିତର୍କ କରି ମୁଣ୍ଡ ହଲାଇ ହଲାଇ କହିଲେ, ଖୁଃ-ସାଧୁବୋଉ, ତମେ ପରା କହୁଥିଲ କାମକୁ ପାରୁନା, ଆଚ୍ଛା ମୁଁ ଗୋଟାଏ ଉପାୟ କରୁଛି ରହ । ରସାନନ୍ଦର ସନା ଚାଷଜମି ନାହିଁ, ପୁରୀରେ ତାଙ୍କ ବାପେ ଯେଉଁ ଘରବାଡ଼ି କରି ଯାଇଛନ୍ତି ତାହାର ମୂଲ୍ୟ ଏକ ହଜାର ଟଙ୍କାରୁ କମ୍‌ହେବ ନାହିଁ । ରସାନନ୍ଦଙ୍କ ପରେ ତାଙ୍କର ବିଧବା ସ୍ତ୍ରୀ ହେବେ ସେ ସମ୍ପତିର ଅଧିକାରିଣୀ । ସେ ତ ଏହିକ୍ଷଣି ଯାହା କହିଲ-ଖୁଁ-,ଅଥଳ ଜଳରେ ଭାସୁଛନ୍ତି । କୂଳ କିନାରା କିଛି ନାହିଁ । କୁଟା ଖଣ୍ଡେ ଦେଖିଲେ ବିକଳରେ ହାତ ବଢ଼ାଇବେ । ଏତେବେଳେ ହାତଛଡ଼ା କଲେ ଚଳିବ ନାହିଁ । ନା କଣ କହୁଛ ?

 

ଅବିକଳ ମୁଁ ସେହିକଥା ଭାବୁଥିଲି । ସେ କିଛି ତମ ଘରେ ମାହାଳିଆ ଖାଇବ ନାହିଁ, ବଅସ ଅଛି, ଚାରି ପାଇଟି କରିବ, ପିଲାଙ୍କ ଖବର ଅନ୍ତର ବୁଝିବ ।

 

ବେଶ୍ ବେଶ୍‌ । ତେବେ ସାଧୁ ଆଜି ସଞ୍ଜଗାଡ଼ିରେ ଯାଉ । ସାଙ୍ଗରେ ଟଙ୍କା ତିନିଶହ ନେଇଯାଉ । ଶୁଦ୍ଧିଘର କାମ ସରିଲେ ବସାଘରରେ କୋଲପ ଦେଇ ତାଙ୍କୁ ସଙ୍ଗରେ ନେଇ ଚାଲି ଆସିବ । ତା ପରେ ଯାହା କରିବାର ମୁଁ କରିବି । ଆଉ ଦେଖ୍‌, କହିବୁ ବାପା ଏ ତିନିଶ ପଠାଇଛନ୍ତି-। ଯାହା ଖର୍ଚ୍ଚ ହେବ ତାଆରି ହିସାବ ଦେବୁ । ବାଜେ ଖର୍ଚ୍ଚ କରିବା ଉଚିତ ନୁହେଁ । ଯେ ମଲା, ସେ ଗଲା । ସେ କ’ଣ କିଛି ଦେଖୁଥାଏ ? ଯେତେ କମ୍‌ରେ ହୋଇପାରେ, ବୁଝିଲୁ ?

 

ଘୃଣାରେ ସାଧୁଚରଣଙ୍କର ଓଠ ଥରି ଆସିଲା । ଯାହା ହେଉ, ଯିବାର ଗୋଟାଏ ଉପାୟ ମିଳିଛି । ସେ ଅତି କଷ୍ଟରେ କହିଲେ, ହେଉ ।

***

 

୧୧

 

ରଥଯାତ୍ରା ଦେଖିବାକୁ ଭାରତର ଅଧିକାଂଶ ସ୍ଥାନରୁ ଯାତ୍ରୀଦଳ ଆସି ବଡ଼ ଦାଣ୍ଡରେ ଠୁଳ । ଲୋକଙ୍କର କୋଳାହଳ ଓ ଯାତାୟତରେ ହୁଲସ୍ତୁଲ କମ୍ପୁଛି । ବିଚିତ୍ର ଏ ଦୃଶ୍ୟ, ଆନନ୍ଦପ୍ରଦ । ଲୋକଙ୍କର କଳନା ନାହିଁ । ସ୍ତ୍ରୀ ପୁରୁଷ, ବାଳକ, ବୃଦ୍ଧ, ସମସ୍ତେ ଏକତ୍ର ରୁଣ୍ଡ । ଦେବ ଦର୍ଶନ କରିବାକୁ ସମସ୍ତେ ଉଚ୍ଛନ୍ନ । ଜାତି, ପଦ, ମାନ ଏବଂ ଭାଷାର ପାର୍ଥକ୍ୟ ବିଶାଳ ଭକ୍ତି ସ୍ରୋତରେ ବିଲୀନ । ବ୍ରାହ୍ମଣ, ଚାଣ୍ଡାଳ, ଧନୀ, ନିର୍ଧନ, ପଣ୍ଡିତ, ମୂର୍ଖ ଓ ବଙ୍ଗାଳି ଓଡ଼ିଆ ମଧ୍ୟରୁ ଆଜି ଭେଦ ଭାବ ଉଠିଯାଇଛି । ସମସ୍ତେ ଏକ ମନ ହୋଇ ଭକ୍ତି-ବିହ୍ୱଳ ପ୍ରାଣରେ ଦର୍ଶନ କରିବାକୁ ଅନାଇଁ ରହିଛନ୍ତି ।

 

ଦ୍ୱିତଳ ପ୍ରାସାଦମାନଙ୍କ ଉପରେ ସ୍ତ୍ରୀ-ପୁରୁଷ ଏକତ୍ର ଏହି ସମସ୍ତ ଅଭିନବ ଦୃଶ୍ୟ ଦେଖିବାକୁ ସ୍ଥିର ଚକ୍ଷୁରେ ତଳକୁ ଚାହିଁ ରହିଛନ୍ତି । ବଡ଼ଦାଣ୍ଡର ଦୁଇପାଖରେ ଅବସ୍ଥିତ କୋଠାମାନଙ୍କରେ ଲୋକ ଭିଡ଼ । ନାନା ରଙ୍ଗର ଲୁଗାପିନ୍ଧି, ନାନା ପ୍ରକାର ଗହଣାଗଣ୍ଠି ନାଇ, ଦେଶ ବିଦେଶ ସ୍ତ୍ରୀଲୋକମାନେ ଘଣ୍ଟାକ ପାଇଁ ହାତକ ଜାଗାକୁ କୋଠାବାଲାକୁ ଦଶ ପାଞ୍ଚ ଗଣିଦେଇ ନିଶ୍ଚିନ୍ତରେ ବସି ଦେଖୁଛନ୍ତି । ଗୋୟେଙ୍କା ଓ ଅନ୍ୟାନ୍ୟ ଧର୍ମଶାଳାମାନଙ୍କର ଅବସ୍ଥା ତଦ୍ରୂପ । ଝରକାମାନଙ୍କରେ ଜୁଳୁ ଜୁଳୁ ଚକ୍ଷୁମାଳ ।

 

ବଡ଼ଦାଣ୍ଡ କଡ଼ରେ ଗୋଟିଏ ମନୋହାରୀ ଦୋକାନରେ ଠିମ ହୋଇଥିଲା ଜଗନ୍ନାଥ । ବେଶଭୂଷାର ପାର୍ଥକ୍ୟ ଦେଖାଯାଉ ନାହିଁ । ମୁଖରେ ଉଦ୍‌ବିଗ୍ନତାର ଚିହ୍ନ । ମନ ଚଞ୍ଚଳ । ତରଙ୍ଗ ହୋଇ ସନ୍ଦେହ ପୂର୍ଣ୍ଣ ଚକ୍ଷୁରେ ଚାରିଆଡ଼କୁ ଚାହୁଁଛି । ତାର ତୀକ୍ଷ୍‌ଣ ଦୃଷ୍ଟି ସମ୍ମୁଖସ୍ଥ ଏ କୋଠାକୁ ସେ କୋଠା ବିଚରଣ କରି କାହାର ଅନ୍ୱେଷଣ କରୁଛି । ସ୍ଥାନେ ସ୍ଥାନେ ଅଟକି ରହୁଛି ମିନିଟିଏ ଦି ମିନିଟି-। ଖୋଜୁଥିବା ଲୋକର ପତ୍ତା ମିଳୁ ନାହିଁ । ମନୁଷ୍ୟ ସାଗର ମଧ୍ୟରେ ପ୍ରତ୍ୟେକ ପ୍ରତ୍ୟେକଙ୍କର ସତ୍ତା ହଜାଇ ବସିଛନ୍ତି ।

 

ପରିଚିତ ଦୋକାନୀଟି ଥଟ୍ଟାକରି କହିଲା, ଜଗବାବୁ, ଯାହାକୁ ଦେଖିବାକୁ ଏତେ ଲୋକ ଜମା ହୋଇଛନ୍ତି, ତାକୁ ଦେଖିବାକୁ ଯା ଆକାଶକୁ ଚାହୁଁଛ କାହିଁକି ?

 

ଆବେ ତୁ ବୁଝୁନୁକି ? କାଳିଆ ବେହିପା ଆମ ଘରର ଠାକୁର, ଯେବେ ଇଚ୍ଛା ଦର୍ଶନ ମିଳିବ । ଆକାଶକୁ ଚାହିଁବାର ସୁଯୋଗ ଯେ ବରଷକେ ଥରେ ।

 

ଠିକ୍‌କହିଲ । ତେବେ, ସବୁ ବର୍ଷ ତ ସୁଯୋଗ ମିଳେ । ଯା, ଯା, କାଳିଆକୁ ଦେଖିବ ।

 

ସବୁ ବର୍ଷତ କାଳିଆର ପର୍ବ ଦେଖୁଛି । ଅଜାଙ୍କ ଅମଳରୁ ଯାହା ଅଛି ସେଇଆ । ନୂଆ କିଛି ନାହିଁ । କିନ୍ତୁ ଭାଇ, ଆକାଶର ଶୋଭା ସବୁବେଳେ ନୂଆ । କେତେବେଳେ କେଉଁ ତରା ଆସି ଆକାଶର ଚେହେରା ବଦଳାଇ ଦେଇ ଯାଉଛି ତାର କଳନା ନାହିଁ ।

 

ଦିନ ଦି ପହରେ ତରା ଉଠନ୍ତି ?

 

ହ୍ୟାପ୍, ଖାଲି ତରା ! ଆକାଶରେ କେବେ ସିନା ଗୋଟାଏ ଚାନ୍ଦ ଉଠେ, ଆଜି ଯେ ଚାନ୍ଦର କଳନା ନାହିଁ !

 

ଜଗନ୍ନାଥ ହସି ହସି ବଡ଼ଦାଣ୍ଡ ଉପରକୁ ଓହ୍ଲାଇ ପଡ଼ିଲା । ସିଗାରେଟ୍‌ଖଣ୍ଡେ ଲଗାଇ ଦିଆସିଲିଟି ପକେଟରେ ରଖୁ ରଖୁ ହଠାତ୍‌ଖଣ୍ଡେ ଚିଠିରେ ତାର ହାତ ବାଜିଲା । ସତର୍କତାର ସହିତ ଚିଠିଖଣ୍ଡ ପକେଟରୁ କାଢ଼ିଲା । ଚାରି ଆଡ଼କୁ ଥରେ ଅନାଇଁ ପତ୍ରଖଣ୍ଡି ଧୀରେ ଧୀରେ ଖୋଲି ପାଠକଲା । ମୁଣ୍ଡ ଟୁଙ୍ଗାରି ମନକୁ ମନ ହସି କହିଲା ଓହୋ, ମରାଲିଷ୍ଟ ?

 

ବଚ୍ଚା ଜଗା ହାବୁଡ଼ରୁ ଯିବୁ କୁଆଡ଼େ, ରହ ।

 

ଚିଠିଖଣ୍ଡି ଛାତି ପକେଟରେ ରଖି ଖଣ୍ଡିଆ ନିଶରେ ହାତ ମାରୁ ମାରୁ ଆଗକୁ ଚାଲିଲା । କିଛିଦୂର ଯାଇ ଆଗ ପଛକୁ ଚାହିଁ ମନକୁ ମନ କହିଦେଲା, ବିଳମ୍ବେନାଳମ୍‌ । ହାଃ-ହାଃ...। ସାଧୁ, କୋକିଳ, ତମର ମାନ ମହତ୍ତ୍ୱ ତୁମ ଜୀବନର ସୁଖ, ଜଗା ବଜାର ଖଣ୍ଡେ ଚିଠିରେ ରଖିଛି ।

 

ପହଣ୍ଡିବିଜେ କାମ ସରିଲା । ଲୋକେ ଚିତ୍କାର କରି ବଡ଼ଠାକୁରଙ୍କ ରଥର ଦଉଡ଼ା ଧରିଲେ । ସାରଥି ବେତ ଧରି ନାଚି ନାଚି ଉଚ୍ଚ ସ୍ୱରରେ ଖଟ୍ୱାଙ୍ଗ ପୁରାଣରୁ କାଣ୍ଡେ ଆରମ୍ଭ କଲେ । ପ୍ରଥମ ଅଧ୍ୟାୟ ସମାପ୍ତ ହେଲା । ଲୋକେ ଦ୍ୱିଗୁଣ ଉତ୍ସାହରେ ରଥ ଟାଣିଲେ । ଜଗନ୍ନାଥ ଏ ଆନନ୍ଦରେ ଯୋଗ ଦେବାକୁ ପଛକୁ ଫେରିଲା ନାହିଁ । ଲୋକଙ୍କର କୋଳାହଳ ଶୁଣିବାକୁ ମୁହୂର୍ତ୍ତେ ଅପେକ୍ଷା କଲା ନାହିଁ । କେଉଁ ଉଦ୍ଦେଶ୍ୟରେ କେଜାଣି, ସେ ଦ୍ରୁତ ପଦରେ ଆଗକୁ ଛୁଟିଲା ।

 

ମେଘ ଅନ୍ଧାର ଚାରିଆଡ଼େ ଘୋଟିଗଲାଣି । ବିଜୁଳି ଘନ ଘନ ମାରୁଛି । ଭୟରେ ସାହି ଲୋକେ ନିଜ ନିଜର ଗୃହ ଆଶ୍ରୟ କଲେ । ଯାତ୍ରୀମାନେ ରଥ ଟଣା କାର୍ଯ୍ୟ ସମାପ୍ତ କରି ଜୀବନ ବିକଳରେ କିଏ କେଉଁଠି ଆଶ୍ରୟ ଗ୍ରହଣ କଲେ । ପୁରୀର ରାଜପଥମାନ ପ୍ରାୟ ଜନଶୂନ୍ୟ । ଶ୍ରୀକ୍ଷେତ୍ରର ଇତିହାସରେ ଏହା ଏକ ନୂତନ ଘଟଣା । ଏକେ ତ ଦୁର୍ଗମ ରାତି, ତହିଁରେ ପୁଣି କଲେରା ରୋଗରେ ଶହ ଶହ ଲୋକ ଶ୍ରୀକ୍ଷେତ୍ର ଲାଭ କରୁନ୍ତି, ଲୋକେ ଭୟରେ କଞ୍ଚାପାଣି । ସଞ୍ଜହେଲେ ଘରଦ୍ୱାର ବନ୍ଦ । ସାହୀ ଲୋକ ପଦାକୁ ବାହରୁଛନ୍ତି କେତେକ ।

 

ସେଇ ଦୁର୍ଗମ ରାତ୍ରରେ ଜଗନ୍ନାଥ ଗୋଡ଼ ଚିପି ଚିପି ଆସି ଝରକାରେ ହାତ ମାରିଲା । ଝରକା ଫାଙ୍କ ଦେଇ ପଦାକୁ ଆସୁଥିବା କ୍ଷୀଣ ଆଲୋକରେଖା ସାହଯ୍ୟରେ ଦେଖିଲା, କୋକିଳ ଅଧାଶୁଆ ଠାଣୀରେ ମୁଣ୍ଡରେ ହାତ ଦେଇ ଖଟ ଉପରେ ବସିଛନ୍ତି । ପାଖରେ ଦିଟା ବୋତଲ ଓ ଗୋଟିଏ କାଚ ଗ୍ଲାସ ରଖା ହୋଇଛି । ଚକ୍ଷୁରୁ ଦୁଇ ଧାର ଲୁହ ଗଡ଼ି ପଡ଼ୁଛି ।

 

ଜଗନ୍ନାଥ ତାଙ୍କ କାର୍ଯ୍ୟ ପ୍ରତି ନିଘା ରଖିଲା ।

 

କୋକିଳ ଗିଲାସଟିକୁ ମୁହଁ ପାଖରେ ଧରି ପୁଣି ଫେରାଇ ଆଣିଲେ । ତାଙ୍କର ମଳିନ ଚକ୍ଷୁ ବିସ୍ଫୋରିତ ହୋଇ ଝଲସି ଉଠିଲା । ଗିଲାସଟି ରଖିଦେଇ ପ୍ରଳାପ କଲାପରି ମନକୁ ମନ କହି ଉଠିଲେ, ଏ ବୋତଲ ଆଣିଲ କାହିଁକି ସାଧୁ ? କେତେଦିନ ଅପେକ୍ଷା କରିବି ? ଦୁଇ ଦିନ ପରେ ଆସିବ କହି ଠକିଦେଇ ଚାଲିଗଲ । ନା, ଏହିଥର ନିଶ୍ଚୟ ।

 

ପୁଣି ଗିଲାସଟିକୁ ଓଠରେ ଲଗାଇଲେ । ହାତ ଥରି ଉଠିଲା ।

 

ଜଗନ୍ନାଥ ବୁଝିଲା । ଝରକା ପାଖରୁ ଉଠିଗଲା । ଦ୍ୱାରରେ ହାତ ମାରିବା ସଙ୍ଗେ ସଙ୍ଗେ କବାଟ ଫିଟିଗଲା । ବୋଧହୁଏ କବାଟ ବନ୍ଦ କରିବାକୁ କୋକିଳ ଦେଈଙ୍କର ମନେ ନାହିଁ । ସେ ଏକାଥରେ ଯାଇ କୋକିଳ ଦେଈଙ୍କ ଆଗରେ ଠିଆ ହୋଇଗଲା ।

 

କୋକିଳ ଜଗନ୍ନାଥକୁ ଦେଖି ଟିକିଏ ଶଙ୍କିଗଲେ । କମ୍ପିତ ହସ୍ତରୁ ଗିଲାସଟି ତଳେ ଖସିପଡ଼ି ଚୂନା ହୋଇଗଲା । ସେ ଭୟରେ ଥରି ଥରି ଅସ୍ତବ୍ୟସ୍ତ ହୋଇ ତଳେ ଠିଆଦେଲେ । ମୁହଁରୁ କଥା ବାହାରିଲା ନାହିଁ । ଜଗନ୍ନାଥ ସୁବିଧା ପାଇ କୋକିଳ ଦେଈଙ୍କ ହାତ ଧରି ଧୀରେ ଧୀରେ ପଚାରିଲେ, ଗିଲାସରୁ କଅଣ ପିଇବାକୁ ବସିଥିଲ କି ?

 

କୋକିଳ ଭୟରେ ଗଳା ଥରାଇ କହିଲେ, ପା....ଣି....।

 

ଏ ପାଣି ନୁହେଁ, ଆଉ କିଛି ।

 

କୋକିଳ ବିରକ୍ତ ହୋଇ ଜଗନ୍ନାଥର ହାତରୁ ହାତ ଟାଣିନେଇ କହିଲେ, ସେଥିରେ ତମର ଥାଏ କଅଣ ଜଗନ୍ନାଥ ବାବୁ । ମୋର ଯାହା ଇଚ୍ଛା ମୁଁ ଖାଇବି, ଆପଣ ବାଧା ଦେଇ ପାରିବେ ?

 

ହଁ, ବାଧାଦେଇ ପାରିବି । କହ ଜଗନ୍ନାଥ ବୋତଲ ଦିଓଟି ଝରକା ଖୋଲି ପଦାକୁ ପକାଇଦେଲା । କହିଲା, ସାଧୁ ଆସିବାଯାଏ ତମର ଭଲମନ୍ଦ ପାଇଁ ମୁଁ ଦାୟୀ ।

 

ଉଚ୍ଚସ୍ୱରରେ ହସି ହସି କୋକିଳ କହିଲେ, ସାଧୁଚରଣ । ସେ ଆସିବେ ବୋଲି ମନେ କରୁଛନ୍ତି ଜଗନ୍ନାଥବାବୁ? ଆସନ୍ତୁ ବା ନ ଆସନ୍ତୁ, ସାଧୁଚରଣଙ୍କଠେଇଁ ବା ଆପଣଙ୍କଠେଇଁ ମୋର ଥାଏ କଅଣ ? ବେଳ ଥାଉଁ ଥାଉଁ ମୁଁ ମୋର ବୁଝିଲା କାମ ଶେଷ କରି ଦେବି ।

 

ବିଷ ଖାଇ ଆତ୍ମହତ୍ୟା କରିବ ?

 

ଆତ୍ମହତ୍ୟା ! କହି କୋକିଳ ଚମକି ଉଠିଲେ । ଚିନ୍ତାକରି କହିଲେ, ଆତ୍ମହତ୍ୟା କଲେ କ୍ଷତି କଅଣ ? ଏହାଛଡ଼ା ଅନ୍ୟ ବାଟ ନାହିଁ । ଜୀବନଟା ଯାକ ଟିକି ଟିକି ହୋଇ ମରିବା ଅପେକ୍ଷା ଏକାଥରେ ମରି ଯିବା ଭଲ । ଲୋକ ତ୍ରାହିଗତି ପାଇଯିବ । ମଲାପରେ ଯେ ଯାହା କହିବାର କହୁ, ଶୁଣିବାକୁ ତ ନ ଥିବି ।

 

ଆତ୍ମହତ୍ୟା ମହାପାପ ।

 

ଭିତରେ ଯାହାର ନିଆଁ ଜଳୁଥାଏ, ସେ ଅନ୍ଧ । ତାକୁ ପାପ ପୁଣ୍ୟ କିଛି ଦିଶେ ନାହିଁ ।

 

ସେ ନିଆଁ କ’ଣ କେହି ନିଭାଇ ପାରିବେ ନାହିଁ ?

 

ମୁଁ ଏତେ କଥାର ଜବାବ ଦେବାକୁ ରାଜି ନୁହେଁ । ବିପଦବେଳେ ବନ୍ଧୁ ରୂପେ ମୋ ପାଖରେ ଠିଆ ହୋଇ ମୋଅର ଉପକାର କରିଛନ୍ତି, ସେଥିପାଇଁ ମୁଁ ଋଣୀ । ନିଆଶ୍ରା ଦେଖି ଅପରିଚିତା ହେଲେ ମଧ୍ୟ ଆପଣ ମୋ ପାଇଁ ଅନେକ କଷ୍ଟ ସ୍ୱୀକାର କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦେଉଛି ।

 

ଜଗନ୍ନାଥ କହିଲା, ଦେଖ, ମନକୁ ଅଧୀର କଲେ ଜୀବନ ବୃଥା ହୋଇଯିବ । ଜୀବନର ସାର ସମୟ ଯୈାବନ । ଯୈାବନଟା ରହେ କେତେଦିନ ? ଇନ୍ଦ୍ରଧନୁର ଶୋଭାପରି କ୍ଷଣେ ରହି ପରକ୍ଷଣରେ ଉଭେଇ ଯାଏ ।

 

କୋକିଳ ଜଗନ୍ନାଥର କଥା ଶୁଣି ନୀରବ ହେଲେ ।

 

ଜଗନ୍ନାଥ ମୁରୁକି ହସି କହିଲା, ମନୁଷ୍ୟ ଜନ୍ମୁହୁଏ ମରିବାକୁ । ଚିରଦିନ କେହି ବଞ୍ଚି ରହେନାହିଁ । ଯେତେ ପ୍ରିୟପାତ୍ର ହେଉ ପଛେ ଯେ ମରିଯାଏ, ତା ପାଇଁ ଚିନ୍ତା କରିବା ମୂର୍ଖତା । ଯେତେଦିନ ବଞ୍ଚିରହିବା, ଜୀବନକୁ ସୁଖରେ କଟାଇବାକୁ ଚେଷ୍ଟା ନ କରିବ କାହିଁକି ?

 

କୋକିଳ ଦେଈଙ୍କର ଚକ୍ଷୁ ପ୍ରଦୀପ୍ତ ହେଲା । ସେ ଦୀର୍ଘଶ୍ୱାସ ପକାଇ ଜଗନ୍ନାଥର କଥା ଚିନ୍ତାକଲେ । ସତ କଥା, ଜୀବନଟା ଯଦି ଦୁଃଖମୟ ହେବାର କଥା, ତାକୁ ସୁଖମୟ କରିବାକୁ ଚେଷ୍ଟାକଲେ କ୍ଷତି କଅଣ ! ସେ ଲଜ୍ଜିତା ହୋଇ କହିଲେ, ଉପାୟ ଦେଖି ପାରୁନାହିଁ । ଖାଲି ପେଟକୁ ଗଣ୍ଡାଏ ଖାଇ...।

 

ଆଜିକାଲି ସମାଜରେ ବିଧବାବିବାହ ପ୍ରଥା ପ୍ରଚଳିତ ହେଲାଣି ।

 

କୋକିଳ ଅଶ୍ରୁପୂର୍ଣ୍ଣ ନେତ୍ରରେ କହିଲେ, ମୋତେ କଅଣ ବିଧବା ମନେ କରିଛନ୍ତି ଜଗନ୍ନାଥ ବାବୁ ? କାହିଁକି ମୋତେ ଦେଖିଲେ କଅଣ-ଏଇ ତ ମୋ ହାତରେ ସୁନାର ଚୂଡ଼ି ରହିଛି । ରସାନନ୍ଦ ବାବୁଙ୍କ ମରଣ ଆଗରୁ ମୁଁ ଯେଉଁ ଅଳଙ୍କାର ନାଇଥିଲି ତହିଁରୁ ଗୋଟିଏ ହୋଇ ତ ଉତାରିନାହିଁ ।

 

ତମେ ଜୀବନ ଯୈାବନର ପ୍ରକୃତ ଅର୍ଥ ବୁଝ । ରସାନନ୍ଦ ବାବୁଙ୍କୁ ବିବାହ କରିଥିଲ ବୋଲି ତ..

 

ବିବାହ କରିଥିଲି କିଏ କହିଲା ? ମୁଁ କ’ଣ ହାତରେ ବରଣମାଳା ଘେନି ରୋଗଣା ବୁଢ଼ା କଙ୍କାଳକୁ ବରଣ କରିଥିଲି ? ଆପଣ ଯଦି ମୋ ପରି ଆଶ୍ରୟହୀନା ହୋଇଥାନ୍ତେ, ଏପରି ଗୋଟିଏ ଲୋକକୁ ବରଣ କରିବାକୁ ରାଜି ହୁଅନ୍ତେ ? ଏବେ ଯଦି କିଏ ଜୋର କରି ଆପଣଙ୍କୁ ଜଣେ ରୁଗ୍‌ଣା ବୃଦ୍ଧା ସଙ୍ଗେ ବିବାହ କରି ଦିଅନ୍ତେ, ଆପଣ କରନ୍ତେ କଅଣ ? ଆପଣ ଯୁବକ, ଶକ୍ତି ଅଛି । ସମାଜର ବନ୍ଧନ ଛିଡ଼ାଇ ଦେଇ ଚାଲି ଆସନ୍ତେ । ମୁଁ ଅବଳା ନାରୀ । ମୋର ଚାରା ନାହିଁ । ତା ବୋଲି କଅର ମୋର ଜୀବନ ଉପରେ ଅଧିକାର ନାହିଁ ?

 

ନିଶ୍ଚୟ ଅଛି ।

 

ଆପଣ କହିଲେ, କାରଣ ଆପଣ ମୋର ଦୁଃଖ ବୁଝି ପାରିଲେ । ସମାଜ ତାହା ବୁଝିବାକୁ ଯିବନାହିଁ । ଯଦି ମୁଁ ବିବାହ କରେ, ଲୋକେ ହସିବେ, ମୋତେ ଘୃଣା କରିବେ । କେହି ବୁଝିବ ନାହିଁ ଯେ ମୋର ଦେହ ଓ ମନ ବିଧବା ନୁହେଁ । ସମାଜର ନିୟମ ମତେ ବିଧବା କରିଛି । ତେଣୁ ଲୋକେ ମୋତେ କହିବେ ବିଧବା ।

 

ଲୋକଙ୍କ କଥାକୁ ଖାତିରି ନ କଲେ ହେଲା । ଯେଉଁ ସମାଜ ଲୋକର ଦୁଃଖଶୋକ ବୁଝିବାକୁ ଚେଷ୍ଟା ନ କରି ଆଖିବୁଜି ବସେ, ସେ ସମାଜର କଥାରେ ଭ୍ରୂକ୍ଷେପ ନ କଲେ ହେଲା । ଠାକୁରେ ଆମୁକୁ ମଧ୍ୟ ଜୀବନ ଦେଇଛନ୍ତି । ଆମେ ନିଜର ଜୀବନକୁ ସୁଖମୟ କରିବାକୁ ଚେଷ୍ଟା କରିବା ।

 

କୋକିଳ ଉଦ୍‌ବିଗ୍ନତାର ସହିତ ଜଗନ୍ନାଥର ହାତଧରି କହିଲେ, ଜଗନ୍ନାଥ ବାବୁ, ଆଜି ମୋର ଧାରଣା ଆପଣଙ୍କ ପ୍ରତି ବଦଳି ଯାଇଛି । ମୁଁ ଦେଖୁଛି, ଆପଣ ଅତି ଉଦାର । ଯଦି ବିବାହ କରିବାକୁ ମୁଁ ପ୍ରସ୍ତୁତ ହୁଏ ସମାଜକୁ ଭ୍ରୂକ୍ଷେପ ନ କରି ମୋତେ ଗ୍ରହଣ କରିବାକୁ କେହି ଆଗଭର ହୋଇ ପାରିବ ?

 

ଜଗନ୍ନାଥ ଅବାକ୍‌ ହୋଇ କୋକିଳ ଦେଈଙ୍କ ମୁହଁକୁ ଅନାଇ ରହିଲା । ସତେ କଅଣ କୋକିଳ ଦେଈ ମନର କଥା କହୁଛନ୍ତି ? ସେ ଥଙ୍ଗେଇ ଥଙ୍ଗେଇ କହିଲା, କିପରି ଯୁବକ ?

 

କୋକିଳ ହାସ୍ୟଭରା ମୁଖରେ କହିଲେ, ଧନୀ ହେଉନ୍ତୁ, ଦରିଦ୍ର ହେଉନ୍ତୁ, ବ୍ରାହ୍ମଣ ଚଣ୍ଡାଳ ଯେ କେହି ଦେଉନ୍ତୁ, ମୁଁ ଚାହେଁ ବନ୍ଧୁ, ସାଥୀ, ଯାହାଙ୍କର ଗୋଡ଼ତଳେ ନିଜକୁ ମୁଁ ସମର୍ପି ଦେବି ।

 

ଜଗନ୍ନାଥ ଅଧିର ହୋଇ କହିଲା, ଆକାଶରେ ଚାନ୍ଦ ପାଇବାକୁ ମୁଁ ବା ହାତ ବଢ଼ାଇବି କାହିଁକି କୋକିଳ ଦେଈ ? ତୁମକୁ ନିଜର କରିବାକୁ ସମାଜର ସହସ୍ର ବନ୍ଧନ ଛିଡ଼ାଇ କେଉଁ ଯୁବକ ଆଗେଇ ନ ଆସିବ ? କିଏ ନ ଚାହିଁବ ତମର ଗୋଲାପି ଗଣ୍ଡରେ ପ୍ରେମର ମୋହର ଆଙ୍କିବାକୁ ? ଜଗନ୍ନାଥ ଆଜି ତମରି ପାଇଁ ପାଗଳ । ତମରି ହୃଦୟ ଲାଭ କରିବାକୁ ତମରି ସେଥିରେ ସେ ନରକ ଯିବାକୁ ପ୍ରସ୍ତୁତ ।

 

କୋକିଳ ଦେଈ ଅଶ୍ରୁଭରା ନୟନରେ କ୍ଷଣକାଳ ଜଗନ୍ନାଥର ମୁଖକୁ ଚାହିଁ ରହିଲେ । ତାର ଆପାଦମସ୍ତକ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ଦୀର୍ଘଶ୍ୱାସ ପକାଇ କହିଲେ, ଆପଣ ବିବେଚନା କରି ପ୍ରାଣର କଥା କହୁଛନ୍ତି ଜଗନ୍ନାଥ ବାବୁ ? ଭାବି ଦେଖନ୍ତୁ, ମୋପରି ଜଣେ ଅନାଥନୀକୁ ବେକରେ ବାନ୍ଧି ସମାଜ ଆଗରେ ମୁଣ୍ଡ ଟେକି ବାଟଚାଲି ପାରିବେ ?

 

ଭଗ୍ନ କଣ୍ଠରେ ଜଗନ୍ନାଥ କହିଲା, ପାରିଲେ ପାରିବି, ନୋହିଲେ ସମାଜ ତ୍ୟାଗକରି ତୁମକୁ ହୃଦୟରେ ଧରି ଦେଶତ୍ୟାଗୀ ହେବି ।

 

ଜଗନ୍ନାଥ ସ୍ପନ୍ଦିତ ହୃଦୟରେ କୋକିଳ ଦେଈଙ୍କୁ ଆଲିଙ୍ଗନ କରିବାକୁ ବସିଲା । କୋକିଳ ଭୀତା ହୋଇ ପଛକୁ ଘୁଞ୍ଚିଗଲେ । ବିରକ୍ତି ହୋଇ କହିଲେ, ଉତ୍ତେଜନାର ଦାଉରେ ଭଦ୍ରତାର ବାହାରକୁ ଯାଆନ୍ତୁ ନାହିଁ । ମୁଁ କୁଳଟା ନୁହେଁ, ମୁଁ ବେଶ୍ୟା ନୁହେଁ । ମୁଁ କୁଳକନ୍ୟା । ସମାଜ ଚକ୍ଷୁରେ ଯାହାଙ୍କର ହାତଧରି ଏ ଘରେ ମୁଁ ଗୋଡ଼ ଦେଇଥିଲି, ଆଇନ୍ ଆଖିରେ ତାଙ୍କର ମୋ ଉପରେ ସମସ୍ତ ଅଧିକାର ଥାଇ ମଧ୍ୟ ସେ କେବେହେଲେ ଏପରି ସାହସ କରିବାକୁ ଭାବି ନ ଥିଲେ । ଅନ୍ୟ କଥାତ ନିଆରା । ଆପଣଙ୍କର ନିର୍ଲ୍ଲଜ ପ୍ରେମ ଦେଖାଇବାର ସ୍ଥାନ ବେଶ୍ୟାଘର ।

 

ଜଗନ୍ନାଥ ଲଜ୍ଜିତ ହେଲା । ଏ କଅଣ ! ନାରୀର ମନ ବୁଝିବା ସହଜ ନୁହେଁ ! ଦେଖୁ ଦେଖୁ ପରିବର୍ତ୍ତନ ! ମନର ଦୁର୍ବଳତା ଦେଖି ସେ ଉପହାସ କରିବାକୁ ଏତେ କଥା ଫାନ୍ଦିଗଲେ ? କିନ୍ତୁ, ଜଗା ବଳାରି ପାଖରେ ସାମାନ୍ୟ ଗୋଟିଏ ବାଲିକାର ଚାଲାଖି ବଳେଇ ପଡ଼ିବ ନାହିଁ । ସେ ଲୁହା ଦେଖି ପାଣି ଦେଇ ଜାଣେ ।

 

ରାଗରେ ଫଣ ଫଣ ହୋଇ ଜଗନ୍ନାଥ କହିଲା, ଭଦ୍ରତାର ସୀମା ଲଙ୍ଘନ କରୁଛ ତମେ କୋକିଳ ଦେଈ, ମୁଁ ନୂହେଁ । ମନେ ରଖ, ଜଗନ୍ନାଥ ସାଧୁଚରଣ ନୁହେଁ ଯେ ତମର ରୋଡ଼ତଳେ ପଡ଼ି କ୍ଷମାଭିକ୍ଷା କରିବ । ହ୍ୟାପ୍, ସେ ତାର ନିଜର ବାଟ ନିର୍ବିଘ୍ନରେ ସଫାକରି ପାରେ ।

 

କୋକିଳ ଦେଈ ନିଃସହାୟ ଚକ୍ଷୁରେ ଗୃହର ଚାରିଆଡ଼କୁ ଥରେ ଅନାଇ ଗଲେ । ମନରେ ସନ୍ଦେହ ହେଲା । ଜଗନ୍ନାଥର ମୁହଁକୁ ଚାହିଁବାକୁ ତାଙ୍କର ସାହସ ହେଲାନାହିଁ । ଝରକାଟି ପୂର୍ବପରି ଖୋଲା ଅଛି । ବାହାରଟା ଉଆସ ରାତିପରି ଅନ୍ଧାରୁଆ । ବେଳେ ବେଳେ ବିଜୁଳି ଝକ୍ ଝକ୍ କରି ଚମକି ଉଠୁଛି । ବର୍ଷା ବୁନ୍ଦାର ଟପ୍ ଟପ୍ ବ୍ୟତୀତ ଜନମାନବର ସ୍ୱର ଶବ୍ଦ ନାହିଁ ।

 

ଭୟରେ କୋକିଳଙ୍କର ଅନ୍ତରାତ୍ମା ଥରି ଉଠିଲା । ସେ ଉପାୟଶୂନ୍ୟା ହୋଇ, ବିନୀତ ହୋଇ କହିଲେ, ବିରକ୍ତ ହେଲେ ? ଯଦି ମୋଓର ଦୋଷ ହୋଇଥାଏ କ୍ଷମା କରନ୍ତୁ । ସତ କହୁଛି, ମୋଓର ଅଭିଜ୍ଞତାରୁ ମୁଁ ଶିକ୍ଷା ପାଇଛି, ସହଜରେ କାହାରି କଥାରେ ପତିଆରା ଯିବ ନାହିଁ । ଠାକୁରଙ୍କ କୃପାରୁ ଯଦି ମୋ ଜୀବନରେ କେବେ ସେହି ଶୁଭ ମୁହୂର୍ତ୍ତ ଆସେ, ମୁଁ ତ ନିଜେ ହସି ହସି ଯାଇ ଆପଣଙ୍କ ଚରଣ ଆଲିଙ୍ଗନ କରିବି ।

 

ହସି ହସି ଜଗନ୍ନାଥ କହିଲା, ତମର ସେ ଅଭିଜ୍ଞତାଟା କଅଣ ଶୁଣେ ? ବୋଧହୁଏ ଅଭିଜ୍ଞତାଟି ସାଧୁଚରଣର ବ୍ୟବହାର ଦେଖି କହୁଛ ?

 

ସାଧୁଚରଣଙ୍କର ବ୍ୟବହାର ?

 

ହଁ, ତମେ ଭଲକରି ଜାଣ । ଛଳନା କଲେ ଲାଭ ନାହିଁ । ମୁଁ ବି ସବୁ ଜାଣେ । ତଥାପି, ତୁମକୁ ସ୍ତ୍ରୀରୂପେ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ।

 

ଆପଣଙ୍କର ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ । ସାଧୁ ପରି ନିରୀହ ଓ ଦେବଦୁର୍ଲ୍ଲଭ ପ୍ରକୃତିର ଯୁବକ ଆଜିକାଲି ଯୁଗରେ ଦେଖାଯାନ୍ତି ନାହିଁ । ତାଙ୍କ ଆଚରଣରେ ମଳି ଧୂଳି ନାହିଁ ।

 

ତମେ ଏ କଥା ଅବଶ୍ୟ କହିବ । ତାଙ୍କୁ ନିରୀହ, ନିଷ୍କପଟ ଓ ସତ୍‌ଚରିତ୍ର ବୋଲି ପ୍ରମାଣ କରି ନ ପାରିଲେ ନିଜ ଉପରୁ ଦୋଷଟି ଛଡ଼ାଇ ପାରିବ ନାହିଁ । ପ୍ରମାଣ ଯେ ମୋ ପାଖରେ ମହଜୁଦ୍ ଅଛି ।

 

ପ୍ରମାଣ ? ଅସମ୍ଭବ । ଯୁବକ ଯୁବତୀ ହୋଇ ମନରେ ବିକାର ନ ଆସେ କାହାର ? କିନ୍ତୁ ମୁଁ ଜୋର କରି କହିପାରେ, ବିକାରକୁ ମୂଳରୁ ମାରିବାର ଉପାୟ ସାଧୁ ଭଲକରି ଜାଣନ୍ତି ।

 

ଛଳନା କରନା କୋକିଳ ଦେଈ, ମୁଁ ସବୁ ଜାଣେ । ମୋ ଆଖିରେ ଧଳି ପକାଇବା ସହଜ କଥା ନୁହେଁ । ଜଗନ୍ନାଥ ପକେଟରୁ ଖଣ୍ଡେ ଚିଠି କାଢ଼ି ହାତରେ ଧରିଲା । ହସି ହସି କହିଲା, ପ୍ରମାଣ ଖୋଜୁଥିଲ ପରା ? ଏଇ ଦେଖ । ରସାନନ୍ଦ ବାବୁ ଯେତେବେଳେ ବୁଝି ପାରିଲେ ଯେ ଔଷଧ ନାମରେ ତମେ ତାଙ୍କୁ ବିଷ ଦେଇଛ, ସେ ତୁମକୁ ମଝି ଘରୁ ତଡ଼ିଦେଇ ଏହି ଚିଠି ଖଣ୍ଡେ ଲେଖିଥିଲେ ।

 

ଭୟରେ କୋକିଳ କଳାକାଠ ପଡ଼ିଗଲେ । ବାଧାଦେଇ କହିବାକୁ ତାଙ୍କର ସାହସ ହେଲା ନାହିଁ । ସେ ନିର୍ବାକ ହୋଇ ଜଗନ୍ନାଥର ମୁହଁକୁ ଅନାଇ ରହିଲେ । ଜଗନ୍ନାଥ ସ୍ମିତହାସ୍ୟ କରି ମୁଣ୍ଡ ହଲାଇ କହିଲା, ତଥାପି ଅବିଶ୍ୱାସ ! ଦେଖିଲ ଏ ଅନ୍ଧର କାହାର ?

 

ଜଗନ୍ନାଥ ନଲଟଣ ଟେକି, ପତ୍ରଟି ଖୋଲି କୋଳିକ ଦେଈଙ୍କ ଆଖି ଆଗରେ ଧରିଲା । କୋକିଳ ଭୀତପୂର୍ଣ୍ଣ ଚକ୍ଷୁରେ ପତ୍ର ଉପରେ ଆଖି ବୁଲାଇଗଲେ । ପଢ଼ିବାକୁ ସାହସ କଲେ ନାହିଁ ।

 

ଜଗନ୍ନାଥ ନଲଟଣ ଖଟ ଉପରେ ରଖି କହିଲା, ପଢ଼ିବାକୁ ଇଚ୍ଛା ହେଉନାହିଁ ପରା ! ତୁଣ୍ଡରେ କଥା ଧରିବାକୁ ଇଚ୍ଛା ହେଉ ନଥିବ । ମୁଁ ପଢ଼ୁଛି ଶୁଣ-

 

ଦୁଧ ଦେଇ ସାପ ପୋଷିଥିଲି । ସବୁ ଜାଣେ, କିନ୍ତୁ ଜାଣି ଜାଣି ଆଖି ବୁଜିଦିଏଁ । ମୋ’ର ଯେ ଏଥିରେ ଦୋଷ ନାହିଁ ତା ନୁହେଁ । ସାବଧାନ ! ସୁଖରେ ଜୀବନ କଟାଇବାକୁ ଇଚ୍ଛା ଥିଲେ ବୃଦ୍ଧ ହୋଇ, ରୁଗ୍‌ଣ ହୋଇ, ଯୁବତୀ ସ୍ତ୍ରୀ ବିବାହ କରିବ ନାହିଁ । ଦୁଇଟି ଆକୁଳ ପ୍ରାଣ ନୀରବରେ ଜୀବନସାରା କାନ୍ଦିକାନ୍ଦି ଯନ୍ତ୍ରଣା ଭୋଗ କରିବ । କୋକିଳ ଦେଈଙ୍କୁ ବିବାହ କରିଥିଲି ସତ, ତାଙ୍କୁ ମୁଁ ମୋର କନ୍ୟା ପରି ମନେ କରିଥିଲି । ସାଧୁଚରଣ ତାଙ୍କୁ ମାଉସୀ ବୋଲି ଡକେ ସତ, -

 

ସନ୍ଦେହ ହେବାର କଥା । ସନ୍ଦେହ ଯେ ସତ୍ୟ ହୋଇଥିବ ଏଥିରେ ମୋ’ର ସଂପୂର୍ଣ୍ଣ ବିଶ୍ୱାସ । ଯେଉଁ ଜୀବନ ଲୋଭରେ ଏତେ କାଣ୍ଡ, ଯେତେବେଳେ ସେହି ଜୀବନଟା ନେଇ ନିଜର ପାପଭିଳାଷ ପୂରଣ କରିବାର ଇଚ୍ଛା ହେଲା ବୋଲି ଔଷଧ ଛଳରେ ବିଷ ଦେଲେ, ମୁଁ ମୋ’ର ଭ୍ରମ ବୁଝି ପାରିଲି । ମୁଁ ଛାଡ଼ିବି କାହିଁକି ? ଶୀଘ୍ର ମରିବି ତ, ଘଟଣାଟି ସଂସାର ଆଗରେ ଥୋଇଦିଏଁ । ଗୋଟିଏ ହାତରେ ତାଳି ବାଜେ ନାହିଁ । ଉଭୟେ ଦୋଷୀ ।

 

ପତ୍ରପାଠ ଶେଷକରି ଜଗନ୍ନାଥ ହାତରେ ଟେରି ସଜାଡ଼ୁ ସଜାଡ଼ୁ କହିଲା, ଭୟନାହିଁ, ଏ ଘଟଣା ସଂସାରରେ ଆଉ କେହି ପାରିବେ ନାହିଁ । ଜଗନ୍ନାଥ ପତ୍ର ଖଣ୍ଡିକ ଟିକି ଟିକି କରି ଚିରି ଝରକା ବାଟେ ପଦାକୁ ନିକ୍ଷେପ କଲା । ପୁଣି କହିଲା, ରସାନନ୍ଦ ବାବୁଙ୍କର ପିଣ୍ଡଟି ଦାହ କରିବାକୁ ନେବା ସମୟରେ ମୁଁ ଏହି ପତ୍ରଖଣ୍ଡି ତା’ଙ୍କ ତକିଆ ତଳୁ ପାଇଥିଲି ।

 

କୋକିଳ ଖଟ ଉପରେ ବସି ପଡ଼ିଲେ । ଚକ୍ଷୁରୁ ଲୋତକ ଗଡ଼ାଇ କାନ୍ଦିଲେ ।

 

ଜଗନ୍ନାଥ ସାନ୍ତ୍ୱନା ଦେବାକୁ କୋମଳ ସ୍ୱରରେ କହିଲା, ଅତୀତକୁ ଭୁଲିଯାଅ । ଆସ, ସମାଜକୁ ଗୋଇଠାମାରି ଆନନ୍ଦରେ ଜୀବନ କଟାଇବା । ମୁଁ ତମର ଅତୀତର ସରଳ ପ୍ରକୃତିକୁ କ୍ଷମାକରି ତମୁକୁ ହୃଦୟରେ ଆସନ ଦେବି । ଜଗନ୍ନାଥ ଅତର ମରା ରୁମାଲରେ କୋକିଳ ଦେଈଙ୍କର ଚକ୍ଷୁ ପୋଛିଲା ।

 

କୋକିଳ ଟିକିଏ ଘୁଞ୍ଚିଯାଇ ଉଦ୍‌ବେଗ ଭରା ସ୍ୱରରେ କହିଲା, ଜଗନ୍ନାଥ ବାବୁ, ସତ କହୁଛି, ଏହି ପାପୀୟସୀ ଅଜାଣତରେ ଔଷଧ ବୋଲି ବିଷ ଦେଇ ରସାନନ୍ଦ ବାବୁଙ୍କୁ ମାରିଛି । ସାଧୁ ଔଷଧର ଭାଗ ଯେପରି ବତାଇ ଯାଇଥିଲେ, ମୁଁ ତରତର କରି ବଦଳାଇ ଦେଇଛି । ସାଧୁ ନିର୍ଦ୍ଦୋଷ... ।

 

ହୋଇପାରେ, କିନ୍ତୁ, ତମର ଆଚରଣ ସମ୍ବନ୍ଧରେ ଯାହା ସେ ଲେଖିଛନ୍ତି ...?

 

ନିପଟ ମିଛ ଜଗନ୍ନାଥ ବାବୁ, ନିପଟ ମିଛ ।

 

ମିଛ ?

 

ହଁ, ମିଛ । ମୁଁ ସ୍ୱୀକାର ନ କରନ୍ତି କାହିଁକି ? ଲୋକ ସରମ ଛାଡ଼ି ଆପଣଙ୍କ ପରି ଅପରିଚିତ ଲୋକ ନିକଟରେ ମୁଁ ମୋ’ ଅନ୍ତରର କଥା ପ୍ରକାଶ କରିଛି ତ । ସାଧୁ ମୋତେ ମା ପରି ଦେଖନ୍ତି । ମୋ ମନଟା ଅବଶ୍ୟ ନିର୍ମଳ ନ ଥାଏ ...।

 

ଛାଡ଼, ସେ ସବୁ ବାଜେ କଥା । ଜଗନ୍ନାଥ କୋକିଳ ଦେଈଙ୍କ ନିକଟରେ ବସିପଡ଼ିଲା । ଦୁଇ ହାତରେ ତାଙ୍କର ଅଙ୍ଗ ବେଷ୍ଟନ କରି କହିଲା, ମୋର ଏ ଜ୍ୱାଳାମୟ ହୃଦୟର ଜଳନ୍ତା ନିଆଁ ଲିଭିବ କେବଳ ଥରେ ମାତ୍ର ତୁମ୍ଭକୁ ଆଲିଙ୍ଗନ କଲେ ।

 

କୋକିଳ ବିରକ୍ତ ହୋଇ ଉଠି ଆସିଲେ । ନିଜର ନିଃସହାୟ ଅବସ୍ଥା କଥା ଚିନ୍ତାକରି କହିଲେ, ଥରେ କହିଛି ଜଗନ୍ନାଥ ବାବୁ, ମୁଁ ବେଶ୍ୟା ନୁହେ ।

 

ମୁଁ ତା ବିଶ୍ୱାସ କରୁଛି, କିନ୍ତୁ ଯଦି ଛଳନା କରିବାର ଇଚ୍ଛା ଥିଲା ତ ମୋର ଏ ଦୁର୍ବଳ ହୃଦୟରେ ନିଆର୍ ଜାଳିଦେଲ କାହିଁକି ?

 

ନିଆଁ ଲିଭାଇବାର ଇଚ୍ଛା ଥିଲେ ଶୀଘ୍ର ବିବାହର ଆୟୋଜନ କରନ୍ତୁ । ଆର୍ଯ୍ୟ ସମାଜକୁ ଏ ବିଷୟ ଜଣାନ୍ତୁ ।

 

ଜଗନ୍ନାଥର ମୁଖରେ ପୈଶାଚିକ ଆଭା । ସେ ଚକ୍ଷୁ ରଙ୍ଗକରି କହିଲା, ମନେରଖ, ତମେ ଏଠି ଏକାକିନୀ...।

 

କୋକିଳ ତ୍ରସ୍ତ ହୋଇ, ପଳାୟନର ଉପାୟ ନ ଦେଖି ଜଗନ୍ନାଥର ପଦ ଧରି କହିଲେ, କ୍ଷମାକର, ମୁଁ ବିଧବା । ମୋର ବିବାହର ଆବଶ୍ୟକ ନାହିଁ । ମୁଁ... ମୁଁ ବିବାହିତା । କ୍ଷମାକର, ମୁଁ ମରଣ ଚାହେଁ, ମୋତେ ମରିବାକୁ ଛାଡ଼ି ଦିଅନ୍ତୁ । ଆପଣ ଏଠାରୁ ଚାଲିଯାନ୍ତୁ । ଗୋଡ଼ଧରି କହୁଛି, ମୋତେ ମରିବାକୁ ଛାଡ଼ି ଦିଅନ୍ତୁ । ମୁଁ ହିନ୍ଦୁ ବିଧବା, ମୁଁ ମରଣ ଚାହେଁ...

 

ହସି ହସି ଜଗନ୍ନାଥ କହିଲା, ଯୁବତୀ ମରଣ ଚାହେଁ ନା ସୁନ୍ଦରୀ, ସେ ଚାହେଁ ବରଣ । ଜଗନ୍ନାଥର ହୃଦୟ ଖୋଲା ଥାଉଣୁ ତଳେ ଲୋଟିବାଟା ସୁନ୍ଦରୀ, ଦିଶିବ ନାହିଁ । ଜଗନ୍ନାଥ ନଇଁପଡ଼ି କୋକିଳ ଦେଈଙ୍କର ମସ୍ତକ ଓ ହସ୍ତଧରି ଉଠାଇବାକୁ ଚେଷ୍ଟାକଲା । ତାଙ୍କର ତାକୁତି ମିନତି ଓ ଆକୁଳ ପ୍ରାର୍ଥନାରେ କର୍ଣ୍ଣପାତ କଲା ନାହିଁ ।

 

ଏହି ସମୟରେ ଝରକାର ବହିର୍ଦେଶରୁ ପିସ୍ତଲର ଆବାଜ ହେଲା, ଗୁଡ଼ୁମ ଚିତ୍କାର କରି ଜଗନ୍ନାଥ କଟାଗଛ ପରି ଚଟାଣ ଉପରେ ଟଳି ପଡ଼ିଲା । କୋକିଳ ଦେଖିଲେ, ଘରଟା ଧୂଆଁରେ ପୂର୍ଣ୍ଣ ହୋଇଛି । ବାରୁଦିଆ ଗନ୍ଧରେ ନାକ ଫାଟି ପଡ଼ୁଛି ।

 

ସାଧୁ, ପରା ପ୍ରାୟଶ୍ଚିତ୍ତ ହୋଇଛି...।

 

ସାଧୁଚରଣଙ୍କର ଦୁଇ ଆଖିରୁ ଝର୍ ଝର୍ ହୋଇ ଲୋତକ ଝରିଲା । ସେ ଆକୁଳ ପ୍ରାଣରେ ଜଗନ୍ନାଥର ମୁଣ୍ଡ ଦୁଇ ହାତରେ ଟେକିଧରି ବୁକୁ ଫଟା ଆର୍ତ୍ତସ୍ୱରରେ କହିଲେ, କ୍ଷମାକର ଭାଇ, ତତେ ଡରାଇଦେବି ବୋଲଇ ଫାଙ୍କା ଆବାଜ କରିବା ମୋର ଉଦ୍ଦେଶ୍ୟ ଥିଲା ।

 

ବେଦନା ବିକୃତ ମୁଖରେ ଜଗନ୍ନାଥ କହିଲା, ଫାଙ୍କା ଆବାଜ ନ ହୋଇଥିଲେ କି, .... ଓ..କ୍ଷମା କର ଭାଇ ।

 

ଓଃ, କ୍ଷମା ? ହଁ କ୍ଷମା କରୁଛି । ଅପେକ୍ଷା କର ।

 

ନା ମୋ ହାତରେ ପିସ୍ତଲଟା ଥାଉଣୁ ମୁଁ କ୍ଷମା ଚାହିଁବି କାହିଁକି ? ଚାଲ୍ ସାଙ୍ଗ ହେଇ ଯିବା... ସାଧୁଚରଣ ପିସ୍ତଲ ସଜାଡ଼ିଲେ । କୋକିଳ ଦେଈ ଦୂରରେ ପଥର ଖୁଣ୍ଟି ପରି ଠିଆହୋଇ ସବୁ ଦେଖୁଥାନ୍ତି ।

 

ସାଧୁଚରଣଙ୍କର ଉଦ୍ଦେଶ୍ୟ ବୁଝିପାରି ଜଗନ୍ନାଥ ଧୀରେ ଧୀରେ କହିଲା, ହ୍ୟାପ, ଭୂତ ଏ, ପଳା ବେ, ପୋଲିସ ପତ୍ତା ପାଇଲେ ତ ! ଜଗନ୍ନାଥର ମୁଣ୍ଡର କ୍ଷତରୁ ରକ୍ତ ଝରୁଥାଏ । ସେ ବିକଳରେ ଏପାଖ ସେପାଖ ହୋଇ ଜ୍ଞାନଶୂନ୍ୟ ହୋଇ ପଡ଼ି ରହିଲା । ସାଧୁଚରଣ ଦୃଢ଼ପଣ କରିଛନ୍ତି । ଆତ୍ମହତ୍ୟା କରିବେ । ସେ ପିସ୍ତଲ ପ୍ରସ୍ତୁତ କରି କୋକିଳ ଦେଈଙ୍କୁ କହିଲେ, ମାଉସି ! ଡେରିକରି ଲାଭ କଅଣ ? ତମେ ତମର ସ୍ୱାମୀକୁ ବିଷଦେଇ ମାରିଛ ପରା ?

 

କୋକିଳ ଦେଈଙ୍କର ଭୟ ହେଲା । ଉତ୍ତେଜନାର ଦାଉରେ ଯଦି ସାଧୁଚରଣ ତାଙ୍କୁ ଗୁଳି କରନ୍ତି ! ସେ ଭୀତଜଡ଼ିତ କଣ୍ଠରେ କହିଲେ, ତମର ବିଶ୍ୱାସ ହେଉଛି ସାଧୁ ?

 

ବିଶ୍ୱାସ ତ ନ ହେବାର କଥା ! ସେ ଯେତେବେଳେ ନିଜେ ଲେଖି ଯାଇଛନ୍ତି ... ।

 

ଯଦି ବିଶ୍ୱାସ ହେଉଛି, ମୋର ଆଉ ବାଧା ଦେଇ କହିବାର କିଛି ନାହିଁ । ମୁଁ ବିଷ ଦେଇ ତାଙ୍କୁ ମାରି ନାହିଁ । ତମେ ଯେଉଁ ଔଷଧ ଦେବାକୁ କହି ଯାଇଥିଲ, ମୁଁ ତାଙ୍କୁ ତାହାହିଁ ଖାଇବାକୁ ଦେଇଛି ।

 

ଦୋଷଟା ମୋ ମୁଣ୍ଡରେ ଅଜାଡ଼ିଦେଇ ପୋଲିସ୍ ଦାଉରୁ ଉଦ୍ଧାର ପାଇବ ଭାବିଛ, ମାଉସି ? କିନ୍ତୁ, ଏତେଦୂର ଯିବାକୁ ପଡ଼ିବ ନାହିଁ । ପୋଲିସ ଜାଣିବା ପୂର୍ବରୁ ଏହି ପିସ୍ତଲ ଗୁଳିରେ ମୁଁ ସହଜରେ ଆତ୍ମହତ୍ୟା କରିପାରିବି । ତମେ ଏଥର ନିଶ୍ଚିନ୍ତ ରହ ମାଉସୀ...।

 

କୋକିଳ ସାଧୁଚରଣଙ୍କ ନିକଟକୁ ଘୁଞ୍ଚି ଆସି ଲୋତକପୂର୍ଣ୍ଣ ଚକ୍ଷୁରେ କହିଲେ, ସତେ ତମେ ଆତ୍ମହତ୍ୟା କରିବ ସାଧୁ ?

 

ପିସ୍ତଲ ମୁହଁକୁ କପାଳରେ ଲଗାଇ ସାଧୁଚରଣ କହିଲେ, ଏହା ବ୍ୟତୀତ ଅନ୍ୟ ଉପାୟ ଆଉ ନାହିଁ । ଯେତେବେଳେ ପୋଲିସ ଜାଣି ପାରିବ ଯେ ମୁଁ ଖୁଣୀ, ପ୍ରମାଣ ଖୋଜିବାକୁ ତାକୁ ସମୟ ଲାଗିବ ନାହିଁ । ଏତେ ଟଣା ଓଟରାରେ ପଡ଼ି କଷ୍ଟ ସହି ଅପମାନ ପାଇ ମରିବା ଅପେକ୍ଷା, ମରିବାକୁ ଯେତେବେଳେ ହେବ, ଆଗରୁ ମରିବାହିଁ ଭଲ । ପିସ୍ତଲଟି କପାଳରୁ କାଢ଼ି କହିଲେ, ଜଗନ୍ନାଥର ଗୁଣ ଅବିଗୁଣ ସତ୍ତ୍ୱେ ମୁଁ ତାକୁ ଭଲ ପାଏ । ସେ ମୋର ବନ୍ଧୁ । ଅଜାଣତରେ ମୁଁ ତାର ଜୀବନ ନେଇଛି । ମୋର ହୃଦୟର ଜ୍ୱାଳା ଲିଭାଇବାକୁ ମୁଁ ଆତ୍ମହତ୍ୟା କରିବି ।

 

କୋକିଳ ଦେଈ କହିଲେ, ତେବେ ଦୋଷଯାକ ମୋ ମୁଣ୍ଡରେ ନିଦ ତମେ ଉଦ୍ଧାର ପାଇ ଚାଲିଯିବ ପରା ? ସେ କଥାଟି ପଟିବ ନାହିଁ । ସାଧୁଚରଣ, ଆତ୍ମହତ୍ୟା କରିବା ପୂର୍ବରୁ ମୋର ଏହି ଜଞ୍ଜାଳମୟ ଜୀବନଟା ଶେଷକରି ଯାଅ...।

 

କ୍ଷମାକର, ମୁଁ ଏତେ ବଡ଼ି ପାପର ବୋଝ ମୁଣ୍ଡରରେ ବୋହି ପାରିବି ନାହିଁ । ଯଦି ତମର ସାହସ ଅଛି ଏହି ନିଅ, ପିସ୍ତଲଟି ଟିପି...। କହି ସାଧୁଚରଣ ପିସ୍ତଲଟି କୋକିଳ ଦେଈଙ୍କ ହାତକୁ ବଢ଼ାଇ ଦେଲେ । କୋକିଳ କମ୍ପିତ ହସ୍ତରେ ପିସ୍ତଲ ଗ୍ରହଣ କରି ଚିନ୍ତାମଗ୍ନ ହେଲେ ।

 

ସାଧୁ କହିଲେ, ଦ୍ୱିଧା କାହିଁକି କରୁଛ ? ଭାବିଛି କି ମଣିଷର ପାପ କେବେ ଲୁଚି ରହିବ-? ତାହା ନୁହେଁ । ଯେବେ ହେଲେ ଧରା ପଡ଼ିବ । ଏପରି ପାପ କରି ଉଧୁରି ଯିବା ସହଜ କଥା ନୁହେଁ । ଧରା ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ । ଅପମାନ ଓ ଲାଞ୍ଛନା ସହିବାକୁ ଅପେକ୍ଷା କରିବାଠାରୁ...।

 

ସାଧୁ...!

 

ଡେରି ହେଉଛି ଯେ, ରାତି ପାହିଗଲେ...।

 

ସାଧୁ, ଜୀବନର ମୂଳ୍ୟ କଅଣ ଏତେ ଅଳ୍ପ ! କେବଳ ଜୀବନ ଉପଭୋଗ କରିବାକୁ ଏତେ କଷ୍ଟ ଏତେ ଅପମାନ ସହି ଆସିଛି..., ନା, ନା... ମୁଁ ମରି ପାରିବି ନାହିଁ । ମୋର ସେ ସାହସ ନାହିଁ ।

 

ସାଧୁ ବିସ୍ମିତ ହୋଇ ଜଗନ୍ନାଥର ରକ୍ତଲିପ୍ତ ପିଣ୍ଡକୁ କ୍ଷଣକାଳ ଚାହିଁ ରହିଲେ । ତାଙ୍କର ମୁଣ୍ଡ ବୁଲାଇଲା । ସେ ହିତାହିତ ଜ୍ଞାନ ଶୂନ୍ୟ ହେଲେ । ବିରକ୍ତ ହୋଇ କହିଲେ, ଦିଅ ମୋ ଆଡ଼କୁ କିପରି ସାହସ କରିବାକୁ ହୁଏ ଦେଖାଇ ଦେବି...।

 

କୋକିଳ ପିସ୍ତଲଟି ପଦାକୁ ପକାଇ ବିନୀତ ହୋଇ କହିଲେ, ଶୁଣ, ମୋର ଗୋଟିଏ ଅନୁରୋଧ ଅଛି । ମୃତ୍ୟୁ ଯଦି ସୁନିଶ୍ଚିତ, ତେବେ ଜାଣୁ ଜାଣୁ ଆଗରୁ ମରିବା କାହିଁକି ? ଯେତେବେଳେ ମରିବାକୁ ବାଧ୍ୟ ହେବା, ଉଦ୍ଧାର କେହି କରି ପାରିବେ ନାହିଁ ! ମୁଁ ଖୁଣୀ, ତେମେ ମଧ୍ୟ ଖୁଣୀ ! ଯେତେଦିନ ବଞ୍ଚିଥାଇଁ, ସେତେଦିନ ସୁଖରେ ନ କଟାଇବା କାହିଁକି ? ଜୀବନ ଅମୂଲ୍ୟ, ଥରେ ହଜିଲେ ଆଉ ତ ମିଳିବ ନାହିଁ । ଅଧଘଣ୍ଟାକ ପୂର୍ବେ ବିଷଖାଇ ମୁଁ ଆତ୍ମହତ୍ୟା କରିବାକୁ ବସିଥିଲି। ତମର ଏହି ବନ୍ଧୁଟି ତହିଁରେ ବାଧା ଦେଲେ । ମୋତେ ଏହି ଅମୂଲ୍ୟ କଥା ଶିଖାଇ ଯାଇଛନ୍ତି । କୋକିଳ ସାଧୁଙ୍କର ହାତ ଧରି କହିଲେ, ଉଠ, ବର୍ତ୍ତମାନ ସୁଦ୍ଧା ସମୟ ଅଛି । ମନରେ ଦମ୍ଭ ଆଣ ।

 

ସାଧୁ ଚିନ୍ତାକରି ପଚାରିଲେ, ଉପାୟ ?

 

ଏତେବଡ଼ ସଂସାରରେ ଦୁଇଟି ପ୍ରାଣୀଙ୍କର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନର ଅଭାବ ରହିବ ନାହିଁ-। ଉପାୟ ନିଜେ ନିଜେ ଆସି ଯୁଟିଯିବ ।

***

 

୧୨

 

କିଟି କିଟି ଅନ୍ଧାର । ବର୍ଷା ଛାଡ଼ି ଯାଇଛି । ପବନର ବେଗରେ ବୃକ୍ଷଲତାର ପଲ୍ଲବ ଦୋହଲି ଉଠୁଛନ୍ତି । ବିନ୍ଦୁ ବିନ୍ଦୁ ଜଳକଣା ଝରି ପଡ଼ୁଛି । ଆକାଶରେ ତାରା ନାହିଁ । ଲଜ୍ଜାରେ ଅବା ଭୟରେ ବଉଦର ପଛଆଡ଼େ ମୁହଁ ଲୁଚାଇ ରହିଛନ୍ତି । ଝଙ୍କାରୀର ଝଂ ଝଂରେ କାନ ଅତରା ପଡ଼ୁଛି-। ସେହି ଭୟଙ୍କର ରଜନୀରେ ନୀରବରେ ଦୁଇଟି ପ୍ରାଣୀ ଦ୍ରୁତ ବେଗରେ ଷ୍ଟେସନମୁହାଁ । ଛୁଟିଛନ୍ତି । ଆଗରେ ସାଧୁଚରଣ । ଡାହାଣ ହାତରେ ସୁଟକେଶ ଓ ବାଁ ହାତରେ ଛୋଟ ବ୍ୟାଗ୍ । ତାଙ୍କ ପଛରେ କୋକିଳ । ସେ ମଧ୍ୟ ଖଣ୍ଡେ ଛୋଟ ସୁଟ୍‌କେଶ ଧରିଛନ୍ତି ।

 

କିଛିଦୂର ଯାଇ ସାଧୁ ଉଦ୍‌ବିଗ୍ନତାର ସହିତ କହିଲେ, ମାଉସୀ...!

 

ଚୋପ୍‌, କହ କୋକିଳ ଆକଟ କରି କହିଲେ, ଏଣିକି ଆଉ ମାଉସୀ ଡାକିବାକୁ ହେବ ନାହିଁ । ଲୋକେ ସନ୍ଦେହ କରିବେ । ଅନ୍ୟ କେଉଁ ନାମରେ ଡାକିଲେ ଭଲ ହେବ ।

 

କଅଣ ତେବେ ଡାକିବି ?

 

ନାମ ଧରି ଡାକିପାର । ମୁଁ ତ ତମ ରକ୍ତର ମାଉସୀ ନୁହେଁ । ତମେ ବି ବୟସରେ ବଡ଼-। ରହ ରହ, ପଛରେ କିଏ ଆସୁଛି ପରା ..। କୋକିଳ ପଛକୁ ଚାହିଁଲେ । ଅନ୍ଧାରରେ କିଛି ଜଣା ପଡ଼ିଲା ନାହିଁ । ମନରେ ଦମ୍ଭ ଆଣି କହିଲେ, ନା କେହି ନାହିଁ ।

 

କୁଆଡ଼େ ଯିବାକୁ ପ୍ରସ୍ତାବ କରୁଛ ? ମୋ ଗୋଡ଼ ଆଗକୁ ଚଳୁ ନାହିଁ । ମୁଁ ଫେରି ଯାଉଛି-। ତୁମେ ଏକା ଯାଅ ?

 

ପୁଣି ସେହି ପାଗଳାମୀ, ଫେରିଯିବ କୁଆଡ଼େ ?

 

ଥାନାକୁ ।

 

ଥାନାକୁ କାହିଁକି ?

 

ମୋର ଏ ପାପର ବୋଝ ବୋହି ମୁଁ ଆଉ ବେଶିଦୂର ଯାଇ ପାରିବି ନାହିଁ ।

 

କୋକିଳ ଦୁଇପାଦ ଆଗକୁ ଖେପିଯାଇ ସାଧୁଙ୍କର ହାତ ଧରିଲେ । ଅନୁନୟ ହୋଇ କହିଲେ, ନା ସାଧୁ, ରକ୍ଷାକର, ଜୀବନ ଉପରେ ମୋର ମମତା ଅଛି । ମୁଁ ତମର ଶରଣ ପଶୁଛି । ଅନ୍ତତଃ ମୋଓର ସକାଶେ ହେଲେ...।

 

ତମର କ୍ଷତି ହେବ ନାହିଁ । ସବୁ ଦୋଷ ମୁଁ ମୋ ଉପରକୁ ନେଇଯିବି । ଫାଶୀ ଖୁଣ୍ଟରେ ମୁଁ ଝୁଲିବି । କହିବି-

 

ସେ କଥା ମନରେ ଆଣ ନା । ଗତ କଥା ଭୁଲିଯାଅ । ତମକୁ ଛାଡ଼ି ମୁଁ ଏକୁଟିଆ ଯିବି କୁଆଡ଼େ, କାହିଁକି ବା ଯିବି ? ମୋ ଜୀବନ ତମ ଜୀବନଠୁଁ ବେଶି ବିନା ମୋ ଜୀବନର ମୂଲ୍ୟ ନାହିଁ ।

 

କାହିଁକି ?

 

ବୁଝି ପାରୁନାହିଁ ନିର୍ବୋଧ ! କାରଣ, ମୁଁ ତୁମକୁ ଭଲପାଏ, ମୁଁ ତମକୁ ଛାଡ଼ି ବଞ୍ଚି ପାରିବି ନାହିଁ । ଏତେ ଅଳ୍ପ ବୟସରେ ଯୌବନର ସବୁ ଶୋଭା ଅଙ୍ଗରେ ଧରି, ସୁନେଲୀ ସ୍ୱପ୍ନରେ ବିଭୋର ହୋଇ, ଆଶା ଦୁରାଶା, ଉତ୍ତେଜନା ଓ ବିକାର ମନରେ ଭରି ମୁଁ ମରିପାରିବି ନାହିଁ ସାଧୁ, ଚାଲ...

 

ସାଧୁ ମନ୍ତ୍ରମୁଗ୍‌ଧପରି ଆଗକୁ ଚାଲିଲେ ।

 

ପୁରୀ ହାବଡ଼ା ଏକ୍‌ସପ୍ରେସ ଷ୍ଟେସନ୍ ପରେ ଷ୍ଟେସନ ଅତିକ୍ରମ କରି ଚାଲିଛି । ବର୍ଷା ଅନ୍ଧାରକୁ ତାର ଖାତର୍ ନାହିଁ । ରଥ ହେତୁ ଗାଡ଼ିରେ ସ୍ଥାନ ନାହିଁ । ଲୋକଭିଡ଼ ଏତେ ଅଧିକ ଯେ ବସିବା କଥା ଦୂରେ ଥାଉ ଲୋକେ ଠିଆହେବାକୁ ମଧ୍ୟ ସୁବିଧା ପାଉ ନାହାନ୍ତି ।

 

ଟେନର ଗୋଟିଏ ଇଣ୍ଟରକ୍ଲାସ ପ୍ରକୋଷ୍ଠରେ ଉପବିଷ୍ଟ ସାଧୁଚରଣ ଓ କୋକି, ଦେଈ । ସେଇ ଡବାଟିରେ ବେଶି ଭିଡ଼ ନାହିଁ । କେତେଜଣ ଭଦ୍ରମହିଳା ଦୁଇଖଣ୍ଡ ବେଞ୍ଚ ଅଧିକାର କରି ବସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କଲିକତା ନିବାସୀ ।

 

କୋକିଳ ଗଳ୍ପପ୍ରିୟ ମହିଳାମାନଙ୍କ ମଝିରେ ବସିଛନ୍ତି । ତାଙ୍କର ବାମ ଓ ଦକ୍ଷିଣ ପାର୍ଶ୍ୱରେ ଦୁଇଜଣ ଷୋଡ଼ଶୀ ଓ ସମ୍ମୁଖରେ ଜଣେ ପୌଢ଼ା । ସମସ୍ତେ କଲିକତା ଫେସନରେ ଲୁଗା ପିନ୍ଧିଛନ୍ତି । ସାମାନ୍ୟ ସ୍ୱର୍ଣ୍ଣାଳଙ୍କାର ନାଇଛନ୍ତି । କୋକିଳ ଏକା ନୀରବରେ ବସି ସେମାନଙ୍କର କଥୋପକଥନ ଶୁଣୁଛନ୍ତି ।

 

କୋକିଳ ଦେଈଙ୍କ ବିପରୀତ ଦିଗରେ ତାଙ୍କରି ଆଡ଼କୁ ମୁହଁକରି ବସିଛନ୍ତି ସାଧୁଚରଣ । ପାଖରେ ଆହୁରି କେତେଜଣ ବଙ୍ଗୀୟ ନିଜ ନିଜ ମଧ୍ୟରେ ଗଳ୍ପ କରୁଛନ୍ତି । ସାଧୁଙ୍କର ମନ ସେଥିରେ ନାହିଁ । ସେ ନୀରବରେ ବସି ଚିନ୍ତା କରୁଛନ୍ତି, କରିବେ କଅଣ ? ଜଣେ ଷୋଡ଼ଶୀ ରମଣୀକୁ ସଙ୍ଗରେ ଘେନି ସେ କଲିକତା ସହରରେ ରହିବେ କେଉଁଠି? ଲୋକଙ୍କୁ କଅଣ କହି ପରିଚୟ ଦେବେ ? ଇଚ୍ଛା ହେଉଛି ଫେରି ଯାଇ ଧରାଦେବେ । ପଳାତକ ହୋଇ ଆତ୍ମଗୋପନ କରି କେତେଦିନ ସେ ରହି ପାରିବେ ? ଯେତେଦିନ ବଞ୍ଚି ରହିଥିବେ ଅତୀତ ପାପର ଭୟ ଓ ଅନୁଶୋଚନା ତାଙ୍କୁ ମନପ୍ରାଣକୁ ଟିକି କିଟି କରି ଜାଳୁଥିବ । ଏହାଠାରୁ ବରଂ ମୃତ୍ୟୁ ଭଲ । ପିତାମାତା ଓ ସ୍ନେହର ସର ମନେ ପଡୁଛନ୍ତି । ଏମାନଙ୍କୁ ଛାଡ଼ି ଚିରଦିନ ନିର୍ବାସିତ ହୋଇ ରହିବେ କିପରି ? ସେ ଯାହା କରନ୍ତୁ, ସଂସାରର ଲୋକେ ପିତାମାତାଙ୍କୁ ତାଚ୍ଛଲ୍ୟ କରି କଥା କହିବେ । କାନ୍ଦି କାନ୍ଦି ସେମାନଙ୍କର ଦିନ ସରିବ ନାହିଁ ! ଆହା, କୁଳାଙ୍ଗାର ପୁଅ ଜନ୍ମକରି ଏତେ ସ୍ନେହ ମମତା ଦେଖାଇ, ଦହଗଞ୍ଜ ହୋଇ ଅପମାନ ସହି ମରିବାକୁ ହେବ !

 

ସାଧୁଙ୍କର ମନ ଦୁର୍ବଳ ହୋଇ ଆସିଲା । ସେ କୋକିଳକୁ ଚାହିଁଲେ । କୋକିଳ ମନ ସ୍ଫୁର୍ତ୍ତିରେ ସମ୍ମୁଖସ୍ଥ ପ୍ରୌଢା ରମଣୀଙ୍କ ସଙ୍ଗେ ଗଳ୍ପ କରୁଛନ୍ତି । ସେ ବେଦନାଭରା ଭୃଦୟ ଓ ଅଶ୍ରୁଭରା ଚକ୍ଷୁରେ ସେମାନଙ୍କ କଥା ଶୁଣିଲେ ।

 

ପ୍ରୌଢ଼ା ଅତି କୋମଳ ସ୍ୱରରେ ପଚାରିଲେ, ତୁମେ ଯିବ କୁଆଡ଼େ ?

 

କୋକିଳ ମିଷ୍ଟ-ହସି କହିଲେ, କଲିକତା ଯିବି ।

 

ସାଙ୍ଗରେ କିଏ ଅଛି ?

 

କୋକିଳ ଲଜ୍ଜିତ ହେଲା ପରି ନୀରବ ରହିଲେ ।

 

ଲଜ୍ଜା କାହିଁକି ମା, କିଏ ଅଛି, ସ୍ୱାମୀ ?

 

କୋକିଳ ସାଧୁଙ୍କ ଆଡ଼କୁ ଚାହିଁଲେ ।

 

ସାଧୁଚରଣ କପାଳରେ ହସ୍ତ ରଖି ନିମ୍ନକୁ ଚାହିଁଛନ୍ତି । କୋକିଳ ମୁଣ୍ଡ ହଲାଇ ସମ୍ମତି ଜଣାଇ କହିଲେ, ହଅଁ...।

 

ପୌଢ଼ା ସାଧୁଚରଣ ଆଡ଼କୁ ଆଙ୍ଗୁଳି ଦେଖାଇ ପଚାରିଲେ, ଏହି ତମର ସ୍ୱାମୀ ?

 

କୋକିଳ ମୁଣ୍ଡ ଟୁଙ୍ଗାରି କହିଲେ, ହଅଁ...।

 

ସେମାନଙ୍କ ମଧ୍ୟରେ ଅର୍ଦ୍ଧଘଣ୍ଟା କାଳ କଥୋପକଥନ ଚାଲିଲା । ସାଧୁଙ୍କର ଆଊ ଶୁଣିବାକୁ ଇଚ୍ଛା ହେଲା ନାହିଁ । କ୍ରୋଧରେ ଅନ୍ତରାତ୍ମା ଜଳି ଉଠିଲା । ଘୃଣା ଓ କ୍ଷୋଭରେ ସେ ଚୁପହୋଇ ଚିନ୍ତାକଲେ । ନିଜର ନିର୍ବୋଧତା ପାଇଁ ସେ ନିଜକୁ ବାରମ୍ୱାର ଧ୍ୱକକାର କଲେ । ଛିଃ, ଛିଃ, ଯାହାକୁ ମାତୃତୁଲ୍ୟ ମନେକରି ଭକ୍ତିକରି ଆସୁଥିଲି, ସେହି ପାପିୟସୀ ମାତୃଜାତିର ଏତେ ତଳେ ! ଯାହାର ମଧୁର କଥା, ସୁନ୍ଦର ମୁଖ ଓ ପ୍ରୀତି-ପୂର୍ଣ୍ଣ ବ୍ୟବହାରରେ ପାଗଳ ହୋଇଥିଲି, ସେ ନାରୀ, କୁଳକଳଙ୍କିନୀର ହୃଦୟରେ ବିଷ ପରିପୂର୍ଣ୍ଣ ! ଏହା କଅଣ ସାଧୁ ଆଗରୁ ଜାଣି ନ ଥିଲେ ! ଜାଣିକରି ମଧ୍ୟ ଜାଣି ନ ଥିଲେ । ତାଙ୍କର ସରଳ ମନରେ ଯଦି କେବେ କୌଣସି ସନ୍ଦେହର ଉଦ୍ରେକ ହୋଇଥାନ୍ତା, ସେ କୋକିଳଙ୍କର ଭାବଭଙ୍ଗୀ ଓ ଆଚାର ବ୍ୟବହାରର ଭିନ୍ନ ଅର୍ଥ ଗ୍ରହଣକରି ଆଗହୁଁ ସାବଧାନ ହୋଇଥାନ୍ତେ । ମାତ୍ର, ସେ ତାଙ୍କର ରୀତିନୀତିର ଅର୍ଥ ବୁଝିଥିଲେ ଭିନ୍ନ ପ୍ରକାରରେ । ପ୍ରତ୍ୟେକରୁ ମାତୃତ୍ତ୍ୱର ଭାବ ଗ୍ରହଣ କରୁଥିଲେ । ବୟୋଧିକ ହୋଇ ମଧ୍ୟ ନିଜକୁ ଶିଶୃସ୍ଥାନରେ ବସାଇ ସେ କୋକିଳ ଦେଈଙ୍କୁ ମା ପରି ଭାବିଥିଲେ ।

 

ସାଧୁ ଦୀର୍ଘଶ୍ୱାସ ଛାଡ଼ିଲେ । ପୁନର୍ବାର କୋକିଳଙ୍କୁ ଚାହିଁ ଥରେ ନୂଆ କରି ତାଙ୍କର ମୁହଁକୁ ଦେଖି ନେଲେ । ତାଙ୍କୁ ଜଣାପଡ଼ିଲା, ସବୁ ଜାଲ । ନାରୀରୂପର ଆବରଣ ତଳେ ନରକର କୀଟ ଆସି ପ୍ରବେଶ କରିଛି । ଏହି ରାକ୍ଷସୀ ପାଇଁ ଆଜି ସେ ଏତେବଡ଼ ଜଘନ୍ୟ କାର୍ଯ୍ୟ କରିଛନ୍ତି । ଅଜାଣତରେ ହେଉ ପଛେ, ଜଗନ୍ନାଥ ପରି ବନ୍ଧୁର ଜୀବନ ନେଇଛନ୍ତି, ଜଣେ କୁଳଟାର ମାନରକ୍ଷା କରିବାକୁ ? ସାଧୁଙ୍କର ସନ୍ଦେହ ହେଲା, କେବଳ ମୋଓରି ଦ୍ୱାରା ଯୌବନର ପାଶବିକ ଲାଳସା ଚରିତାର୍ଥ କରିବାକୁ ସେ ଜାଣି ଜାଣି ବିଷ ପ୍ରୟୋଗ କରି ରସାନନ୍ଦଙ୍କର ଜୀବନ ନେଇଛନ୍ତି । ମୁଁ କଅଣ ଏଡ଼େ ହୀନ; ମୁଁ କଅଣ ଏତେ ନୀଚ ? ଜୀବନ ଭୟରେ ସୌନ୍ଦର୍ଯ୍ୟର ତ୍ରୀତଦାସ ହୋଇ ମାୟାବିନୀ କୁଳଟାର ନୀଚ ପ୍ରବୃତ୍ତି ଚରିତାର୍ଥକରିବାରେ ସହାୟକ ହେବି ? ଅସମ୍ଭବ ! ଯାଉ ଯାଉ ସେ, ନିଜର ଭାଗ୍ୟ ଅନୁସରଣ କରି ଚାଲିଯାଉ । ପାପ ପିପାସେ ମେଣ୍ଟାଇବାକୁ ସର୍ବତ୍ର ଜଳ ପାଇବ । ମାତ୍ର ସେ ଜଳ ଆସିଥିଲି । ଆଜି ସେହି ମାତୃଜ୍ଞାନରେ ମନେ ମନେ ବିଦାୟକାଳୀନ ପ୍ରଣାମ ଜଣାଉଛି । ସାଧୁ ଆଜି ପଳାତକ ହୋଇ ପାପର ପ୍ରାୟଶ୍ଚିତ କରିବାକୁ ଯିବ !

 

କୋକିଳ ମଧୁରାଳପରେ ନିଯୁକ୍ତ । ଏକ୍‌ସପ୍ରେସ ଆସି ଗୋଟିଏ ଛୋଟ ଷ୍ଟେସନରେ ଛିଡ଼ା ହେଲା । ସାଧୁ ଧୀରେ ଧୀରେ ଦ୍ୱାର ଖୋଲି ପଦାକୁ ଆସିଲେ । କୋକିଳ ଦେଖିଲେ, ସାଧୁ ପଦାକୁ ଯାଉଛନ୍ତି । ମନେ କରିଥିଲେ, ଶୀଘ୍ର ଫେରି ଆସିବେ ।

 

ଏକ୍‌ସପ୍ରେସ ଦୁଇମିନିଟି ଅପେକ୍ଷା କରି ପୁଣି ସଜୋରେ ଚାଲିଲା । ସାଧୁ ଆଉ ଫେରିଲେ ନାହିଁ । ବଙ୍ଗାଳୀ ଭଦ୍ରଲୋକମାନେ ସେତେବେଳେ ଘୁମାଉ ଥିବାରୁ କେହି ଏ ଘଟଣା ଜାଣି ପାରିଲେ ନାହିଁ । ବାହାରେ ଘୋର ଅନ୍ଧାର। କୋକିଳଙ୍କର ହଲକ ଶୁଖିଗଲା । ସେ କମ୍ପିତ ପଦରେ ଠିଆହୋଇ, ଉଚ୍ଚସ୍ୱରରେ ଅବୋଧ୍ୟଚିତ୍କାର ହଲକ ଶୁଖିଗଲା । ସେ କମ୍ପିତ ପଦରେ ଠିଆହୋଇ, ଉଚ୍ଚସ୍ୱରରେ ଅବୋଧ୍ୟଚିତ୍କାର କରି ସମ୍ମୁଖସ୍ଥ ବଙ୍ଗୀୟ ପ୍ରୌଢ଼ାଙ୍କ କୋଳରେ ଢଳିପଡ଼ିଲେ । ଘଟଣା କଅଣ ଜାଣିବାକୁ ଲୋକେ ହାଉ ହାଉ ହୋଇ ଉଠିଲେ । ଦେଖିଲେ, କୋକିଳ ଦେଈ ମୂର୍ଚ୍ଛିତା ।

***

 

୧୩

 

କଲିକତା ସହରର କୌଣସି ଗୋଟାଏ ଗଳିର ଦକ୍ଷିଣ ପାର୍ଶ୍ୱରେ କ୍ଷୁଦ୍ର ଦ୍ୱିତଳ ପ୍ରାସାଦ । ପ୍ରସାଦର ମସ୍ତକୋପରି ବଡ଼ ବଡ଼ ଅକ୍ଷରରେ ଲେଖା, ମିତ୍ର ଭବନ । ଏହି ଅଟ୍ଟାଳିକାର ନାମ ନେଇ ଗଳିର ନାମ ହେଉଛି ମିତ୍ର ଲାନ୍ । ଯେତେବେଳେ କୁଶିଦାର ବିଖ୍ୟାତ୍ ଜମିଦାର ଶ୍ରୀଯୁକ୍ତ ଯୋଗୀନ୍ଦ୍ର ମିତ୍ର ଜୀବିତ ଥିଲେ, ସେ ଏହି ଭବନଟି ନିର୍ମାଣ କରାଇଥିଲେ । ମିତ୍ର ଭବନ ନିର୍ମାଣ ହେଲାପରେ ଯୋଗୀନ୍ଦ୍ର ବାବୁ କୁଶିଦା ଗ୍ରାମ ଛାଡ଼ି ସକୁଟୁମ୍ବ କଲିକତାରେ ବାସ କଲେ । ଜମିଦାରୀ ଭାର ଜଣେ ସୁଦକ୍ଷ ବୃଦ୍ଧ ଗୁମାସ୍ତାଙ୍କ ଉପରେ ନ୍ୟସ୍ତ ଥିଲା । ପ୍ରଜାଙ୍କର ଦୁଃଖ ସୁଖ ଦେଖିବାକୁ ଓ ଗୁହାରି ଶୁଣିବାକୁ ଦେବେନ୍ଦ୍ର ବାବୁ ବେଳେ ବେଳେ କୁଶିଦା ଯାଉଥିଲେ ।

 

ତାଙ୍କର ମୃତ୍ୟୁପରେ ଜମିଦାରୀ ଭାର ପୁତ୍ର ଦେବେନ୍ଦ୍ରଙ୍କ ଉପରେ ପଡ଼ିଲା । ଜମିଦାରୀ ହାଲ ବୁଝିବେ ବୋଲି ସେ ପ୍ରସିଡେନ୍‌ସି କଲେଜର ତୃତୀୟ ବର୍ଷରୁ ବିଦାୟ ଗ୍ରହଣ କରି ଘରକୁ ଆସିଲେ ସତ, କିନ୍ତୁ ଜମିଦାରୀ ସ୍ତିରସ୍ତାରେ ତାଙ୍କର ମୁଣ୍ଡ ଗଳିଲା ନାହିଁ । ସେ ମଧ୍ୟ ବୁଝିବାକୁ ବିଶେଷ ଚେଷ୍ଟା କଲେ ନାହିଁ । କଲିକତା ପରି ସହରରେ ଗୋଡ଼ ଖସାଇଲେ ଦେବେନ୍ଦ୍ର ବାବୁଙ୍କ ପରି ତରଳମତି ଯୁବକ ରସାତଳଗାମୀ ହେବାର କଥା । ତାହାହିଁ ଘଟିଲା । କେତେଜଣ ବନ୍ଧୁଙ୍କର ପ୍ରରୋଚନାରେ ସେ ଏକାଥରେ ବିଗିଡ଼ିଗଲେ । ତାଙ୍କର ଅଧୋଗତି ଆରମ୍ଭ ହେଲା; ପ୍ରଥମେ ଥିଏଟର ସିନେମା ଦେଖାରୁ । ଷ୍ଟାର ମିନର୍ଭା ପ୍ରଭୃତି ନାଟ୍ୟମନ୍ଦିରମାନଙ୍କରେ ଦେବେନ୍ଦ୍ର ବାବୁ ତାଙ୍କ ସଙ୍ଗୀମାନଙ୍କ ସହ ପ୍ରାୟ ପ୍ରତ୍ୟହ ଅଭ୍ୟାଗତ । ବ୍ୟୟଭାରଟା ନିଜେ ସେ ନିଜ ମୁଣ୍ଡକୁ ଟାଣି ନିଅନ୍ତି ।

 

ବିଧବା ମାତାଙ୍କ ସଙ୍ଗେ କଳହ କରି ପିତାଙ୍କ ଗଚ୍ଛିତ ଧନରୁ ଯାହା ଇଚ୍ଛା ନେଇ ବ୍ୟୟ କରିବାରେ ଟିକିଏ ହେଲେ କୁଣ୍ଠା ନ ଥାଏ । ଏକମାତ୍ର ସନ୍ତାନର ଏପରି ନୈତିକ ଅଧୋଗତି ଦେଖି ସେ ନୀରବରେ ଅଶ୍ରୁ ମୋଚନ କରନ୍ତି । ଯେତେ ଉପଦେଶ ଦେଇ ବୁଝାଇଲେ ଦେବେନ୍ଦ୍ର ବୁଝନ୍ତି ନାହିଁ । ହସିଦେଇ ଆଗରୁ ଚାଲିଯାନ୍ତି ।

 

ଏହିପରି କିଛିଦିନ କଟିଗଲା । ଦେବେନ୍ଦ୍ର ବାବୁଙ୍କ ସ୍ୱଭାବର ପରିବର୍ତ୍ତନ ହେଲା ନାହିଁ । ଦିନକୁଦିନ ତଳକୁ ଯିବାକୁ ବସିଲା । ମଦ ଖାଇ ମାତାଲ ହୋଇ କଲିକତାର ନାମଜାଦା ଗଳିମାନଙ୍କରେ ଅପ୍‌ସରା ଖୋଜି ବୁଲିଲେ । ନିତି ନୂଆ ଅପ୍‌ସରାଙ୍କର ବାହ୍ୟ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ସେ ଏହି ବିଶ୍ୱଟା କେବଳ ଅପ୍‌ସରାମୟ ଦେଖିଲେ । କ୍ରମେ ଘରୁ ସମସ୍ତ ସମ୍ପର୍କ ତୁଟିଗଲା । ଯେତେବେଳେ ଟଙ୍କା ପଇସାର ଅଭାବ ପଡ଼େ ଅକସ୍ମାତ୍ ଘରେ ପହଞ୍ଚି କିଛି ହାତକରି ଚାଲିଯାନ୍ତି । ମା ଯେତେ ଯାହା କହି ବୁଝାଇଲେ ତହିଁରେ ସେ କର୍ଣ୍ଣପାତ କରନ୍ତି ନାହିଁ ।

 

ପୁତ୍ରକୁ ନରକଯାତ୍ରାରୁ ରକ୍ଷା କରିବାକୁ ମା ଖୋଜି ଖୋଜି ଗୋଟିଏ ଅନିନ୍ଦ୍ୟସୁନ୍ଦରୀ, ସୁଶିକ୍ଷିତା ଓ ଉଚ୍ଚ ବଂଶୀୟା କନ୍ୟା ବୋହୂ କରି ଘରକୁ ଆଣିବାର ପ୍ରସ୍ତାବ କଲେ । କନ୍ୟା ଠିକ୍ ହେଲା । ମା’ଙ୍କ ଅନୁରୋଧ ମତେ ବିନା ଆପତ୍ତିରେ ଦେବେନ୍ଦ୍ର ବାବୁ ଶୈଳବାଳାକୁ ବିବାହ କଲେ । ଲୋକେ ଆଶା କରିଥିଲେ, ଏଣିକି ତାଙ୍କର ସ୍ୱଭାବ ପରିବର୍ତ୍ତିତ ହେବ । ଦିନାକେତେ ଦେବେନ୍ଦ୍ର ଭଲ ପିଲାପରି କାଳ କଟାଇଲେ । ମାଙ୍କ ମନରେ ଆଶାର ବିଦ୍ୟୁତ୍ ଖେଳିଗଲା । କିନ୍ତୁ, ଭଗବାନଙ୍କର ଇଚ୍ଛା ଅନ୍ୟ ପ୍ରକାର । ଦେବେନ୍ଦ୍ରଙ୍କର ପୁଣି ସେହି ପୂର୍ବର ପାଗଳାମି ବାହାରିଲା । ଯାହାଙ୍କ ନିମନ୍ତେ କଲିକତା ଅପ୍‌ସରା ମହଲମାନଙ୍କର ଦ୍ୱାର ଚିର ଉନ୍ମୁକ୍ତ; ସେ କି ସୟଜରେ ସରଳା ବାଳିକାର ରୂପ, ଗୁଣ ଓ ପ୍ରେମରେ ମୁଗ୍‌ଧ ହୋଇ ରହି ପାରନ୍ତେ ?

 

ମାଆଙ୍କ ମନର ଅବସ୍ଥା କହିଲେ ନ ସରେ । ଦୁଃଖ ପରେ ଦୁଃଖ ତାଙ୍କ ମନକୁ ଏକାଥରେ ଯନ୍ତ୍ରଣାରେ ପୂର୍ଣ କରିଦେଲା । ଏକମାତ୍ର ପୁତ୍ରର ଦୁରବସ୍ଥା ଦେଖି ସେ ଭାବିଥିଲେ, ପୁତ୍ରବଧୂର ହସ ହସ ସୁନ୍ଦର ମୁହଁଟି ଦେଖି ପ୍ରାଣରେ ଶାନ୍ତି ଆଣି ପାରିବେ । କିନ୍ତୁ ସ୍ୱାମୀଙ୍କର ଢଙ୍ଗ ଢାଙ୍ଗରେ ଶୈଳବାଳା ଦିନ ରାତି କାନ୍ଦିକାନ୍ଦି ସମୟ କଟାଇଲେ । ଦୋଷ ଦେବେ କାହାର । ନିଜ ସୁନା ଯଦି ଭେଣ୍ଡି ହୁଏ ମାଇପେ ଦୋଷ ଦିଅନ୍ତି କପାଳର ସିନା । ଶୈଳବାଳାଙ୍କ ହୃଦୟର ବ୍ୟଥା ବୁଝିପାରି ମା ତାଙ୍କୁ କ୍ରୋଡ଼ିକୁ ଟାଣିଆଣି ବୁଝାଇ କହନ୍ତି । ତହିଁରେ ତାଙ୍କର ଦୁଃଖ କେବଳ ବଢ଼େ ।

 

ସେ ଦିନ ଜନ୍ମାଷ୍ଟମୀ । ରାତି ଦଶଟା ହେଲା । ଦେବେନ୍ଦ୍ର ବାବୁଙ୍କର ଦେଖା ନାହିଁ । ଆବଶ୍ୟ ଏହିପରି କେତେ ରାତି କଟିଯାଇଛି, କିନ୍ତୁ କୌଣସି ଦିନ ଶୈଳବାଳାଙ୍କ ମନ ଏତେ ବେଶି ଅଧୀର ହୁଏ ନାହିଁ । ଆଜି କଅଣ ହେଲା କେଜାଣି ତାଙ୍କର ମନ କେଉଁଠି ଲାଗିଲା ନାହିଁ । କେଉଁ ଦିନର କେତେ କଥା ମନେପଡ଼ି ତାଙ୍କର ପ୍ରାଣକୁ ଅସ୍ଥିର କଲା । ସେ ଦୁଃଖର ଦ୍ୱିତଳର ଗୋଟିଏ ପ୍ରକୋଷ୍ଠରେ ପଲଙ୍କ ଉପରେ ଶୋଇ ତକିଆରେ ମୁହଁ ମାଡ଼ି କାନ୍ଦିବାକୁ ଲାଗିଲେ ।

 

ମା ଏ ସମ୍ବାଦ ପାଇ, ମନ ଦୃଢ଼କରି ଶେଳବାଳାଙ୍କ ନିକଟକୁ ଆସିଲେ । ପଲଙ୍କ ଉପରେ ବସି ଧୀରେ ଧୀରେ ଶୈଳବାଳାଙ୍କୁ ଉଠାଇ ଅଞ୍ଚଳରେ ଲୋତକ ପୋଛିଦେଲେ । ପ୍ରବୋଧନା ଦେଇ କହିଲେ, ମା ମୋଓର, ଲକ୍ଷ୍ମୀମୋଓର, ମନରେ ଦୁଃଖ କରନା । ତୋର ନାହିଁ କଅଣ ? କୁଶିଦା ପରି ଜମିଦାରୀର ଅଧିକାରିଣୀ ତୁ, ତୋଓର ଅଭାବ କାହିଁରେ ? ଯାହା ନେଇ ମନରେ ଦୁଃଖ କରୁଛୁ ତାର ପ୍ରକୃତ କଅଣ ସବୁଦିନେ ଏହିପରି ଥିବ ? ଭଗବାନଙ୍କୁ ପ୍ରାର୍ଥନା କର । ତାଙ୍କର ସୁଦୟା ହେଲେ କ୍ଷଣକରେ ବଦଳିଯିବ । ମଣିଷ କୌଣସି ବିଷୟରେ ଚରମ ସୀମାରେ ଉପସ୍ଥିତ ହେଲେ ଆପେ ଆପେ ବଦଳିଯାଏ । ଅଖିଆ ଅପିଆ ଏକୁଟିଆଟା ଶୋଇ ଏତେ କାନ୍ଦୁଛୁ-? ତୋର କାନ୍ଦଣା ଦେଖିଲେ ମୋର ଛାତି ଫାଟିଯିବ, ଆ ମା... । ଶାଶୁଙ୍କର ସାନ୍ତ୍ୱନା ବାଣୀ ଶୁଣି ଶୈଳବାଳାଙ୍କର କୋହ ବଢ଼ିଲା । ବୃଦ୍ଧାଙ୍କ ବକ୍ଷରେ ମୁହଁ ଲୁଚାଇ କଇଁକଇଁ ହୋଇ କାନ୍ଦି ଉଠିଲେ । ମା କିଛଇ ନ କହି ବଧୂକୁ ଆଲିଙ୍ଗନ କଲେ ।

 

ଏହି ସମୟରେ ଧଇଁ ସଇଁ ହୋଇ ଜଣେ ଚାକର ସେଠାରେ ଉପସ୍ଥିତ ହୋଇ ଭୟପୂର୍ଣ୍ଣ ତୀବ୍ର ସ୍ୱରରେ କହିଲା, ମା, ମା, ସର୍ବନାଶ । ବାବୁ ଗୋଟାଛାଏଁ ରକ୍ତରେ ଜୁଡ଼ୁ ବୁଡ଼ୁ ହୋଇ ଆସିଛନ୍ତି-। ତାଙ୍କ ସଙ୍ଗେ ଆଉ ଦିଜଣ କିଏ ଅଛନ୍ତି । ଶୀଘ୍ର ତଳକୁ ଆସ । ମୁଁ ଗୋଟାଏ ପଙ୍ଖା ନେଇ ଯାଏ । ଏତିକି କହି ଚାକର ଟୋକା ଦ୍ରୁତପଦରେ ତଳକୁ ଓହ୍ଲାଇଲା ।

 

ମାଙ୍କର ଦୁଃଖ ଏହି ଆକସ୍ମିକ ଦୁଃସମ୍ବାଦ ପାଇ ବିସ୍ମୟରେ ପରିଣତ ହେଲା । ସେ ପୁତ୍ରବଧୂକୁ ଛାଡ଼ି ଘଟଣା କଅଣ ବୁଝିବାକୁ ଅସ୍ତବ୍ୟସ୍ତ ହୋଇ ତଳକୁ ଆସିଲେ । ଶୈଳବାଳା ମଧ୍ୟ ଚକ୍ଷୁରୁ ଲୋତକ ପୋଛି ଅସମ୍ଭାଳ ହୋଇ ତଳକୁ ଓହ୍ଲାଇଲେ ।

 

ତଳକୁ ଆସି ଯାହା ଦେଖିଲେ, ତହିଁରେ ସେମାନଙ୍କର ଚକ୍ଷୁସ୍ଥିର ହେଲା । ଦେବେନ୍ ବାବୁ ହତଜ୍ଞାନ ହୋଇ ଦାଣ୍ଡଘର ପଲଙ୍କ ଉପରେ ପଡ଼ିଛନ୍ତି । ହାତରେ ଓ ମୁଣ୍ଡରେ ପଟି ବନ୍ଧା ହୋଇଛି । ଦେହର ଅନେକ ସ୍ଥାନରେ ରକ୍ତ ଲାଗି ରହିଛି । ଦେବେନ୍ ବାବୁଙ୍କ ନିକଟରେ ଦୁଇଜଣ ଭଦ୍ରଲୋକ ଠିଆ ହୋଇ ରହିଛନ୍ତି । ଜଣେ ଖଣ୍ଡେ ପଙ୍ଖା ଧରି ଧୀରେ ଧୀରେ ବ୍ୟଜନ କରୁଛନ୍ତି । ଆରକ ଥର୍ମ୍ମାମିଟର ସାହାଯ୍ୟରେ ଦେହର ଉତ୍ତମ ପରୀକ୍ଷା କରୁଛନ୍ତି ।

 

ଏମାନଙ୍କୁ ଦେଖି ସେ ତାଙ୍କର ବନ୍ଧଙ୍କୁ ସମ୍ବୋଧନ କରି କହିଲେ, ବିପବାବୁ ଆଘାତ ସେପରି ସାଙ୍ଘାତିକ ନୁହେଁ । ପ୍ରଚୁର ପରିମାଣରେ ମଦ ଖାଇଥିବାରୁ ଏପରି ହତଜ୍ଞାନ ହୋଇ ପଡ଼ିଛନ୍ତି । ଭୟର କାରଣ ନାହିଁ । ଆପଣ ରହନ୍ତୁ, ମୁଁ ଆସୁଛି ।

 

ବିପ୍ରବାବୁ ନମସ୍କାର କରି କହିଲେ, ସତ୍ୟବାଦୀ ବାବୁ, ଆପଣ ଯେ ଜଣେ ଅପରିଚିତ ଭଦ୍ରଲୋକଙ୍କର ଏତେ ଉପକାର କରିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।

 

ସତ୍ୟବାଦୀ ବାବୁ ଫେରି ଚାହିଁ ହସି ହସି କହିଲେ, ସେଇଟା ଆପଣଙ୍କର ପ୍ରାପ୍ୟ, ମୋଓର ନୁହେଁ । ବାଟରେ ଚାଲି ଯାଉଁ ଯାଉଁ ଜଣେ ଅପରିଚିତ ଆହତ ବ୍ୟକ୍ତିଙ୍କୁ ଦେଖି ତାଙ୍କର ଏତେ ଉପକାର ଆପଣଙ୍କ ଭଳି କରିବ କିଏ ?

 

ସତ୍ୟବାଦୀ ବାବୁ ଡାକ୍ତର ଚାଲିଯିବା ପରେ ବିପ୍ରଚରଣ ମାଆଙ୍କ ଆଡ଼କୁ ଚାହିଁ କହିଲେ, ଆପଣମାନଙ୍କର ବ୍ୟସ୍ତ ହେବାର କାରଣ ନାହିଁ । ଭାଗ୍ୟବଳରୁ ଅତି ବଡ଼ ବିପଦରୁ ଏ ଉଦ୍ଧାର ପାଇ ଆସିଛନ୍ତି ।

 

ବୃଦ୍ଧା କଅଣ କହି ଏହି ଅପରିଚିତ ଯୁବକଙ୍କ ନିକଟରେ ହୃଦୟର କୃତଜ୍ଞତା ଜଣାଇବେ ସ୍ଥିର କରିପାରିଲେ ନାହିଁ। ସେ ଏହି ଦୁଇ ଜଣଙ୍କୁ ଦେଖି ପ୍ରଥମେ ଭାବିଥିଲେ ଏମାନେ ଦେବେନର ବନ୍ଧୁ । ଏହିମାନଙ୍କ ପ୍ରରୋଚନା ଓ କୁଶିକ୍ଷାରେ ପଡ଼ି ଅମୂଲ୍ୟ ଚରିତ୍ର ନଷ୍ଟକରି ଦେବେନ୍ ଏତେ ବଡ଼ ବିପଦରେ ପଡ଼ିଛି । ମାତ୍ର ବନ୍ଧୁ ଏପରି ଧାରଣା ମନରେ ଆଣିବାକୁ ସାହସ ହେଲା ନାହିଁ ।

 

ସେ ଲୋତକଭରା ଚକ୍ଷୁରେ ପଚାରିଲେ, ଦେବେନ୍‌ର ଏପରି ଅବସ୍ଥା କିପରି ହେଲା ବାବା ? ତମେ ତାକୁ ଦେଖିଲ କେଉଁଠି ?

 

ବିପ୍ରଚରଣ ସମସ୍ତ ଘଟଣା ବର୍ଣ୍ଣନା କଲେ-ସେ ମେଛୁଆବଜାର ନିକଟସ୍ଥ ଭବାନୀ ଲେନରୁ ବସାକୁ ଫେରୁଥିବା ସମୟରେ ଗୋଟିଏ କୋଠାର କଡ଼ରେ ଦେବେନ୍ ବାବୁଙ୍କୁ ଝୁଣ୍ଟିଲେ । ଅନ୍ଧାରୁଆ ହୋଇଥିବାରୁ ଟର୍ଚ୍ଚମାରି ଦେଖିଲେ ଗୋଟିଏ ରକ୍ତଲିପ୍ତ ଲୋକ । ମଦଗନ୍ଧର ଉତ୍କଟତାରେ ତାଙ୍କର ମୁଣ୍ଡ କଅଣ ହେଲା । ଅନେକ ସମୟ ଯତ୍ନ କଲାପରେ ଆହତ ଦେବେନ୍‌ବାବୁ ଚକ୍ଷୁ ଖୋଲିଲେ । ପଚାରିବାରୁ କହିଲେ, ମିତ୍ରଲେନ୍ ଯିବେ... । ଏତିକି କହି ପୁଣି ହତଜ୍ଞାନ ହେଲେ। ବିପ୍ରଚରଣ ଭଡ଼ା ଟାକ୍‌ସିରେ ପ୍ରଥମେ ତାଙ୍କୁ ସତ୍ୟବାଦୀ ବାବୁ ଡାକ୍ତରଙ୍କ ଘରକୁ ନେଇ ଗଲେ... । ସେହିଠାରେ ପଟି ବନ୍ଧାହେଲା । ସତ୍ୟବାଦୀବାବୁ ନିଜ ମଟରରେ ଆଣି ଛାଡ଼ି ଦେଇଗଲେ ।

 

ସେହିଦିନରୁ ଦେବେନ୍ଦ୍ର ବାବୁଙ୍କ ଘରସଙ୍ଗେ ବିପ୍ରଚରଣଙ୍କର ଘତିଷ୍ଠତା କ୍ରମେ ବଢ଼ିଗଲା-। ଦେବେନ୍ଦ୍ର ବାବୁଙ୍କର ମାତାଙ୍କ ଅନୁରୋଧକ୍ରମେ ବିପ୍ରଚରଣ ପ୍ରତ୍ୟହ ଆସି ରୋଗୀକୁ ଦେଖିଯାନ୍ତି । ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବାକୁ ଦେବେନ୍ଦ୍ର, ବାବୁଙ୍କୁ ମାସାଧିକ ସମୟ ଲାଗିଲା । ହସ ହସ ମୁହଁରେ ବିପ୍ରଚରଣ ଆତ୍ମୀୟ ପରି ଡ଼ାକ୍ତର ଡକା ଠାରୁ ପଥ୍ୟର ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ନିଜେ କରନ୍ତି-

 

ଏହି କେତେଦିନ ମଧ୍ୟରେ ସେ ମିତ୍ର ବଂଶର ପ୍ରତ୍ୟେକଙ୍କୁ ଆପଣାର କରି ପକାଇଛନ୍ତି । ନିଜର ମେଳାପୀ ସ୍ୱଭାବ ଓ ଚରିତ୍ରବଳରେ ବିପ୍ର ଚରଣ ସମସ୍ତଙ୍କର ସ୍ନେହଭାଜନ ହୋଇଛନ୍ତି । ଦେବେନ୍ଦ୍ର ବାବୁଙ୍କ ଜନନୀଙ୍କୁ ସେ ମା ବୋଲି ସମ୍ବୋଧନ କରନ୍ତି । ବାରମ୍ବାର ରଜ୍‌ଘସ ହେତୁ ଶୈଳବାଳା ମଧ୍ୟ ତାକୁ ଆଉ ଅପରିଚିତ ମନେ ନ କରି ଆଡ଼ ଆଢ଼ୁଆଳ ହୁଅନ୍ତି ନାହିଁ । ଶାଶୁଙ୍କର ଆଜ୍ଞାକ୍ରମେ ସେ ତାଙ୍କୁ ବିପନ୍‌ଦା ବୋଲି ଡାକନ୍ତି ।

 

ମାଆଙ୍କ ମନରେ କିପରି ଧାରଣା ଜନ୍ମିଥିଲା ସେ ଦେବେନ୍‌କୁ ଅସତ୍‌ପଥରୁ ସତ୍‌ପଥକୁ ଆଣିବାକୁ ହେଲେ ବିପନ୍ ପରି ସତ୍‌ଚରିତ୍ର ଯୁବକ ସଙ୍ଗେ ତାର ବନ୍ଧୁତ୍ୱ-ବନ୍ଧନ ଘନିଷ୍ଠତର କରିବା ଆବଶ୍ୟକ । ସେ ଜାଣନ୍ତି, ଜଣେ ବନ୍ଧୁର ଗୁପ୍ତ ମନ୍ତ୍ରଣା ମନରେ ବଡ଼ ପ୍ରଭାବ ପକାଏ ।

 

ଦେବେନ୍ଦ୍ର ବାବୁଙ୍କ ଆଚରଣ ଦେଖି ସମସ୍ତେ ହତାଶ ହେଲେ । ଦେହ ଭଲହେବା ସଙ୍ଗେ ସଙ୍ଗେ ପୁଣି ତାଙ୍କର ପୂର୍ବ ସ୍ୱଭାବ ଫେରି ଆସିଲା । ଜାଣି ଜାଣି ଯେ ନିଜ ପାଇଁ ନରକରପଥ ସଫାକରେ ସହସ୍ର ବିପଚରଣ ହେଲେ ତାଆର ସ୍ୱଭାବ ବଦଳାଇ ପାରିବେ ନାହିଁ । ମା ଏବଂ ଶୈଳବାଳାଙ୍କର ସମୟ କାନ୍ଦି କାନ୍ଦି କଟିଲା । ସେମାନେ ବୁଝିପାରିଲେ, ମିତ୍ରବଂଶର ମାନମର୍ଯ୍ୟାଦା ତ ଲୋପ ପାଇଛି, ଏଥର ବଂଶ ଲୋପ ହେବ ।

 

ବିପ୍ରଚରଣ ସେମାନଙ୍କୁ ଆଶ୍ୱାସନା ଦେଇ ବୁଝାଇ ସୁଝାଇ କହନ୍ତି । ଦେବେନ୍ଦ୍ର ବାବୁ ହାବୁଡ଼େ ପଡ଼ିଲେ ତାଙ୍କୁ ଭଦ୍ରଶୋଧନ ଦେଇ କେତେ ବୁଝାନ୍ତି । ସେ କିଛି ନ ଶୁଣି ହସି ଦେଇ ଚାଲି ଯାଆନ୍ତି । ବିପ୍ରଚରଣ ବା ଅଧିକା କରିବେ କଅଣ; ନିଜ ଦୁଃଖ ଧନ୍ଦାରେ ସେ ନିଜେ ବ୍ୟସ୍ତ ।

 

ଯେଉଁଦିନ ଖବରକାଗଜକୁ ପଢ଼ିଲେ ସେ ସାଧୁଚରଣ ରସାନନ୍ଦ ନାମଧେୟ କୌଣସି ଜଣେ ଭଦ୍ର ଲୋକଙ୍କୁ ଔଷଧ ଦେବା ବାହାନାରେ କୌଶଳରେ ବିଷ ଦିଆଇ ମରାଇ ଓ ତାଙ୍କର ଜନେକ ବନ୍ଧୁ ଜଗନ୍ନାଥଙ୍କୁ ପିସ୍ତଲ ଗୁଳିରେ ଆଘାତ କରି, ରସାନନ୍ଦ ବାବୁଙ୍କର ବିଧବା, ଷୋଡ଼ଶୀ ଧର୍ମପତ୍ନୀ କୋକିଳ ଦେଈଙ୍କୁ ସଙ୍ଗରେ ନେଇ କୁଆଡ଼େ ପଳାଇଛନ୍ତି, ତାଙ୍କର ପ୍ରାଣରେ ଗୁରୁତର ଆଘାତ ଲାଗିଲା । ସେ ଆଉ କାହାକୁ ବିଶ୍ୱାସ କରି ପାରିଲେ ନାହିଁ । ନିଜ ଉପରୁ ମଧ୍ୟ ବିଶ୍ୱାସ କମି ଆସିଲା । ସାଧୁଚରଣ ଯଦି ଏପରି ଜଘନ୍ୟ କର୍ମ କରିପାରେ, ମନୁଷ୍ୟ ହୋଇ ନ କରିବ କିଏ-

 

ସବୁ ଦୋଷ ସେ ଭାଇଭାଉଜଙ୍କ ଉପରେ ଅଜାଡ଼ିଦେଇ ମନକୁ ମନ କହିଲେ, ମୋଓର ଆଉ ସଂସାରରେ କେହି ନାହିଁ । ଅବଶ୍ୟ ଏହି ବାକ୍ୟଟି ମନେ ମନେ କହିବା ସଙ୍ଗେ ସଙ୍ଗେ ସରର ହସ ହସ ମୁହଁ ଓ ଗୁଲୁଗୁଲିଆ ମିଠା କଥା ତାଙ୍କର ମନେପଡ଼ି ଅଜାଣତରେ ଚକ୍ଷୁ କୋଣରେ ଦୁଇବୁନ୍ଦା ଲୁହ ସୃଷ୍ଟି କରିଥିଲା ।

 

ସେହିଦିନଠାରୁ ଘରୁ ସବୁ ସମ୍ପର୍କ ତୁଟାଇ ଦେଲେ । ଳଟାରିଲବ୍‌ଧ ଧନରେ ଚାଉଳ ବ୍ୟବସାୟ କରି ଯଥେଷ୍ଟ ଧନ ଉପାର୍ଜନ କଲେ । ଧନ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ସେହି ଧନକୁ ବ୍ୟୟ କରିବାର ସୁ-ଉପାୟ କରିଲେ ତୁ ହୁଏ ।

 

ଧନଉପାର୍ଜନ ଯେଡ଼େ ଶକ୍ତି, ବ୍ୟୟ କରିବା ତେଡ଼େ ଶକ୍ତ ନୁହେଁ । ବ୍ୟୟ କରିବାକୁ ଅନ୍ୟର ଉପଦେଶ ଲୋଡ଼ା ହୁଏ ନାହିଁ । ନିଜର ଗ୍ରାସାଚ୍ଛାଦନ ନିମନ୍ତେ ସାମାନ୍ୟ କିଛି ଟଙ୍କା ରଖି ବାକିତକ ଯାହାର ଧନ ତାଙ୍କୁହିଁ ଭିନ୍ନ ଭାବରେ ଫେରସ୍ତ ଦିଅନ୍ତି । ସେ ଜାଣନ୍ତି, ବ୍ୟବସାୟ ମାନେ-ଅଦେଖା ଭାବରେ ଗରିବଙ୍କ ତଣ୍ଟିଚିପି ତାଙ୍କ ଅଣ୍ଟାରୁ ପଇସା କାଢ଼ିବା । ତେଣୁ ସେ ସାମାନ୍ୟ କିଛି ରଖି ବାକିତକରୁ କିଛି ବନ୍ୟା ପାଣ୍ଠିକୁ, କିଛି ଉତ୍କଳ-ସମାଜ ପାଣ୍ଠିକୁ, ବେଳେ ବେଳେ କଂଗ୍ରେସ ପାଣ୍ଠିକୁ ଏହିପରି ଅନ୍ୟାନ୍ୟ ନାନାପ୍ରକାର ପାଣ୍ଠିକୁ ଦାନ କରନ୍ତି ।

 

ଦୁଃଖୀରଙ୍କୀଙ୍କ ଦେବା ଓ ପ୍ରତିଦିନ ଚାଲିଥାଏ । ତାଙ୍କର ଧାରଣା ପ୍ରତ୍ୟେକ ମଣିଷକୁ ଆଗ ମୁଠାଏ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ହେବ । ଏହି ଦୁଇଟି ଛୋଟକଥା ଅଥଚ ସବୁଠୁଁ ବଡ଼ କଥାକୁ ନ ଅନାଇଁ ଯେଉଁ ଧନରଙ୍କମାନେ ଆମର ଧନ ବୋଲି କହି ବିଳାସରେ ମାତିଯାଆନ୍ତି ଓ ସହସ୍ର ଲୋକଙ୍କର ଚକ୍ଷୁର ଜଳ ଓ ହୃଦୟର ରକ୍ତର ଅବଗାହନ କରି ଚିତ୍କାର କରି କହନ୍ତି, ଆମେ ସୁଖୀ, ତାଙ୍କଠୁ ବଳି ନିର୍ଲ୍ଲଜ ଆଉ କେହି ନାହାନ୍ତି ।

 

ବିପ୍ରଚରଣ ଭାବନ୍ତି, ସମସ୍ତଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ନଜର ନ ଦେଲେ ସଭିଙ୍କୁ ଦିନେ ମରିବାକୁ ପଡ଼ିବ ।

 

ବିପ୍ରଚରଣଙ୍କୁ ସମସ୍ତେ ଭଲପାଆନ୍ତି । ମା ହାଇଁପାଇଁ ହୁଅନ୍ତି । ଆହା, ଟଙ୍କା ରଖିବାକୁ ବସିଲେ ବର୍ଷକରେ ପିଲାଟା ଧନୀ ହୋଇଯାନ୍ତା । ମିଛରେ ଟଙ୍କା ନଷ୍ଟ କରୁଛି । ହଁ, ଦାନ ଧର୍ମ କରିବାକୁ ହୁଏ, ତା ବୋଲି ଏତେ ବେଶି ।

 

ଦିନେ ସେ ଶେଳବାଳାଙ୍କୁ ଡ଼ାକି ଶିଖାଇ କହିଲେ... ଏହି ସମସ୍ତ କଥା ତୁ ଯଦି ବିପିନକୁ କହୁ ସେ ମାନିପାରେ । ଆହା,ବାପ ମା ଛେଉଣ୍ଡ ପିଲାଟି ସଂସାରରେ ସୁଖୀ ହୋଇ ରହୁ । ଶୈଳବାଳାଙ୍କ ମନକୁ ପାଇଲା ।

 

ଦିନେ ବିପ୍ରଚରଣ ରକ୍ତ ଜରଜର ହୋଇ ଚାରିଟା ବେଳେ, ସିତ୍ର ଭବନରେ ଉପସ୍ଥିତ ହେଲେ । ମିତ୍ରଭବନର ପ୍ରତ୍ୟେକ ଲୋକ ତାଙ୍କୁ ଦେଖିଲେ ରଙ୍କସରସର ହୁଅନ୍ତି । ତାଙ୍କୁ ଏପରି ଅବସ୍ଥାରେ ଆସିବାର ଦେଖି ଚହଳ ପଡ଼ିଗଲା । ମା ଏବଂ ଶୈଳବାଳା ଉତ୍କଣ୍ଠିତା ହୋଇ ତଳକୁ ଦଉଡ଼ି ଆସିଲେ ।

 

ମାଆଙ୍କୁ ଦେଖି ବିପ୍ରଚରଣ ଭକ୍ତି ସହକାରେ ହସ ହସ ମୁହଁରେ ପ୍ରଣାମ କଲେ । ବୃଦ୍ଧା ଛଳ ଛଳ ଚକ୍ଷୁରେ ତାଙ୍କ ଦେହରୁ ରକ୍ତର ଛିଟା ପୋଛି ବିସୟର ସହିତ କହିଲେ, ଏ କଅଣ ହୋଇଛି ବିପିନ୍, ରକ୍ତ !

 

ତାଙ୍କର ଅଧୀରତା ବୁଝିପାରି ବିପ୍ରଚରଣ କହିଲେ, ହଁ ମା ଜଣେ ପଶ୍ଚିମା ଭଦ୍ରଲୋକଙ୍କ ଦେହରେ ହଠାତ୍ ମଟର ଧକ୍‌କା ଲାଗିବାରୁ ସେ ପଡ଼ିଗଲେ । ତାଙ୍କର ମୁଣ୍ଡ ଫାଟିଗଲା । ତାଙ୍କୁ ଟେକାଟେକି କରି ସେହି ମଟରରେ ବସାଇ ସତ୍ୟବାଦୀ ବାବୁଙ୍କ ଡାକ୍ତରଖାନାକୁ ପଠେଇ ଦେଇ ଆସିଲି । ଅବସ୍ଥା ଭଲ ଅଛି ।

 

ସବୁଦିନେ ତମର ଏହି କାମ ! ହଉ ବାବା, ପରର ଯେ ଉପକାର କରେ, ଭଗବାନ ତାର ମଙ୍ଗଳ କରନ୍ତି । ଯା, ଲୁଗା ବଦଳି ଜଳଖିଆ କରି ନେ ! ଶୈଳ, ଦାଦାକୁ ଜଳଖିଆ ଦେ ଏତିକି କହି ବୃଦ୍ଧା ଉପରକୁ ଗଲେ ।

 

ଶୈଳବାଳା ଭ୍ରୂଲତା ନଚାଇ କହିଲେ, ଦେଖନ୍ତୁ ବିପିନଦା, ପରର ଉପକାର କରିବାକୁ ଯାଇ ଦିନୁ ଦିନ ଆପଣଙ୍କର ଦେହ ଖରାପ ହୋଇଯାଉଛି । ହେବାର ତ କଥା, ନିଜର ଖିଆପିଆକୁ ନଜର ନ ରଖିଲେ ସ୍ୱାସ୍ଥ୍ୟଭଙ୍ଗ ନିଶ୍ଚୟ ହେବ ।

 

ବିପ୍ରଚରଣ ସ୍ମିତହାସ୍ୟ କଲେ । ଶୈଳବାଳା ଜଳଖିଆର ଆୟୋଜନରେ ଚାଲିଗଲେ ।

 

ବିପ୍ରଚରଣ ଜଳଖିଆ କରୁଥିବା ସମୟରେ ଶୈଳବାଳା ଅତି ଆଗ୍ରହ ସହକାରେ ତାଙ୍କୁ ବ୍ୟଜନ କରୁଥିଲେ । ଭାଇ ଭଉଣୀ ମଧ୍ୟରେ ନାନାପ୍ରକାର ମଧୁରାଳାପ ଚାଲିଥିଲା । ଶୈଳବାଳା କହିଲେ, ଆଚ୍ଛା ବିପିନ୍ ଦା, ଆପଣ ଚୌରଙ୍ଗୀ ପାଖରୁ ବସା ଉଠାଇ ଏ ପାଖକୁ ଚାଲି ଆସୁ ନାହାନ୍ତି, ମୁଁ ଶୁଣିଛି, ଚୌରଙ୍ଗୀ ଆଡ଼େ ବସାଭଡ଼ା ବେଶି ।

 

ବିପ୍ରଚରଣ କହିଲେ, ହଁ, ବସାଭଡ଼ା ଟିକିଏ ବେଶି, ତେବେ ବ୍ୟବସାୟର ସୁବିଧା । ଆହୁରି ମଧ୍ୟ ବହୁଦିନ ରହିବା । ହେତୁ ସେପାଖେ ସଙ୍ଗୀ ବ୍ୟବସାୟୀଙ୍କ ଭିତରେ ମୋ’ର ଟିକେ ନାମ ହୋଇ ଯାଇଛି ।

 

ଶୈଳବାଳା ଆଳାପର ଗତି ବଦଳାଇ ପଚାରିଲେ, ବଙ୍ଗାଳୀ ଓଡ଼ିଆ ଭିତରେ ପ୍ରଭେଦ କଅଣ ? ମୁଁ ତ ଅନେକ ଓଡ଼ିଆ ଭଦ୍ରଲୋକ ଦେଖିଛି ମାତ୍ର କେହି କେହି ନ ଦେଲେତ ଚିହ୍ନି ଠିକଣା କରିବା ସହଜ ନୁହେଁ ।

 

ବିପ୍ରଚରଣ କହିଲେ, ପ୍ରଭେଦ କଅଣ ଦେଖିବୁ ଶୈଳ ! ଓଡ଼ିଆଙ୍କର ତ ଗୋଟାଏ ଲାଙ୍ଗୁଡ଼ ନ ଥାଏ । ଏକା ଦେଶ, ଏକା ଲୋକ, ଯେ ଯେଉଁଠି ରହିଲା ସେହିଠାରୁ ଭାଷା କହିଲା । ସ୍ୱଭାବ ମଧ୍ୟ ସ୍ଥାନ ଗୁଣରେ ପରିବର୍ତ୍ତନ ହୋଇଗଲା । ଆଜି ଯେ ହୁଏତ ପିଠିରେ ବୋଝ ବୋହି, ତମ ଘରେ ରୋଷେଇ କରି ତମମାନଙ୍କର ଘୃଣାର ପାତ୍ର ହୋଇଛି ଏବଂ ସଙ୍ଗେ ସଙ୍ଗେ ଭାରବାହୀ ପଶୁବୋଲି ସମସ୍ତ ଜାତିଟାକୁ ବଙ୍ଗ ଅବିଧାନରେ ଚିହ୍ନାଇ ଦେଉଛି, କାଲି ସେହି ହୁଏତ ଭଗବାନଙ୍କ ଦୟାରୁ ଭାଗ୍ୟଚିତ୍ର ପରିବର୍ତ୍ତନ ହେଲେ ତମମାନଙ୍କର ବିସ୍ମୟର ପାତ୍ର, ଅଭ୍ୟର୍ଥନାର ପାତ୍ର ହେବ । ବଙ୍ଗାଳୀ ଓଡ଼ିଆ ମଧ୍ୟରେ ଏହି ଜନ୍ମଗତ ଘୃଣା କାହିଁକି ଜାଣୁ ଶୈଳ ?

 

ଲଜ୍ଜିତା ହୋଇ ଶୈଳ ପଚାରିଲା, କାହିଁକି ?

 

ତାର କାରଣ, ଦୁହିଁଙ୍କର ସ୍ୱାର୍ଥ ଏକାଥରେ ଛନ୍ଦାଛନ୍ଦି ହୋଇ ରହିଛି । ବାଟରେ ଭିକ୍ଷୁକଟିଏ ଦେଖିଲେ ଲୋକଙ୍କର ଦୟା ହୁଏ କିନ୍ତୁ ଯଦି ସେହି ଭିକ୍ଷୁକ ତୁମର ନିଜର ଭାଇ ହୋଇଥାଏ ତ ହସ ମାଡ଼େ, ଉପହାସ କରି ଟିକିଏ ଚେଙ୍ଖେଇ ଦେବାକୁ ଇଚ୍ଛା ହୁଏ । ଦୟା ତା ପର କଥା ।

 

ଶୈଳବାଳାଙ୍କ ଚକ୍ଷୁ ପ୍ରଦୀପ୍ତ ହେଲା । ସେ ଦୃଢ଼ ସ୍ୱରରେ କହିଲେ, ଉଚିତ ହେଉଛି ଭିକ୍ଷୁକକୁ ପାଖକୁ ଆଣି ସାନ୍ତ୍ୱନା ଦେବା, ନିର୍ଦ୍ଧନତା ଏବଂ ନିର୍ଦ୍ଧନତାଜନିତ ଶିକ୍ଷାଭାବ ବା ଫେସନାଭାବ ତ ପାପ ନୁହେଁ, ଘୃଣ୍ୟ ନୁହେଁ । ଏହି ଘୃଣା ଘୁଞ୍ଚାଇବାର ଉପାୟ ମୁଁ ଜାଣେ ।

 

ଆଗ୍ରହର ସହିତ ବିପ୍ରଚରଣ ହାସ୍ୟୋଦ୍ଭାସିତ ଫୁଟନ୍ତି ପଦ୍ମପରି ଶୈଳବାଳାଙ୍କର ମୁଖକୁ ଚାହିଁ ପଚାରିଲେ, କଅଣ ଶୁଣେ ।

 

ବୈବାହିକ ସମ୍ବନ୍ଧ । ତା ହେଲେ ପରସ୍ପର ପ୍ରତି ଘୃଣାଭାବ ମନରୁ ଘୁଞ୍ଚାଯିବ ।

 

ଠିକ୍ କଥା ଶୈଳ, କିନ୍ତୁ ବିବାହ ପୂର୍ବରୁ ଜାତି ଅଜାତି ନେଇ ଟଣାଟଣି ଲାଗିବ । ଜାତି କଥାକୁ ମୁଁ ଘୃଣା କରେ ଶୈଳ, ମୁଁ ଜାଣେ,-ଜାତି ମୋଟେ ଦୁଇଟି, ସ୍ତ୍ରୀ ଜାତି ଓ ପୁରୁଷ ଜାତି । ହିନ୍ଦୁ, ମୁସଲମାନ, ବ୍ରାହ୍ମଣ, କାୟସ୍ଥ ବା ସୁନ୍ନ ସିହା ଏ ସବୁ ଭେଦାଭେଦ ଉଠାଇଦେବା ଆବଶ୍ୟକ । ଧର୍ମ ବୋଲି କୌଣସି ଚିହ୍ନିତ ଧର୍ମ ରହିଲେ ଜାତୀୟ ଜୀବନର ଉନ୍ନତି ଅସମ୍ଭବ । ଜାତି ସବୁଦିନେ ପିଲା ଥାଇ ବିଦେଶୀ ତତ୍ତ୍ୱାବଧାରକ ଖୋଜୁଥିବ । ଅତଏବ, ଯାହାର ଯେପରି ଇଚ୍ଛା ସେ ଭଗବାନଙ୍କର ପୂଜା କରୁ, ଯାହାର ଯେପରି ଯହିଁରେ ସୁବିଧା ସେ ସେହି ବ୍ୟବସାୟ କରୁ, ଏଥିରେ କେହି ବାଧା ଦେବେ ନାହିଁ । ମିଛଟାରେ ଧର୍ମ ଧର୍ମ, ଜାତି ଜାତି, ହୋଇ ଦେଶ ରସାତଳକୁ ଯିବାକୁ ବସିଛି ।

 

ବିପିନ ଦା, ଆପଣଙ୍କର ଧର୍ମ ଓ ଜାତି ସମ୍ବନ୍ଧ ନେଇ ତର୍କ ଶୁଣିବାର ଯୋଗ୍ୟପାତ୍ର ମୁଁ ନୁହେଁ । ମୁଁ କେବଳ ଗୋଟିଏ ଅନୁମତି ଚାହିଁବି ।

 

କେଉଁ ବିଷୟରେ ?

 

ମୋଓର ସହୋଦର ଭାଇ କେହି ନାହିଁ ସତ, କିନ୍ତୁ ମୁଁ ଆପଣଙ୍କୁ ମୋ’ର ସହୋଦର ଭାଇ ବୋଲି ଗ୍ରହଣ କରି ନେଇଛି । ଆପଣଙ୍କୁ ଦାଦା ବୋଲି ଡାକିଲେ ମୋର ପ୍ରାଣରେ ଯେ ଆନନ୍ଦ ହୁଏ, ମୋ ମନରେ ଯେଉଁ ଶାନ୍ତି ଆସେ, ବାକ୍ୟରେ ପ୍ରକାଶ କରିବାର କ୍ଷମତା ମୋର ନାହିଁ-। ଆପଣଙ୍କୁ ମୁଁ ଅଧିକ କଅଣ କହିବି ? ମୋଓର କେଉଁ ଦୁଃଖ ଆପଣ ନ ଜାଣନ୍ତି ? ମୁଁ ଚାହେଁ..........

 

କଅଣ ଚାହୁଁ ?

 

ଦୋଷ କ୍ଷମା କରିବେ ତ ?

 

କହ ।

 

ମୁଁ ଚାହେଁ, ଯେତେ ଶୀଘ ପାରେ ମୋ ପାଇଁ ଗୋଟିଏ ସୁଶିକ୍ଷିତା ଭ୍ରାତୃଜାୟା ଖୋଜିବି ।

 

ବିପ୍ରଚରଣ ହସି ହସି କହିଲେ, ତେବେ ତୁ ଚାହୁଁ ମୋର ସ୍ୱାଧୀନତାଟିକ ଶେଷକରି ମୋତେ ବନ୍ଧନରେ ପକାଇବୁ ?

 

ଯଦି ଆପଣ ଅନୁମତି ଦିଅନ୍ତି, ଯଦି ଆପଣ ଭାବନ୍ତି ଯେ ଆପଣଙ୍କର କନିଷ୍ଠାର ସେ ଅଧିକାର ଅଛି ।

 

ଏଥିରେ ତୋର କେଉଁ ସ୍ୱାର୍ଥ ସାଧିତ ହେବ ?

 

ଆପଣଙ୍କର ସୁଖ ଦେଖି ମୁଁ ସୁଖୀ ହୋଇ ପାରିବି ।

 

ମୁଁ ବେଶ୍ ସୁଖରେ ଅଛି । ମୋ ପରି ଅନ୍ୟଥା ଗୃହହୀନ ବନ୍ଧୁ ବାନ୍ଧବହୀନ ଲୋକ ପକ୍ଷରେ ବିବାହବନ୍ଧନ କେବଳ ଦୁଃଖ ପ୍ରଦାୟକ ହେବ । ବର୍ତ୍ତମାନ ବିଶ୍ୱଟାଯାକ ମୋର ବିବାହ କରି ସଂକୀର୍ଣ୍ଣତାକୁ ବରଣ କରିବି କାହିଁକି ?

 

ଶୈଳବାଳା, କହିଲେ, ବିଶ୍ୱଟାକୁ ଯେ ଆପଣାର ବୋଲି ଗ୍ରହଣ କରେ ତାଆର ବନ୍ଧୁ ବାନ୍ଧବ, କି ଗୃହର ଅଭାବ ରହେନାହିଁ । ସେ ଅନାଥ ହେବ ନାହିଁ । ବିବାହ କଲେ ମନ ସଂକୀର୍ଣ୍ଣ ହେବନାହିଁ । ଆପଣ ବିବାୟ ନ କଲେ ମୁଁ ଆପଣଙ୍କୁ ସ୍ୱାର୍ଥପର ବୋଲି କହିବି ।

 

ବିପ୍ରଚରଣ ନିରୁତ୍ତର ରହିଲେ ।

 

ବୃଦ୍ଧା ହାତରେ ଖଣ୍ଡେ, କାଗଜ ଧରି ସେଠାରେ ଉପସ୍ଥିତ ହେଲେ । ବିପ୍ରଚରଣ ହାତ ମୁହଁ ଧୋଇ ରୁମାଲରେ ମୁହଁ ପୋଛିଲେ । ଶୈଳବାଳା ଗୃହାନ୍ତରକୁ ଯାଇ ଭଙ୍ଗାଗୁଆ, ଲବଙ୍ଗ ଓ ଅଳାଇଚ ଆଣି ଦେଲେ ।

 

ବୃଦ୍ଧା କହିଲେ, ଦେବେନ୍ଦ୍ର ଖଣ୍ଡେ ଚିଠି ଦେଇଛି । ଦୁଇଦିନ ହେଲା ତାର ଦେଖା ନାହିଁ । ଦୁଇଦିନ ପରେ ଏହି ଚିଠି ଖଣ୍ଡି ଦେଇଛି । ପଢ଼ ତ... ।

 

ବିପ୍ରଚରଣ ଆଗ୍ରହରେ ପତ୍ରଖଣ୍ଡି ନେଇ ପାଠ କଲେ –

 

ମା, ଲେଖିବାକୁ ଇଚ୍ଛା ହେଲେ ମଧ୍ୟ ସାହସ ହେଉନାହିଁ । ଭୟ ହେଉଛି । ମୋ ପତ୍ରଟିର ଅନ୍ୟ ଅର୍ଥ ଯେପରି ଗ୍ରହଣ ନ କରୁ । ମା, ମୁଁ ତୋର କୁଳାଙ୍ଗାର ପୁତ୍ର । ମିତ୍ର ବଂଶରେ ମୋ ପରି ଅଧମ ସନ୍ତାନ ଆଉ କେବେ ଜନ୍ମ ହୋଇ ନ ଥିବେ । ତୋର ସହସ୍ର ଉପଦେଶ ସତ୍ତ୍ୱେ ମୁଁ ଅନ୍ଧପରି, ପାଗଳପରି କୁପଥରେ ଚାଲିଥିଲି । ମୁଁ ତ ପାଗଳ ନଥିଲି ମା, ମୁ ଅନ୍ଧ । ନୋହିଲେ କି କେତେକ ବନ୍ଧୁଙ୍କ ପ୍ରରୋଚନାରେ ପଡ଼ି ତୋ ମନରେ ବାରମ୍ବାର ଏତେ କଷ୍ଟ ଦେଇଥାନ୍ତି ?

 

ଆଜି ମୁଁ ଚାହେଁ ପୁଣି ତୋଓର ଶାନ୍ତିମୟ କୋଳକୁ ଫେରିଯିବି । ମୋତେ କ୍ଷମା କରି ପାରିବୁ ତ ମା ? ତୋର କୁଳକଳଙ୍କ ପୁତ୍ର ବୋଲି ମୁଁ ନିଜେ ଲଜ୍ଜିତ । ତେଣୁ ତୋର ବିନା ଆଦେଶ, ବିନା ଅନୁମତିରେ ଘରକୁ ଫେରିବାକୁ ସାହସ ହେଉ ନାହିଁ । ତୁ ଭାବିପାରୁ ହଠାତ୍ ମୋ ମନରେ ଏପରି ପରିବର୍ତ୍ତନ ହେଲା କାହିଁକି ? ଏହାର ବିଶେଷ କାରଣ ଅଛି, ମାତ୍ର ଲେଖିବାକୁ ଲଜ୍ଜା ବୋଧ କରୁଛି, କାଳେ ତୁ ବିଶ୍ୱାସ ନ କରୁ । ତେବେ ଏତିକି କହିପାରେ, ମୁଁ ଯାହା ଲେଖୁଛି ସବୁ ସତ, ଟିକିଏ ହୋଇ ଛଳନା ନାହିଁ ।

 

ତୋର ସହସ୍ର ପ୍ରବୋଧନା, ବିପିନର ଅଜସ୍ର ତର୍କ ଓ ଶୈଳର ଛଳ ଛଳ ଚକ୍ଷୁ ଓ ନୀରବ ଅନୁରୋଧ ମୋଓର ଉନ୍ନତ୍ତ ପ୍ରାଣରେ କେବେ ପରିବର୍ତ୍ତିତ ଭାବ ଜନ୍ମାଇ ନ ଥିଲା । ଦିନେ କେବେ ମୁଁ ମୋ କଥା ଭାବି ନ ଥିଲି । କିନ୍ତୁ କାଲି, ଆହା, କିଏ ବିଶ୍ୱାସ କରିବ ?

 

ଜଣେ ବାଳିକାର ଉପଦେଶବାଣୀ, ଚକ୍ଷୁର ଜଳ ଓ କରୁଣ ଅନୁରୋଧ ମୋଓର ହୃଦୟ ଭେଦ କଲା । ସତେ ଯେପରି ତେଜସ୍ୱିନୀ ଦେବୀମୂର୍ତ୍ତି ପରି ମୋର ଚକ୍ଷୁ ଫିଟାଇଦେଲା । ପ୍ରଥମ କରି କାଲି ମୁଁ ହୃଦୟର କରୁଣ କାହାଣୀ ଶୁଣିଲି । ପ୍ରଥମ କରି କାଲି ମୁଁ ମୋ ଅନ୍ତରର ମଳିନ ନିର୍ବାଣୋନ୍ମୁଖ ଆଲୋକ ଦେଖିଲି ।

 

ଆହୁରି କଅଣ ଦେଖିଲି ମା ? ଦେଖିଲି, ଖତକୁଢ଼ ଗଦାରେ ଗୋଟିଏ ସୁବିମଳ ପବିତ୍ର ପଦ୍ମଫୁଲ ପଡ଼ିଛି । ସେହି ବାଳିକାର ଜୀବନ ବୃତ୍ତାନ୍ତ ଶୁଣି ମୁଁ ମୁଗ୍‌ଧ, ଦୁଃଖିତ ଏବଂ ପରିବର୍ତ୍ତିତ । ତାକୁ ଛୋଟ ଭଉଣୀ ରୂପେ ଗ୍ରହଣ କରିଛି । ତୋର ଯେ କନ୍ୟା ନାହିଁ । ତାକୁ କନ୍ୟାରୂପେ ଗ୍ରହଣ କରିବୁ ତ ?

 

ମୁଁ ଦୃଢ଼ତାର ସହିତ କହିପାରେଁ, ତାକୁ ଦେଖି ଓ ତାର ଜୀବନର କାହାଣୀ ଶୁଣି ନିଶ୍ଚୟ ତୁ ସଜଳ ଚକ୍ଷୁରେ ତାକୁ କୋଳକୁ ଟାଣିନେବୁ । ତୋର ଅନୁମତି ଓ ପତ୍ରକୁ ଅପେକ୍ଷା କରି କହିଲି-

 

ପତ୍ରପାଠ ଶେଷ ହେଲା ବିପ୍ରଚରଣ ପଚାରିଲେ, ଚିଠି କଅଣ ପୋଷ୍ଟରେ ଆସିଛି ?

 

ବୃଦ୍ଧା କହିଲେ, ନା, ଜଣେ ଲୋକ ନେଇ ଆସିଛି । ତାକୁ ଯେତେ ପଚାରିଲି ଦେବେନ କେଉଁଠି ଅଛି ସେ କହୁ ନାହିଁ । ଉତ୍ତରକୁ ଅପେକ୍ଷା କରି ଠିଆ ହୋଇଛି । କଅଣ ଉତ୍ତର ଲେଖିଦେବି କହତ ବିପିନ୍ ।

 

ଶୈଳବାଳା ମସ୍ତକ ଅବନତ କରି ନୀରବରେ ସବୁ ଶୁଣୁଥିଲେ । କଅଣ ଭାବି କେଜାଣି ଧୀରେ ଧୀରେ ସେଠାରୁ ଚାଲିଗଲେ ।

 

ବିପ୍ରଚରଣ ଚିନ୍ତାକରି କହିଲେ, ଲେଖି ଦିଅନ୍ତୁ, ତୁ ମୋର ପୁଅ, ତୋତେ କ୍ଷମା କରିବାକୁ ମତେ ପଡ଼ିବ ନାହିଁ । ପୁଅର ଦୋଷ ସବୁବେଳେ ମା ନିକଟରେ କ୍ଷମଣୀୟ । ପୁତ୍ର ପ୍ରାପ୍ତି ମାତ୍ରେ ସୁନା ପୁଅ ପରି ଘରକୁ ଫେରିଆ; ଅତୀତକୁ ଭୁଲି ଯା । ତୁ ଯାହା ନିକଟରେ ଅପରାଧୀ, ସେହି କୋମଳମନା ଶେଳ ନିକଟରେ କ୍ଷମା ପ୍ରାର୍ଥନା କର । ସେ ତୋତେ କ୍ଷମା କରି ପାରିବ । ଯେଉଁ ବାଳିକାଟିର ବିଷୟ ଲେଖିଥିଲୁ, ତା ବିଷୟରେ ତୋ ମୁହଁରୁ ସବୁ କଥା ନ ଶୁଣିଲେ ମୁଁ କିପରି କଅଣ କହିବି ? ତୁ ଆସିଲେ ସବୁ କଥା ସ୍ଥିର ହେବ ।

 

ବିପ୍ରଚରଣଙ୍କର ଉପଦେଶ ବୃଦ୍ଧାଙ୍କ ମନକୁ ପାଇଲା । ସେ ମୁଣ୍ଡ ହଲାଇ ହଲାଇ କହିଲେ, ଠିକ୍, ଏହାହିଁ ଲେଖୁଛି। ମୁଁ ଭାବୁଛି, ସେ ନିଶ୍ଚୟ ଆସିବ । ବିପିନ୍ ତୁ ଥିବୁ ତ ?

 

ନା । ମୁଁ ଆଜି ରାତି ଗାଡ଼ିରେ ଚାଉଳ ଯୋଗାଡ଼ କରିବାକୁ ମୋଫସଲ୍ ଯାଉଛି । ଫେରୁ ଫେରୁ ଚାରି ପାଞ୍ଚ ଦିନ ଲାଗିବ।

 

 

 

 

ଆଚ୍ଛା ଯା, କିନ୍ତୁ କଲିକତା ଫେରି ନିଶ୍ଚୟ ଆଗ ମୋ ପାଖକୁ ଆସିବୁ ।

 

ହଁ, ଆସିବି ।

***

 

୧୪

 

ମୁଁ ତମ ନିକଟରେ ଅପରାଧୀ ଶୈଳ, ଆଜି ତମ ପାଖରେ ମୁଁ ମୋର ସବୁ ଅପରାଧ ସ୍ୱୀକାର କରୁଛି । ତମ ମନରେ ମୁଁ ବହୁତ କଷ୍ଟ ଦେଇଛି । ପାପୀ ମୁଁ, ଅଧମ ମୁଁ, କ୍ଷମାକର ।- ଦେବେନ୍ଦ୍ରବାବୁ ସଜଳ ଚକ୍ଷୁରେ ଶୈଳବାଳାଙ୍କର ହାତ ଧରିଲେ । ତାଙ୍କ ହୃଦୟରେ ସମସ୍ତ ଆକୁଳତା ଦୀପ୍ତହୀନ ଚକ୍ଷୁରୁହଁ ଫୁଟି ଉଠିଥିଲା । ଅନୁତାପର କୁହେଳିକାରେ ତାଙ୍କର ମୁଖଟି ଢାଙ୍କି ହୋଇଛି । ସେ ନୀରବ ହୋଇ ଶୈଳବାଳାଙ୍କର ସଜଳଚକ୍ଷୁ ଓ ଗମ୍ଭୀର ମୁଖକୁ ଅନାଇ ରହିଲେ ।

 

ରାତ୍ରି ପ୍ରାୟ ଦଶଟା । ଅବରୁଦ୍ଧ ପ୍ରକୋଷ୍ଠ ଭିତରେ ଓ୍ୱାଲ ଲ୍ୟାମ୍ପଟି ଉଜ୍ଜ୍ୱଳ ଜଳୁଛି । ପଲଙ୍କର ବାଡ଼କୁ ଆଉଜି ଶୈଳ ନତମସ୍ତକ ହୋଇ ବସିଛନ୍ତି । ଦେବେନ୍ଦ୍ର ପଲଙ୍କ ଉପରେ ବସି ଉଦ୍‌ବିଗ୍ନତାର ସହିତ ତାଙ୍କର ଆଲୋକିତ ମୁଖକୁ ଚାହିଁଛନ୍ତି ।

 

ଶୈଳବାଳା ନିରୁତ୍ତରା । ଆନନ୍ଦ, ଅଭିମାନ, ଦୁଃଖ ଓ ଆକୁଳତା ତାଙ୍କର କୋମଳ ମନକୁ ଆଂଦୋଳିତ କରୁଛି । ମୁଖରୁ ବାକ୍ୟସ୍ଫୁରୁ ନାହିଁ ।

 

ଦେବେଂଦ୍ର କହିଲେ, ମୁଁ ଜାଣେ ଶୈଳ, ତମେ ବିନା ଆପତ୍ତିରେ ତମର ଅଧମ ପଥଭ୍ରଷ୍ଟ ସ୍ୱାମୀକୁ କ୍ଷମା କରିପାରିବ, ମାତ୍ର ଏତିକିରେ ତମର କର୍ତ୍ତବ୍ୟ ଶେଷ ହୋଇ ପାରିବ ନାହିଁ । ଯାହାର ଛଳଛଳ ଚକ୍ଷୁ ଦେଖି ଯାହା ଜୀବନର କରୁଣ କାହାଣୀ ଶୁଣି ଓ ଯାହାର ଅମୃତ ଉପଦେଶ ହୃଦୟରେ ଗ୍ରହଣ କରି ମୁଁ ନରକପଥରୁ ଫେରି ଆସିଛି, ଯାହାକୁ ଅଭୟ ଦେଇ ନିଜର ଭଉଣୀରୂପେ ନରକ ମଝିରୁ ଉଦ୍ଧାର କରି ଗୃହକ ଆଣିଛି, ସେହି କୁଂଦଲତା ପ୍ରତି କଅଣ ତମର କୌଣସି କର୍ତ୍ତବ୍ୟ ନାହିଁ ?... ନୀରବ ରହିଲ ଯେ ?

 

ଧୀରେ ଧୀରେ ଶୈଳବାଳା ମୁହଁ ଟେକି କହିଲେ, କିନ୍ତୁ ବେଶ୍ୟା ଘରେ...।

 

ଶୈଳ, ଭୁଲ ଧାରଣା ତମର । ପଙ୍କମୟ ପୁଷ୍କରିଣୀ ଭିତରେ ପଦ୍ମ ଦେଖା ଦିଏ ! ସଂଦେହର କାରଣ ନାହିଁ । ଶୈଳ ! ତମେ ଯଦି ସମସ୍ତ ଘଟଣା ଶୁଣିବ, ନିଶ୍ଚୟ ତମର ମନର ଧାରଣା ବଦଳିଯିବ । ତମେ ଶୁଣ ।

 

ଦେବେଂଦ୍ର ବାବୁ ଗୋଟି ଗୋଟି କରି ପ୍ରତ୍ୟେକ ଘଟଣା ଶେଳବାଳାଙ୍କୁ କହିଲେ । ଶୈଳବାଳା ମନ୍ତ୍ରମୁଗଧା ପରି ଧୀର ସ୍ଥୀର ହୋଇ ସବୁ ଶୁଣିଲେ । ତାଙ୍କର କୋମଳ ପ୍ରାଣରେ କୁଂଦଲତଙ୍କାର ଅତୀତ ଦୁଃଖ କାହାଣୀ କଠୋରାଘାତ କଲା । ଚକ୍ଷୁରେ ଲୋତକ ଦେଖା ଦେଲା ।

 

ସ୍ୱାମୀଙ୍କର ପଦତଳେ ମସ୍ତକ ଲଗାଇ କହିଲେ, ମେତେ କ୍ଷମାକର । ମୋର ଧାରଣା ଭୁଲ ବୋଲି ମୁଁ ଏଥର ବୁଝି ପାରିଛି । ଦେବତା ନରକରେ ପଡ଼ିଲେ ମଧ୍ୟ ଦେବତା । କୁଂଦଲତା ଦେବୀ, ମୁଁ ତାକୁ ମୋର ନଣଦରୂପେ ଗ୍ରହଣ କରିବି ।

 

କୁଂଦଲତା ଦେବେଂଦ୍ର ବାବୁଙ୍କ ଗୃହରେ ଆଶ୍ରୟ ନେଇ ନିଶ୍ଚିନ୍ତରେ ସମୟ କାଟିଲେ । ପ୍ରଥମ କେଇଦିନ ଅବଶ୍ୟ ତାଙ୍କୁ ଅଲଗା ଅଲଗା ଲାଗିଲା । ସ୍ଥାନ ଓ ଅବସ୍ଥା ପରିବର୍ତ୍ତନରେ ଏପରି ହୁଏ । କିଛି ଦିନପରେ ଆରେଇ ଗଲା ।

 

ଶୈଳବାଳାଙ୍କର ସ୍ନେହପୂର୍ଣ୍ଣ ହସ ହସ କଥା ଓ ସରଳ ଆତ୍ମୀୟ ବ୍ୟବହାରେ ସେ ମୋହିତ ହେଲେ । ଅତୀତକୁ ମନରୁ ପୋଛି ପକାଇବାକୁ ଚେଷ୍ଟାକଲେ । ମଣିଷ ଯାହା ନିଜେ ଅନୁଭବ କରି ଥାଏ, ଜୀବନ ଥିବାଯାଏ ତାହା ସେ ଭୁଲିପାରେ ନାହିଁ । ଭୁଲିବାକୁ ଚେଷ୍ଟା କଲେ ତାହା ତୁହାଇ ତୁହାଇ ଆସି ମନ ଭିତରେ ଘଣ୍ଟା ଚକଟାରେ ଉତ୍ପାତ ଆରମ୍ଭ କରେ । ଏଇଥିପାଇଁ ସମୟ ସମୟରେ କୁଂଦଲତା ଗମ୍ଭୀର ହୁଅନ୍ତି । ଅନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ପଦାର୍ଥକୁ ଚାହିଁ ଅଥବା ଆକାଶକୁ ଚାହିଁ ସେ କେତେ କଅଣ ଭାବନ୍ତି । ଆଖିରୁ ଲୁହ ଧାର ଗଡ଼ିପଡ଼େ ।

 

ଶୈଳବାଳାଙ୍କୁ ତାଙ୍କର ଡର । ସେ ଆସି ନିକଟରେ ଉପସ୍ଥିତ ହେଲେ କୁଂଦଲତା ତରତର କରି ଆଖିରୁ ଲୁହ ପୋଛି ହସିବାକୁ ଚେଷ୍ଟା କରନ୍ତି । ଶୈଳ ସବୁ ଠଉରାଇ ନିଅନ୍ତି । ସେ ଚତୁରା । ଦୁଃଖର କାରଣ ପଚାରିଲେ କାଳେ ମନରେ ଆହୁରି ଅଧିକ ଦୁଃଖ ହେବ ଏହି ଭୟରେ ଶୈଳବାଳା କିଛି ନ ପଚାରି ନାନାପ୍ରକାର ହାସ୍ୟୋଦ୍ଦୀପକ କଥା କହି କୁଂଦଲତାଙ୍କୁ ହସାନ୍ତି ।

 

କୁନ୍ଦଲ । ଦେବେନ୍ଦ୍ର ବାବୁଙ୍କୁ ଦାଦା ବୋଲି ଡାକନ୍ତି । ଶୈଳବାଳା ବୋଉଦିର ଆସନ ମାଡି ବସନ୍ତି । ବୃଦ୍ଧାଙ୍କୁ ଡାକନ୍ତି ମା ବୋଲି । ବୃଦ୍ଧା କୁନ୍ଦଲତାଙ୍କୁ କନ୍ୟାପରି ଦେଖନ୍ତି ଓ ସେହି ଅନୁରୂପେ ଭଲପାନ୍ତି । କୁନ୍ଦ ଯେପରି ପରର ଘର ବୋଲି ମନରେ ସଂକୋଚ ନ ଆଣେ, ସେଥିପ୍ରତି ସେ ଯତ୍ନଶୀଳା । ଶୈଳବାଳାଙ୍କୁ ଏ ବିଷୟରେ ସେ ସତର୍କ କରିଯାନ୍ତି । ସେ ଭାବନ୍ତି, ଦେବେନ୍ଦ୍ରଙ୍କୁ ସେ ଫେରି ପାଇଛନ୍ତି କେବଳ କୁନ୍ଦଲତାଙ୍କ ପାଇଁ । ଉପଯୁକ୍ତ ସ୍ଥାନରେ ଏବଂ ଠିକ ସମୟରେ ଯଦି କୁନ୍ଦଲତା ତାଙ୍କ ପ୍ରାଣପ୍ରତିମ ପୁତ୍ରକୁ ସଦୁପଦେଶ ଦେଇ ସତ୍‌ପଥ ଦେଖାଇ ପଛକୁ ଫେରାଇ ନ ଥିଲେ ମିତ୍ରବଂଶର ଲୁପ୍ତପ୍ରାୟ ମାନମର୍ଯ୍ୟାଦା ଏକାଥରେ ଲୋପ ପାଇଥାନ୍ତି । ସଂସାର ଛାରଖାର ହୋଇଥାନ୍ତି ।

 

ଏହି ବିଷୟ ଚିନ୍ତାକରି ବୃଦ୍ଧା କୁନ୍ଦଲତାଙ୍କ ପ୍ରତି ଆକୃଷ୍ଟ । ସେ କୃତଜ୍ଞତା ପାଶରେ ଆବଦ୍ଧ । କିପରି ଏହି କୃତଜ୍ଞତା ପାଶରୁ ନିଜକୁ ଉଦ୍ଧାର କରି ପରୋପକାରୀର ଉପକାର ସାଧନ କରିବେ, ଏହାହିଁ ତାଙ୍କର ଏକମାତ୍ର ଚିନ୍ତା । ଦାସଦାସୀମାନଙ୍କ ଉପରେ ବୃଦ୍ଧା କଡ଼ା ହୁକୁମ ଜାରି କରିଥାନ୍ତି । ଯେପରି ସେମାନେ କୁନ୍ଦଲତାଙ୍କର ସୁବିଧା ଅସୁବିଧା ପ୍ରତି ସତ ନିଘା ରଖନ୍ତି ।

 

ସୁଖେ ଦୁଃଖେ କେତେଦିନ କଟିଗଲା ଶୈଳବାଳା ଓ କୁନ୍ଦଲତା ଖେଳ କୌତୁକରେ ସମୟ କାଟୁଥାନ୍ତି । କେବେ କେବେ ଶେଳବାଳା ଶିକ୍ଷୟିତ୍ରୀ ହୋଇ କୁନ୍ଦଙ୍କୁ ପଢ଼ନ୍ତି । ପାଠ ନ ଆସିଲେ ରାଗିଯାଇ ନଣନ୍ଦର ଗାଲଟିପି ମୃତହାସ୍ୟ କରି କହନ୍ତି, ଭଗବାନ୍ ତମକୁ ପ୍ରଶ୍ନକରି ଜନ୍ମ ନ ଦେଲେ ଯାହା, ଆଜିକାଲି କାଳର ପିଲା ହୋଇ ଯେ ଦି ଅକ୍ଷର ଲେଖି ନ ଜାଣେ, କି ଦିପଦ ପଢ଼ି ନଜାଣେ, ମଲାମର ସେ କି ଝିଅ ଗୋ । ଆଜିକାଲିକାର କେଉଁ ପାଠୁଆ ବାବୁଟା ଆସି ତମର ହାତ ଧରିବ ଦେଖିବି ରହ ।

 

ବୁନ୍ଦ ମୁଖ ଗମ୍ଭୀର କରି ଦୁଃଖିତା ହୋଇ କହନ୍ତି, ନୋହିଲେ ତମର ହାତ ଧରୁ ।

 

ହଉ ଏ କଥା ତମ ଦାଦାଙ୍କ ଆଗରେ ପଡ଼ିବ ।

 

କୁନ୍ଦ ଲଜ୍ଜିତା ହୋଇ କହନ୍ତି, ତମର ଏ କି ବୁଦ୍ଧି, ସବୁ କଥା କଅଣ ଦାଦାଙ୍କ ଆଗରେ ପଡିବା ଉଚିତ ?

 

ବୁଣାବୁଣି କାମରେ କୁନ୍ଦଲତାଙ୍କର ଦକ୍ଷତା ଅଛି । ମୋଜା ବୁଣାରେ, କାର୍ପେଟରେ ନାନାପ୍ରକାର ଫୁଲ, ଗଛପତ୍ର କରିବାରେ ତାଙ୍କୁ ସହଜରେ କିଏ ହଟାଇଦେବ ଏ କଥା ନୁହେଁ । ଶୈଳ କୁନ୍ଦଲତାଙ୍କୁ ଲେଖାପଢା ଶିଖାଇଲାବେଳେ ଥଟ୍ଟା କରନ୍ତି । କୁନ୍ଦ ତାଙ୍କୁ ବୁଣା ବୁଣି ଶିଖାଇଲା ବେଳେ ଥଟ୍ଟା କରନ୍ତି । କୁନ୍ଦ ତାଙ୍କୁ ବୁଣା ବୁଣି ଶିଖଈଲାବେଳେ ନକଲ କରି କହନ୍ତି, ମାଇପିଜାତି, ଆମେ କଅଣ ପାଠପଢି ଜଜ୍, କିଲଟର ହବୁ ନା ଲେକ୍‌ଚର ଦବୁ ମ ?

 

ଏ କାର୍ପେଟ ବୁଣି କଅଣ କରିବ ଶୁଣେ ।

 

କାଇଁକି, ଦାଦାଙ୍କୁ ମାଆଙ୍କୁ ଉପହାର ଦେବୁ । ତୁଣ୍ଡରୁ ପଦେ ପ୍ରଶଂସା ଶିଣୁଲେ ମନ ଖୁସି ହେବ ।

 

ଦିନେ ଶୈଳ କୁନ୍ଦଲତାଙ୍କୁ ବହି ପଢ଼ାଉଛନ୍ତି, କୌତୁକରେ କେତେ କଥାଭାଷା ହୋଇ ହସରେ ଘର ଫଟାଇ ଦେଉଛନ୍ତି, ହଠାତ୍ କି ଖିଆଲ ଆସିଲା କେଜାଣି ସେ ପଚାରିଦେଲେ କୁନ୍ଦ କହତ, ତମେ ଯେ ଏତେଦିନ ବେଶ୍ୟାଘରେ ଥିଲ ତମ ପାଖକୁ କେହି ଭଦ୍ରଲୋକ କେବେ ଆସି ନାହାନ୍ତି କିପରି ?

 

ମୁଣ୍ଡରେ ବଜ୍ର ପଡ଼ିଲାପରି କୁନ୍ଦ ନିର୍ବାକ୍ ନିସ୍ପନ୍ଦ ହୋଇ ସ୍ଥିରଚକ୍ଷୁରେ ଶୈଳବାଳାଙ୍କୁ ଚାହିଁ ରହିଲେ । ମନଭିତରେ ବିଦ୍ୟୁତ୍ ଗତିରେ କେତେ ଚିନ୍ତା ଘନଘନ ଖେଳିଗଲା । ସେ ଅତି କରୁଣ ଦୃଷ୍ଟିରେ ଶୈଳବାଳାଙ୍କୁ ଚାହିଁ କଅଣ କହି ଉତ୍ତର ଦେବେ ତାହାହିଁ ଚିନ୍ତା କଲେ ।

 

ଶୈଳ ପ୍ରଶ୍ନଟିଏ ପଚାରିଦେଇ ଦବିଗଲେ । ସ୍ୱାମୀଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ କୁଂଦଲତାଙ୍କୁ ଏ ବିଷୟରେ କେବେ କିଛି ପଚାରିବେ ନାହିଁ, କିନ୍ତୁ ପଚାରି ତ ଦେଇଛନ୍ତି, କଥା ଫେରାଇ ଆଣିବାର ଉପାୟ ନାହିଁ । ସେ ଲଜ୍ଜିତା ହୋଇ ସଜଳ ଚକ୍ଷୁରେ ଭୂମିରେ ରେଖା ଅଙ୍କନ କଲେ ।

 

କୁଂଦ ପ୍ରକୋଷ୍ଠର ବାହାରକୁ ଥରେ ଅନାଇ ମନ ଦୃଢ଼କରି କହିଲେ, ବୋଉଦି, ଅନେକ ଭଦ୍ରଲୋକ ଆସିଛନ୍ତି । ମୁଁ ତାର ତାଲିକା ରଖି ନାହିଁ । ତେବେ ଏତିକି କହିପାରେ, ଯେଉଁ ଭଦ୍ରଲୋକ ହସି ହସି ମୋ ପାଖକୁ ଆସନ୍ତି, ସେ ଫେରାନ୍ତି କାନ୍ଦି କାନ୍ଦି ।

 

କାହିଁକି କୁଂଦ ?

 

ମୋର ଦୁଃଖ ଶୁଣି ନିଜର ମଂଦ ସ୍ୱଭାବ ପାଇଁ ଅନୁତାପ କରି ଫେରାନ୍ତି । ସତ କହୁଛି, ଯେଉଁମାନେ ଆସିଥାନ୍ତି ପାଗଳହୋଇ, ବେଶ୍ୟାର ପ୍ରେମ ପାଇବାକୁ, ତାଙ୍କୁ ମୁଁ ସାମାନ୍ୟ କେତୋଟି କଥାରେ ବେଶ୍ୟାର ପ୍ରେମଟା ଯେ କି ପ୍ରକାର, ଆଉ ପ୍ରକୃତ ପେମ ଓ ବେଶ୍ୟାର ପ୍ରେମ ଭିତରେ ପ୍ରଭେଦ କଅଣ ବୁଝାଇ ଦିଏ । ଯେ ଆସିଥାଏ ମୋତେ ଆଲିଙ୍ଗନ କରିବାକୁ ସେ ସଜଳ ଚକ୍ଷୁରେ ଫେରିଯାଏ । ଗଲାବେଳେ ପ୍ରତିଜ୍ଞା କରିଯାଏ ଆଉ କେବେ ବେଶ୍ୟାଘରେ ପାଦ ପକାଇବ ନାହିଁ ।

 

ଶୈଳ କହିଲେ, ନିରାଶ୍ରୟା ଦେଖି ଯେଉଁ ବେଶ୍ୟାଟି ତମୁକୁ ହାବଡ଼ା ଷ୍ଟେସନରୁ ଦୟାକରି ଘରେ ଆଶ୍ରୟଦେବାକୁ ନେଇ ଯାଇଥିଲା, ଗରାଖ ଫେରିଯିବାର ଦେଖି ସେ ତୁମକୁ ଗାଳିଦିଏ ନାହିଁ ?

 

ଗାଳିଦେବ କାହିଁକି ? ଯେ ଫେରିଯାଏ ସେ ଯେ ମୋ କଥାର ମୂଲ୍ୟ ସ୍ୱରୂପ ଯାହା ଆଣିଥାଏ ସେତକ ପାଖରେ ଥୋଇଦେଇ ଯାଏ ।

 

ଶୈଳ ଗେହ୍ଲାରେ କୁଂଦଲତାଙ୍କୁ ଆଲିଙ୍ଗନ କରି ତାଙ୍କର ମୁଖ ଚୁମ୍ବନ କରୁ କରୁ କହିଲେ, ଏତେ ଲୋକଙ୍କୁ ସିନା ଠକି ଦେଇଛ, ମତେ କେମିତି ଠକିବ ଦେଖିତ ଭଲା ! ଏଇତ ଆଲିଙ୍ଗନ କଲି, ଏଇତ... କହି ଚୁମ୍ବନ କଲେ ।

 

ବାହୁ ବନ୍ଧନରୁ ମୁକ୍ତ ହୋଇ ଗମ୍ଭୀର ହୋଇ କହିଲେ, ପାଉଣା ?

 

ମୁଁ ପାଉଣା କେଉଁଠୁ ପାଇବି ଯେ ଦେବି । ଏଠି ମୋର କେଉଁ କଥାରେ ଅଧିକାର ଅଛି-? ତମ ଘର, ସବୁ ତମର ।

 

କଅଁଳିକୁହା କଥା ମୁଁ ଜାଣେ ନାହିଁ । ପାଉଣା ଦିଅ । ଭାରି ତ ଚାହିଁ ।

 

ମୁହଁ ଶୁଖାଇ ଶୈଳ କହିଲେ, ମୋ ପାଖରେ ଧନ ନାହିଁ ...।

 

ମୁଁ କଣ ଧନ ଚାହେଁ ବୋଉଦି ?

 

ଆଉ କଅଣ ମନ ? ପ୍ରେ-ମ ? ନାହିଁ ଗୋ ନାହିଁ, ମୋ ପାଖରେ ସେ ସବୁ କିଛି ନାହିଁ । ତମ ଦାଦା ସବୁ ନେଇ ଯାଇଛନ୍ତି । ଯା ମୋ ନାମରେ ଖଚକହି ତାଙ୍କଠୁ ଆଣିବ ।

 

ମଲ ନାହିଁ- ।

 

ତେବେ ରହ, ବିପିନ୍ ଦା ଚିଠି ଦେଇଛି ଆଜି ରାତିରେ ଆସି ପହଞ୍ଚିବ । ଆଗରୁ ସଜବାଜ ହୋଇଥା । ମୋ ପାଇଁ ତମକୁ ସବୁ ପାଉଣା ସେ ଦେବେ । ଧନ, ମନ, ଜୀବନ, ପ୍ରେମ ।

 

ଚପ୍, ତମ ଦାଦାଙ୍କ ମୁହଁରେ ନିଆଁ, ଆଉ ତମ ମୁହଁରେ ଚିଆଁ । କୁଂଦଲତା ଆର ଘରକୁ ଚାଲିଗଲେ ।

 

ଶୈଳବାଳା ଏକୁଟିଆ ବସି ଚିନ୍ତା କଲେ । ଯାହାକୁ ଗୃହରେ ଆଶ୍ରୟ ଦେବାକୁ କହି ତାଙ୍କର ସ୍ୱାମୀ ଆଗପଛ କିଛି ବିଚାର ନ କରି ନେଇ ଆସିଛନ୍ତି, କେବଳ ମୁଠିଏ ସୁସ୍ଥରେ ଖାଇବାକୁ ଦେଇ ଖଣ୍ଡେ ପିନ୍ଧିବାକୁ ଦେଲେ କଅଣ ତାଙ୍କର କର୍ତ୍ତବ୍ୟ ଶେଷହେଲା ବୋଲି ସେ ମନେ କରନ୍ତି ? ସେ କଅଣ ଜାଣନ୍ତି ନାହିଁ ମଣିଷର ମନ ସବୁବେଳେ ସମାନ ନ ଥାଏ। ଆଜି ଯେଉଁ କୁଂଦଲତାଙ୍କର ନିଷ୍କଳଙ୍କ ଆଦର୍ଶ ଚରିତ୍ର ବଳରେ ସେ ନିଜକୁ ପ୍ରବୃତ୍ତିର ତାଡ଼ାନାରୁ ରକ୍ଷା କରି ପାରିଛନ୍ତି, ସେହି କୁଂଦଲତାଙ୍କର ମନ ହୁଏତ କାଲି ବଦଳି ଯାଇପାରେ । ରକ୍ତ ମାଂସର ଦେହ ତ ଏ ମଣିଷ ! ଯୌବନର ଆରମ୍ଭ । ସୁଦୀର୍ଘ ଯୌବନ ଆଗରେ ଉଲଗ୍ନ ହୋଇ ପଡିଛି । ଯୌବନର ଜ୍ୱଳନ୍ତ ନିଆଁକୁ ଲିଭାଇବା ସହଜ କଥା ନୁହେଁ ! ଆଗରୁ ଏହାର ପ୍ରତିକାର ବାଞ୍ଛନୀୟ । ଆହା, ହତଭାଗିନୀର କୋମଳ ଜୀବନ ଉପରେ କେତେ ଝଡ଼ବତାସ ବହିଗଲାଣି ! ଲତାଟି ପରି ନଇଁପଡ଼ି ସବୁ ଦୁଃଖ ସହି ଆସିଛି । ଶୈଳବାଳା ଦୀର୍ଘ ଶ୍ୱାସ ଛାଡିଲେ । ପରମୁହୂର୍ତ୍ତରେ ତାଙ୍କର ମୁଖ ଉଜ୍ଜ୍ୱଳ ଦେଖାଗଲା । କେଜାଣି କେଉଁ ଭାବି ଆସି ତାଙ୍କର ମନରେ ଉଦୟ ହେଲା ।

 

ଶାଶୁ ଆସି ଡାକିଲେ, ଶୈଳ, ବିପିନ୍ ଆସିଲାଣି ଲୋ ! ତତେ ଡାକୁଛି । ତୁ ତ ଏଠି, କୁଂଦ କାହିଁ ?

 

୧୫

 

ଶୈଳବାଳାଙ୍କର ସମସ୍ତ କୌଶଳ ପଣ୍ଡ ହେଲା । ସେ ଭାବିଥିଲେ କୁଂଦଲତାକୁ ବିପ୍ରଚରଣଙ୍କ ସଙ୍ଗେ ଅବାଧରେ ମିଳାମିଶା କରିବାକୁ ଛାଡ଼ିଦେଲେ ନିଶ୍ଚୟ ତାଙ୍କ ମନରେ ଟିକିଏ ପରିବର୍ତ୍ତନ ଆସିବ । ତେଣୁ ଯେତେବେଳେ ବିପ୍ରଚରଣ ଆସନ୍ତି, ଶୈଳ ହସିକରି ପଦେ ଅଧେ ଆଳାପ କରି ଅନ୍ୟ କାର୍ଯ୍ୟ ବାହାନାରେ ସେଠାରୁ ଚାଲିଯାନ୍ତି । କୁଂଦଲତାଙ୍କ ହାତରେ ଜଳଖିଆ, ପାନ ଇତ୍ୟାଦି ପଠାଇ ଦିଅନ୍ତି । ନିଜେ ଛକି ଛକି ଅନ୍ୟ ଘରେ ବସି ଦୁଇଜଣଙ୍କର କଥୋପକଥନ ଶୁଣୁଥାନ୍ତି ।

 

କଅଣ ଶୁଣନ୍ତି କେଜାଣି ତାଙ୍କ ମୁହଁ ଫିକ୍‌କା ପଡ଼ିଯାଏ । ଅନ୍ୟମନସ୍କ ହୋଇ କପାଳରେ ହାତ ବୁଲାନ୍ତି । କେବେ କେବେ କୁଂଦଲତାଙ୍କ ଉପରେ ମନେ ମନେ ରାଗକରି ଭାବନ୍ତି, ନିହାତି ଓଲମୀଟା । ଅଙ୍ଗରେ ତରଳଳ ଯୌବନର ଏତେ ଶୋଭା ଧରି ଜଣେ ଯୁବକର ଆଖି ଅଟକାଇ ପାରିଲା ନାହିଁ ।

 

ବିପ୍ରଚରଣଙ୍କ ଉପରେ ବିରକ୍ତ ହୋଇ ଭାବନ୍ତି, ଆଉ, ତମେ ବି ସେମିତି ବିପିନ୍‌ଦା । ତମର ଅନ୍ତରରେ କେବେ ପ୍ରେମର ତରଙ୍ଗ ଛୁଟେ ନାହିଁ ? କେଡ଼େ ଶୁଷ୍କ କେଡ଼େ ନିରସ ତମେ !

 

କୁଂଦଲତା ଶୈଳବାଳାଙ୍କ ମନର କଥା ବୁଝି ପାରନ୍ତି । ସ୍ଥାନ ଓ ସମୟ ତାଙ୍କୁ ମନକୁ ଅବଶ୍ୟ ବଦଳାଇ ଦେଇଛି, ନୋହିଲେ, ବିପ୍ରଚରଣ କେତେ ! କୁଂଦଲତା ସରମରଙ୍ଗା-ମୁଖରେ ଆଦେଶ ପାଳନ କରନ୍ତି । ବିପ୍ରଚରଣ ଆନଂଦରେ, ଆଗ୍ରହରେ କୁଂଦଲତାଙ୍କ ଠାରୁ ଗୁଆ ମସଲା ଗ୍ରହଣ କରନ୍ତି । କେବେ କେବେ ଶୈଳବାଳା କିମ୍ବା ଦେବେଂନ୍ଦ୍ର ବାବୁଙ୍କ ବିଷୟରେ ପଦେ ଅଧେ ପଚାରି ଦିଅନ୍ତି । କୁଂଦ ଧୀରେ ଧୀରେ ପ୍ରଶ୍ନର ଯଥାର୍ଥ ଉତ୍ତର ଅଳ୍ପ କଥାରେ ଦିଅନ୍ତି ।

 

ଶୈଳବାଳା ବୁଝିଲେ, ଯଦି ସେ ନିଜେ ଏହି ଦୁଇଜଣଙ୍କର ମଧ୍ୟବର୍ତ୍ତିନୀ ହୋଇ ଆଳାପ ଏବଂ କାର୍ଯ୍ୟର ଗତି ନ ବଦଳାଇବେ ତ କସ୍ମିନକାଳେ ତାଙ୍କ ମନକଥା ଫଳିବ ନାହିଁ । ଲୁହା ଯେପରି, କମାର ବି ସେହିପରି । ଏହି ବିଷୟ ସ୍ଥିର କରି ସେ ତାଙ୍କର କୌଶଳକୁ ଅନ୍ୟ ଦିଗରେ ବାଗେଇଲେ । ଏଥର ବିପ୍ରଚରଣ ଆସିଲେ ଶୈଳ ନିଜେ ତାଙ୍କର ଚର୍ଚ୍ଚା କରନ୍ତି । କୁନ୍ଦଙ୍କୁ ଏହି ଆଦେଶ କରିଥାନ୍ତି ଯେ ସେ ଯାହା କହିବେ କୁନ୍ଦଲତା ବିନା କାଳବ୍ୟୟରେ ପାଳନ କରିବେ ।

 

ବିପ୍ରଚରଣ ଖାଇ ବସନ୍ତି, ଶୈଳବାଳାଙ୍କ ଆଦେଶରେ କୁନ୍ଦଲତା ପଙ୍ଖାଧରି ବିଞ୍ଚନ୍ତି । ଶୈଳବାଳା ନିଜେ ପରସନ୍ତି। କେବେ କେବେ ବିପ୍ରଚରଣଙ୍କ ଆଗରେ କୁନ୍ଦକୁ ଥଟ୍ଟାକରି ପଦେ ଅଧେ କହନ୍ତି । କେବେ ଅବା ଗମ୍ଭୀର ଭାବରେ କଂନ୍ଦଲତାଙ୍କର ବୁଦ୍ଧି, ଗୁଣ ଓ କାର୍ଯ୍ୟକଳାପର ପ୍ରଶଂସା କରନ୍ତି । କୁଂଦଲତାଙ୍କାର ସରରଳ ପ୍ରକୃତିକୁ ଓଲାମୀ ଓ ସୁଂଦର ମୁହଁଟିକୁ ଅସୁଂଦର କରି ଦାଦାଙ୍କୁ ସାକ୍ଷୀ ରଖି ବର୍ଣ୍ଣନା କରନ୍ତି । କେତେ ନିଂଦାକରି କହନ୍ତି, ମାତ୍ର ତାଙ୍କ ନିଂଦା ଭିତରୁ କଂଦଲତାଙ୍କର ପ୍ରଶଂସା ଫୁଟି ଉଠୁଥାଏ ।

 

ବିପ୍ରଚରଣ ହସହସ ମୁଖରେ ସବୁ ଶୁଣୁଥାନ୍ତି, ପଦେହେଲେ କିଛି କହନ୍ତି ନାହିଁ । ଶୈଳବାଳାଙ୍କ ବ୍ୟବହାରରୁ ଅବଶ୍ୟ ସେ ତାଙ୍କ ଅନ୍ତରର କଥା ଅନୁମାନ କରି ନେଇଥିଲେ । ତାଙ୍କ ମନଭିତରେ ସମୟ ସମୟରେ ଏହି ବିଷୟ ନେଇ ଆଂଦୋଳନ ଜାଗି ଯାଇଥିଲା । କୁଂଦଲତାଙ୍କ ସରଳ ବ୍ୟବହାର, ସୁଂଦର ରୂପ ଓ ପ୍ରଶଂସନୀୟ ଗୁଣର ଆଭାସ ପାଇ ନିଜେ ସନ୍ତୁଷ୍ଟ । କୁଂଦଲତାଙ୍କର ଜାତିଗୋତ୍ର ନ ଜାଣି ମଧ୍ୟ ସେ ତାଙ୍କୁ ସୁଶିକ୍ଷିତା, ସତ୍‌ଚରିତ୍ରା ଓ ଉଚ୍ଚବଂଶୀୟା ବୋଲି ମନରେ ଗ୍ରହଣ କରି ନେଇଥିଲେ । ଯାହାଙ୍କର କେତୋଟି ମାତ୍ର କଥା ଓ କାତର ଅନୁରୋଧରେ ଦେବେଂଦ୍ର ବାବୁଙ୍କ ପରି ଅସତ୍ ଚରିତ୍ରର ଯୁବକ ପୁନର୍ବାର ସତ୍‌ପଥକୁ ଫେରିଆସିଛି, ସେ ତ କମ୍ ଲୋକ ନୁହନ୍ତି ! ନିଶ୍ଚୟ ତାଙ୍କଠାରେ ଦୈବୀଶକ୍ତି ପ୍ରଚ୍ଛନ୍ନ ଅଛି ।

 

ବିପ୍ରଚରଣଙ୍କର ମନ କେବେ କେବେ ତାଙ୍କ ପ୍ରତି ଆକୃଷ୍ଟ ହୁଏ । ସେ ସ୍ଥିର ବିସ୍ମୃତି ଚକ୍ଷୁରେ କୁଂଦଲତାଙ୍କର ଆପାଦମସ୍ତକ ନିରୀକ୍ଷଣ କରନ୍ତି । ଶରୀର ରୋମାଞ୍ଚିତ ହୁଏ । ପର ମୁହୂର୍ତ୍ତରେ ସେ ତଳକୁ ଚାହିଁ ଭାବନ୍ତି, ଅସମ୍ଭବ, ଏଣେ ସହଜରେ ମୁଁ ମୋର ସ୍ୱାଧୀନତା ହରାଇବାକୁ ପ୍ରସ୍ତୁତ ନୁହେଁ । ପ୍ରତିଜ୍ଞାର ବେକ ମୋଡ଼ି, ନିର୍ଲ୍ଲଜ ଚକ୍ଷୁ ଦିଟା ପୁଣି କାହିଁକି କୁଂଦଲତାଙ୍କ ସୁଂଦର ମୁହଁରେ ଲାଖି ରହେ । ନିଲଠା ହୃଦୟଟା ତାଙ୍କର ଆଡ଼କୁ ଧାଇଁଆସେ । ଭାତଗୁଣ୍ଡାଟି ହାତରେ ଧରି ନିରବରେ ଚିନ୍ତାମଗ୍ନ ହୁଅନ୍ତି । ସତେ ଯେପରି ତାଙ୍କର ଉଦରର ଜ୍ୱାଳା ମନ ଅଧିକାର କରିଛି ।

 

କୁଂଦଲତା ବେଳବୁଝି ଖିଲ୍‌କରି ହସି ଦିଅନ୍ତି ।

 

ବିପ୍ରଚରଣଙ୍କର ମୋହ ଭାଙ୍ଗେ । ଲଜ୍ଜାରେ ମୁହଁ ଲାଲ୍ ହୁଏ । ନ ଦେଖିଲା ପରି ଦେଖିବାକୁ ଶୈଳବାଳା ପାଖରେ ଥାନ୍ତି ।

 

ଦିନକର ଶୈଳବାଳା ପରିହାସ କରି କୁଂଦଲତାଙ୍କୁ କହିଲେ କୁଂଦ, ତମେ ଆଜିକାଲି ଅନ୍ୟମନସ୍କ ରହୁଛ ।

 

ନାହିଁ ତ !

 

ତମେ କଅଣ ନିଜେ ବୁଝିପାରନ୍ତି ? ବୁଝିଲେ ତ ମୋ ଆଗରେ କହି ପକାନ୍ତି ? କାରଣଟା କଅଣ ?

 

ମୁଁ କେମିତି ଜାଣିଲିବା ?

 

ଜାଣିବ କିଏ ମୁଁ ? ମୋ ଜାଣିବାରେ, ତୁମେ ଯେପରି ମନେ ମନେ କାହାକୁ ଖୋଜୁଛ ।

 

ତମୁକୁ ଖୋଜିଲେ ଖୋଜୁଥିବି, ନୋହିଲେ ଆଉ କାହାକୁ ?

 

ଆଉ କାହାକୁ କହିବି ? ନା, ଥାଉ । ହସି ହସି କୁଂଦଲତାଙ୍କୁ ଗେଲ କରି ପଚାରିଲେ, ଆଚ୍ଛା, ବିଶ୍ୱାସରେ ଗୋଟିଏ କଥା ପଚାରିବି, କହିବ ତ ? କହିଲ ଭଲା, ବିପିନ୍ ଦା ଙ୍କ ସଙ୍ଗେ ଆଳାପ କଲାବେଳେ ତମ ମୁହଁଟା କାହିଁକି ଲାଲ୍ ପଡ଼ିଯାଏ, ତମ ଆଖି ଦିଟା ତଳକୁ ହୋଇଯାଏ, ଗୋଡ଼ ଦିଟା କେମିତି ଥରିଲା ପରି ଦିଶେ । ସତ କହିବ, ତୁମକୁ ତୁମକୁ କାହାରାଣ ପକାଇବି ? ଆଚ୍ଛେ ମୋ ରାଣ ।

 

କୁଂଦଲତାଙ୍କର ମୁହଁ ଲାଲ ହୋଇଗଲା । ସେ ଶୈଳବାଳାଙ୍କୁ ପୁଳିଏ ଚୁମୁଟି ଦେଇ କହିଲେ, ମଲାମର, ତମ ରଡ଼ ପାଉଁଶ ବିପିନ୍ ଦା ।

 

ତମ ମନ ବିପିନ୍‌ଦା ପଛେ ପଛେ ଦିନରାତି ସବୁବେଳେ ଉଡ଼େ । ନାହଁ, ବିପିନ୍‌ଦା ମନଟା ବି ତମ ସାଙ୍ଗେ ସାଙ୍ଗେ ଉଡ଼ୁଥାଏ ।

 

ଆଗେ ମାସେ ପଂଦରଦିନେ ଥରେ ତାଙ୍କ ଗୋଡ଼ ଏଠି ପଡ଼ୁ ନ ଥିଲା । ଏବେ ଦିନେ ଛଡ଼ା ଦିନେ । ଏଇ ଚାରି ଛଅ ଦିନ ହେଲା ଆସି ନାହାନ୍ତି ବୋଲି ତମେ ଛୁଆଖାଇ ବିଲେଇ ପରି ହଉଛ । ଏ ଝରକାରେ ଟିକେ ଅନା, ସେ ଝରକାରେ ଟିକେ ଅନା, ଦାଣ୍ଡକୁ ଯାଇଁ ଭେଳିକି ଲାଗିଲା ପରି......

 

ଆଉ କଅଣ ! ଗରଜ ପଡ଼ିଛି ?

 

ଗରଜ କଥା ଛାଡ଼ିଦିଅ । ସତ କହ ବିପିନ୍‌ଦାଙ୍କୁ ତମେ ଭଲପାଅ କି ନାହିଁ ।

 

ସେ ମୋଓର କିଏ ଯେ ମୁଁ ତାକୁ ଭଲ ପାଇବି ?

 

ଘୃଣା କର ?

 

ସେ ମୋର ଅନିଷ୍ଟ କରି ନାହାନ୍ତି ।

 

ବେଶି ଅନିଷ୍ଟ କରିଛି କିଏ ? ତମ ହୃଦୟରେ ଦାଉ ଦାଉ ନିଆଁ ଜାଳି ଦେଇଛନ୍ତି ବିପିନ୍ ଦା ତମ ମନକୁ ଚୋରିକରି ନେଇ ପଳାଇଛନ୍ତି ବିପିନ୍ ଦା ।

 

ଭାରି ସାହସୀଟା-ଆ !

 

ନୋହିଲେ କି ? ଏତେ ଛୋପରା ହେଉଛି କାହିଁକି । ମନକଥାଟି ଖୋଲିକରି ଗୃପ୍ତରେ ମୋତେ କହିଦିଅ । ଜାଣେ ତ ତମ ଦାଦା ଓ ମାଙ୍କ ପ୍ରସ୍ତାବ ? ଦୁହେଁ ଠିକ୍ କରିଛନ୍ତି, ବିପିନ୍‌ଦା ବେକରେ ତମକୁ ବାନ୍ଧିଦେବେ । ମୋର ସେଥିରେ ଏକମତ । ତମ ମନକଥାଟି ବୁଝିଲେ ତେଣିକି ଆମେ ଆଗେଇବୁଁ ।

 

ଲଜ୍ଜିତା ହୋଇ କୁଂଦଲତା କହିଲେ, ମୁଁ କିଛି ଜାଣେ ନାହିଁ ଯା । କୁଂଦ ହସି ହସି ଶୈଳବାଳାଙ୍କ ନିକଟରୁ ଚାଲିଗଲେ । ଶୈଳବାଳା ନଣଂଦଙ୍କ କଥାରୁ ତାଙ୍କ ପ୍ରଶ୍ନର ଉତ୍ତର ପାଇଲେ-। ତାଙ୍କ ମନ ଆନଂଦରେ ନାଚିଉଠିଲା । ସେ ମଣିଲେ ସତେକି ଗୋଟିଏ ଦୁର୍ଭେଦ୍ୟ ଦୁର୍ଗ ଅତି ସହଜରେ ବିନା ଉଦ୍ୟମରେ ସେ ଜୟକରି ପାରିଛନ୍ତି । ପ୍ରଫୁଲ୍ଲଚିତ୍ତରେ ମୁଣ୍ଡତଳେ ତକିଆ ଦେଇ ଆଖିବୁଜି ଭାବୁ ଭାବୁ ନିଦ ହୋଇଗଲା । କେତେ ପ୍ରକାର ସୁନେଲୀ ରୂପେଲି ସ୍ୱପ୍ନ ଦେଖିବାକୁ ଲାଗିଲେ ।

 

ଦେବେନ୍ଦ୍ର ସେଠାରେ ଉପସ୍ଥିତ ହେଲେ । ଅବେଳାରେ ସ୍ତ୍ରୀଙ୍କୁ ଶୋଇଥିବାର ଦେଖ ଜ୍ୱର ଆଶଙ୍କାରେ ତାଙ୍କର କପାଳରେ ହାତ ରଖି ଉତ୍ତାପ ପରୀକ୍ଷା କଲେ । ସ୍ୱାମୀଙ୍କର ଶୀତଳ କର ସ୍ପର୍ଶପାଇ ତାଙ୍କ ନିଦ ଭାଙ୍ଗିଗଲା । ସେ ଅସ୍ତବ୍ୟସ୍ତ ହୋଇ ଉଠି ବସିଲେ ।

 

ଦେବେନ୍ଦ୍ର, ପଚାରିଲେ, ଆଜି ଦିନ ଦିପ୍ରହରରେ ପହଡ଼ କାହିଁକି ?

 

ଶୈଳ ସ୍ମିତ ହସି କହିଲେ, ଯା, କେଡ଼େ ସୁଂଦର ସ୍ୱପ୍ନଟାଏ ଦେଖୁଥିଲି, ଶେଷ ନୋହୁଣୁ ଭାଙ୍ଗିଦେଲେ...।

 

ମୋ ଜାଣିବରେ ଅବିବାହିତ ଯୁବକ ଯୁବତୀ କେବଳଳ ସୁଂଦର ସ୍ୱପ୍ନର ଅଧିକାରୀ ।

 

ବିବାହ କରି ଯେଉଁମାନେ ଅବିବାହିତ ପରି ରହିଥାନ୍ତି ?

 

ଯେଉଁମାନଙ୍କର ସ୍ୱପ୍ନ ସତ୍ୟରେ ପରିଣତ ହୋଇ ସାରିଥାଏ, ସେମାନଙ୍କର ଏପରି ସ୍ୱପ୍ନରେ ଅଧିକାର ନାହିଁ ।

 

ଅଧିକାର ନାହିଁ ମାନି ନେଉଛି, କିନ୍ତୁ, ଯଦି ରାଧିକାର ଶ୍ରୀକୃଷ୍ଣ ରାଧିକାଙ୍କୁ ଉପେକ୍ଷା କରି ରହନ୍ତି ?

 

ତମ କୃଷ୍ଣ ତମ ପାଖକୁ ଫେରି ଆସିଛନ୍ତି ।

 

ପୂର୍ବେ ଅଭ୍ୟାସ ଏତେ ଶୀଘ୍ର, ଏଡ଼େ ସହଜରେ ରାଧା ଛାଡ଼ି ପାରୁନାହିଁ ।

 

ଦେବେନ୍ଦ୍ର, ପରାସ୍ତ ହେଲେ । ଶୈଳ ମୁଣ୍ଡ ଉପରକୁ ଲୁଗା ଆଣି କହିଲେ, କୃଷ୍ଣ ବୋଧହୁଏ ଦୂତୀଙ୍କୁ ଭୁଲି ଗଲେଣି । ରାଧାକୃଷ୍ଣ ମିଳନର ପ୍ରଧାନ ପୁରୋଧା ଦୂତିକା ଶ୍ରୀମତି କୁଂଦଲତା ।

 

ଦେବେନ୍ଦ୍ର ବାବୁ ବିସ୍ମିତ ହୋଇ ଶୈଳବାଳାଙ୍କୁ ଚାହିଁଲେ ।

 

ମୋର ଏହି ସ୍ୱପ୍ନଟି ତମର ଭଉଣୀ କୁଂଦଲତାଙ୍କ ଭବିଷ୍ୟତ୍ ଜୀବନ ନେଇ ।

 

ଶୁଣେ ।

 

ଶୁଣିବା ପୂର୍ବରୁ ଆଗ କୁହ, କୁଂଦଲତାକୁ ଗୃହରେ ଆଶ୍ରୟ ଦେବାକୁ ଆଣି ତମେ ଅଧିକା କରିଛ କଅଣ । ତାଙ୍କୁ ଗଣ୍ଡାଏ ଖାଇବାକୁ କି ଖଣ୍ଡେ ପିନ୍ଧିବାକୁ ମିଳି ନ ଥାନ୍ତା ? ଯୁବତୀ କନ୍ୟା, ଏଥର ତାଙ୍କ ବିବାହର ଯୋଗାଡ଼ କରୁଛି କି ନାହିଁ ?

 

କିଛି ତ କରି ନାହିଁ ।

 

ବେଶ୍ୟାଘର ଛାଡ଼ି ମାତାଜୀ ସାଜି ବନାରସ୍, ଯିବା ପରିବର୍ତ୍ତେ ଏଠାରେ ରହିବାର କାରଣ କଅଣ ? କାୟାସ୍ଥଘର ଝିଅ, ଏଣିକି ବାଛଂଦ ପଡ଼ିବ । ନିଂଦା କାହାକୁ ହେବ, କହିଲୁ ? ତାର ଆପଣାର ହୋଇ ତମ ଛଡ଼ା ସଂସାରରେ କେହି ନାହିଁ ।

 

ଦେବେନ୍ଦ୍ର ବାବୁ ଚିନ୍ତିତ ହେଲେ । ଜଣାଗଲା ଯେପରି ସେ ମନେ ମନେ ପାତ୍ର ଅନ୍ୱେଷଣ କରୁଛନ୍ତି । ମୁହଁ ଶୁଖାଇ କହିଲେ, କଅଣ କହିବାକୁ କହୁଛ କହ ?

 

ମୋର ପ୍ରସ୍ତାବରେ ତୁମେ ଏକମତ ହେଲେ ତ ହୁଏ, ବିପିନ୍‌ଦା କଅଣ କୁଂଦର ଉପଯୁକ୍ତ ?

 

ବାକ୍ୟ ଶେଷ ହେବା ପୂର୍ବରୁ ଦେବେନ୍ଦ୍ର ବାବୁ ଉଚ୍ଚହାସ୍ୟ କରି ପ୍ରସ୍ତାବଟିକୁ ଉଡ଼ାଇ ଦେବାକୁ କହିଲେ, ବାକ୍ୟଟି ଓଲଟେଇ କରି କହ, କହ କୁନ୍ଦ କଅଣ ବିପିନର ଉପଯୁକ୍ତ ? ଅସମ୍ଭବ-! ଏଥିରେ ଅନେକ ବାଧାବିଘ୍ନ ଅଛି । ଶୈଳ ମୋର ପାଗଳ ହୋଇଗଲାଣି । ପ୍ରଥମ କଥା, ବିପିନ ବାବୁ ଉତ୍କଳୀୟ କରଣ । ଦ୍ୱିତୀୟରେ ବିପନବାବୁଙ୍କର ଭୀଷ୍ମ-ପ୍ରତିଜ୍ଞା ଭାଙ୍ଗିବାର ଶକ୍ତି କେଜାଣି ବା ମେନକାର ଥାଇପାରେ । ଏତେବଡ଼ ସାହସ କରିବାକୁ ମୁଁ ଅକ୍ଷମ ।

 

ତମର ମେନକା ସରି ହେବେ ନାହିଁ କୁନ୍ଦଲତାଙ୍କ ଦାସୀ ପଣକୁ । ତେବେ,-ପ୍ରଥମ କଥା ଯାହା କହିଲ, ସେପରି ଦେଶଗତ ଭେଦ ବା ଜାତିଗତ ଭେଦ ଗାନ୍ଧି ଅମଳରେ ଆଉ ଦାହିଁ । ଏଣିକି ଆଉ ରହିବ ନାହିଁ । ବିପିନ୍ ଦାର ମନ ସଂକୀର୍ଣ୍ଣ ନୁହେଁ । ଆଉ, ତାଙ୍କର ଭୀଷ୍ମ-ପ୍ରତିଜ୍ଞା ଅନେକ ଦିନୁ ଭାଙ୍ଗିଚି ।

 

ପାଗଳ ! କିପରି ଜାଣିଲ ?

 

ଆମେ ମାଇପି ଜାତି ମୁହଁକୁ ଚାହିଁଲେ ମନର କଥା ବୁଝିନେଉ । ପଦେ କଥାରେ ପ୍ରାଣର ବେଦନା-ଭରା ଭାଷା ଶୁଣୁ । ବିପିନ୍‌ଦା ଏବେ ମନେ ମନେ ଗୋଟିଏ ପ୍ରାଣର ସାଥୀ ଖୋଜୁଛନ୍ତି ।

 

ଆଉ କଣ ମିଛେ ? ଚାଲାଖିରେ ପଚାରିଲେ ବୁଝିବ ! ସେ ସାଥୀ ଟି କିଏ ଜାଣ ? ତମର ଶ୍ରୀମତୀ କୁନ୍ଦଲତା । ତମେ ଏ ବିବାହ ପ୍ରସ୍ତାବଟି ଉଠାଇଲେ ସେ ମଙ୍ଗିଯିବେ ।

 

ଦେବେନ୍ଦ୍ରବାବୁ ଶୈଳବାଳାଙ୍କ କଥାରେ ବିଶ୍ୱାସ କରିପାରିଲେ ନାହିଁ । ତଥାପି ଅନୁରୋଧ ରକ୍ଷା କରି ଥରେ ଚେଷ୍ଟା କରିବେ ବୋଲି ସ୍ତ୍ରୀଙ୍କୁ କହି ଚିନ୍ତିତ ହୋଇ ତଳକୁ ଓହ୍ଲାଇଲେ-

 

Unknown

୧୬

 

ବିପ୍ରଚରଣ ଚିଠିଲେଖା ଶେଷକରି ସଜଳ ଚକ୍ଷୁରେ ଚିଠିଖଣ୍ଡି ପୁଣି ପଢ଼ୁଛନ୍ତି । ଏହି ସମୟରେ ଯୋତାର ଘନ ଘନ ଶବ୍ଦକରି ଦେବେନ୍ଦ୍ରବାବୁ ଉପସ୍ଥିତ ହେଲେ । ଦେବେନ୍ଦ୍ର ବାବୁଙ୍କୁ ଦେଖି ବିପ୍ରଚରଣ ସାଦରେ ଅଭ୍ୟର୍ଥନା କରି ବସିବାକୁ ଅନୁରୋଧ କଲେ । ତତ୍ପରେ ଚିଠିଖଣ୍ଡି ଓ କେତେଖଣ୍ଡ ଶହେଟଙ୍କିଆ ନୋଟ ଗୋଟିଏ ଲଫାଫାରେ ବନ୍ଦକରି ଉପରେ ଠିକଣା ଲେଖିଲେ । ଦେବେନ୍ଦ୍ର ବାବୁଙ୍କୁ କହିଲେ, ଏ ଚିଠିଖଣ୍ଡ ଦୟାକରି ତୁମେ ରେଜେଷ୍ଟ୍ରି କରିଦେବ ।

 

ଦେବେନ୍ଦ୍ର ବାବୁ ପଚରିଲେ, ଆଚ୍ଛା ବିପିନ, ତୁମେ ଅନେକ ସମୟରେ ଏହିପରି ରେଜିଷ୍ଟ୍ରି ଚିଠି କାହା ନିକଟକୁ ପଠାଅ ।

 

ଭାଇ ପାଖକୁ ।

 

ମୁଁ ଦେଖିଛି, ରେଜିଷ୍ଟ୍ରି ଚିଠିଖଣ୍ଡି ପୋଷ୍ଟ ନ କରିବାଯାଏ ତମ ମନରେ ଶାନ୍ତି ନ ଥାଏ । ମୁଁ ଅନୁମାନ କରେ ଏଥିରେ କିଛି ରହସ୍ୟ ଅଛି । ଆଜି ମୋ ଆଗରେ ସବୁ ଖୋଲିକରି କହିବାକୁ ପଡ଼ିବ ।

 

ବିପ୍ରଚରଣ କହିଲେ, କିଛି ନାହିଁ ଭାଇ, ଜୀବନଟି ମୋର ଅତି ସରଳ । ସମୟ ସମୟରେ ଘରକଥା ମନେ ପଡ଼ିଲେ ଦୁଃଖ ହୁଏ ।

 

ଘରକୁ ଯାଇ ଥରେ ବୁଲି ଆସ ।

 

ଘରକୁ ଗଲେ ମୋର ଦୁଃଖ ବଳି ପଡ଼ିବ । ଯାହାକୁ ଦେଖିବାକୁ ଯାଆନ୍ତି ସେ ନାହିଁ । ଯେଉଁମାନେ ଅଛନ୍ତି ସେମାନଙ୍କର ମୁଁ ଚକ୍ଷୁଶୂଳ । ମୋତେ ଦେଖିଲେ ସେମାନେ ସୁଖୀ ହୋଇ ପାରିବେ ନାହିଁ । ସେମାନେ ଚାହାନ୍ତି, କେବଳ ଟଙ୍କା । ଏକ ପ୍ରକାର ମୁଁ ଗୃହତ୍ୟାଗ କରିଛି । କେବଳ ଯଥାଶକ୍ତି ଟଙ୍କା ପଠାଇ ତାଙ୍କର ଧନ-ପିପାସା ମେଣ୍ଟାଇବି ଏହି ମୋର ପ୍ରତିଜ୍ଞା ।

 

ଏହିପରି ଭ୍ୟାଗାବଣ୍ଡ ପରି ସମୟ କଟାଇବ ?

 

ଅନ୍ୟ ଉପାୟ ନାହିଁ ।

 

ଉପାୟ ଘେନି ଆଜି ମୁଁ ତମ ନିକଟକୁ ଆସିଛି । ତମ ଭଉଣୀ ମୋତେ ପଠାଇଛନ୍ତି ।

 

ବିପ୍ରଚରଣ ଦୁଃଖିତ ହୋଇ କହିଲେ, ବୋଧହୁଏ ଛ ସାତ ଦିନ ହେବ ଶୈଳ ସଙ୍ଘେ ଦେଖା କରି ନାହିଁ ବୋଲି ସେ ଅଭିମାନ କରିଛି । କରିବି ଭାଇ, ସମୟର ଅଭାବ ।

 

ଖାଲି ଅଭିମାନ ତ ନୁହେଁ, ତମକୁ ଓ୍ୱାରଣ୍ଟ କରି ନେବାକୁ ଆଦେଶ ମିଳିଛି । କି ଉପାୟଟି ଘେନି ଆସିଛି କହିଲ ନାହିଁତ ।

 

ଦେବେନ୍ଦ୍ର ବାବୁ କହିଲେ, ଉପାୟ ଶୁଣିବା ପୂର୍ବରୁ ମୋତେ ଆଗ କହ, ଯଦି ସୁଶିକ୍ଷିତା, ସୁନ୍ଦରୀ ଓ ଉପଯୁକ୍ତା ପାତ୍ରୀ ପାଅ ତୁମେ ବିବାହ କରିବାକୁ ପ୍ରସ୍ତୁତ କି ନୁହଁ ? ତୁମକୁ ବୁଝାଇ କହିବାର ଶକ୍ତି ମୋର ନାହିଁ । ତେବେ ନିଜ ଅଭିଜ୍ଞତାରୁ ଏତିକି ବୁଝିଛି ଯେ ଯୌବନରେ ପ୍ରତ୍ୟେକ ଯୁବକ ଯୁବତୀ ସାଥୀ ଖୋଜନ୍ତି । ଏହି ଅପରିଚିତା ବା ଅପରିଚିତ ଜୀବନ-ସାଥୀ ପାଇବାକୁ ପ୍ରତି ମୁହୂର୍ତ୍ତରେ ପ୍ରାଣ ବ୍ୟାକୁଳ ହୁଏ । ଅବଶ୍ୟ, ସଂସାରିକ ଅବସ୍ଥା ଅନେକ ବାଧା ପାଇ ଯୁବକ ମୁହଁରେ କହେ ସେ ପିଶ୍ଚିନ୍ତ ଅଛି, ମନ ପ୍ରାଣ ତାର ସ୍ୱାଧୀନ, କିନ୍ତୁ ସେହି ଚିନ୍ତାହୀନତା ଭିତରେ ପୂର୍ଣ୍ଣଥାଏ ଜ୍ୱାଳାମୟ ଭାବନା । ତାର ସ୍ୱାଧୀନ ମନପ୍ରାଣ ଦିନୁଦିନୁ ନୀରସ, ନିଶ୍ଚଷ୍ଟ ଓ ନିର୍ଜୀବ ହୋଇଯାଏ ।

 

ବିପ୍ରଚରଣ ଦେବେନ୍ଦ୍ର ବାବୁଙ୍କ କଥାରେ ଉତ୍ତର ନ ଦେଇ ତାଙ୍କ ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ରହିଲେ । ସେ ଏହି ସହଜ ସରଳ ସତ୍ୟଟିକୁ ପ୍ରାଣେପ୍ରାଣେ ଅନୁଭବ କରିଛନ୍ତି ଓ କରୁଛନ୍ତି । ବାଧା ଦେଇ ପଦେ କହିବାକୁ ସାହସ କଲେନାହିଁ ।

 

ତାଙ୍କୁ ନୀରବ ଦେଖି ଦେବେନ୍ଦ୍ର ବାବୁ ପୁଣି କହିଲେ, ବିପିନ, ଯଦି ବିବାହ କରି ସଂସାର କରିବାର ଇଚ୍ଛା ଥାଏ ଡେରିକରି ଲାଭ ନାହିଁ । ବୟସ ହେଲେ ବିବାହ ନ କରି ନିଜ ଉପରେ ଅତ୍ୟାଚାର କରିବା ମୋ ଜାଣିବାରେ ମହାପାପ । ବ୍ରହ୍ମଚାରୀ ହୋଇ ସାରାଜୀବନ କଟାଇବାର ପ୍ରୟାସ ଥିଲେ କଲିକତା ସହରରେ ସବୁପ୍ରକାର ପ୍ରଲୋଭନ ମଝିରେ ଏକାକୀ ବ୍ୟବସାୟି କରିବା ଅପେକ୍ଷା କୌପିନ ପିନ୍ଧି ହିମାଳୟରେ ଯୋଗସାଧନା କରିବା ଭଲ। ଅନେକେ ଭାବିଥାନ୍ତି ବିବାହ କଲେ ମନର ସ୍ୱାଧୀନତା ଲୋପ ହୁଏ, ତେଣୁ ଜାଣି ଜାଣି ଏପରି ବିକ୍ଷମ ବନ୍ଧନରେ ବାନ୍ଧି ନ ହୋଇ ମୋରିପରି ନିତ୍ୟନୂତନ ଆଶାରେ କଲିକତାର ଅପ୍‌ସରା ମହଲରେ ବୁଲିଲେ ବିବାହ ନ କରି ବିବାହିତ ପରି ରହି ପାରିବ ।

 

ମାତ୍ର ଭାଇ, ଏ ଧାରଣା ଭୁଲ । ହଁ ରୂପ ପାଇବ, ତୁମର ପିପାସା ମେଣ୍ଟାଇବାର ସବୁପ୍ରକାର ସୁବିଧା ସୁଯୋଗ ପାଇବ, ତଥାପି ତହିଁରେ ଅପୂର୍ଣ୍ଣତା ଭରା । ପବିତ୍ରତା ନାହିଁ, ସରଳତା ନାହିଁ । ପ୍ରକୃତ ସୁଖ, ପ୍ରକୃତ ଶାନ୍ତି ନାହିଁ । ଯାହାର ହୃଦୟକୁ ଉତ୍ତେଜନାରେ ନିଜର ହୃଦୟ ସଙ୍ଗେ ମିଶାଇ ଦେଇ ଏକାକାର କରି ଦେବାର ଇଚ୍ଛା, ତାଠାରେ ଦେଖିବା କଅଣ ? ତାଆରି ହୃଦୟରେ ହୃଦୟ ନାହିଁ, ଅଛି କେବଳ ହାହାକାରମୟ, କପଟତା, ଧନ ଲାଭର ଆକୁଳ ପିପାସା ।

 

ବିପ୍ରଚରଣ ମୂକଙ୍କ ପରି ସବୁ ଶୁଣି କହିଲେ, ମୋର ଯେ ସଂସାରରେ କେହି ନାହିଁ କହିଲେ ଚଳେ ।

 

ଏହି କେତୋଟି ଦିନ ଭିତରେ ତୁମେ ଯାହାଙ୍କୁ ଆପଣାର କରିସାରିଛ ସେମାନେ ତମର ସୁଖ ଦେଖିବାକୁ ସତତ୍ ଉଦବିଗ୍ନ। ଆଚ୍ଛା, ତମର ଆପତ୍ତି କଣ ଶୁଣେ ?

 

ଲଜ୍ଜିତ ହୋଇ ବିପ୍ରଚରଣ କହିଲେ, କିଛି ନାହିଁ ତେବେ, -

 

ତେବେ ପାତ୍ରୀ ବିଷୟରେ ତ ? ତମର ବିନା ପସନ୍ଦରେ କେହି ତମକୁ ବାଧ୍ୟ କରିବାକୁ ଯାଉଁନାହିଁ । ବିବାଦ କରିବାକୁ ପ୍ରସ୍ତୁତ ହେଲେ ମପମାଫି ବାଛି ନେବାକୁ ପାତ୍ରୀର ଅଭାବ ରହିବ ନାହିଁ । ଆଚ୍ଛା ତମର କୌଣସି ଜାତିଗତ ଘୃଣା, ମୋ କହିବାର ଉଦ୍ଦେଶ୍ୟ ବଙ୍ଗାଳୀ, ଓଡ଼ିଆ, କାୟସ୍ଥ କି ଅନ୍ୟ କେଉଁ ଜାତି ଏପରି କିଛି ନାହିଁତ ?

 

ରାମ ରାମ, ବିଶେଷତଃ ଏ ଯୁଗରେ ?

 

ମନରେ ଯଦି କିଛି ନ ଭାବ ଉପାୟଟି ଏବେ ମୁଁ ଖୋଲିକରି କହିବି । ଶୈଳ ନିଜ ଇଚ୍ଛାରେ ତାର ବୋଉଦି ବାଛି ନେଇଛି । ସେ ମୋତେ କହୁଥିଲା ତୁମେ ତାକୁ ଅଧିକାର ଦେଇଛ ।

 

ବିପ୍ରଚରଣ ହସି ହସି କହିଲେ, ଶୈଳର ଅଧିକାର ଉପରେ ମୁଁ ହସ୍ତକ୍ଷେପ କରିବାକୁ ଯାଉନାହିଁ, ମାତ୍ର କଥାଟି କଅଣ ? ମୋତେ ବୁଝାଇ କହିଲେ ଭଲ ହୁଅନ୍ତା ।

 

ଏତେ ଅଧୀର ହେଲେ ଚଳିବ ନାହିଁ । ଧୀରେ ଧୀରେ ମୁଁ ସବୁ କହିବି । ଟିକିଏ ଚିନ୍ତାକରି ପଚାରିଲେ, ବିପିନ୍, ସତ କହ ପୁନ୍ଦଲତା ବିଷୟରେ ତମ ମନର ଧାରଣା କିପରି ?

 

ପୁନ୍ଦଲତାଙ୍କ ନାମ ଶୁଣି ବପ୍ରଚରଣଙ୍କ ମୁଖର ଭାବ ପରିବର୍ତ୍ତନ ହେଲା । ସେ ଆଗରୁ ଯାହା ଅନୁମାନ କରିଥିଲେ ତାହାହିଁ ଘଟିଲା । ସଙ୍ଗେ ସଙ୍ଗେ ମନ ମଧ୍ୟରେ ଦୁଇଟି ଭାବରେ କହିଲେ, ପୁନ୍ଦଲତାଙ୍କର ଅତୀତ ସମ୍ବନ୍ଧେ ମୁଁ କିଛି ଜାଣେ ନାହିଁ । ତମ ଘରେ ତାଙ୍କୁ ମୁଁ କେତେଥର ଦେଖିବା ସୁଯୋଗ ପାଇଥିଲି । ଥରେ ଅଧେ କଥାଭାଷା କରିଥିଲି । ଏତିକି ଘନିଷ୍ଠତାର ଜଣେ ବାଳିକାର ଆଚରଣ ଉପରେ ମତାମତ ପ୍ରକାଶ କରିବା ମୋ ବିବେଚନାରେ ଅନ୍ୟାୟ ।

 

ଅନ୍ୟ କାହା ପାଖରେ ଏପରି ମତାମତ ପ୍ରକାଶ କରିବା ଅନ୍ୟାୟ କିନ୍ତୁ ମୋ ନିକଟରେ ମନଭାବ ବ୍ୟକ୍ତ କଲେ କିଛି କ୍ଷତି ନାହିଁ । ପୁନ୍ଦଲତାଙ୍କର ଅତୀତ ଜୀବନ ନେଇ ଟଣାଓଟରା ଲଗାଇବା ନିଷ୍ପ୍ରୟୋଜନ । ତାଙ୍କ କଥାରୁ ଏତିକି ପ୍ରକାଶ ଯେ ସେ ନଦୀୟା କିଲ୍ଲାର ସମ୍ଭ୍ରାନ୍ତ କାୟୁସ୍ଥ ଘରର କନ୍ୟା । ଦୁଃଖାବହ, ଦୈବଦୁର୍ଘଟନାରେ ସେ ପିତା ମାତା ସମସ୍ତଙ୍କୁ ହରାଇ ନିଜର ଚୀବନ ଘେନି କଲିକତା ଚାଲି ଆସିଥିଲେ । ଯାହାଙ୍କ ନିକଟରୁ ଆସିଥିଲେ ସେ ସମ୍ପର୍କରେ ତାଙ୍କର ମଉଳା ପୁଅ ଭାଇ ହୁଅନ୍ତି । ସେ ମହାଶୟ ଇତିମଧ୍ୟରେ ଗାନ୍ଧିମନ୍ତ୍ର ଜପି ଶ୍ରୀ ମନ୍ଦିରରେ ପ୍ରବେଶ କରିଛନ୍ତି ।

 

କୁନ୍ଦଲତା ନିରାଶ୍ରୟା ହୋଇ ଦୁଇଦିନ କଲିକତାର ଏ ଗଳି ସେ ଗଳି ବୁଲି କଷ୍ଟ ପାଇଲେ । ଶେଷକୁ ସେ ଯେଉଁ ଦୟାମୟୀ ରମଣୀଙ୍କର ଶରଣାପନ୍ନ ହେଲେ ସେ ମାଟିଆବ୍ରୁସର ଜଣେ ନାମଜାଦା ଦେବଦାସୀ । ପରେ ଯେତେବେଳେ ସେ ବୁଝିପାରିଲେ ଯେ ସେ ଜଣେ ବେଶ୍ୟାଘରେ ଅଛନ୍ତି, ପଳାଇ ଯାଇ ନିଜର ମାନ ମହତ୍ତ୍ୱ ରକ୍ଷା କରିବାକୁ ସୁବିଧା ଖୋଜି ବସିଲେ । ବେଶ୍ୟା ତାଙ୍କ ମନକଥା ବୁଝିପାରି ତାଙ୍କୁ ଆଖିଏ ଆଖିଏ ରଖିଲା । ତାପରେ ଯାହା ହେଲା ତ ତୁମେ ସବୁ ଜାଣ ।

 

ବିପ୍ରଚରଣ ପଚାରିଲେ ମୁଁ କିଛି ଜାଣେନାହିଁ । ସେଇଠୁ କ’ଣ ହେଲା ?

 

କୁନ୍ଦଲତା ବେଶ୍ୟାର ତାଡ଼ନା ସହି ନ ପାରି ଆରମ୍ଭ କଲେ ବ୍ୟବସାୟ ।

 

ବିପ୍ରଚରଣଙ୍କ ମୁହଁ କଳା ପଡ଼ିଗଲା । ସତେ ସେ କି କୌଣସି ଅଲଙ୍ଘନୀୟ ବିପଦରେ ମଝିରେ ମଝିରେ ପଡ଼ିଲେ । ତାଙ୍କ ହୃଦୟ ମଧ୍ୟରେ ଯେପରି କିଏ ବିପ୍ଳବ ସୃଷ୍ଟି କଲା । ସେ କିଛି ନ ଶୁଣିଲା ପରି ପଚାରିଲେ, ସତ କହ ଦେବେନ୍, ସେଇଠୁ କଅଣ ହେଲା ।

 

ଦେବେନ୍ଦ୍ର ବିପ୍ରଚରଣଙ୍କ ପ୍ରାଣର ଆକୁଳତା ବୁଝିପାରି ହସି ହସି କହିଲେ, କୁନ୍ଦଲତା ବ୍ୟବସାୟ ଆରମ୍ଭ କଲେ ।

 

ଦେବେନ୍ଦ୍ର ବାବୁଙ୍କ ମୁହଁରେ ହସ ଦେଖି ବିପ୍ରଚରଣ ଉତ୍ତେଜିତ ହୋଇ କହିଲେ, ଅସମ୍ଭବ ! ନିଜେ କୁନ୍ଦଲତା ଯଦି ନିଜ ମୁହଁରେ କହନ୍ତି ମୁଁ ଏହାକୁ ସତ ବୋଲି ଗ୍ରହଣ କରି ପାରିବି ନାହିଁ । ମୁଁ ଜାଣେ ଦେବୀ କେବେ ତାଡ଼ନା ଭୟରେ ନରକ ଯାଇପାରେ ନାହିଁ ।

 

ନରକର କଥା ପଡ଼ିନାହିଁ ବିପିନ୍, ପଡ଼ିଛି ବ୍ୟବସାର କଥା । କୁନ୍ଦଲତା ବ୍ୟବସାୟ ଆରମ୍ଭ କଲେ । କିପରି ବ୍ୟବସାୟ ଜାଣ ବିପିନ୍ ? ସେ ଏକ ଅପୂର୍ବ ବ୍ୟବସାୟ । ଯେ ଧନଦେଇ ରୋଗ ଓ ପିପାସା କିଣିବାକୁ ଯାଏ, ତାକୁ ସେ ଦିଅନ୍ତି ନୟନର ତପ୍ତଅଶ୍ରୁ । ଯେ ପାଗଳ ହୋଇ ଯାଇଥାଏ ରାତିକ ପାଇଁ ତାଙ୍କ ହୃଦୟ କଣିବାକୁ ସେ ଦିଅନ୍ତି ତାଙ୍କ ପ୍ରାଣର ଅନନ୍ତ ବ୍ୟଥା । ଯିଏ ହସି ହସି ଯାଇଥାଏ ତାଙ୍କର ଶରୀର ଆଲିଙ୍ଗନ କରିବାକୁ ସେ ଫେରେ କାନ୍ଦି କାନ୍ଦି ତାଙ୍କ ଚରଣର ଧୂଳି ମୁଣ୍ଡରେ ବୋଳି । ଭାଇ ବିପିନ୍, ତାଙ୍କର ଏପରି ବ୍ୟବହାର ମୁଁ ମୋର ବନ୍ଧୁମାନଙ୍କ ମୁହଁରୁ ଶୁଣି ଅତି ଦମ୍ଭକରି ଯାଇଥିଲି ଅନେକ ଟଙ୍କାନେଇ । ବାଳିକାଟିଏ ସେ, କାନ୍ଦି କାନ୍ଦି, ହସି ହସି, ତାର ମର୍ମ୍ମଭେଦୀ ଜୀବନଚରିତ ଅତି ଆକୁଳ ଭାବରେ ବର୍ଣ୍ଣନା କଲା । କିପରି ଭାବରେ କହି ପାରିବି ନାହିଁ, ଧୀରେ ଧୀରେ ମୋର ନଷ୍ଟ ମନରେ ପରିବର୍ତ୍ତନ ଭାବ ଆସିଲା । ମୁଁ ଯେତେବେଳେ ଲୋତକଭରା ଚକ୍ଷୁରେ କୁନ୍ଦଲତାଙ୍କର ମୁଖକୁ ଚାହିଁଲି, ଦେଖିଲି କଅଣ ? ଲୋତକରେ ଢଳଢଳ ଦୁଇଟି ଜ୍ୱଳନ୍ତ ଚକ୍ଷୁ ।

 

ରହ ଦେବେନ୍ । ଆଉ ଅଧିକ କଥା ମୁଁ ଶୁଣିବାକୁ ଇଚ୍ଛୁକ ନୁହେଁ ।

 

ଭାଇ, ପବିତ୍ରତାର ଆସନ ଅତି ଉଚ୍ଚରେ । ଜଣେ ସତୀ-ରମଣୀର ଜ୍ୱଳନ୍ତ ପ୍ରଭାରେ ସହସ୍ର ସହସ୍ର କାମୁକଙ୍କର ମଳିନ-ଅନ୍ତର ପରିଷ୍କାର ହୋଇଯାଏ । କୁନ୍ଦଲତା ପବିତ୍ର, କୁନ୍ଦଲତା ଜ୍ୱଳନ୍ତ ଅଗ୍ନିଶିଖା ।

 

ବିପ୍ରଚରଣ ଦେବେନ୍ଦ୍ରଙ୍କ କଥା ଶୁଣି କୁନ୍ଦଲତାଙ୍କୁ ବିବାହ କରିବାକୁ ସମ୍ମତ ହେଲେ ।

 

ଆନନ୍ଦର ଢେଉ ଖେଳିଗଲା ମିତ୍ର ଭବନରେ । ଦିନ ସ୍ଥିର ହେଲା । ବାହାଘରର ଆୟୋଜନ ଚାଲିଲା ।

***

 

୧୭

 

ଶୁଭ ବିବାହ ସମ୍ପନ୍ନ ହେଲା । ଆଦର୍ଶ ବିବାହ । ବରପାତ୍ର ଓଡ଼ିଆ କରଣ ଘରର ପୁଅ, କନ୍ୟାପାତ୍ର ବଙ୍ଗାଳୀ କାୟୁସ୍ଥ ଘରର ଝିଅ । ଓଡ଼ିଆ, ବଙ୍ଗାଳୀ ଅନେକ ଭଦ୍ରଲୋକ ଏ ବିବାହରେ ଯୋଗ ଦେଇ ବରକନ୍ୟାଙ୍କୁ ଆଶୀର୍ବାଦ କରି ଗଲେ । ବରକର୍ତ୍ତା ହୋଇଥିଲେ ବିହାର ଓଡ଼ିଶା କାଉନ୍‌ସିଲର ସଦସ୍ୟ ସ୍ୱୟଂ ମିଶ୍ର । କନ୍ୟାକର୍ତ୍ତା ଶ୍ରୀଯୁକ୍ତ ଦେବେନ୍ଦ୍ର ମିତ୍ର ଜମିଦାର । ପତ୍ର ପତ୍ରିକାରେ ବଡ଼ ବଡ଼ ଅକ୍ଷରରେ ଏହି ଆଦର୍ଶ ବିବାହ କଥା ପ୍ରକାଶିତ ହେଲା । ଖବରକାଗଜ ମତ ଦେଲା ଭବିଷ୍ୟତରେ ବଙ୍ଗାଳୀ ଓଡ଼ିଆ ଦୁଇଟି ଜାତିର ମିଳନ ସୁନିଶ୍ଚିତ । ଏହାହିଁ ଦୁଇ ପ୍ରଦେଶର ମଙ୍ଗଳ ଦୃଷ୍ଟିରୁ ଏକାନ୍ତ ଆବଶ୍ୟକ ।

 

ବିପ୍ରଚରଣ ଏବଂ କୁନ୍ଦଲତାଙ୍କର ନୂତନ ଜୀବନ ସୁଖ ଆନନ୍ଦରେ ଆଗେଇ ଚାଲିଲା । ପରସ୍ପରକୁ ସୁଖୀ କରିବା ହେଲା ଉଭୟଙ୍କର ପଣ । କୁନ୍ଦଲତାଙ୍କର ଯେ ଗୋଟାଏ ଅତୀତ ଜୀବନ ଥିଲା ଏକଥା ଉଭୟେ ପାସୋରି ଗଲେ ।

 

ଶୈଳବାଳାଙ୍କର ଆନନ୍ଦ କହିଲେ ନ ସରେ । ବିପିନ୍ ଦା ଏବଂ କୁନ୍ଦଙ୍କର ନୂଆ ସଂସାରକୁ ସୁଖର ଓ ସୁନ୍ଦର କରିବାକୁ ସେ ସବୁବେଳେ ଚେଷ୍ଟିତ । ଦେବେନ୍ଦ୍ର ବାବୁଙ୍କର ମା କୁନ୍ଦଲତାକୁ ନିଜର କନ୍ୟାପରି ମଣନ୍ତି ।

 

କୁନ୍ଦ ନୂଆ ସଂସାରକୁ ଆସି, ସ୍ୱାମୀଙ୍କର ସେବା ଯତ୍ନରେ ମନ ପ୍ରାଣ ଢାଳି ଦେଲେ । ଅବସର ସମୟରେ ଓଡ଼ିଆ ପଢ଼ିବାକୁ ମନ ବଳାଇଲେ । ବିପ୍ରଚରଣଙ୍କ ସାହାଯ୍ୟ ଓ ଉତ୍ସାହରେ ସେ ଦିନ କେଇଟାରେ ସବୁ ପାଠ ଅକ୍ଳେଶରେ ପଢ଼ି ପାରିଲେ । ବିପ୍ରଚରଣଙ୍କୁ ଏହା ବିଚିତ୍ର ଲାଗିଲା । ସେ ସ୍ନେହରେ ଦିନେ କୁନ୍ଦଲତାଙ୍କ ଅନାବୃତ୍ତ ମସ୍ତକରେ ହାତ ରଖି କହିଲେ, ତମେ ନିଶ୍ଚୟ ଆଗରୁ ଓଡ଼ିଆ ଜାଣିଥିଲ ।

 

କୁନ୍ଦଲତାଙ୍କର ମୁହଁ ଫିକା ପଡ଼ିଗଲା । ସେ ସନ୍ଦେହପୂର୍ଣ୍ଣ ଆକୁଳ ଦୃଷ୍ଟିରେ ବିପ୍ରଚରଣଙ୍କ ମୁହଁକୁ ଚାହିଁଲେ । ତାପରେ ଭ୍ରୁଲତା ନଚାଇ ସ୍ମିତହାସ୍ୟ କରି କହିଲେ, ପିଲାବେଳେ ଆଈମା ସଙ୍ଗେ ଜଗନ୍ନାଥ ଦର୍ଶନ କରିବାକୁ ମୁଁ ପୁରୀ ଯାଇଥିଲି । ପୁରୀରେ ଆମେ ଅନେକ ଦିନ ରହିଥିଲୁ । ସେତିକିବେଳେ ମୁଁ ଓଡ଼ିଆରେ କଥା କହିବାକୁ ଶିଖିଥିଲି ।

 

ଓଡ଼ିଆ ଅକ୍ଷର ଚିହ୍ନିଲେ କିପରି ?

 

ଆମ ଘରେ ଜଣେ ପୁଝାରୀ ଥିଲେ । ତାଙ୍କର ଗୋଟିଏ ସାନଭାଇ ଥିଲା । ସେ ମୋ ବୟସର । ତାକୁ ଓଡ଼ିଆ ବର୍ଣ୍ଣପରିଚୟ ପଢ଼ାଇଲାବେଳେ ମୁଁ ତା ପାଖରେ ଠିଆ ହୋଇଥାଏ । ସେ ସିଲଟରେ ଯେପରି ଲେଖେ ମୁଁ ଖଣ୍ଡେ ଅଙ୍ଗାର ଧରି କାନ୍ଥରେ ଅବିକଳ ସେମିତି ଲେଖିବାକୁ ଚେଷ୍ଟାକରେ ।

 

କୁନ୍ଦଲତାଙ୍କ କଥାରେ ବିପ୍ରଚରଣ ବିଶ୍ୱାସ କରି ସ୍ନେହରେ ତାଙ୍କର ଗଣ୍ଡ ଚୁମ୍ବନ କଲେ । ଏତେ ସ୍ନେହ, ଏତେ ଆଦର ସତ୍ତ୍ୱ କୁନ୍ଦଲତାଙ୍କ ଚକ୍ଷୁ ଲୋତକାଦ୍ର ହେଲା ।

 

ଦିନେ ଶୈଳବାଳା କୁନ୍ଦଲତାଙ୍କୁ କଥା ପ୍ରସଙ୍ଗରେ ବଚାରିଲେ, ଆଚ୍ଛା କୁନ୍ଦ, କ୍ଷମାକର ଭଉଣୀ କହୁ କହୁ ଜିଭ ଖସିଗଲା । ଆଚ୍ଛା ବୋଉଦି ଚୋପ୍, ବୋଉଦି କଅଣ ? ଆଗ କୁନ୍ଦ ନା ଆଗ ବୋଉଦି ? କହ କୁନ୍ଦଲତା ଅଭିମାନ କରି ଗମ୍ଭୀର ହେଲେ ।

 

ଶୈଳବାଳା କୁନ୍ଦଲତାଙ୍କର ମସ୍ତକ ଦୁଇ ହାତରେ ହଲାଇ ଦେଇ କହିଲେ ଓହୋ,...ଅଭିମାନ । ହେଲା, ସେହି କଥା ହେଲା । ଆଚ୍ଛା ସତ କହ ତ, ଘର କରିବାକୁ କଣ ତମର ଇଚ୍ଛା ନାହିଁ ? ମୁଁ ଯେଉଁଦିନ ତମ ଘରକୁ ଆସେ ତମ ଘରର ଢଙ୍ଗ୍ ଢଙ୍ଗ୍ ଦେଖି ମୋ ମନରେ ଭାରି କଷ୍ଟ ହୁଏ । ଜିନିଷପତ୍ରର ଠିକ୍ ନାହିଁ, ଏଠି ଟ୍ରଙ୍କଟା ତ ସେଠି ସୁଟକେଶ୍‌ଟା । ବାସନଗୁଡ଼ାକ ଖଣ୍ଡି ଖଣ୍ଡି ହୋଇ ଏଠି ସେଠି ପଡ଼ିଛି । ରାକ୍‌ରେ ଲୁଗାପଟାଗୁଡ଼ା ଅଲଗା ହୋଇ ପଡ଼ିଛି,-ଛିଃ, ଛିଃ ।

 

ଲଜ୍ଜିତା ହୋଇ କୁନ୍ଦଲତା ମୁହଁ ଶୁଖାଇ କହିଲେ, ମୁଁ କଅଣ କରିବି ?

 

ଆଉ କରିବ କିଏ ଶୁଣେ ? ଘରକୁ ତ ଘରଣୀ ତମେ ।

 

ତମେ ଏବେ ଆସି ଘରଣୀ ହୁଅ, ମୁଁ କଅଣ ମନା କରୁଛି ?

 

ମଲ ନାହିଁ, ଆହା କି ସୁନ୍ଦର କଥା ! ସବୁବେଳେ ଥଟ୍ଟା । ସତରେ, ଏ ସବୁ କଅଣ ହୋଇଛି କହିଲ ? ଘର ପାଇଟି ହାତରେ କଲେ ମାନ୍ ଯାଏ ନାହିଁ କି ଲାଜ ମାଡ଼େ ନାହିଁ । ନ ହେଲା ଯଦି ଗଣ୍ଡି କି ଲାଗିଯିବବୋଲି ଡରମାଡ଼ୁଛି, ଚାକରବାକରଙ୍କୁ ନିଘା ରଖିଲେ ସିନା ହୁଏ ଖାଲି ଶହେ ଷାଠିଏ ଧାରିଲା ପରି ମୁହଁ ଶୁଣାଇ ବସିଲେ ତ ହେବ ନାହିଁ ।

 

କୁନ୍ଦଲତା ବାଁରେଇଦେବାକୁ କହିଲେ, ସେ ସବୁ ହେବ, ମୁଁ ଯେଉଁକଥା କହି ପଠାଇଥିଲି ସେ ବିଷୟରେ କଅଣ ବୁଝିଲ କହ ।

 

ସେହି ପ୍ରସ୍ତାବ ନେଇ ଉଦୁଉଦିଆ ଦି ପହରେ ମୋର ଆସିବାର କଥା । ସେ ନାହିଁ କଲେ । ମୁଁ ଯେତେ କହିଲି, ଫାଟିଫୁଟି ଗଲେ ବି ହେଲା ନାହିଁ ।

 

ଦେବେନ୍ ଦା କଅଣ କହିଲେ ?

 

ଆଉ କହିବେ କଣ ? ନାହିଁ କଲେ । ମୁଁ କହିଲି, ମା କହିଲେ, ସେ ଜମିଦାରୀ ଆରାଧରି ଏକାଥରେ ମୂଳରୁ ଭାଙ୍ଗିଲେ । ତମ ନାମ କହିବାରୁ ସେ କହିଲେ ଯଦି ବୁଲିଯିବାର କଥା ତ ବିପିନ୍ ନେଇଯାଉ ।

 

ୟେତ କହୁଛନ୍ତି, ଦେବେନ୍ ନେଇଯାଉ । ୟାଙ୍କର କୁଆଡ଼େ ଅଧିକ କାମ ଅଛି ।

 

ତମ ଦାଦା ଶେଷରେ ମଙ୍ଗିଲେ । ତେବେ, ସେ କହନ୍ତି ଆଗ କାଶୀ ନ ଯାଇ ବୁରୀ ଯାଇ ଦିନେ ଦୁଇଦିନ ରହି ଚାଲିଆସିବା । ସମୟରେ ସୁବିଧା ଦେଖି ପଛେ ଆଉ କେବେ କାଶୀ ଯିବା, ବନ୍ଦ କଣ ? ନାହିଁ ମାମୁ ଠୁଁ କଣା ମାମୁ ଭଲ । ମା ମଙ୍ଗିଛନ୍ତି, ମୋର ଆପତ୍ତି ନାହିଁ । ତମର କଥା ବୁଝିବାକୁ ଆସିଛି, ଯଦି କହ ତ ଯେତେ ଶୀଘ୍ର ସମ୍ଭବ ପୁରୀ ଯାଇ ଫେରି ଆସିବା ।

 

କୁନ୍ଦଲତା ବିଚଳିତ ହୋଇ କହିଲେ, ପୁରୀ ଯିବାକୁ ମୋର ଆଦୌ ଇଚ୍ଛା ନାହିଁ । ମୁଁ ପୁରୀ ଅନେକ ଥର ଯାଇଛି । ସତ କହୁଛି ବୋଉଦି, ପୁରୀରେ ଦେଖିବାର ଜିନିଷ କିଛି ନାହିଁ ।

 

ତୁମେ ଅତି ସ୍ୱାର୍ଥପର କୁନ୍ଦ ! ଲୋକେ କହନ୍ତି ପୁରୀରେ ଦେଖିବାର ଜିନିଷ ଅନେକ ଅଛି । ଜଗନ୍ନାଥ ମହାପ୍ରଭୁ ମନ୍ଦିର, ସମୁଦ୍ର... । ତୁମେ ଏକାଧିକବାର ଯାଇଥିବାରୁ ତମ ମନ ଛାଡ଼ିଗଲାଣି ।

 

ଜାଗାଟା କିଛି ଭଲ ନୁହେଁ ।

 

ମୁଁ ଶୁଣିଛି ଯାହାର ଦେବ ଖରାପ ଥାଏ ହାଓ୍ୱା ପରିବର୍ତ୍ତନ କରିବାକୁ ଡାକ୍ତରମାନେ ତାକୁ ପୁରୀ ଯିବାକୁ ଉପଦେଶ ଦିଅନ୍ତି । ମୋର ଅନୁମାନ ହେଉଛି, ପିଲାଦିନେ ସିନା ତମେ କେବେ ପୁରୀ ଦେଖିଥିଲ, ଆଜିକାଲି ଆଉ ମନେ ନାହିଁ । ନିଶ୍ଚୟ ସେଠାକୁ ଯିବାକୁ ହେବ । କୁନ୍ଦଲତା ଶୈଳବାଳାଙ୍କ ପ୍ରସ୍ତାବରେ ବାଧାଦେଇ ଅଧିକ କହିବାକୁ ସାହସ କଲେ ନାହିଁ । କାଳେ ସେ କଅଣ ଭାବିବେ । ତାଙ୍କ ମନ ମଧ୍ୟରେ ତୀବ୍ର ଆନ୍ଦୋଳନ ସୃଷ୍ଟି ହେଲା । କିପରିଭାବରେ ପୁରୀଯାତ୍ରାରୁ ରକ୍ଷା ପାଇବେ ବାରମ୍ବାର ସେହି ଚିନ୍ତା ଆସି ମନରେ ପଶିଲା ।

 

ଶୈଳବାଳା ଅନ୍ୟାନ୍ୟ ବିଷୟରେ କଥୋପକତନ କରି ବିଦାୟ ଗ୍ରହଣ କଲେ । କୁନ୍ଦଲତା ଅନ୍ୟମନସ୍କା ହୋଇ ସବୁଥିରେ ହୁଁ ହାଁ କରି ପୁରୀଯାତ୍ରାରୁ ରକ୍ଷା ପାଇବାର ଉପାୟ ପାଞ୍ଚିଲେ ।

 

ସେଦିନ ଆଉ କୁନ୍ଦଲତାଙ୍କ ମନ କେଉଁଠି ଲାଗିଲା ନାହିଁ । ଯେତେବେଳେ ବିପ୍ରଚରଣ ବାହାରର କାମକାର୍ଯ୍ୟ ସାରି ସଞ୍ଜବୁଡ଼େ ବସାକୁ ଫେରିଲେ, କୁନ୍ଦଲତା ହସହସ ମୁହଁରେ ସ୍ୱାମୀଙ୍କୁ ପାଛୋଟିଆଣିଲେ । ବିପ୍ରଚରଣ ହସି ହସି ତାଙ୍କର ଆରକ୍ତ ଗର୍ଡରେ ମୁଖ ଲଗାଇଲେ । ଲଜ୍ଜାରେ ଓ ଭୟରେ ଛଳନାରେ କୁନ୍ଦଲତା ଓଢ଼ଣାଟାଣି ପଛକୁ ଘୁଞ୍ଚି ଯିବାରୁ ବିପ୍ରଚରଣ ଗମ୍ଭୀର ହୋଇ ପକେଟରୁ କେତେଗୁଡ଼ିଏ ନୋଟ କାଢ଼ି କହିଲେ, ଏଇ ନିଅ କୁନ୍ଦ, ଆଜି ଏତିକି । ମୋଟେ ଟ ୫୪୦୮ ।

 

କୁନ୍ଦଲତା ନୋଟତକ ନେଇ ଆଗ୍ରହରେ ଗୋଟିଏ ଟ୍ରଙ୍କରେ ଯତ୍ନସହକାରେ ରଖିଲେ । ବିପ୍ରଚରଣ ଦୂରରେ ଠିଆହୋଇ ତାଙ୍କର ସୁନ୍ଦର ଉଜ୍ଜ୍ୱଳ ମୁଖକୁ ପିପାସାକୁଳ ନେତ୍ରରେ ଚାହିଁ ରହିଥିଲେ । କୁନ୍ଦଲତା ଟ୍ରଙ୍କ ବନ୍ଦକରି ଚାବିଗୋଚିକ କାନିରେ ବାନ୍ଧି ବିପ୍ରଚରଣଙ୍କ ନିକଟକୁ ଫେରି ଆସିବାରୁ ବିପ୍ରଚରଣ କହିଲେ, କୁନ୍ଦ, ମୁଁ ବୁଝିପାରୁଛି ଯୁବକର ମନ ଚାହେଁ କଅଣ ଓ ପରାଧୀନ ଜୀବନରେ ଆନନ୍ଦ କଅଣ ।

 

କିଛି ବୁଝି ନ ପାରି କୁନ୍ଦଲତା ପଚାରିଲା ଆଖିରେ ବିପ୍ରଚରଣଙ୍କୁ ଚାହିଁଲେ । ବିପ୍ରଚରଣ କହିଲେ, ଦିନେ ମୁଁ ପ୍ରତିଜ୍ଞା କରିଥିଲି ସ୍ୱାଧୀନ ହୋଇ ସଂସାରରୁ ଦୂରରେ ରହି ପରସେବା କରିବି । ଆଜି ଭାବୁଛି କଅଣ ଜାଣ ? ତମର ଏହି ସୁନ୍ଦର ମୁହଖଣ୍ଡ, ତମର ଅନାବଳି ସରଳ ଉନ୍ମୁକ୍ତ ପ୍ରେମ, ମୋର ପ୍ରାଣ ଭିତରେ କି ମନ୍ତ୍ର ପଢ଼ିଛି କେଜାଣି, ଆଜି ଭାବୁଛି, ପରସେବା ଓ ଦେଶସେବା ମୋର ଗୋଟାଏ ଗୌଣ ଉଦ୍ଦେଶ୍ୟ, ତମର ସେବାହିଁ ମୁଖ୍ୟ ।

 

ହସିହସି କୁନ୍ଦଲତା କହିଲେ, ହଉ, ଆଗ ଜାମା, ଜୋତା ଓହ୍ଲାଇ ଟିକିଏ ଜଳଖିଆ କର, ତାପରେ ରସିକତା ।

 

କୁନ୍ଦଲତା ଜଳଖିଆ ଆୟୋଜନ କରିବାକୁ ଅନ୍ୟଘରକୁ ଚାଲିଗଲେ । ମିପରି ଭାବରେ ବିପ୍ରଚରଣଙ୍କୁ ବନାରସ ଯିବାକୁ ପ୍ରବର୍ତ୍ତାଇବେ, କିପରି ପୁରୀଯାତ୍ରରୁ ରକ୍ଷାପାଇବେ ସର୍ବଦା ତାଙ୍କର ସେହି ଚିନ୍ତା । ପୁରୀ ଯିବେ ଏତିକି ଭାବିଲେ ତାଙ୍କ ପେଟଭିତରେ ସତେ ଯେପରି କିଏ ନିଆଁ ହୁଳା ଜାଳିଦିଏ ।

 

ଜଳଖିଆ ସାରି ବିପ୍ରଚରଣ ଆରାମଚୌକିରେ ବସି ତାଳପତ୍ରର ପଙ୍ଖା ଧରି ବିଞ୍ଚି ହେଉଛନ୍ତି, କୁନ୍ଦଲତା ଗୋଟିଏ ଚୌକି ଆଗକୁ ଟାଣି ଆଣି ସେଥିରେ ବସିଲେ । ସ୍ୱାମୀଙ୍କର ହାତରୁ ବିଚଣାଟି ଟାଣିନେଇ ଆପେ ବିଞ୍ଚୁ ବିଞ୍ଚୁ କହିଲେ, ଆଜି ଦିପହରେ ଶୈଳବାଳା ଆସିଥିଲେ ।

 

ଶୈଳବାଳାଙ୍କ ନାମ ଶୁଣି ବିପ୍ରଚରଣ ପ୍ରଫୁଲ୍ଲବଦନରେ କହିଲେ, କିଏ, ଶୈଳ ? ଭଗବାନ୍ ତାର ମନଟିକୁ ଏପରି ନିର୍ମଳ କରି ଗଢ଼ିଛନ୍ତି, ପ୍ରକୃତରେ କୁନ୍ଦ ତାକୁ ଦେଖିଲେ ମୋ ମନ ଭାରି ଖୁସି ହୁଏ । ସେ ଭାବେ ସଂସାରଟାଯାକ ତାର ।

 

ଶୈଳବାଳାଙ୍କ ପ୍ରଶଂସା ଶୁଣି କୁନ୍ଦଲତା ଈର୍ଷାନ୍ୱିତା ହୋଇ କହିଲେ, ବୋଧହୁଏ ଭାଇ ଭଉଣୀ ଦୁହେଁ ଆଗରୁ ଶିଖାଶିଖି ହୋଇଛ । ନୋହିଲେ ତମ ମୁହଁରେ ସବୁବେଳେ ତାଙ୍କରି ପ୍ରଶଂସା, ସତେ ଯେପରି ତାଙ୍କ ଛଡ଼ା ସଂସାରରେ ଆଉ କେହି ସେପରି ନାହିଁ, ଆଉ ତାଙ୍କ ମୁହଁରେ ତୁମରି ପ୍ରଶଂସା ।

 

ରାଗିଲ ପରା ! ସତ କଥା କହିବାକୁ ଲୁଚାଚୋର କାହିଁକି ? ତମେ ଭଲା ନିଜେ କହିଲ-

 

ହଉ ହେଲା । ତମ ଭଉଣୀ ଏବେ ସରଗର ଚାନ୍ଦ ଯେ ତମେ, କିନ୍ତୁ ସେ ହେଉଛି ସରଗର ଦେବୀ ।

 

ଏହି ବାକ୍ୟଟିର ଅର୍ଥ ଚିନ୍ତାକରି କୁନ୍ଦଲତା ନୀରବ ହେଲେ । ମନୁଷ୍ୟର ପ୍ରକୃତି, ସବୁକଥା ସେ ନିଜ ମୁଣ୍ଡକୁ ଟାଣିନେଇ ନିଜର ଅଭିଜ୍ଞତାକୁ ଯାଇ ଅର୍ଥ ଗ୍ରହଣ କରେ । ସରଗର ଚାନ୍ଦ ଯେ କଳଙ୍କଶୂନ୍ୟ ନୁହେଁ ।

 

କୁନ୍ଦଲତା କହିଲେ, ଶୈଳ ଆସିଥିଲେ କାହିଁକି ଶୁଣିଲ ନାହିଁ ତ ।

 

କହିଲ କେତେବେଳେ ଯେ ମୁଁ ନ ଶୁଣିଲି ବୋଲି ମୋର ଦୋଷ ?

 

ସେ କହି ଯାଇଛନ୍ତି, ଦାଦାଙ୍କୁ କହିବ, ସେ ଆମକୁ ନେଇ ଯେତେ ଶୀଘ୍ର ପାରନ୍ତି ବନାରସ୍ ଯିବେ । କୌଣସି ଆପତ୍ତି ଶୁଣାଯିବ ନାହିଁ ।

 

ଏ ସବୁ ନିଶ୍ଚୟ ତମର ଫିସାଦି, ନୋହିଲେ ତମର ଶିକ୍ଷା ।

 

ମୋର ଶିକ୍ଷା ହୋଇଥିଲେ କ୍ଷତି କଅଣ ? ଶୈଳବାଳା ମୁହଁ ଖୋଲି ଅନୁରୋଧ କରିଛନ୍ତି । ତାଙ୍କ ମନରେ ସରାଗ ଭାଙ୍ଗିବା ଉଚିତ ହେବ ନାହିଁ ।

 

କାମଧନ୍ଦା ଛାଡ଼ି ଏବେ ଗଲେ, ଅନେକ କ୍ଷତି ହେବ ।

 

କାମଧନ୍ଦା ତ ସବୁବେଳେ ଲାଗିଛି, ଯେବେ ଗଲେ ସେହି ଏକା କ୍ଷତି, ମୋଟେ ଚାରି ପାଞ୍ଚଦିନ ପାଇଁ ତ !

 

କିଛିଦିନ ଛାଡ଼ି ଗଲେ ହେବ ନାହିଁ ?

 

ତମ ନେଇ ତମ ଭଉଣୀଙ୍କର ଟାଣ ସେତେବେଳକୁ ଭାଙ୍ଗି ଯାଇଥିବ । ଯେତେ ଛୁଙ୍କ ଦେଲେ ପୋଡ଼ା-ତିଅଣରେ କି ସୁଆଦ ରହେ ? ଶୈଳ ଦେବେନ୍‌ଦାଙ୍କୁ ଆଗ ଅନୁରୋଧ କରିଥିଲେ-। ସେ ମୂଳରୁ ଭାଙ୍ଗିଲେ । ବୋଉ ଅଭିମାନ କରି କହିଲେ, ତମେ ନ ନେଲେ ନାହିଁ, ବିପିନ୍‌ଦା ସଙ୍ଗେ ଯିବ । ମୁଁ କହିଲେ ବିପନ୍‌ଦା ମୋ କଥା ଭାଙ୍ଗିବେ ନାହିଁ ।

 

ଚିନ୍ତାକରି ବିପ୍ରଚରଣ କହିଲେ, ଯଦି ଯିବାର କଥା ଯେତେ ଶୀଘ୍ର ସମ୍ଭବ ଯିବାକୁ ପ୍ରସ୍ତୁତ ହୁଅ । ଶୈଳକୁ କହିଦିଅ ମୋଟେ ତିନି ଚାରି ଦିନ ରହି ଫେରି ଆସିବା ।

 

ଏତେ ଶୀଘ୍ର ଓ ଏଡ଼େ ସହଜରେ ଯେ ବିପ୍ରଚରଣ ମଙ୍ଗିଯିବେ କୁନ୍ଦଲତା ଏହା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଯାହାହେଉ, ବିପ୍ରଚରଣଙ୍କ ମୁହଁରୁ ଜବାବ୍ ପାଇ ତାଙ୍କ ମନ ଶାନ୍ତ ହେଲା । ପରଦିନ ସା ଯାଇ ଶୈଳବାଳା ଓ ମାଙ୍କୁ ଏହି ସୁସମ୍ବାଦ ଜଣାଇ ଦେଲେ । ଦେବେନ୍ଦ୍ର ବାବୁ କୌଣସି ଆପତ୍ତି ନ କରି ଅନୁମତି ଦେଲେ । କାରଣ ଏତେ ନେଞ୍ଜରା ନେଇ ପୁରୀ ଯାତ୍ରାରୁ ସେ ଉଦ୍ଧାର ପାଇଲେ ।

 

ଠିକ୍ ହେଲା-ଦେବେନ୍ଦ୍ର ବାବୁଙ୍କ ମା, ସ୍ତ୍ରୀ ଓ କୁନ୍ଦଲତା ବିପ୍ରଚରଣଙ୍କ ସଙ୍ଗେ କାଶୀ ଯିବେ-। ସେମାନଙ୍କ ସଙ୍ଗେ ଜଣେ ଚାକର ଯିବ । ଦେବେନ୍ଦ୍ର ବାବୁଙ୍କର ଜଣେ ବନ୍ଧୁଙ୍କର ଗୋଟିଏ କୋଠା କାଶୀର ଅଛି । ଏମାନେ ଯାଇ ସେହିଠାରେ ରହିବେ । ଯାତ୍ରା ପୂର୍ବରୁ ଦେବେନ୍‌ବାବୁ ତାଙ୍କ ବନ୍ଧୁଙ୍କଠାରୁ କୋଠାର ଚାବି ଆଣି ବିପ୍ରଚରଣଙ୍କ ଦେବେ ।

 

ଯଥା ସମୟରେ କାଶୀ ଯିବାର ଆୟୋଜନ ହେଲା । ଆନନ୍ଦୋତ୍ସାହରେ ସମସ୍ତଙ୍କ ମନ ଭରପୁର । ନୂଆ ଜାଗା ଦେଖିବେ, କାଶୀ ବିଶ୍ୱନାଥ ଦର୍ଶନ କରି ମନୁଷ୍ୟଜନ୍ମ ସାର୍ଥକ କରିବେ, ଏଥିରେ ଆନନ୍ଦ ନ ହେବ କାହାର ? ମନୁଷ୍ୟ ଭାବେ ଯାହା, ସବୁବେଳେ କଅଣ କାର୍ଯ୍ୟରେ ତାହା ପରିଣତ ହୋଇପାରେ ? କହନ୍ତି, ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ ।

 

ଯେଉଁଦିନ ଯିବା ପାଇଁ ଧାର୍ଯ୍ୟ ହୋଇଥିଲା ତାର ପୂର୍ବଦିନ ମିତ୍ର ଭବନରେ ଗୋଟିଏ ଆକସ୍ମିକ ଦୁର୍ଘଟଣା ଘଟିଗଲା । ଦେବେନ୍ଦ୍ର ବାବୁଙ୍କର ମା ଦ୍ୱିତଳରୁ ଓହ୍ଲାଇ ତାଙ୍କ ଗୋଡ଼ ଖସିଗଲା । ସେ ତଳେ ପଡ଼ିଲେ । ଆଘାତ ସାଙ୍ଘାତିକ ନୁହେଁ, ତଥାପି ବୁଢ଼ୀ ମଣିଷ ଆଘାତ ସହି ପାରିଲେ ନାହିଁ । ଡାକ୍ତର ଅବସ୍ଥା ପରୀକ୍ଷା କରି କାଶୀ ଯିବାକୁ ବାରଣ କଲେ ।

 

ଶାଶୁ ଯିବେ ନାହିଁ ଶୁଣି ଶୌଳବାଳା ପଛଘୁଞ୍ଚା ଦେଇ ରହିଲେ । କୁନ୍ଦଲତା ଇଚ୍ଛା ଥିଲେ ମଧ୍ୟ ସେ ବାଧ୍ୟ ହୋଇ ଯିବାକୁ ବାରଣ କଲେ ।

 

ବୃଦ୍ଧା କୁନ୍ଦଲତାଙ୍କ ମନକଥା ବୁଝିପାରି ବିପ୍ରଚରଣଙ୍କୁ ଡକାଇ କହିଲେ, ବିପିନ୍, ତୁ କୁନ୍ଦକୁ ସଙ୍ଗରେ ନେଇ ଆଗରୁ କାଶୀ ଚାଲିଯା, ଦିନେ ଦୁଇଦିନ ପରେ ମୋ ଦେହ ଭଲ ହୋଇଗଲେ ଦେବେନ୍ ଆମ ଦୁହିଁଙ୍କୁ ନେଇଯିବ ।

 

ଅନୁମତି ପାଇ ବିପ୍ରଚରଣ ବିନା ଆପତ୍ତିରେ କୁନ୍ଦଲତାଙ୍କୁ ସଙ୍ଗରେ ଘେନି କାଶୀ ଗଲେ-

***

 

୧୮

 

ଗଙ୍ଗାକୂଳରେ ଭିଡ଼ ହୋଇ ନ ଥିଲା, ତଥାପି, ନାନା ଦେଶରୁ ନାନା ଜାତୀୟ ସ୍ତ୍ରୀପୁରୁଷ ପଞ୍ଝା ପଞ୍ଝା ହୋଇ ମନ ଆନନ୍ଦରେ ସ୍ନାନ କରୁଥିଲେ । ନିଜ ନିଜ ମଧ୍ୟରେ ନାନାଦି ବିଷୟରେ ଗଳ୍ପକରି ସ୍ଥାନଟିକୁ ମୁଖରିତ କରୁଥିଲେ । କେହି ବା ପବିତ୍ରତୋୟା ମା ଗଙ୍ଗାଦେବୀଙ୍କର ଶୀତଳ ପ୍ରବାହକୁ ପ୍ରଶଂସା କରି, ଅନ୍ୟ କେହି କାଶୀ ବିଶ୍ୱନାଥଙ୍କର ମହିମା ଗାନକରି, କେହି ସହରର ସୌନ୍ଦର୍ଯ୍ୟ ଓ ଗଙ୍ଗାର ପରପାରର ପ୍ରାକୃତିକ ଶୋଭା ଦେଖି ମନରେ ଆନନ୍ଦ ଆଣୁଥିଲେ ।

 

ନଦୀକୂଳରେ କେତେଜଣ ଭଦ୍ରଲୋକ ହାତରେ ସୌଖୀନ ବାଡ଼ି ଧରି ଗଙ୍ଗାନଦୀର ଅତୁଲ ଶୋଭା ଦର୍ଶନ କରିବାରେ ବ୍ୟସ୍ତ । କେତେ ଜଣ ପଣ୍ଡା ଲୋଲୁପ ଦୃଷ୍ଟିରେ ଯାତ୍ରୀମାନଙ୍କୁ ଅନାଇ ଠିଆ ହୋଇଥାନ୍ତି । ଗଙ୍ଗା କୂଳରେ ସ୍ଥାନେ ସ୍ଥାନେ ସନ୍ନ୍ୟାସୀବେଶୀ ଭିକ୍ଷୁକ ପଦ୍ମାସନପାରି ଚକ୍ଷୁ ବୁଜି ବସିଛନ୍ତି । ସମ୍ମୁଖରେ ଗେରୁଆ ବସ୍ତ୍ର ପରା ହୋଇଛି। ବସ୍ତ୍ର ଉପରେ ଇତସ୍ତତଃ ହୋଇ ଅଧଲା ପଇସା ପଡ଼ିଛି । କମଣ୍ଡଳୁ ଓ ଆଶା ବାଡ଼ି ନିକଟରେ ଥୁଆ । ଆଉ କେତେ ଜାତିର ଭିକ୍ଷୁକ ନାନାପ୍ରକାର ଅବୋଧ୍ୟ ଶବ୍ଦକରି ଓ ବେଶଭୂଶ ବିଭିନ୍ନପ୍ରକାରେ ପିନ୍ଧି ଦର୍ଶକ ଦାତାମାନଙ୍କର ଚକ୍ଷୁ ଆକୃଷ୍ଟ କରି ସେମାନଙ୍କ ମନରେ ଦୟା ସଞ୍ଚାର କରିବାକୁ ଚେଷ୍ଟା କରୁଛନ୍ତି । କେହି ଅଧଲାଏ ପଇସାଏ ଦେଲେ ଦେଉଛି, ନୋହିଲେ ନାହିଁ ।

 

ଗାଧୁଆ ଘାଟ ନିକଟରେ ଛୋଟ ବରଗଛଟିଏ । ସମ୍ମୁଖରେ ରାଜପଥ । ରାଜପଥର କରେ କରେ କେତେଗୁଡ଼ିଏ ଦ୍ୱିତଳ ପ୍ରସାଦ । ନଦୀକୂଳ ସଙ୍ଗେ ସମାନ୍ତରାଳ ହୋଇ ଦଣ୍ଡାୟମନ । ସେହି ସମାନ୍ତରାଳ ପ୍ରାସାଦ ମଧ୍ୟରୁ ଗୋଟିଏ ଆଡ଼କୁ ମୁହଁ କରି ବରଗଛ ମୂଳରେ ଉପବିଷ୍ଟ ଜଣେ ସନ୍ନ୍ୟାସୀ । ପଦ୍ମାସନ ପକାଇ ବସିଛନ୍ତି । ଚକ୍ଷୁବନ୍ଦ । ଅନ୍ୟମାନଙ୍କର ପରି ସମ୍ମୁଖରେ ସେ ମଧ୍ୟ ଖଣ୍ଡେ ଗେରୁଅଲୁଗା ଚାରିଚଉତ କରି ପକାଇଛନ୍ତି । ଝୁଲାମୁଣିରୁ କାଢ଼ି ସେ ମଧ୍ୟ କେତେଗୁଡ଼ିଏ ପଇସା ଓ ଅଧଲା ବସ୍ତ୍ର ଉପରେ ବିଞ୍ଚି ଦେଇଛନ୍ତି ସନ୍ନ୍ୟାସୀ, କିନ୍ତୁ କମଣ୍ଡଳୁ କିମ୍ବା ଆଶାବାଡ଼ି ପାଖରେ ନାହିଁ ।

 

ସୂର୍ଯ୍ୟରଶ୍ମି ଚାରିଆଡ଼େ ବିଞ୍ଚିହୋଇ ପଡ଼ିଲା । ସନ୍ନ୍ୟାସୀ ଚକ୍ଷୁ ଖୋଲିଲେ । ମୁହଁବୁଲାଇ ଥରେ ଗାଧୁଆ ଘାଟକୁ ଚାହିଁ ଦୀର୍ଘଶ୍ୱାସ ଛାଡ଼ିଲେ । ଚକ୍ଷୁକୋଣ ଦେଇ ଦୁଇ ଧାର ଲୋତକ ଗଡ଼ି ଆସିଲା । ସେ ଅର୍ଥହୀନ ଚକ୍ଷୁରେ ଗଙ୍ଗାନଦୀର ଝଲସିତ ଜଳପ୍ରବାହକୁ ଚାହିଁ ଚିନ୍ତାକଲେ, ତଥାପି ଏ ଜୀବନ ଉପରୁ ମମତା କମିଲା ନାହିଁ । ଆଉ ଏ ହଟହଟା ଜୀବନରେ କି ଆଶା, କି ଆନନ୍ଦ ବା ଅଛି ? କେତେ ଦିନ ଆତ୍ମଗୋପନ କରି ରହିଥିବ ? ଭଗବାନଙ୍କ ରାଜ୍ୟରେ ନରହନ୍ତାର ପରିମାଣ କାହିଁ । ଜାଣିକରି ହେଉ ବା ଅଜାଣତରେ କ୍ଷଣିକ ଉତ୍ତେଜନାର ପ୍ରବଳ ଦାଉରେ ପଡ଼ି ଜଣେ ନାରୀର ସତୀତ୍ୱ ରକ୍ଷା ପାଇଁ ନରହତ୍ୟା କରି ମହାପାପର ଭାଗୀ ହେଲି ସିନା !

 

ବହୁଦିନ ପରେ ଆଜି ସନ୍ନ୍ୟାସୀ ସାଧୁଚରଣଙ୍କ ସଙ୍ଗେ ଦେଖା ! ଅଙ୍ଗରେ ଯୌବନର ପୂର୍ବ ଲାବଣ୍ୟ ନାହିଁ । ଅଙ୍ଗ ଶୀର୍ଣ୍ଣ । ଶିରା ଓ ଅସ୍ଥି ଗଣି ହେଉଛି । କୋଟରଗତ ଚକ୍ଷୁ ପ୍ରଭାହୀନ । ନିସ୍ତେଜ ଦେହରେ ରକ୍ତ ନାହିଁ । ମନରେ ସ୍ଫୁର୍ତ୍ତି ନାହିଁ । ଭୀତପୂର୍ଣ୍ଣ ଚକ୍ଷୁ ଦିଓଟି ସବୁବେଳେ ସଳହାନ, ସତେ ଯେପରି କାହାର ଅନ୍ୱେଷଣ କରୁଛି ।

 

କେତେ ଦୁଃଖ କଷ୍ଟ ସହି ଦେଶ ନାନା ସ୍ଥାନ ଭ୍ରମଣ କରି ପଳାତକ ସାଧୁ ଆଜି ସନ୍ନ୍ୟାସୀ ବେଶରେ ବାରଣାସୀ ସହରରେ ଆତ୍ମଗୋପନ କରିଛନ୍ତି । ତାଙ୍କର ପାପ ଖଣ୍ଡନ କରିବାକୁ ସେ ଆଜି ଅନ୍ତର୍ଯ୍ୟାମୀ ବିଶ୍ୱନାଥଙ୍କର ଶରଣାପନ୍ନ । ଦିନେ ଯେଉଁ ଭିକ୍ଷୁକ ସମାଜକୁ ଦେଶର ଅନ୍ନଧ୍ୱଂସକାରୀ ବୋଲି ଘୃଣା କରୁଥିଲେ ଏବଂ କର୍ମକରି ଉଦର ପୋଷିବାକୁ ଉପଦେଶ ଦେଉଥିଲେ, ଆଜି ସେ ସେହିମାନଙ୍କ ମଧ୍ୟରୁ ଜଣେ । କେତେ ଦ୍ୱାରରୁ ନିର୍ଯାତନ ସହ କାର୍ଯ୍ୟ କରିବାର ଉପଦେଶ ଶୁଣି ସେ ଫେରିଛନ୍ତି । କେତେ ଥର ବୃଥା ଭୟକରି ସମାଜ ଓ ଗ୍ରାମ ତ୍ୟାଗକରି ନିଘଞ୍ଚ ବନ ମଧ୍ୟରେ ପଶୁ ପକ୍ଷୀଙ୍କର ସହାୟତା ଲୋଡ଼ିଛନ୍ତି । ଯହିଁ ଗଲେ ସେହି ଏକ ଦଶା, ଏକ ଭୟ ଜୀବନ ଭୟ । ଗ୍ରାମ ଓ ସହରରେ ପୋଲିସ୍ । ବନମଧ୍ୟରେ ହିଂସ୍ରଜନ୍ତୁ ।

 

ଜୀବନ ରକ୍ଷାର ଶେଷ ଉପାୟ ସନ୍ନ୍ୟାସବ୍ରତ ଓ ଭିକ୍ଷା । ଲୋକେ ମୁକ୍ତି ଆଶାରେ ସନ୍ନ୍ୟାସୀ ହୋଇ ଭଗବତ୍ ଚିନ୍ତାରେ ସମୟ କାଟନ୍ତି । ସାଧୁଙ୍କର ଯନ୍ତ୍ରଣାକୁଳ ସମୟ କଟେ ଅତୀତ ଚିନ୍ତାରେ । ସେ ନିଜେ ସନ୍ନ୍ୟାସ ବ୍ରତକୁ ଘୃଣା କରି କହୁଥିଲେ, କର୍ମହିଁ ମନୁଷ୍ୟ ଜୀବନର ଲକ୍ଷ୍ୟ । କର୍ମରେ ହିଁ ଭଗବାନ୍ ସନ୍ତୁଷ୍ଟ ହୁଅନ୍ତି । ମନୁଷ୍ୟର ମୁକ୍ତି ହୁଏ ସତ୍‌କର୍ମ କଲେ । ଯେଉଁମାନେ କର୍ମବିରହିତ ହୋଇ ସନ୍ନ୍ୟାସ-ବ୍ରତ ଅବଲମ୍ବନ କରନ୍ତି ଓ ପରୋକ୍ଷଭାବରେ ପରର ପରିଶ୍ରମ ଲବ୍‌ଧ ଧନ ଖାଇ ଜୀବନ ବଞ୍ଚାନ୍ତି ସେହିମାନେ ନରକ ପଥର ଯାତ୍ରୀ ।

 

ଆଜି ସାଧୁ ନିଜ ଇଚ୍ଛାରେ ନରକ ପଥର ଯାତ୍ରୀ ହେବାକୁ କୁଣ୍ଠିତ ନୁହନ୍ତି । ଘଟଣାଚକ୍ରର ଆବର୍ତ୍ତନରେ ମନୁଷ୍ୟ ମନରେ କି ଆଶାତୀତ ପରିବର୍ତ୍ତନ ହୁଏ ! ସନ୍ନ୍ୟାସୀ ହୋଇ ସାଧୁ ସଂସାର ଚିନ୍ତାକୁ ମନରୁ ନିର୍ବାସିତ କରିପାରି ନାହାନ୍ତି । ଅଳସ ହୋଇ ବସି ରହିଲେ ନାନାକଥା ଆସି ମନରେ ପଡ଼େ । ପିତା, ମାତା ଓ ସର ମନେ ପଡ଼ିଲେ ଚକ୍ଷୁ ଆର୍ଦ୍ର ହୁଏ । ଇଚ୍ଛାହୁଏ, ଥରେ ଯାଇ ଗୁପ୍ତରେ ସେମାନଙ୍କୁ ଦେଖାକରି ଆସିବେ । ମାତାଙ୍କର ଚରଣ ଛୁଇଁ ଶପଥକରି କହି ଆସିବେ, ସାଧୁଚରଣ ନରହନ୍ତା, ହଁ ତା ନାମରେ ଯେଉଁ କଳଙ୍କ ଲଗାଇ ସମାଜ ସମ୍ବାଦପତ୍ର ମୁଖରେ ରଟନା କରିଛି, ତାର ଅକ୍ଷରଟି ସୁଦ୍ଧା ସତ୍ୟ ନୁହେଁ । ସାଧୁଙ୍କର ନୈତିକ ବଳ ଯଦି ଏଡ଼େ ନିମ୍ନକୁ ଗତିକରିଥାନ୍ତା, ସେ ଜଗନ୍ନାଥର ସହାୟକ ନ ହୋଇ ଜଗନ୍ନାଥର ଜୀବନ ନେଇଥାନ୍ତା କାହିଁକି ?

 

ପ୍ରକୃତ ଘଟଣା ଶୁଣିଲେ ପିତା ମାତାଙ୍କର ମନରେ ଶନ୍ତି ଆସନ୍ତା । ସାଧୁ ଧରାପଡ଼ିଯିବା ଭୟରେ ଏତେବଡ଼ ସାହସ କରିପାରନ୍ତି ନାହିଁ । ବିପ୍ରଚରଣଙ୍କ କଥା ମନେ ପଡ଼େ । ସେ ଭାବନ୍ତି ବିପ୍ରଦାବି ଲୁଣ ମାରିବାକୁ ଯାଇ ଜେଲ ଯାଇଥିବେ, ଜେଲରେ ଉପାସ କରି ପ୍ରାଣତ୍ୟାଗ କରିଥିବେ-। ନରହତ୍ୟା କରି ଫାଶୀ ପାଇବା ଓ ଦେଶ ପାଇଁ ଅନଶନରେ ଜୀବନ ଉତ୍ସର୍ଗ କରିବା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ।

 

କୋଳିକଙ୍କ କଥା ମନେ ପଡ଼ିଲେ ସାଧୁଙ୍କର ସର୍ବାଙ୍ଗ ଥରି ଉଠେ । ନିଜର ଅବସ୍ଥା ପ୍ରତି ଭ୍ରୁକ୍ଷେପ କରି ସେ ତାଙ୍କରି କଥା ଭାବି ବସନ୍ତି । ଆହା, ସେ କଅଣ କରୁଥିବେ ? ସେ କଣ ପ୍ରକୃତରେ କୁଳଟା, କୁଳଟା ନ ହୋଇଥିଲେ ଜାଣି ଜାଣି ସ୍ୱାମୀଙ୍କୁ ବିଷ ଦେଇଥାନ୍ତେ କାହିଁକି ? ମାଉସୀ ପୁତୁରା ସମ୍ପର୍କ ଛାଡ଼ିଦେଲେ ମଧ୍ୟ ଜଣେ ପରପୁରୁଷ ପ୍ରତି ଆକୃଷ୍ଟ ହୋଇଥାନ୍ତେ କାହିଁକି ? ନିଶ୍ଚୟ କୋଳିକ ଦେଈ ଉତ୍ତେଜନାର ଦାଉରେ ଆଜି ବେଶ୍ୟାବୃତ୍ତି ଖୋଲି ବସିଥିବେ ।

 

ଉତ୍ତେଜନାର ଦାଉ ଯଦି ହୋଇଥନ୍ତା, ଜଗନ୍ନାଥ ପାଦତଳେ ପଡ଼ି ସେମାନେ ଭିକ୍ଷାକରି ନ ଥାନ୍ତେ ? ନ, କୋକିଳ ଦେଈ କୁଳଟା ନୁହନ୍ତି । ସେ ଜାଣି ଜାଣି ସ୍ୱାମୀ ହତ୍ୟା କରି ନାହାନ୍ତି । ବରଂ, ରସାନନ୍ଦଙ୍କୁ ସାଧୁଚରଣ ହତ୍ୟା କରିଛି । ସେ ରସାନନ୍ଦ ବାବୁଙ୍କୁ ସ୍ୱାମୀ ବୋଲି ସ୍ୱୀକାର କରନ୍ତି ନାହିଁ, କାରଣ ସେ ବୃଦ୍ଧ, ରୁଗ୍‌ଣ । ଏଥି ପାଇଁ ଦାୟୀ ରସାନନ୍ଦ ବାବୁ । କୋଳିକ ଦାୟୀ ନୁହନ୍ତି । କୋକିଳ ନିର୍ଦ୍ଦୋଷ, ସେ କୁଳଟା ନୁହନ୍ତି, ସେ ସତୀ ।

 

ସତୀ ?

 

ତେବେ ମୋ ସାଙ୍ଗେ ତାଙ୍କର ସମ୍ପର୍କ କଅଣ ? ମୋ ପ୍ରତି ଅନୁରାଗ କାହିଁକି ? ସେଦିନ ମୁକ୍ତକଣ୍ଠରେ କହିଲେ, ମୁଁ ତାଙ୍କର ସ୍ୱାମୀ ! କାହିଁକି ? ସେ ମୋତେ ଭଲପାଆନ୍ତି, ମୋ ବିନା ତାଙ୍କର ଜୀବନ ବ୍ୟର୍ଥ ! ଜଗନ୍ନାଥକୁ ବିବାହ କରିବେ ବୋଲି ସେ ସ୍ୱୀକୃତା ହୋଇଥିଲେ । ସବୁ ମିଥ୍ୟା, ସବୁ ଛଳନା ? କୋକିଳ, କୋକିଳ, ନରାଧମ ପାଷାଣ୍ଡ ମୁଁ, କ୍ଷମାକର । ଅଧବାଟରେ ତମକୁ ନିଃସହାୟ କରି ଛାଡ଼ି ଆସୁଛି । ମୁଁ ମୂର୍ଖ । ତମର ନିର୍ମଳ ପ୍ରେମାସ୍ୱାଦନ କରିବା ମୋ ଭାଗ୍ୟରେ ନାହିଁ । ତମର ଉପଦେଶ ମାନି ଦେଶତ୍ୟାଗୀ ହୋଇଥିଲେ ଭଲ ହୋଇଥାନ୍ତା । କହିଥିଲ ପରା, ଯେତେଦିନ ବଞ୍ଚିବା, ଜୀବନକୁ ସୁଖରେ କାଟିବାକୁ ଚେଷ୍ଟା ନ କରିବା କାହିଁକି ?

 

ସତ କଥା । ତମକୁ ହୃଦୟରେ ଧରି ଦୁଇଦିନ ଆନନ୍ଦରେ କଟାଇ ଫାଶି ଖୁଣ୍ଟରେ ଏକ ସଙ୍ଗେ ଝୁଲିଥିଲେ ଭଲ ହୋଇଥାନ୍ତା ! ଏପରି ଜ୍ୱଳାମୟ ଜୀବନ ସହସ୍ର ବର୍ଷ କଟାଇଲେ ଲାଭ ନାହିଁ । ସମାଜକୁ ଡରିଲି, ଲୋକ ଲଜ୍ଜାକୁ ଡରିଲି, ଫଳ ତ ଏଇଆ ହେଲା । ସମାଜ ବା ବାକି ରଖିଛି କଅଣ ? ପ୍ରକୃତ କଥାଟି ବୁଝିବାକୁ ଚେଷ୍ଟା ନ କରି ସମାଜ ନିନ୍ଦା ରଟନା କରିବାକୁ ପଛଘୁଞ୍ଚା ଦେଇ ନାହିଁ ।

 

ଡର କାହିଁକି କୋକିଳ ? ଆସ, ତମର ଚିରାନୁଗତ ସାଧୁଚରଣକୁ ତାର ମୂର୍ଖତା ଓ ନିର୍ବୋଧତା ପାଇଁ କ୍ଷମାକରି ଯାଅ । ବିଶୁଦ୍ଧ ମୁକ୍ତ ପ୍ରେମର ନୂତନ ବହ୍ନି ତାଆର ହୃଦୟରେ ଜଳାଇ ଦେଇଯାଅ । ତାକୁ ପାଗଳ କର କୋକିଳ ।

 

ଚକ୍ଷୁ ବୁଜି ଚିନ୍ତା କରୁ କରୁ ସାଧୁଚରଣ ଚମକି ଉଠିଲେ । ସେ ସନ୍ନ୍ୟାସୀ । ସନ୍ନ୍ୟାସୀ ମନରେ ଏତେ ଚିନ୍ତା! ସନ୍ନ୍ୟାସୀର ପ୍ରାଣ ଉପରେ କନ୍ଦର୍ପର କି ଅଧିକାର ଅଛି ? ସାଧୁଙ୍କର ମନ ତ ସନ୍ନ୍ୟାସୀ ନୁହେଁ ! ଜୀବନ ଉପରେ ଘୃଣା ଆସିବାକୁ ଜୀବନର ଆଶା ଛାଡ଼ି ନ ପାରି ସେ ଚାହାନ୍ତି ଜୀବନଦୀପକୁ ଟିକିଏ ଉଜ୍ଜ୍ୱଳ ଭାବରେ ଜଳାଇ ନିର୍ବାପିତ କରିଦେବେ । ମୃତ୍ୟୁପରେ ନରକରେ ପଡ଼ିବାର ଭୟ ତାଙ୍କର ନାହିଁ । ସେ ଜାଣନ୍ତି, ମନୁଷ୍ୟ ନିଜ ଜୀବନରେହିଁ ନରକ ଭୋଗ କରେ । ନରହନ୍ତାର ଜୀବନ କେବଳ ନରକମୟ । ମୃତ୍ୟୁ ତାର ମୁକ୍ତି ।

 

ନରକ କଅଣ ? ଏହି ଜୀବନ ନରକ-ଯନ୍ତ୍ରଣା ଭିତରେ ଟିକିଏ ଆମୋଦ ପାଇଲେ ଭଲ । ସନ୍ନ୍ୟସୀ ସାଧୁ, ପାଗଳ ସାଧୁ, ଆଜି ଭାବୁଛନ୍ତି, ତାଙ୍କ ଜୀବନର ଏକମାତ୍ର ଆମୋଦ ଏକା ତାଙ୍କ ପ୍ରାଣର କୋକିଳ, ଯେ ଦିନେ ନିଜର ସର୍ବସ୍ୱ ଦାନ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଆହା, ଆଜି ସେ କେଉଁଠି ?

 

ସାଧୁଚରଣ ଚକ୍ଷୁ ବୁଜିଲେ । ଚକ୍ଷୁ କୋଣରୁ ଦୁଇଧାର ଲୋତକ ଝରି ପଡ଼ିଲା । ଦୀର୍ଘଶ୍ୱାସ ଛାଡ଼ି ଚିନ୍ତାକଲେ, କାହିଁ, ସେ ଆଜି କାହିଁ ?

 

ସାଧୁ ଚକ୍ଷୁ ଖୋଲିଲେ । ଦେଖିଲେ ସମ୍ମୁଖଦେଇ ଦୁଇଜଣ ଆର୍ଦବସନା ରମଣୀ ରାସ୍ତାଆଡ଼କୁ ଚାଲିଛନ୍ତି । ପଛରେ ଯାଉଥିବା ସ୍ତ୍ରୀ ଲୋକଟି ମୁଣ୍ଡରେ ଓଢ଼ଣା ଟାଣି ବାରମ୍ବାର ପଛକୁ ଫେରି ଚାହୁଛନ୍ତି । ସାଧୁ ସ୍ଥିର ଓ ବିସ୍ମିତ ଲୋଚନରେ ତାଙ୍କୁ ଚାହିଁ ରହିଲେ । ପରିଚିତା ପରି ମନେହେଲା, କିନ୍ତୁ କାଳେ ଆଉ କିଏ ହୋଇଥିବ ।

 

ପ୍ରଥମ ହିନ୍ଦିରେ କହିଲେ, ମାଈଜି, ଏ ଯେଉଁ ବାବାଜୀମାନେ ଆଗରେ ଲୁଗାପାତି ବସିଛନ୍ତି, ତାଙ୍କଠୁ ବଳି ଭଣ୍ଡ ଦୁନିଆରେ ଆଉ କେହି ନାହାନ୍ତି । ଦେଖୁନା ଏହି ଲୋକଟକୁ । ଅଙ୍ଗୁଳି ନିର୍ଦେଶ କଲା । ପୁଣି କହିଲା, କ୍ନୋଢ଼ିଗିରିର ଶେଷସୀମା ଲଙ୍ଘନକଲାଣି । ମୁଁ ସବୁଦିନେ ଦେଖେ, ସକାଳୁ ସଞ୍ଜଯାଏ ଏକାଜାଗାକେ ଆକିବୁଜି ସେ ବସିଥାଏ । ସଞ୍ଜରେ ଉଠି ସେ କୁଆଡ଼େ ଚାଲିଯାଏ । ପୁଣି ରାତି ନ ପାଉଣୁ ଦେହରେ ପାଉଁଶ ବୋଳି ସେ ଆସି ହାଜର୍ । ଏମାନଙ୍କୁ ଦେଖିଲେ ଅଧଲାଏ, ପଇସାଏ ଦେବାକୁ ମୋର ଜମା ଇଚ୍ଛା ହୁଏନାହିଁ ।

 

ଦ୍ୱିତୀୟା ବଙ୍ଗଳାରେ କହିଲେ, ସେପରି କହନା ଲୋ, ଏମାନଙ୍କୁ ଦେଖିଲେ ମୋ ମନ ତରଳିଯାଏ । ଯେଉଁମାନେ ଅନ୍ଧ, ଖଞ୍ଜ, ରୋଗୀ, ସେମାନଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି । ଯେଉଁମାନେ ସନ୍ନ୍ୟାସୀ ସାଜି ନିଜକୃତ ଅତୀତ ପାପର ପ୍ରାୟଶ୍ଚିତ ସ୍ୱରୂପ ଭିଞା କରି ଉଦର ପରିପୋଷଣ କରୁଛନ୍ତି, ସେମାନେ ମଧ୍ୟ ଦୟାର ପାତ୍ର ।

 

କୁନ୍ଦ ଚକ୍ଷୁ ଲୋକତରେ ଛଳ ଛଳ ହେଲା । ସେ ଓଢ଼ଣା କଣରେ ଚାହିଁଲେ । ଛାତିରେ ଚମକି ଲାଗିଲା । ଅବିକଳ ଦିଶୁଛନ୍ତି ସାଧୁଚରଣ ପରି ! ହଁ, ସାଧୁଚରଣ, ଏଥିରେ ସନ୍ଦେହ ନାହିଁ । ଶେଷକୁ, ତାଙ୍କର ଅବସ୍ଥା ହେଲା ଏଇଆ? ଜୀବନ ଡରରେ ସନ୍ନ୍ୟାସ, ପୁଣି ପେଟ ଭିକ୍ଷା ?

 

ସେ ଚହ୍ନିପାରି ନାହାନ୍ତି । ଆଗରୁ ପଳାଇ ଯିବା ପ୍ରୟୋଜନ । ଚିହ୍ନା ଦେଇ ହେବନାହିଁ । ଚିହ୍ନା ଦେଲେ ଦୁହିଙ୍କର ସର୍ବନାଶ ହେବ । କୁନ୍ଦ ବେକରୁ ଗୋଟିଏ ସ୍ୱର୍ଣ୍ଣହାର କାଢ଼ି ଦାସୀକୁ ଦେଇ କହିଲେ, ଯା, ଏହି ହାରଟି ସେ ସନ୍ନ୍ୟାସୀକୁ ଦେଇ ଆସିବୁ, ମୁଁ ଆଗରେ ଯାଉଛି ।

 

ଦାସୀ ଆଶ୍ଚର୍ଯ୍ୟ ହେଲା । ଆହା, ଦାନଟି ଯଦି ତା ଭାଗ୍ୟରେ ପଡ଼ିଥାନ୍ତା ! ଭବିଷ୍ୟତ ଆଶାରେ ସେ କୁନ୍ଦଲତାକୁ ପ୍ରଶଂସା କରି କହିଲା, ତମେ ଦୟାର ଅବତାର । ତତ୍‌ପରେ ସେ ସ୍ୱର୍ଣ୍ଣ ହାରଟି ନେଇ ବାବାଜୀଙ୍କ ନିକଟକୁ ଫେରିଗଲା ।

 

ବାବାଜୀ ସ୍ୱର୍ଣ୍ଣହାର ଗ୍ରହଣ କରିବାକୁ ଅସମ୍ମତ ହୋଇ କହିଲେ, ସାଧୁର ସୁନାହାର ଲୋଡ଼ାନାହିଁ । ମା ମାଉସୀଙ୍କଠାରୁ ପଇସାଟିଏ ପାଇଲେ ତାର ଚଳିଯିବ ।

 

ଦାସୀ ଫେରି ଆସିଲା କୁନ୍ଦଲତାଙ୍କ ଘରକୁ ।

 

କହିଲା, ବାବାଜୀ ହାରଟି ଗ୍ରହଣ କଲେ, କିନ୍ତୁ କେଜାଣି କଅଣ ଭାବି ଗଙ୍ଗାନଈ, ଭିତରକୁ ଫୋପାଡ଼ିଦେଲେ । କହିଲେ, ସାଧୁର ସୁନାହାର ଲୋଡ଼ାନାହିଁ । ଚୋରମାଲ ବୋଲି ପୋଲିସ ଗିରଫ କରିବ । ମା ମାଉସୀଙ୍କ ହାତରୁ ଅଧଲେ ପଇସେ ପାଇଲେ ସେ ଗ୍ରହଣ କରେ ।

 

କୁନ୍ଦଲତା ତୁନି ରହିଲେ । ସେ ବୁଝିପାରିଲେ, ସେଇ ସନ୍ନ୍ୟାସୀ ନିଶ୍ଚୟ ସାଧୁଚରଣ । କାଶୀରେ ଅଧିକ ଦିନ ରହିବା ନିରାପଦ ନୁହେଁ ।

***

 

୧୯

 

କୁନ୍ଦଲତାଙ୍କ ଫେରିଯିବା ପାଇଁ ଜିଗର୍ ଦେଖି ବିପ୍ରଚରଣ ମିରକ୍ତ ହେଲେ । ଏ କଅଣ ? ଯେଉଁଲୋକ କାଶୀ ଦେଖିବ ବୋଲି ଆହାର ନିଦ୍ରା ଭୁଲି ଏକା ରହା ଧରି ଆସିଛି, ଦିନ ଦଶଟା ନ ପୁରୁଣୁ ଆଜି ହଠାତ୍ କଲିକତା ଫେରିଯିବାକୁ ଏଡ଼େ ଉଚ୍ଛନ୍ନ କାହିଁକି ? ଶୈଳ ପ୍ରଭୃତି କେହି ଆସିଲେ ନାହିଁ କି ଚିଠି ପତ୍ର ଖଣ୍ଡେ ଦେଲେ ନାହିଁ । ଏପରିସ୍ଥଳେ ବୁଢ଼ୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧେ ସନ୍ଧିହାନ ହେବା ତ ସ୍ୱାଭାବିକ । ମାତ୍ର, ଭଲମନ୍ଦ ହୋଇଥିଲେ ଦେବେପ୍ ବାବୁ ଟେଲିଗ୍ରାମ କରି ଜଣାଇଥାନ୍ତେ ।

 

କୁନ୍ଦଲତାଙ୍କ ଜିଗର,- ସେ ନିଶ୍ଚୟ ଆଜି ରାତି ଦୁଇଟା ଗାଡ଼ିରେ କଲିକତା ଫେରିବେ ।

 

ବିପ୍ରଚରଣ ଅଗତ୍ୟ ସ୍ୱୀକୃତ ହୋଇ ଦିନ ଚାରିଟା ବେଳେ ବଜାରକୁ ବାହାରି ଗଲେ । ଉଦ୍ଦେଶ୍ୟ-କୁନ୍ଦଲତା ଓ ଶୈଳ ଦୁଇଜଣଙ୍କ ପାଇଁ ଏକ ମଛାର ଦୁଇଖଣ୍ଡି ବନାରସୀ ଶାଢ଼ୀ କିଣି ଆଣିବେ ।

 

କୁନ୍ଦ ଦାସୀର ସାହାଯ୍ୟରେ ଜିନିଷପତ୍ର ବନ୍ଧାବନ୍ଧ କରିବାରେ ଲାଗିଗଲେ । ଆଜି ତାଙ୍କର ମନ ଭଲ ନାହିଁ। ମୁଣ୍ଡ ବୁଲଉଛି । କାମ କରୁ କରୁ ସେହି ବାବାଜୀ କଥା ମନେ ପଡ଼ିଗଲେ ସେ ସ୍ଥିର ହୋଇ ବସିପଡ଼ନ୍ତି । ଗୋଡ଼ହାତ ଚଳେ ନାହିଁ । ଆଖିବାଟେ ଜୁଳୁଜୁଳିଆ ପୋକ ବାହାରେ-। ପୁଣି, ମୁଣ୍ଡ ବୁଲାଏ । ଆଖିରୁ ଲୁହଧାର ଗଡ଼ିପଡ଼େ । ସାଧୁର ପୁଣି ସୁନାହାର ହେବ କଅଣ ! ସାଧୁ ନିଶ୍ଚୟ ଚିହ୍ନି ପାରିଛନ୍ତି । ରକ୍ଷା ପାଇବାର ଉପାୟ ନାହିଁ । ଏଥର ଫାଶିଖୁଣ୍ଟରେ ଝୁଲିବାକୁ ହେବ । ନିରୀହ ବିପ୍ରଚରଣ ବୁଝି ପାରିବେ, ସେ ପ୍ରତାରିତ । ସେ ଜଣେ ବିଧବା ସ୍ୱାମୀ ଘାତିନୀକୁ ବିଶ୍ୱାସରେ ବିବାହ କରିଛନ୍ତି । ଏତେ ସ୍ନେହ, ଏତେ ମମତା ତାଙ୍କର, ଜଣେ ପ୍ରତାରିକା ପ୍ରତି । ମୃତ୍ୟୁହିଁ ଭଲ ।

 

କୁନ୍ଦଲତା ଖଟଉପରେ ଶୋଇ ଛଟପଟ ହେବାକୁ ଲାଗିଲେ । ଦାସୀ କିଛି ବୁଝି ନ ପାରି ନଲଟଣ ଲଗାଇଲା ।

 

ବିପ୍ରଚରଣ କେତେ ବୋକାନ ବୁଲି ଶେଷରେ ଗୋଟିଏ ବଡ଼ ଦୋକାନରେ ଉପସ୍ଥିତ ହେଲେ । ଶାଢ଼ୀ କିଣିବେ କଅଣ ? ଦୋକାନରେ ଉପସ୍ଥିତ ହୋଇ ସେ ଯାହା ଦେଖିଲେ ସେଥିରେ ତାଙ୍କର ଚକ୍ଷୁ ସ୍ଥିର ହେଲା । ସେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ । ଅନତି ଦୂରରେ ଜଣେ ଭଦ୍ରଲୋକ ଆଗରେ ଖଣ୍ଡେ ତାଲିକା ପକାଇ କେତେଖଣ୍ଡ ଶାଢ଼ୀ ମେଲାଇ ବସିଛନ୍ତି ।

 

ବିପ୍ରଚରଣ ତୀକ୍ଷ୍‌ଣ ଦୃଷ୍ଟିରେ ଆସୀନ ଭଦ୍ରଲୋକଙ୍କୁ ଅନାଇଁ ଚିନ୍ତାକଲେ, ଭାଇ ? ଏଇ କେତେଟା ବର୍ଷ ଭିତରେ ସେ ଏକାଥରକେ ବଦଳି ଯାଇଛନ୍ତି ! ଭାଇ ତ ଏଡ଼େ ବୁଢ଼ା ନୁହନ୍ତି ? ମୁଣ୍ଡର ବାଳ ପାଚି ଝୋଟ ପରି ହୋଇ ଯାଇଛି । ଶରୀର ଏଡ଼େ ଦୁର୍ବଳ ? ନାଁ, ଏ ଭାଇ ନୁହନ୍ତି ।

 

ତାଙ୍କ ହୃଦୟ ଭିତରେ କାନ୍ଦି ଉଠିଲା । ଉଦବେଗପୂର୍ଣ୍ଣ ହୃଦୟକୁ ସେ ଅତି କଷ୍ଟରେ ଚାପିଧରି ଭଦ୍ରଲୋକଙ୍କ ନିକଟରେ ଉପସ୍ଥିତ ହେଲେ । ସେ ଦୋକାନକୁ କାହିଁକ ଆସିଛନ୍ତି ଏବଂ ସେ କେଉଁଠାରେ ଠିଆ ହୋଇଛନ୍ତି ସବୁ ଭୁଲିଗଲେ । କେବଳ ମୂକ ପରି ଠିଆ ହୋଇ ରହିଲେ ।

 

ଉପବିଷ୍ଟ ଭଦ୍ରଲୋକ ବିପ୍ରଚରଣଙ୍କୁ ଅନାଇଁ ଅବାକ୍ ହେଲେ । ତାଙ୍କ ହାତରୁ ପେନ୍‌ସିଲ୍ ଖଣ୍ଡି ଖସିପଡ଼ିଲା । ବିପ୍ରଚରଣଙ୍କ ମୁଖରେ ହିଁ ତାଙ୍କ ଚକ୍ଷୁ ସ୍ଥିର ହେଲା । ଚିହ୍ନାଇ ଦେବାକୁ କେହି ନାହିଁ । ଆବଶ୍ୟକ ବି ନାହିଁ । ରକ୍ତହିଁ ପରିଚୟ ଦେଲା । ବୃଦ୍ଧ ବିସ୍ଫାରିତ ନେତ୍ରରେ ଅନାଇ ଭଗ୍ନ କଣ୍ଠରେ କହିଲେ, ବିପ୍ର !

 

ବିପ୍ରଚରଣ ଉତ୍ତର ଦେଇ ପାରିଲେ ନାହିଁ । ତାଙ୍କ ଚକ୍ଷୁ ଦ୍ୱୟର ଝର ଝର ହୋଇ ଶ୍ରାବଣର ଧାରା ପରି ଲୋତକ ଝରିଲା । ଏତେବର୍ଷର ଗଚ୍ଛିତ ଅଭିମାନ, ଏତେ ବର୍ଷର ଏକୀକୃତ ରାଗରୋଷ, ସଂକୋଚ, ଭୟ ଓ ଘୃଣା ସବୁ ସେହି ଲୋତକଧାର ସଙ୍ଗେ ମିଶି ବୋହି ଚାଲିଗଲା । ସେ ନୀରବରେ ଭ୍ରାତୃଚରଣ ଧରି ପ୍ରଣାମ କଲେ । ଅଭୟଚରଣ ବିପ୍ରଚରଣଙ୍କର ହାତ ଧରି ରାସ୍ତାକୁ ଓହ୍ଲାଇଲେ । ରାସ୍ତାର ସେପାଖେ ଖଣ୍ଡେ ଘୋଡ଼ାଗାଡ଼ି ରଖା ହୋଇଥିଲା । ଗାଡ଼ି ଭିତରେ ବସିଥିଲେ ମୋତାଦେଈ । ବିପ୍ରଚରଣ କଲେ । ବିପ୍ରଚରଣଙ୍କୁ ଦେଖି ସେ ମଧ୍ୟ ଲୋତକ ଗଡ଼ାଇ କାନ୍ଦିଲେ । ଅଭୟଚରଣ ଗାଡ଼ି ଭିତରେ ବସି ଗାଡ଼ମାନଙ୍କୁ ମନ୍ଦିର ଆଡ଼କୁ ଗାଡ଼ି ନେବାକୁ କହିଲେ-। ତିନିଜଣଙ୍କ ମଧ୍ୟରେ କେତେ ଦୁଃଖ ସୁଖ କଥା ପଡ଼ିଲା ।

 

ମୋତାଦେଈଙ୍କ କଥାରୁ ବିପ୍ରଚରଣ ବୁଝିଲେ ଯେ ସାଧୁଚରଣ କୋକିଳଦେଈଙ୍କୁ ସଙ୍ଗରେ ନେଇ ଦେଶତ୍ୟାଗୀ ହେଲା ପରେ ପୋଲିସ ଯାଇ ରସାନନ୍ଦଙ୍କ ଘର ଖାନ୍‌ତଲାସ କଲା । ଆସନ୍ନମୃତ ଜଗନ୍ନାଥଙ୍କୁ ଡାକ୍ତରଖାନାକୁ ନେଇଗଲେ । ବହୁଯତ୍ନ ଓ ବହୁ ଶ୍ରମ ପରେ ଜଗନ୍ନାଥ ଜୀବନ ପାଇଲେ । ତାଙ୍କ କଥାରୁ ପ୍ରକାଶ ପାଇଲା ଯେ କୋକିଳ ଦେଈ ତାଙ୍କୁ ଗୁଳିକରି ମାରିବାକୁ ଚେଷ୍ଟା କରିଥିଲେ । କାରଣ ଯେତେବେଳେ ଜଗନ୍ନାଥ ଜାଣି ପାରିଲେ ଯେ କୋକିଳ ଜାଣି ଜାଣି ନିଜର ସ୍ୱାମୀଙ୍କୁ ବିଷ ପ୍ରୟୋଗ କରି ମାରିଛନ୍ତି, ସେ ଘଟଣାଟି ପୋଲିସରେ ଜଣାଇଁ ଦେବାକୁ ମନସ୍ଥ କଲେ ।

 

କୋକିଳ ଏ ବିଷୟ ବୁଝିପାରି ରଥଯାତ୍ରା ରାତ୍ରିରେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରି କଶୌଳରେ ଗୁଳି ଫଏର୍ କଲେ । ଏହି ସମୟରେ ସାଧୁ ଆସି ଉପସ୍ଥିତ ହେଲେ । ସେ ଏ ସମସ୍ତ କାଣ୍ଡ ଦେଖି ଅସ୍ତିର ହୋଇ ପଡ଼ିଲେ । କୋକିଳ ତାକୁ ଡରାଇ କହିଲେ, ଯଦି ସେ କୋକିଳଙ୍କୁ ସଙ୍ଗରେ ନେଇ ରାତାରାତ୍ ପୁରୀ ଛାଡ଼ି ପଳାଇ ନ ଯାଏ, ସକାଳେ ଜଗନ୍ନାଥର ମୃତ୍ୟୁ ପାଇଁ ସାଧୁଚରଣହିଁ ଫାଶୀଖୁଣ୍ଟରେ ଝୁଲିବ । କେହି କେବେ ବିଶ୍ୱାସ କରିବ ନାହିଁ ଯେ କୋକିଳ ପରି ଜଣେ ନାରୀ ଜଗନ୍ନାଥ ପରି ଯୁବକକୁ ମାରିପାରେ । ଜଗନ୍ନାଥର ଜ୍ଞାନ ଥାଇ ମଧ୍ୟ ସେ ଅଜ୍ଞାନ ହୋଇ ପଡିଥାଏ ।

 

ନୂଆବୋଉଙ୍କ ମୁହଁରୁ ଏହି କଥା ଶୁଣି ବିପ୍ରଚରଣ ବିସ୍ମିତ ହେଲେ । ମୋତାଦେଈ ପୁଣି କହିଲେ, ସାଧୁ ମୋର ସାଧୁ ପିଲା, ସେ କେବେ ଏପରି ପାପକାର୍ଯ୍ୟ କରିବାକୁ ଯାଇ ନ ଥିବ । ଡାହାଣୀ କଅଣ ଆଜିଯାଏ ମୋ ପୁଅର ଜୀବନରେ ରଖିଛି ?

 

ସାଧୁଚରଣଙ୍କ ନିରୁଦ୍ଦେଶ୍ୟରେ ବ୍ୟଥିତ ହୋଇ ସଂସାରର ସବୁ ବନ୍ଧନ ତୁଟାଇ ତୀର୍ଥବାସୀ ହେବାକୁ ଅଭୟଚରଣ ଓ ମୋତାଦେଈ ସେହି ଜଗନ୍ନାଥ ବାବୁଙ୍କ ହସ୍ତରେ ସରକୁ ସମର୍ପଣ କଲେ । ପ୍ରାୟ ଦୁଇମାସ ହେବ ବିବାହ କାର୍ଯ୍ୟ ଶେଷ କରି ଦୁହେଁ ତୀର୍ଥ ପର୍ଯ୍ୟଟନ କରିବାକୁ ବାହାରିଛନ୍ତି । ସର ତ ପରଗୋତ୍ରୀ । ତା ଉପରେ ଏଣିକି ତାଙ୍କର କି ଅଧିକାର ଅଛି ଯେ ସଙ୍ଗର ଆଣିବେ ? ଯେହେହେଉ, ଜଗନ୍ନାଥବାବୁ ମାଟ୍ରିକ୍ୟୁଲେଶନ ପାସ୍ କରି ପୋଲିସ ମୁନ୍‌ସି ହୋଇଛନ୍ତି, ଉପାୟ କରି ନିଶ୍ଚୟ ସାଧୁକୁ ଯେଉଁଠୁ ହେଲେ ବାହାର କରିବେ, ଏହା ହିଁ ମୋତା ଦେଈଙ୍କର ଆଶା ।

 

ମୋତା ଦେଈ ବିପ୍ରଚରଣଙ୍କ ଓଠ ଧରି କହିଲେ, ସବୁ ମୋର ଦୋଷ ବିପ୍ର, ସବୁ ମୋରି ଦୋଷ । ଠାକୁରେ ସେଥିପାଇଁ ଦଣ୍ଡ ଦେଲେଣି । ଆସ ବାବୁ ଘର ପୁଅ ଘରକୁ ଫେରିଯିବ । ତମ ମୁହଁ ଦେଖି ସାଧୁକୁ ମୁଁ ଭୁଲିଯିବାକୁ ଚେଷ୍ଟା କରିବି । କହୁଁ କହୁଁ, ଚକ୍ଷୁ ଲୋତକପୂର୍ଣ୍ଣ ହେଲା ।

 

ବିପ୍ରଚରଣ କହିଲେ, ମୋ ସଙ୍ଗେ ଯେ ଆହୁରି ଜଣେ ଅଛି ନୂଆବୋଉ ।

 

ମୁଁ ସେ କଥା ଜାଣେ ।

 

ଅଭୟଚରଣ କହିଲେ, ମୁଁ ଖବରକାଗଜରୁ ପଢ଼ିଚି । ଆଜିକାଲି ତ ସେପରି ଚଳିଲାଣି । ଯେତେହେଲେ କରଣଘର କୁଳକନ୍ୟା । ଖୁଁ... ଆମେ ଓଡ଼ିଆ ସେ ହେଲେ ବଙ୍ଗାଳି । ପ୍ରଭେଦ ଏତିକି । ସେଥିକି ଭାବନା ନାହିଁ ।

 

ବିପ୍ରଚରଣ ଲଜ୍ଜିତ ହୋଇ ଭ୍ରାକୃଜାୟାଙ୍କ କାନ ପାଖରେ କହିଲେ, ଯଦି ତମର ଆପତ୍ତି ନ ଥାଏ, ମୁଁ ଘରକୁ ଫେରି ଯିବାକୁ ଅମତ ହେବିନାହିଁ । ତମ ବୋହୁତ ସାହାବାଣୀ ନୁହେଁ କି ଆଉ କିଛି ନୁହେଁ । ତାଙ୍କୁ ଦେଖିଲେ ନିଶ୍ଚୟ ଖୁସି ହେବ ।

 

 

 

 

ମୋତାଦେଈ କହିଲେ, ତେବେ ଦେଉଳ ଫରନ୍ତି ତମ ବସାବାଟେ ଯିବ । ମୁଁ ମୋ ବୋହୁକୁ ସଙ୍ଗରେ ନେଇ ଆସିବି । ମନେ ରଖିଥା ବିପ୍ର, ଥରେ ପାଇଲେ ତାକୁ ଆଉ ମୁଁ ମୋ ପାଖରୁ ଛାଡ଼ିଦେଇ ପାରିବି ନାହିଁ ।

***

 

୨୦

 

ଶୀତଳ ଚନ୍ଦ୍ରଲୋକରେ ଧରାବକ୍ଷ ପ୍ଳାବିତ । ପ୍ରକୃତି ଆଜି ହାସ୍ୟମୟୀ । ପଞ୍ଚମୀର ବଙ୍କିମ ଚାନ୍ଦ ବିଶ୍ୱଜଗତକୁ ଆନନ୍ଦରେ ମତାଇ ପାଗଳ କରିବାକୁ ହସି ହସି ଧଳା ବଉଦର ପଛଆଡ଼େ ଲୁଚକାଳି ଖେଳିବାରେ ବ୍ୟସ୍ତ । ସନ୍ଧ୍ୟାକାଳୀନ ଅବଶ ବାୟୁ ଆଜି ମନ୍ଥର ଗତିରେ ପ୍ରବାହିତ ।

 

ଯାହାର ମନ ଦୁଃଖପୂର୍ଣ୍ଣ, ତାକୁ ଏ ସମସ୍ତ ବିଷ ପରି ଲାଗେ । କୁନ୍ଦ ଦେଈ ଭବିଷ୍ୟତର କେଉଁ ଏକ ଭୟପ୍ରଦ ଚିନ୍ତାରେ ବ୍ୟଥିତା ହୋଇ ଏକାକିନୀ ଛଟପଟ ହେଉଛନ୍ତି । ନିଶ୍ଚୟ ଆଜି ରାତି ଦି’ଟା ଗାଡ଼ିରେ କଲିକତା ଫେରିବାକୁ ହେବ । ଏହି ଚିନ୍ତାରେ ସେ ଛଟପଟ । ମନୁଷ୍ୟର ପାପ ତାର ପଛେ ପଛେ ଗୋଡ଼ାଇ ଥାଏ । ନିଜର ମନ ହିଁ ସବୁ ପାପର ସାକ୍ଷୀ । ଯହିଁ ଗଲେ ଅନୁଶୋଚନାରୁ ମୁକ୍ତିଲାଭ କରିବା ସହଜ କତା ନୁହେଁ । ମନୁଷ୍ୟ ସମସ୍ତଙ୍କ ଆଖିରେ ଧୂଳି ଦେଇ ନିଷ୍କୃତ ପାଇପାରେ, କିନ୍ତୁ ନିଜର ଅପରାଧୀ ମନ ନିକଟରୁ ଉଧୁରିଯିବାରେ ଉପାୟ ନାହିଁ ।

 

ସମୟ ଡେରି ହେଲାରୁ କୁନ୍ଦଲତା ବେଳୁବେଳ ଅଧିକ ଅସ୍ଥିର ହେବାକୁ ଲାଗିଲେ । ମନ କେତେ ପାପ ଚୁଇଁଲା । ସେ ଅଧୀର ହୋଇ ଶଯ୍ୟା ତ୍ୟାଗ କଲେ । ଆଲୁଅ ତେଜି ଦାସୀର ନାମ ଧରି ଡାକିଲେ । ଦାସୀ କାମ ଶେଷକରି ବୋଧହୁଏ ନିଜ ଘରକୁ ଯାଇଛି ।

 

ତାଠାରୁ ଜବାବ୍ ନ ପାଇ କୁନ୍ଦଲତା ଆଲୁଅ ଧରି ଦାଣ୍ଡଘରକୁ ଆସିଲେ । ଝରକାଗୁଡ଼ିକ ପୂର୍ବ ପରି ଠିଆ ମେଲା । ଜାଉଁଳି କବାଟର ଦୁଇପାଖ ଆଉଜା ହୋଇଛି । ସେ ଝରକାବାଟେ ପଦାକୁ ଅନାଇଁ ଠିଆ ହେଲେ । କାଳେ ବିପ୍ରଚରଣ ଆସୁଥିବେ । ବିପ୍ରଚରଣ ଆସିଲେ ନାହିଁ । ଦଳ ଦଳ ହୋଇ କେତେ ସ୍ତ୍ରୀ ପୁରୁଷ ରାଜପଥ ଉପରେ ମନ ଆନନ୍ଦରେ ଚାଲି ଯାଉଛନ୍ତି ।

 

କୁନ୍ଦଲତା ବ୍ୟସ୍ତ ହୋଇ କବାଟ ପାଖକୁ ଆସିଲେ । ଏକୁଟିଆ ଭଲ ଲାଗିଲା ନାହିଁ । ସେ କବାଟକୁ ସାମାନ୍ୟ ମେଲାଇ ପଦାକୁ ଚାହିଁଲେ, ଦେଖିଲେ କିଏ ଜଣେ ବାରଣ୍ଡାର କାନ୍ଥକୁ ଆଉଜି ନୀରବରେ ବସିଛନ୍ତି ।

 

କୁନ୍ଦଲତା ମନରେ ସାହସ ଆଣି ଉଚ୍ଚ ସ୍ୱରରେ ପଚାରିଲେ, କିଏ ସେ ?

 

ଉପବିଷ୍ଟ ଲୋକଟି ଉତ୍ତର ନ ଦେଇ ଠିଆ ହେଲେ ମଦୁଆଙ୍କ ପରି । ଢଳି ଢଳି କହାଟ ପାଖକୁ ଆସିଲେ ।

 

କୁନ୍ଦଲତାଙ୍କ ଛାତି ଭିତରେ ସତେ ଯେପରି ଛନକା ପଶିଗଲା । ସେ ଭୟରେ ପଛକୁ ଘୁଞ୍ଚିଯାଇ ଭୀତ କମ୍ପିତ ସ୍ୱରରେ ଆହୁରି ଥରେ ପଚାରିଲେ, କିଏ ?

 

ଆଗନ୍ତୁକ ଉତ୍ତର ନ ଦେଇ ଘର ଭିତରକୁ ପଶିଆସିଲେ । କୁନ୍ଦଲତାଙ୍କର ମୁହଁ କଳାକାଠ ହୋଇଗଲା । ତଣ୍ଟି ଶୁଖିଗଲା, ସେ ସ୍ତମ୍ଭୀତ ହୋଇ ସ୍ଥିର ବିଷ୍ଫାରିତ ନେତ୍ରରେ ଆଗନ୍ତୁକଙ୍କର ଗୋଡ଼ରୁ ମୁଣ୍ଡଯାଏ ଅନାଇଁଗଲେ । ମୁହଁରୁ କଥା ବାହାରିଲା ନାହିଁ । ଭାବିବାକୁ ମଧ୍ୟ ବେଳ ପାଇଲେ ନାହିଁ । ମାଟି ପିତୁଳା ପରି ସ୍ଥିରହୋଇ ଠିଆହୋଇ ରହିଲେ ।

 

ଆଗନ୍ତୁକ ସାମାନ୍ୟ ହସି କହିଲେ, ଭୟ କାହିଁକି କୋକିଳ, ମୁଁ ସ୍ୱୟଂ ଜୀବନ୍ତ ସାଧୁଚରଣ, ସାଧୁ ଚରଣର ପ୍ରେତାତ୍ମା ନୁହେଁ... ।

 

ତୁମେ କାହିଁକି ?

 

ସାଧୁଚରଣ ଦ୍ୱାର ଆଉଜାଇ ପୂର୍ବବତ୍ ହସି ହସି କହିଲେ, ତୁମକୁ ହତ୍ୟା କରିବାକୁ ଆସି ନାହିଁ । ମୁଁ ଆସିଛି କ୍ଷମା ମାଗିବାକୁ ତୁମକୁ ସେ ଦିନ ମୁଁ ଅଧବାଟରେ ଛାଡ଼ି ଚାଲି ଯାଇଥିଲି ବୋଲି ।

 

ଏଠାକୁ ଚାଲିଯାଅ ।

 

ଚାଲିଯିବାକୁ ଆସିଛି କୋକିଳ ? ଏ ତୁମକୁ ଭୁଲ ଧାରଣ । ଏତେଦିନ ଯାଏ ଦେଶ ଦେଶ ବୁଲି ତୁମକୁ ଖୋଜି ଖୋଜି ଆଜି ପାଇଛି । ଦେଖୁ ଦେଖୁ ଚାଲିଯିବାକୁ କହୁଛ ? ପୂର୍ବର ସ୍ନେହ ସରାଗ କଅଣ ଏକାଥରେ ଭୁଲିଗଲ ? ଯଦି ଚାଲି ଯିବ ଏକୁଟିଆ ଯିବନାହିଁ । ମୋ ସଙ୍ଗେ ତୁମକୁ ମଧ୍ୟ ଯିବାକୁ ପଡ଼ିବ ?

 

ତୁମ ସଙ୍ଗେ ମୋର ଆଉ କି ସମ୍ପର୍କ ?

 

ସେଦିନ ଏତେ ଲୋକଙ୍କ ଆଗରେ ଟ୍ରେନରେ ତୁମ ମୁହଁରେ ତୁମେ ସମ୍ପର୍କ ସ୍ଥିର କରିଛ-। ନ ଜାଣିଲା ପରି ମୋତେ ପଚାରୁଛ କାହିଁକି ? କହୁଛି କୋକିଳ, ନ ବୁଝି ନ ସୁଝି ଉତ୍ତେଜନାରେ ତୁମକୁ ମୁଁ ଛାଡ଼ି ଚାଲିଗଲି ସିନା ଅଦ୍ୟାପି ମୁଁ ଅନୁତାପର ତୀବ୍ର ତାଡ଼ନା ଅଙ୍ଗେ ଅଙ୍ଗେ ଭୋଗ କରୁଛି । ପରେ ମୁଁ ବୁଝିପାରିଲି, ତମରି ଉପଦେଶହିଁ ଯଥାର୍ଥ । ମନୁଷ୍ୟ ଯେତେଦିନ ବଞ୍ଚି ରହିବ, ଜୀବନକୁ ଆନନ୍ଦରେ କଟାଇବାକୁ ଚେଷ୍ଟା ନ କରିବ କାହିଁକି ? ମୂର୍ଖ ମୁଁ, ନିର୍ବୋଧ ମୁଁ, ତୁମର ସୁନିଶ୍ଚିତ ଉପଦେଶକୁ ମୁଁ ଅନ୍ୟ ଭାବରେ ଗ୍ରହଣ କରିଥିଲି । ମୋର ନିଜ ହୃଦୟର କଥା ମଧ୍ୟ ମୁଁ ବୁଝି ପାରି ନ ଥିଲି । ତୁମକୁ ଅସତ୍ ଚରିତ୍ରା ଯୁବତୀ ଭାବି ମୁଁ ଛାଡ଼ି ଚାଲିଆସିଲି । ସେଥିନିମନ୍ତେ ଆଜି ମୁଁ ତୁମ ନିକଟରେ କ୍ଷମା ଚାହୁଁଛି ।

 

କୋକିଳ ଦେଈଙ୍କର ଚକ୍ଷୁ ଲୋତକରେ ପୂର୍ଣ୍ଣ ହେଲା । କାଳେ ବିପ୍ରଚରଣ ଆସିଯିବେ ଏହି ଭୟରେ ସେ ଝରକା ବାଟେ ପଦାକୁ ଚାହିଁ କହିଲେ, ସତ କହିଲ, ତମେ କଅଣ ପୂର୍ବର ସେହି ସରଳ ସତ୍‌ଚରିତ୍ର ସାଧୁଚରଣ ନୁହଁ ।

 

ସେ ଦିନର ନିର୍ବୋଧ ସାଧୁଚରଣ ତୁମକୁ ହାତରେ ପାଇ ତୁମର ପ୍ରକୃତ ମୂଲ୍ୟ ବୁଝି ପାରି ନଥିଲା । ତୁମ ନିକଟରୁ ଦୂରରେ ରହି ଓ ଅହରୁହ ତମରି ଚିନ୍ତାରେ ସମୟ କାଟି ସେ ବୁଝି ପାରିଲା, ତୁମକୁ ପ୍ରକୃତ ଗୁଣ କଅଣ । ବିଚ୍ଛେଦ ହିଁ ନରହନ୍ତା ସାଧୁଚରଣ ହୃଦୟରେ ପ୍ରେମର ଗହୀର ଗାର ଟାଣିଦେଲା । ଗ୍ରାମ, ନଗର ବନ, ପ୍ରାନ୍ତର ଯହିଁ ଯେବେ ଜୀବନ ଭୟରେ ବୁଲିଛି ତୁମର ଚିନ୍ତାକୁ ମୋର ପ୍ରଧାନ ସଙ୍ଗୀ ବୋଲି ମୁଁ ମନେ କରିଛି । ତୁମେ ମୋତେ କେତେ ଭଲ ପାଅ-। ମୁଁ ମୁର୍ଖ ! ତୁମ ପ୍ରେମର କି ପ୍ରତିଦାନ ଦେଇଥିଲି ? କ୍ଷମା କର । ଆସ । ମାଉସୀର ଆଭରଣରେ ସେ ଦିନ ଯେଉଁ ଗୁପ୍ତ ପ୍ରେମର ମଧୁର ଚୁମ୍ବନଟିଏ ଦେଇଥିଲ ଡରି ଡରିକା, ଆଜି ସେହି ଆଭରଣଟି ଫି୍ଙ୍ଗିଦେଇ ଆସ । ବିସ୍ତୀର୍ଣ୍ଣ ବିଶ୍ୱମଧ୍ୟରେ ଆତ୍ମଗୋପନ କରି ଜୀବନ କଟାଇଦେବା । ତୁମେ ଯେପରି ପୁରୁଷହତ୍ୟା କରିଛ ମୁଁ ମଧ୍ୟ ସେହିପରି ଖୁଣୀ । ଜଣାପଡ଼େ ତ ପରସ୍ପରକୁ ଆଲିଙ୍ଗନ କରି ମନ ଆନନ୍ଦରେ ଫାଶୀ ଖୁଣ୍ଟରେ ଝୁଲିବା ।

 

ସନ୍ନ୍ୟାସୀ ମୁଖରେ ଏପରି ଆନନ୍ଦ କଥା ସୁନ୍ଦର ଶୁଭୁନାହିଁ ।

 

ସନ୍ନ୍ୟାସୀ କିଏ ? ମୁଁ ତ ସନ୍ନ୍ୟାସୀ ନୁହେଁ । ମୋର ମୁକ୍ତି କାମନା ନାହିଁ । ସହସ୍ରବର୍ଷ ନରକ କୁଣ୍ଡରେ ତୁମରି ଲାଗି ଘାଣ୍ଟି ହୋଇ କଷ୍ଟ ପାଉଥିବି, ମୁକ୍ତି କେବେ କାମନା କରିବି ନାହିଁ । ଆଉ, ସନ୍ନ୍ୟାସୀ ହେଲି କାହିଁକି ?

 

ଗତ କଥା ଭୁଲି ଯାଅ ।

 

ଭୁଲିଯିବ କୋକିଳ ? ତୁମକୁ ପାଇ ନିଶ୍ଚୟ ସବୁ ଭୁଲି ପାରିବି । ତୁମରି ପାଇଁ ନରହତ୍ୟା କରି ବନ୍ଧୁ ବାନ୍ଧବ ସମସ୍ତଙ୍କୁ ପରିତ୍ୟାଗ କରିଚି । ତୁମକୁ ପାଇଲେ.....

 

ସାଧୁଚରଣ, ମୁହଁରେ ଆଉ ଏତେ ପାପକଥା ଧରନାହିଁ । ମନେ ରଖ ମୁଁ ତମର ମାତୃସ୍ଥାନୀୟା ।

 

ତୁମେ ହିଁ ତ ମୋର ମନର ଧାରଣା ସର୍ବପ୍ରଥମେ ବଦଳାଇ ଦେଇଛ । ମୋର ହୃଦୟରେ ସର୍ବପ୍ରଥମେ ତୁମେ ଅନଳ ଲଗାଇ ତହିଁରେ ଘୃତାହୁତି ଦେଇଛ । ଯେତେବେଳେ ନିଆଁ ଦାଉ ଦାଉ ହୋଇ ଜଳି ଉଠିଛି, ସେହି ପ୍ରବଳ ଜ୍ୱଳନ୍ତ ନିଆଁରେ ଜୀବନାହୁତି ଦେଇ ଚିର ଶାନ୍ତି ଲାଭ କରିବା ।

 

କୋକିଳ ଦେଈ ଝରକାବାଟେ ପୁନର୍ବାର ପଦାକୁ ଚାହିଁ କହିଲେ, ବୃଥା ଆଶା ସାଧୁଚରଣ, ଏ ତୁମର ବୃଥା ଆଶା । ନେଡ଼ିଗୁଡ଼ କହୁଣୀକି ବୋହିଯାଇଛି । ସମୟର ଗତି ସଙ୍ଗେ ମନର ଗତି ବଦଳି ଗଲାଣି । ମୋତେ କ୍ଷମାକର ।

 

ସାଧୁଚରଣ ବିସ୍ମିତ ହେଲେ । କ୍ରୋଧରେ ଯେପରି ତାଙ୍କର କୋଟରାଗତ ଚକ୍ଷୁରୁ ଅଗ୍ନି ନିର୍ଗତ ହେଲା । ସେ ଘୃଣାରେ କୋକିଳ ଦେଈଙ୍କ ଘର୍ମାକ୍ତ ମୁଖକୁ ଚାହିଁ ଚିନ୍ତାକଲେ, ଧନ୍ୟ ନାରୀ ! ପ୍ରତି ମୁହୂର୍ତ୍ତରେ ତୋର ପରିବର୍ତ୍ତନ ! ନାରୀ ଚରିତ୍ର ହୃଦୟଙ୍ଗମ କରିବା ସହଜ ବ୍ୟାପାର ନୁହେଁ ! ଯାହାହେଉ, ସାଧୁଚରଣ ନରକ ଯିବାକୁ ପ୍ରସ୍ତୁତ । ନାରୀର ଛଳନାରେ ଭୁଲି ସେ ଥରେ ନରାହତ୍ୟା କରିଛି । ଆଉ ତାକୁ ସହଜରେ କେହି ଭୁଲାଇ ପାରିବେ ନାହିଁ ।

 

ସାଧୁଚରଣ କୋକିଳ ଦେଈଙ୍କ ଆଡ଼କୁ ଅଗ୍ରସର ହୋଇ କହିଲେ, ଯାହାରି ପାଇଁ ମୁଁ ନରହତ୍ୟା କରି ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ ଅଛି, ମୃତ୍ୟୁ ପୂର୍ବରୁ ଥରେ ଥରେ ତାକୁ ହୃଦୟରେ... ।

 

କୋକିଳ ଦେଈ ତ୍ରସ୍ତ ହୋଇ କହିଲେ, କ୍ଷାନ୍ତ ହୁଅ ପାଗଳ, ମୁଁ ବିବାହିତା ।

 

ବିବାହିତା ବୋଲି ସେତେବେଳେ କଅଣ ଜାଣି ନ ଥିଲ କୋକିଳ ଦେଈ ? ଭଲ ମଣିଷକୁ ପାଗଳ କରିଲ ...

 

ମନରେ ପାପ ଭରି ମୋର ଏ ଦେହ ଛୁଆଁନା ସାଧୁ । ମୁଁ ତମର ମାତୃସ୍ଥାନୀୟା । ମୁଁ ତମର ...। ତୁମେ ମୋର ପଦଧୂଳି ଗ୍ରହଣ କର..., କାରଣ, ମୁଁ ତମର .., କାରଣ ମୁଁ...ମୁଁ ପୁନର୍ବାର ବିବାହ କରିଛି ...।

 

ସାଧୁଚରଣ ସ୍ତମ୍ଭୀତ ହୋଇ ଠିଆହୋଇ ରହିଲେ । ମୁଣ୍ଡ ହଲାଉ ହଲାଉ ଦାନ୍ତ ରଗି କହିଲେ -ଓଃ ଏତେ ମିଛ, ଏତେ ଛଳନା ! ବିବାହ କରିଛ କୋକିଳ ? ତମେ ପରା ସେଦିନୁ କହୁଥିଲ ମୋ ବ୍ୟତୀତ ଅନ୍ୟ କାହାକୁ ଭଲ ପାଅ ନାହିଁ ?

 

ଲୋତପୂର୍ଣ୍ଣ ନେତ୍ରରେ କୋକିଳ କହିଲେ, ମୋର ବୁଝିବା ଭୁଲ...।

 

ପୁନର୍ବାର ଦାନ୍ତ ରଗଡ଼ି ଆଙ୍ଗୁଠି ଦେଖାଇ ସାଧୁଚରଣ କହିଲେ, ନାରୀ ପ୍ରେମ କଅଣ ଏହିପରି ନିର୍ମଳ ତେବେ ?

 

କୋକିଳ ଦେଈ କହିଲେ, ପାଣିରେ ବୁଡ଼ିଯାଉଥିବା ଲୋକ ଯାହାର ଆଶ୍ରା ପାଏ ତାକୁ ଧରି ସେ ନିଜର ଜୀବନ ବଞ୍ଚାଇ ନିଏ । ଯିଏ ଯାହାର ଜୀବନ ବଞ୍ଚାଇ ଥାଏ ସେ ତା ପ୍ରତି ଅକୃତଜ୍ଞ ହେବ କିପରି ସାଧୁଚରଣ ?

 

ଯେ ତମରି ପାଇଁ ପାଣିକି ଡେଇଁ ଜୀବନ ଉତ୍ସର୍ଗ କରିଛି; ତା ପାଇଁ କଅଣ ତମର କୌଣସି କର୍ତ୍ତବ୍ୟ ନାହିଁ କୋକିଳ ? ତମରି ଆଶାରେ ଆଜିଯାଏ ଯେ ତାର ଜୀବନକୁ ଯନ୍ତ୍ରଣାର ମଧ୍ୟ ଦେଇ ବଞ୍ଚାଇ ଆସିଛି, ତା ପ୍ରତି ତା ହେଲେ ତମର କର୍ତ୍ତବ୍ୟ ନାହିଁ ? କାହା ପାଇଁ ଆଜି ମୁଁ ଏହି ଭଣ୍ଡ ତପସ୍ୱୀର ବେଶଧରି ଦ୍ୱାରେ ଦ୍ୱାରେ ଭିକ୍ଷା ମାଗୁଛି ? କାହା ପାଇଁ ମାନ ମହତ୍ୱରେ ଜଳାଞ୍ଜଳି ଦେଇ ଅବପବାଦର ବୋଝ ମୁଣ୍ଡରେ ବୋହି ମୁଁ ଆଜି ବୃକ୍ଷମୂଳ ଆଶ୍ରୟ କରିଛି କହିଲ । କାହା ପାଇଁ ଜୀବନ ଭୟରେ ମୁଁ ଦିନରାତି ଲୁଚି ଲୁଚି ବୁଲି ତୀବ୍ରମାନସିକ ଯନ୍ତ୍ରଣା ପ୍ରଭାବରେ ଆଙ୍ଗରେ ଶକ୍ତି ଓ ତେଜ ହରାଇ ବସିଛି ? ମୋ ପ୍ରତି ତେବେ ତମର କୌଣସି କର୍ତ୍ତବ୍ୟ ନାହିଁ ? ମୁଁ ବା ଛାଡ଼ିବି କାହିଁକି ? ଏଥର ସଂସାର ଜାଣୁ, ତୁମର ସ୍ୱାମୀ ମଧ୍ୟ ଜାଣନ୍ତୁ, ତୁମେ ମୋ ପରି ଜଣେ ଖୁଣୀ, ବିଧବା, କୁଳଟା । ମରିବାକୁ ହେଲେ ଦୁଇ ଜଣକୁ ହିଁ ମାରିବାକୁ ହେବ । ଆଜି ମୁଁ ଏହିଠାରେ ସବୁକଥା ପ୍ରଘଟ କରିବି ।

 

ସାଧୁରଚରଣଙ୍କର କରୁଣ କାହାଣୀ ଶୁଣି କୋକିଳ ଦେଈଙ୍କର ଚକ୍ଷୁରୁ ଲୋତକ ଝରିଲା-। ସେ ବିନୀତ ହୋଇ କହିଲେ, ଆଜି ଆଉ ମୁଁ ମରଣକୁ ଡରୁ ନାହିଁ । ଯଦି ଇଚ୍ଛାକର ତମରି ଆଖି ଆଗରେ ମୁଁ ଏହି ଗଙ୍ଗାନଦୀ ଭିତରକୁ ଡେଇଁ ଆତ୍ମହତ୍ୟା କରିବି । ମୋର ଗୋଟିଏ ଅନୁରୋଧ ଅଛି । ଯେଉଁ ନିରୀହ ଭଦ୍ରଲୋକଟି ମୋତେ ଅନାଥ ବାଳିକା ଭାବି ସହସ୍ର ସହସ୍ର ଲୋକଙ୍କ ଆଗରେ ବେଦମତେ ବିବାହ କରିଛନ୍ତି, ମୋର ପ୍ରକୃତ ଜନନୀ ଜାଣିଲେ ତାଙ୍କର ହୃଦୟ ଭାଙ୍ଗିଯିବ-। ସେ ଆଉ ବାଟରେ ମୁଣ୍ଡ ଟେକି ଚାଲି ପାରିବେ ନାହିଁ । ଅନାଥ ବାଳିକା ବୋଲି ଆଉ କେହି କେବେ କାହାରିକୁ ଘରେ ଆଶ୍ରୟ ଦେବେ ନାହିଁ । ସାଧୁ ! ଚାଲ ତମରି ମଗରେ ମୁଁ ଆଜି ଆତ୍ମହତ୍ୟା କରିବି ।

 

ସେଥିରେ ମୋର ଥାଏ କଅଣ ? ନିରୀହ ହୋଇ ମୁଁ ଯେ ମୁଣ୍ଡରେ ଅପାଦର ବୋଝ ଜାଣି ଜାଣି ବୋହିଛି ।

 

କୋକିଳ କହିଲେ, ଆହୁରି ଅପବାଦନେବାକୁ ଚାହେଁ ତେବେ ? ଜାଣ ସାଧୁ ମୁଁ କାହାକୁ ବିବାହ କରିଛି ! ସଂସାର ଜାଣେ, କଲିକତାରେ ବିଖ୍ୟାତ ସୌଦାଗର ବିପ୍ରଚରଣ, କୁନ୍ଦଳତା ନାମରେ ଜଣେ ଅନାଥ କାୟସ୍ଥ କନ୍ୟାକୁ ବିବାହ କରିଛନ୍ତି । ପୁରୋହିତ ସ୍ୱୟଂ ଶ୍ରୀଯୁକ୍ତ-ମିଶ୍ର । ସେ ବିପ୍ରଚରଣ କିଏ ଜାଣ ତ ? ତମର ଦାଦା । କୁନ୍ଦଲତା ମୋ ବ୍ୟତୀତ ଆଉ କେହି ନୁହେଁ ସାଧୁ ! ଦାଦା ତମର କାଶୀ ଦେଖାଇବାକୁ କମୋତେ ନେଇ ଆସିଛନ୍ତି । ସେ ବଜାରକୁ ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମୟ ଅଛି । ଯଦି ତୁମେ ମୋର ମୃତ୍ୟୁ କାମନା କର, ତେବେ ଶୀଘ୍ର ବାଟ କଢ଼ାଇ ଗଙ୍ଗା କୂଳକୁ ଚାଲ । ତମର ଦାଦା ଯଦି ପହଞ୍ଚି ଯିବେ... । ନିଜ କୁଳର ମାନମହତ୍ୱ ନିଜେ ରକ୍ଷାକର ସାଧୁଚରଣ ! ମୃତ୍ୟୁକୁ ମୋର ଭୟ ନାହିଁ ।

 

ସାଧୁଚରଣ ସ୍ଥିର ହୋଇ ଠିଆ ହୋଇ ରହିଲେ । କୋକିଳ ଦେଈଙ୍କ କଥାରେ ତାଙ୍କର ଅବିଶ୍ୱାସ ହେଲା ନାହିଁ । ସେ ଖବର କାଗଜରୁ ସବୁକଥା ପଢ଼ିଥିଲେ । ତୀକ୍ଷ୍‌ଣ ଦୃଷ୍ଟିରେ କୋକିଳ ଦେଈଙ୍କର ମୁଖକୁ କ୍ଷଣକାଳ ଅନାଇଁ ଲୋତକପୂର୍ଣ୍ଣ ଚକ୍ଷୁରେ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ିଲେ ।

 

କୋକିଳ ଦେଈ ଆକୁଳହୋଇ କହିଲେ, ଚାଲ ସାଧୁୟ, ଗଙ୍ଗାକୂଳ ବେଶି ଦୂର ନୁହେଁ । ଦେଖ, ଗୋଟାଏ ଘୋଡ଼ା ଗାଡ଼ି ଏହି ଆଡ଼କୁ ଆସୁଛି । ବୋଧହୁଏ ତମର ଦାଦା ଆସୁଛନ୍ତି । ରକ୍ଷାକର ସାଧୁ ! ତୁମ ବଂଶର ମର୍ଯ୍ୟାଦା ତୁମେ ରକ୍ଷାକର । ତୁମର ଦାଦା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।

 

ସାଧୁଚରଣ ହସି ହସି କହିଲେ, ବିପ୍ରଦାଙ୍କୁ ବି ନିଜର କବଳରେ ପକାଇଲ ? ହଉ, ନମସ୍କାର । ନିଶ୍ଚିନ୍ତରେ ଆନନ୍ଦରେ ଏଥର ଜୀବନଟା କାଟ । ପ୍ରତିଜ୍ଞା କରି ଯାଉଛି, ଆଉ କେବେ ସୁଖ ଆନନ୍ଦେ ବାଧା ଦେବାକୁ ମୁଁ ତମର ସମ୍ମୁଖୀନ ହେବି ନାହିଁ ।

 

ସାଧୁଚରଣ ଆଶ୍ରୁସିକ୍ତ ଚକ୍ଷୁରେ କୋକିଳ ଦେଈଙ୍କୁ ପ୍ରଣାମକରି ଦ୍ରୁତ ପଦରେ ଗୃହରୁ ବାହାରି ଆସିଲେ । ରାଜପଥରେ କିଛିଦୂର ଆଗକୁ ଚାଲିଯାଇ ଉଜ୍ଜ୍ୱଳ ଚନ୍ଦ୍ରଲୋକରେ ଆସୁଥିବା ଗାଡ଼ିକି ଅନାଇଁ ରହିଲେ । ସତକୁସତ ଗାଡ଼ିଖଣ୍ଡି ଆସି ସେହି କୋଠା ଆଗରେ ଠିଆହେଲା । ଗାଡ଼ିରୁ ଦୁଇଜଣ ଭଦ୍ରଲୋକ ବାହାରିଲେ ତତ୍ପରେ ଜଣେ ସ୍ତ୍ରୀ ।

 

କେହି ଜଣେ ଅନ୍ୟ ଜଣଙ୍କୁ ପଚାରିଲା,. ଏହି ବସାରେ ଅଛୁ, ବିପ୍ର ?

 

କେହିଜଣେ ଉତ୍ତର ଦେଲା, ଆଜ୍ଞା ହଁ ।

 

ତିନିଜଣ ଗୃହ ଭିତରକୁ ଗଲେ ।

 

ସାଧୁଚରଣ କେତେ କଅଣ ଭାବି ପୁନର୍ବାର କୋଠା ଆଡ଼କୁ ଫେରି ଆସୁଥିଲେ, ମାତ୍ର ଅଧବାଟରେ ଠିଆହୋଇ ମୁଣ୍ଡରୁ ବାଳ ଟାଣୁ ମନକୁ ମନ କହିଲେ, ନା, ବରଂ ମୃତ୍ୟୁ ଭଲ ।

 

ବୁଲିପଡ଼ି ପାଗଳ ପରି ସେ ଗଙ୍ଗାକୂଳ ଆଡ଼େ ଚାଲିଗଲେ ।

***